Unknown

 

 

 

 

 

 

 

 

 

 

 

ସବା ଶେଷରେ

ସାତକଡ଼ି ହୋତା

 

ସୂଚୀପତ୍ର

 

୧.

ଭୟ

୨.

ମୁଖା

୩.

ଛାଡ଼ପତ୍ର

୪.

ଜନ୍ମଦିନ

୫.

କର୍ମଫଳ

୬.

ଚିରକାଳ

୭.

ବାଘ ଶିକାର

୮.

ସଙ୍କଟ

୯.

ସମୁଦ୍ରର ଶୋକ

୧୦.

ଈଶ୍ୱରଙ୍କୁ ଖୋଜିବା ବାଟରେ

୧୧.

ସତ୍କାର

୧୨.

ପରିବର୍ତ୍ତନ

୧୩.

କର୍‌ଫ୍ୟୁ

୧୪.

କକ୍ଷଚ୍ୟୁତ

୧୫.

ଦୃଷ୍ଟିକୋଣ

୧୬.

ସବା ଶେଷରେ

Image

 

ଭୟ

 

ସେଇ ଗୋଟିଏ ଲୋକକୁ ଏଇ କେତେବର୍ଷ ହେଲା ଦେଖିଆସୁଚି ସରିତା । କେଉଁଦିନ ତାକୁ ସେ ପ୍ରଥମ ଦେଖିଲା ନିର୍ଦ୍ଦିଷ୍ଟ ଭାବରେ ମନେନାହିଁ ସତ; କିନ୍ତୁ ଏକଥା ତା’ର ବେଶ୍‌ ମନେଅଛି ଯେ, ତା’ ବାହାଘର ସମୟରୁ ସେ ତାକୁ ଦେଖିଆସୁଚି । ସେଇଦିନୁ ଲୋକଟା ତା’ ପିଛା ଧରିଚି, ତା’ ପଛେ ପଛେ ଗୋଡ଼େଇଚି; ଅଥଚ ତା’ ସହିତ ପରିଚୟ ନାହିଁ, ସେ ସରିତା’ର ବନ୍ଧୁ ବା ଜ୍ଞାତି କୁଟୁମ୍ଭ ମଧ୍ୟ ନୁହେଁ । କାହିଁକି ଯେ ସେ ତା’ ପିଛା ଧରେ ତାହା ବୁଝିପାରେନି ସରିତା, ତା’ ସହିତ ଆଦୌ ଦେଖା ନ ହେବାର ସମସ୍ତ ସଫଳତା ଅବଲମ୍ବନ କରି ମଧ୍ୟ ହଠାତ୍‌ ସେଇ ଲୋକଟା ସହିତ ସାକ୍ଷାତ୍‍ ହୋଇଯାଏ । ପ୍ରଥମଦିନ ଯେତେବେଳେ ତାକୁ ଦେଖିଲା ସରିତା କେମିତି ଭୟ କରୁଥିଲା, ଅବିଶ୍ୱାସ କରୁଥିଲା; ମନେହେଉଥିଲା ଏ ଲୋକଟା ନିଜର କେହି ନୁହେଁ; ଅଥଚ ଅତି ନିକଟତର ହବାକୁ ଚେଷ୍ଟା କରୁଚି । ତା’ ମୁହଁରୁ ସେ ତା’ ବିଷୟରେ ଯେ ଅହେତୁକୀ ଆଗ୍ରହୀ, ଭୀଷଣ ଅନିସନ୍ଧିତ୍ସୁ ଏହା ଜାଣିପାରିଛି । ତାକୁ ଦେଖିଲାକ୍ଷଣି ଛାତିତଳ ଧଡ଼୍‌ କରିଉଠେ, ହୃଦୟର ସ୍ପନ୍ଦନର ଗତି ବଢ଼ିଯାଏ ଏବଂ ସ୍ଥିରଥିବା ମନ ଚହଲିଯାଏ, ଚଞ୍ଚଳ ହୁଏ । ସେଇ ଲୋକଟାକୁ ଚିହ୍ନିବାପାଇଁ ଇଚ୍ଛା ହୋଇଚି; କିନ୍ତୁ ସେଥିପାଇଁ ତା’ଆଡ଼ୁ କୌଣସି ଚେଷ୍ଟା ହବାର ନ ଦେଖି ପଛେଇ ଯାଇଚି । ଦିନେ ତ ଠିକ୍‌ ମନ୍ଦିର ବେଢ଼ା ଭିତରୁ ବାହାରି ଆସୁଥିବାବେଳେ ସିଂହଦ୍ୱାର ଆଗରେ ମୁହାଁମୁହିଁ ହୋଇଗଲା, ସେ ବୋଧହୁଏ କ’ଣ ପଚାରିଦବ ବୋଲି ଆଗକୁ ନ ଯାଇ ଛିଡ଼ା ହୋଇଗଲା ସରିତା; କିନ୍ତୁ ତା’ ଆଡ଼କୁ ଆଗେଇ ଆସି ପୁଣି ମୁହଁ, ଫେରାଇ ଅନ୍ୟ ଦିଗକୁ ଚାଲିଗଲା ଲୋକଟା । ଆଶ୍ଚର୍ଯ୍ୟ ହୁଏ ସରିତା, ସେଇ ଲୋକଟା କାହିଁକି ଏଇ କେତେବର୍ଷ ହେବ ତା’ ପିଛା ଧରିଚି ସେ ଆଦୌ ବୁଝିପାରେନି ।

 

ବିବାହ ପୂର୍ବରୁ ତାକୁ ଆଉ କେବେ ଦେଖି ନ ଥିଲା ସେ । ବିବାହ ଦିନ କିମ୍ବା ତା’ ପରଦିନ ଦେଖିଲା ସଠିକ୍‌ ମନେପଡ଼ୁ ନ ଥିଲେ ବି ସେଇ ସମୟରେ ଦେଖା ହେବ ବୋଲି ନିଶ୍ଚିତ ଥିଲା ସେ, ବରଯାତ୍ରୀ ହୋଇ ସେ ଆସି ନ ଥିଲାତ ? ଏଇ ପ୍ରଶ୍ନ ତା’ ମନରେ ଅନେକଥର ଉଠିଚି; କିନ୍ତୁ କିଛି ସମୟ ପରେ ଆଲୋକିତ ଆକାଶର ଇନ୍ଦ୍ରଧନୁ ପରି ମିଳେଇ ଯାଇଚି, କୌଣସି ଚିହ୍ନ ରଖିଯାଇନି । ବରଯାତ୍ରୀ ହୋଇ କେତେ ଲୋକ ଆସିଥିଲେ, ସେମାନଙ୍କର ନାମ ଠିକଣା ସେ ଜାଣିନି, ଜାଣିବାର କଥା ମଧ୍ୟ ନୁହେଁ; ତଥାପି ଜଣେ ଦୁଇଜଣର ପରିଚୟ ମନେଅଛି, କେବେ କେମିତି ସାକ୍ଷାତ୍‍ ହୁଏ, ଯିବା ଆସିବା ଲାଗିଚି ସେମାନେ ଆଉ ଅପରିଚିତ ଅବାନ୍ଧବ ହୋଇ ରହିନାହାନ୍ତି, ପରିଚିତ ହୋଇଗଲାଣି, ବନ୍ଧୁ ହୋଇଗଲେଣି; ଅଥଚ ଏଇ ଲୋକଟା ଭିନ୍ନ ପ୍ରକୃତିର । ସେ ବନ୍ଧୁତ୍ୱ କରିବାପାଇଁ ଚାହୁଁ ଥିବା ପରି ମନେହୁଏନି, ଏପରିକି ଏତେଥର ଦେଖାହେଲେ ବି ଭଦ୍ରତା ଖାତିରରେ ନିଜର ନାମ ଠିକଣା ବି କହିନି । ତା’ ମନର ଉଦ୍ଦେଶ୍ୟ ଜାଣିହେଉନି ।

 

ସରିତା’ର ମନେହୁଏ ଯେ ସେହି ଲୋକଟା ନିଶ୍ଚୟ କୌଣସି ଗୁପ୍ତଚର-ରୁଷିଆର କେ. ଜି. ବି. ବା ଆମେରିକାର ସି. ଆଇ. ଏ. ପରି । ଶଙ୍କାହୁଏ ମନରେ । ଗୁପ୍ତଚରଗୁଡ଼ାକ ଭିନ୍ନ ପ୍ରକୃତିର, ଦୟାମାୟା ବନ୍ଧୁତ୍ୱର ଊର୍ଦ୍ଧ୍ୱରେ । ସେମାନେ ଲୋକଙ୍କ ସହିତ ମିଶନ୍ତି, ଏକତ୍ର ଆହାର ବିହାର କରନ୍ତି, ଖବର ସଂଗ୍ରହ କରନ୍ତି, କୌଣସି ଅଯଥା କୌତୁହଳ ନ ଦେଖାଇ ଏକାନ୍ତ ଆପଣାର ହେବାପାଇଁ ଚେଷ୍ଟା କରନ୍ତି ଏବଂ ସେମାନଙ୍କୁ କେହି ଜାଣିବାପୂର୍ବରୁ ଯାହା ଜାଣିବା କଥା ଜାଣିନେଇ ଛାଡ଼ି ଚାଲିଯାଆନ୍ତି ଅନ୍ୟ ସ୍ଥାନକୁ । ଏପରି ଲୋକଙ୍କର ଚରିତ୍ର ଅଜ୍ଞାତ ରହିଯାଏ, ସେମାନେ ପରିଚିତ ବେଶରେ ଆସିଲେ ମଧ୍ୟ ଅପରିଚିତ ରହିଯାଆନ୍ତି, ସେମାନଙ୍କ ମେଳରେ ବନ୍ଧୁତ୍ୱ ସୃଷ୍ଟି ନ ହୋଇ ବି ସମ୍ପର୍କ ବଢ଼େ ଏବଂ ଦିନେ ବିଚ୍ଛେଦ ହେଲେ, ଆଉ ଦେଖାସାକ୍ଷାତ୍‍ ନ ହେଲେ ଆପଣାର କାହାକୁ ହରାଇବା ପରି ଲାଗେନି; ବରଂ ମନ ଭିତରେ ଖଚ୍‌ଖଚ୍‌ କରୁଥିବା କଣ୍ଟାଟା ଚହଲିଯାଏ, ମନ ଅବିକୃତ, ନିର୍ମଳ ହୋଇଯାଏ ।

 

ଏଇ ଲୋକଟା କେଉଁ ଦେଶର ବା କାହାର ଗୁପ୍ତଚର ? ସରିତା ଶୁଣିଛି ଯେ ପ୍ରତ୍ୟେକ ଦେଶର ସରକାର ଗୁପ୍ତଚର ରଖନ୍ତି ଅନ୍ୟ ଦେଶର ସାମରିକ ଶକ୍ତି, ଅର୍ଥନୈତିକ କୌଶଳ ବା ବ୍ୟବସାୟ ବାଣିଜ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାପାଇଁ । ନିଜ ରାଜ୍ୟର ବିରୋଧୀଦଳମାନଙ୍କର ବା ସନ୍ତ୍ରାସବାଦୀ ବିପ୍ଳବୀମାନଙ୍କର ବା ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କର ବା ସଚିବାଳୟମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଏଇ ଗୁପ୍ତଚରମାନଙ୍କୁ ଦେଶ ଭିତରେ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ସରିତା ଏପରି କୌଣସି କାର୍ଯ୍ୟରେ ଲିପ୍ତ ନୁହେଁ ବା ତା’ର କାର୍ଯ୍ୟ ପରିସର ମଧ୍ୟରେ ଏପରି କୌଣସି କାର୍ଯ୍ୟ ଥିବାର ସମ୍ଭାବନା ମଧ୍ୟ ନାହିଁ । ସେ ବଧୂ ଏବଂ ଶିଳ୍ପୀ-ଏହାହିଁ ତା’ର ପରିଚୟ, ଏହାଠାରୁ ବେଶି ନୁହେଁକି କମ୍‌ ନୁହେଁ ।

 

ସରିତା ବାହାହବା ପୂର୍ବରୁ ଚିତ୍ରାଙ୍କନ କରୁଥିଲା, ଏବେ ମଧ୍ୟ କରେ । କଳାଚର୍ଚ୍ଚା, ଚିତ୍ରାଙ୍କନ ତା’ ଜୀବନର ଆବେଗ ଓ ସ୍ପୃହା ସହିତ ଏକ ହୋଇଯାଇଚି । ସେ ଶିଳ୍ପଠାରୁ ନିଜକୁ ଭିନ୍ନ କରିପାରେନାହିଁ । ସଦାବେଳେ ତା’ର ମନେହୁଏ ଯେ ସେ ଜନ୍ମିବା ଆଗରୁ ଶିଳ୍ପୀ, ଜନ୍ମିବା ପରେ ଏହାର ବିକାଶ ଘଟିଚି କେବଳ । ବିବାହ ପରେ ଶିଳ୍ପ ସହିତ ସେ ସଙ୍ଗ ପାଇଲା ଆଉ ଜଣଙ୍କର, ପ୍ରଥମେ ଏହି ସଙ୍ଗ ସୁଖ ତା’ର ଅପରିଚିତ ମନେହେଉଥିଲେ ବି ସେ କ୍ରମଶଃ ନିଜର ପ୍ରାଣ ସତ୍ତାରେ, ରକ୍ତ ପ୍ରବାହରେ ଏବଂ ହୃଦୟର ସ୍ପନ୍ଦନରେ ଏହାର ଐଶ୍ୱର୍ଯ୍ୟ ଓ ମଧୁରତା ଅନୁଭବ କଲା-। ସେ ଅନୁଭବ କରିବାକୁ ଲାଗିଲା ଯେ ଏଇ ସମ୍ପର୍କ ବାହାରାର ନୁହେଁ ଅନ୍ତରର, ଦିନକର ନୁହେଁ ସବୁଦିନର, ପୁଣି ଏହି ସମ୍ପର୍କର ଋତୁଧର୍ମ ଅନୁସାରେ ସେ ହସିବ, ଏକାନ୍ତ ଆପଣାର ହେବ, ମଧୁର ବସନ୍ତ ପରି ନିଜକୁ ମୁକୁଳିତ କରିବ, ବର୍ଷାପରି ହେବ ଉନ୍ମୁକ୍ତ, ଶରତ ପରି ଶୋଭନୀୟ, ଶୀତପର ନିଭୃତ ଏବଂ ଗ୍ରୀଷ୍ମପରି ଉତ୍ତପ୍ତ । ଯିଏ ସ୍ୱାମୀ ହୋଇ ଆସିଛି ସିଏ ନୂତନ କେହି ନୁହେଁ, ତା’ ଭିତରେ ଥିଲା ଅନନ୍ତ କାଳରୁ, ଅନନ୍ତ କାଳଯାଏ ରହିଥିବ । ଏଇ ସମଗ୍ର ଚେତନା ଶୋଭନକୁ କେନ୍ଦ୍ରକରି । ଶୋଭନ ତା’ ଜୀବନରେ ଆସିବାଦିନୁ ସେ ତାହାରି ହାତରେ ସମର୍ପି ଦେଇଛି ନିଜକୁ ।

 

ସେଇ ଲୋକଟା ବିଷୟରେ ଶୋଭନକୁ କହିବାପାଇଁ ଉଚ୍ଛାହୁଏ ସରିତା’ର । କିନ୍ତୁ ସେ କହିବ କହିବ ହୋଇ କହିପାରେନି । ଶୋଭନ ତାକୁ କହେ–କଅଣ କହିବ କହୁଥିଲ କାହିଁ କହିଲ ନାହିଁ ତ; ସରିତା ଉତ୍ତର ଦେଇପାରେନି । ସେ କହେ, ନା- କହିବାର କିଛି ନାହିଁ, କଅଣ କହିବି କହିବି ହେଉଥିଲି ଆଉ ମନେପଡ଼ୁନି କିଛି । ତୁମ ମୁହଁକୁ ଚାହିଁଦେଲେ ଅନ୍ୟକଥା ଆଉ ମନେପଡ଼େନି ।

 

ସରିତା’ର ମନରେ ଆଶାଙ୍କା ହୁଏ ଯେ ଯଦି ଶୋଭନ ଏ ବିଷୟରେ ଜାଣେ ହୁଏତ ସନ୍ଦେହ ଅଙ୍କୁରିତ ହୋଇପାରେ ତା’ ମନରେ । ତା’ ଉପରେ ଅଗାଧ ବିଶ୍ୱାସ ଶୋଭନର, ସେଥିରେ ହୁଏତ ଫାଙ୍କ ସୃଷ୍ଟି ହୋଇପାରେ । ବିଶ୍ୱାସକୁ ଆଧାର କରି ଗଢ଼ିଉଠେ ସମ୍ପର୍କ, ବୃଦ୍ଧିପାଏ ବନ୍ଧୁତ୍ୱ; କିନ୍ତୁ ଯେଉଁଠାରେ ବିଶ୍ୱାସ ରହେନାହିଁ, ହଜିଯାଏ ଅନ୍ଧ ଗଳିରେ ବା ଜନାକୀର୍ଣ୍ଣ ରାଜପଥରେ, ସେଠାରେ ସମ୍ପର୍କ ତୁଟିଯାଏ, ବନ୍ଧୁତ୍ୱ ଭାଙ୍ଗିଯାଏ କାଚପରି । ସରିତା ମନକୁ ସଞ୍ଜତ କରେ, ଲୋକଟାକୁ ଭୁଲିଯିବାକୁ ଚେଷ୍ଟାକରେ, ହଠାତ୍‌ ରାତିରେ ତାକୁ ସ୍ୱପ୍ନଦେଖି ଯଦି ନିଦ ଭାଙ୍ଗି ଯାଏ ଭୟରେ କୁଣ୍ଢେଇ ପକାଏ ସ୍ୱାମୀକୁ । ଶୋଭନ ତାକୁ କଣ୍ଠଲଗ୍ନ କରି କୁହେ କଅଣ ଖରାପ ସ୍ୱପ୍ନ ଦେଖି ଡରିଗଲ କି ?

 

ସରିତା ସେଇ ଲୋକର କବଳରୁ ମୁକ୍ତି ପାଇବାଲାଗି ଉପାୟ ଚିନ୍ତାକରେ । ଭୟ ହୁଏ ମନରେ କାଳେ ଯଦି ସେ ତାକୁ କିଡ଼୍‌ନାପ କରି ନେଇଯାଏ । ବଳାତ୍କାର କରେ...

 

ଦିନେ ଶୋଭନ ଅଫିସରୁ ଫେରି ସ୍କୁଟରରୁ ଓହ୍ଲାଇବାବେଳେ ଆଉଜଣେ କେହି କଅଣ କହିବା ଭଙ୍ଗୀରେ ତା’ ପଛରେ ଠିଆ ହୋଇଥିବାର ଦେଖିଲା ସରିତା । ମୁହଁ ଅନ୍ଧାର ଯୋଗୁ ଚିହ୍ନିପାରିଲା ନାହିଁ । କିନ୍ତୁ ତା’ର କାହିଁକି ମନେହେଲା ଯେ ସେଇ ଲୋକଟା ଶୋଭନକୁ କିଛି କହିବାପାଇଁ ଆସିଛି । ଆଶଙ୍କାରେ ଶିହରି ଉଠିଲା ସରିତା । ଯଦି ତା’ ବିଷୟରେ କିଛି କହେ ଶୋଭନକୁ ? କିନ୍ତୁ କଅଣ କହିବ ସେ ତା’ ବିଷୟରେ ? ତା’ ସହିତ ଏଇ ପାଞ୍ଚ ବରଷ ହେବ ପାର୍କରେ ମନର ବେଢ଼ାରେ, ବଜାରରେ ରେସ୍ତୋରା ଓ ସିନେମାରେ ଦେଖାହୋଇଛି କେତେଥର; କିନ୍ତୁ ଆଜିଯାଏ ସେଇ ଲୋକର ମୁହଁ ଚିହ୍ନି ବି ତା’ର ନାମ ଠିକଣା ଜାଣିନି ସରିତା; ଅଥଚ ସେ ତା’ ପିଛା ଛାଡ଼ୁନି...ଏବେ ଶୋଭନର ପିଛା ବି କଲାଣି, ଯଦି କିଛି ହୋଇଯାଏ... ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସଂଶୟ ସୃଷ୍ଟି କରିବାଲାଗି କିଛି କହିଦିଏ ? ଯଦି ତା’ ନାମରେ ଅପବାଦ ରଟାଇ ଦିଏ ?

 

ସେଇ ଲୋକଟାର ଉଦ୍ଦେଶ୍ୟ ଯେ ଭଲ ନୁହେଁ ବେଶ୍‌ ବୁଝିପାରିଲା ସରିତା । ସେ ସ୍ୱର ଉଚ୍ଚକରି ଶୋଭନକୁ ଶୀଘ୍ର ଭିତରକୁ ଆସିବାପାଇଁ କହିବାକୁ ଯାଉଥିଲା, କିନ୍ତୁ କାହା ଭୟରେ କେଜାଣି ଗୋଟିଏ ଶବ୍ଦ ବି ତା’ ତୁଣ୍ତରୁ ଉଚ୍ଚାରିତ ହେଲା ନାହିଁ । ସେ ଉତ୍କଣ୍ଠାରେ ସେଇ ଏକ ଲୟରେ ଛିଡ଼ାହୋଇ ରହିଲା । ସେଇ ଲୋକଟା ତାକୁ କିଡ଼୍‌ନାପ କରିନେବାପାଇଁ ସୁଯୋଗର ଅପେକ୍ଷା କରୁଛି ବୋଧହୁଏ... । ଭାବିବାକ୍ଷଣି ଭୟରେ ଶିହରି ଉଠିଲା ସରିତା ।

 

ସରିତା ଆହୁରି କେତେବେଳଯାଏ ସେହିପରି ଏକ ଲୟରେ ଛିଡ଼ା ହୋଇ ରହିଥାଆନ୍ତି-। କେଜାଣି, କିନ୍ତୁ ତାକୁ ହଲାଇଦେଇ କହିଲା ଶୋଭନ...ଭୂତ ଦେଖି ଚମକିଲା ପରି ଏମିତି ଠିଆହୋଇ ରହିଛି ଯେ ...

 

ସରିତା କିଛି ଉତ୍ତର ଦେଲାନି କିମ୍ବା ସେହି ଲୋକଟା ବିଷୟରେ କିଛି ପଚାରିବା ଲାଗି ସାହସ ମଧ୍ୟ କଲାନି । କାଳେ ଯଦି ସେ ତା’ ବିଷୟରେ କିଛି କହିଦିଏ ଶୋଭନକୁ ! କାଳେ ଯଦି ଶୋଭନ ଜାଣିପାରେ ଯେ ପାଞ୍ଚବରଷ ହେବ ସେଇ ଲୋକଟା ତାକୁ ଚିହ୍ନେ, ସେ ମଧ୍ୟ ସେଇ ଲୋକକୁ ଚିହ୍ନେ; ଅଥଚ ଦିନେ ହେଲେ ତତ୍‍କ୍ଷଣାତରେ ବି ସରିତା ସ୍ୱାମୀକୁ କହିନି ତା’ ବିଷୟରେ-... । ଏଇ ପାଞ୍ଚବର୍ଷର ସୁଖମୟ ଦାମ୍ପତ୍ୟ ଜୀବନ ଆକାଶକୁସୁମ ପରି ଅବାସ୍ତବ ହୋଇଯିବ । ମନରେ ସଂଶୟ ଜାତହେଲେ ବିଶ୍ୱାସର ସୌଧଟି ଢଳିପଡ଼ିବ ।

 

ସରିତା କିଛି ନ କହି ବରଂ ସେଇ ପ୍ରସଙ୍ଗ ଛାଡ଼ି ଅନ୍ୟ ପ୍ରସଙ୍ଗକୁ ଯିବାପାଇଁ ତରତର ହୋଇ କହିଲା–ଚାଲ ଚା’ ପିଇବ, ଅନେକ ଡେରି ହେଲାଣି ।

 

ଶୋଭନ ତା’ ପଛେ ଘର ଭିତରକୁ ଗଲା ।

 

ଦୁହେଁ ଏକାଠି ବସି ଚା’ ପିଇଲେ ।

 

ଶୋଭନ ଧୁଆଧୋଇ ହବାପାଇଁ ବାଥ୍‌ରୁମ୍‌କୁ ଯିବା ପୂର୍ବରୁ ଟେବୁଲ ଉପରକୁ ଚାହିଁ ଦେଇ କହିଲା–ତିନିଟା ଚିଠି ଆସିଛି; ଅଥଚ ଗୋଟିଏ ବି ଖୋଲା ହୋଇନି... କିଏ ଲେଖିଚି ?

 

ସରିତା ଚମକିପଡ଼ି ଚାହିଁଲା; ଏତେବେଳେ ତା’ର ମନେପଡ଼ିଲା ଯେ ଯେଉଁ ତିନିଟା ଚିଠି ଡାକବାଲା ଦେଇଯାଇଥିଲା ସକାଳେ ତାହା ଖୋଲା ନ ହୋଇ ଅପଢ଼ା ରହିଯାଇଚି ।

 

କିନ୍ତୁ କିଏ ଲେଖିଚି ଏଇ ଚିଠି ?

 

ଶୋଭନ ତରତର ହେଉଥିଲା, ଚିଠି ପରେ ପଢ଼ିବ କହି ପ୍ରସାଧନ ଘରକୁ ଚାଲିଗଲା ।

 

ସରିତା ଟେବୁଲ ଉପରୁ ଚିଠି ତିନିଖଣ୍ତ ଉଠେଇ ନେଇ ଠିକଣା ପଢ଼ିଲା । ଦୁଇଟି ଚିଠି ଶୋଭନର, ଗୋଟିଏ ତା’ର । ଶୋଭନକୁ ଗୋଟେ ଚିଠି ଲେଖିଚି ତା’ର ସାନଭାଇ ଏବଂ ଅନ୍ୟଟି ଆସିଛି ରିସର୍ଚ୍ଚ ଫାଉଣ୍ତେସନରୁ । ପ୍ରେରକର ପୂରା ଠିକଣା ଲେଖାଅଛି ଶୋଭନର ଦୁଇଟି ଚିଠିରେ-। ନିଜର ଚିଠିଟି ହାତରେ ଉଠେଇନେଇ ଦେଖିଲା ସରିତା, ପ୍ରେରକର ଠିକଣା ଲେଖା ନ ଥିଲା ଚିଠି ଉପରେ । ଚମକି ପଡ଼ିଲା ସେ । କିଏ ଲେଖିଚି ଏ ଚିଠି ? ସେଇ ଲୋକଟା ତା’ ଠିକଣା ଯୋଗଡ଼ କରି ଲେଖିନି ତ ? ହଠାତ୍‌ ଆଶଙ୍କାରେ ଆପାଦମସ୍ତକ ଶିଥିଳ ହୋଇଆସିଲା ସରିତା’ର-। ଏକ ଅଜଣା ଭୟ ତାକୁ ପ୍ରାୟ ନିର୍ବେଦ କରିଦେଲା ।

 

ଶୋଭନ ପ୍ରସାଧନ ଘରୁ ବାହାରିବାର ଶବ୍ଦ ଶୁଣି ସଜାଗ ହୋଇଗଲା ସରିତା, ଚିଠି ଦୁଇଟା ତା’ ହାତକୁ ବଢ଼େଇ ଦେଇ କହିଲା ପଢ଼ ମୁଁ ଆସୁଚି... । ସେ ତା’ ନାମରେ ଆସିଥିବା ଚିଠି ଖଣ୍ତକୁ ନେଇ ଚାଲିଗଲା ସେଠାରୁ ଏବଂ ତା’ର ଛାତି ଭିତରର ସ୍ପନ୍ଦନ ଦୃଢ଼ରୁ ଦୃଢ଼ତର ହେବାରେ ଲାଗିଲା । ସେ ଏକା ଏକା ରୁଦ୍ଧଶ୍ୱାସରେ ପଢ଼ିନବାପାଇଁ ବାଥ୍‌ରୁମ୍‌ ଭିତରକୁ ପଶିଯାଇ ଦରଜା ବନ୍ଦ କରିଦେଲା ।

 

ସେଇ ଚିଠିଟା କିନ୍ତୁ ଖୋଲିବାକୁ ସାହସ ହେଲାନି ସରିତା’ର । ସେଇ ଅଖୋଲା ଅପଢ଼ା ଚିଠିଟାକୁ ସେ କମୋଡ଼ ଭିତରେ ପକାଇ ଦେଇ ଜଞ୍ଜିର ଟାଣିଦେଲା ଏବଂ ପାଣି ସୁଅରେ ସିଓରେଜକୁ ଚାଲିଗଲା ଚିଠି ଖଣ୍ତକ, ସବୁଦିନପାଇଁ ଅଜଣା ରହିଗଲା ଚିଠିର ବିଷୟବସ୍ତୁ । ଛି... ଛି...ସେଇ ଲୋକଟା ଯେ ନିର୍ମଳ ଆନନ୍ଦ ପାଇବା ସକାଶେ ତାକୁ ଦେଖିବାପାଇଁ ତା’ ପିଛା ଧରେ ତାହା ନୁହେଁ, ତା’ ମନରେ ପାପ ଅଛି ନିଶ୍ଚୟ; ନୋହିଲେ ସେ ଏଡ଼େ ସାହସ କରିଥାଆନ୍ତା ତା’ ନାମରେ ଚିଠି ଲେଖିବାପାଇଁ ? ଆଉ ସେଇ ଚିଠିଟା ଯଦି ପଢ଼ିଥାଆନ୍ତା ଶୋଭନ ? ସେଇ ବଦମାସ୍‌ ନିଶ୍ଚୟ ତାକୁ ‘ମୋ ହୃଦୟର ରାଣୀ’ କିମ୍ବା ‘ମୋର ପ୍ରିୟତମା’ ଭଳି କୌଣସି ସମ୍ବୋଧନ କରି ନିଜର ମନ୍ଦ ଉଦ୍ଦେଶ୍ୟ ବ୍ୟକ୍ତକରି ଶେଷରେ ଲେଖିଥିବ-‘ତୁମର ହୃଦୟର ସ୍ପନ୍ଦନ, ବା ‘‘ତୁମର ଚିର ଅନୁଗତ ଦାସାନୁଦାସ... । ଛି ... ଛି ... ଭାଗ୍ୟ ଭଲ ଯେ ଶୋଭନ ହାତକୁ ସେଇ ଚିଠି ଯାଇନି, ସେ ପଢ଼ିବାର ସୁଯୋଗ ପାଇନି ।

 

କିନ୍ତୁ ଯଦି ଶୋଭନ ପଚାରେ ଚିଠି ସମ୍ପର୍କରେ ? ଜାଣିବାକୁ ଚାହେଁ କିଏ ଲେଖିଛି ବୋଲି ? ପଢ଼ିବାପାଇଁ ହାତ ବଢ଼ାଏ ? ସରିତା ସହସା ସ୍ଥିର କରିପାରିଲା ନାହିଁ କଅଣ କହି ନିଷ୍କୃତି ପାଇବ ସେଇ ସଙ୍କଟରୁ ।

 

ସେ ଅନେକ ବିଳମ୍ବ କରି ବାହାରିଲା ପ୍ରସାଧନ କୋଠରିରୁ । ସେତେବେଳକୁ ତାଙ୍କ ଘରକୁ ବୁଲି ଆସିଥିବା ମିଷ୍ଟର ଏବଂ ମିସେସ୍‌ ଅଗରଓ୍ୱାଲଙ୍କ ସହିତ ଡ୍ରଇଁରୁମ୍‌ରେ ବସି ଗଳ୍ପ କରୁଥିଲା ଶୋଭନ । ସରିତା ସଜହୋଇ ଡ୍ରଇଁ ରୁମ୍‌କୁ ଆସି କହିଲା- ଦୁଃଖିତ, ଅନେକ ଡେରି ହୋଇଗଲା ...

 

ଶୋଭନ ତା’ ମୁହଁକୁ କାହିଁକି ଇମିତି କିଛି ପଚାରିବ ପଚାରିବ ପରି ଚାହିଁଲା... କେଜାଣି-?

 

ସରିତା କିନ୍ତୁ ରକ୍ଷା ପାଇଗଲା । ଶୋଭନ ତାକୁ କିଛି ପଚାରିଲା ନାହିଁ; ବରଂ କହିଲା ଯେ ଶ୍ରୀମତୀ ଅଗରଓ୍ୱାଲ ଆସନ୍ତାକାଲି ଡିନରକୁ ନିମନ୍ତ୍ରଣ କରିବାପାଇଁ ଆସିଛନ୍ତି... ।

 

ସରିତା ଅନେକ ସମୟପରେ ସହଜ ହବାପାଇଁ ସୁଯୋଗ ପାଇଲା ।

 

ଗଳ୍ପ ଜମିଉଠିଲା । ମିଷ୍ଟର ଅଗରଓ୍ୱାଲ ତାଙ୍କ ଆମେରିକା ଗସ୍ତ ସମ୍ପର୍କରେ ଏକ ମନୋରଞ୍ଜକ ବିବରଣୀ ଦେଲେ । ଶ୍ରୀମତୀ ସୁଧା ଅଗରଓ୍ୱାଲ କିନ୍ତୁ ଯାହା କହିଲେ ତାହା ଶୁଣି ଦେହ ମନ ଶିଥିଳ ହୋଇଗଲା ସରିତା’ର ।

 

ସୁଧା ଅଗରଓ୍ୱାଲ କହିଲେ ଯେ ଏଇ କେତେଦିନ ହେବ ସହରରେ ଅସାମାଜିକ ଲୋକଙ୍କ ଦୌରତ୍ମ୍ୟ ବୃଦ୍ଧି ପାଇଛି, ଝିଅ ବୋହୂ ଏକା ଯିବା ଆସିବା କରିବାକୁ ନିରାପଦ ମଣୁ ନାହାନ୍ତି । ଆହୁରି ବି ସେ କହିଲେ ଯେ କେତେଜଣ ଦୁର୍ବୃତ୍ତ ରସିକ ସାଜି ସୁନ୍ଦରୀ ଝିଅ ବୋହୂଙ୍କ ପିଛା କରୁଛନ୍ତି...ସୁଯୋଗ ପାଇଲେ ହୁଏତ କିଡ଼୍‌ନାପ କରିବେ ଦିନେ ... । ସତର୍କ ନ ହେଲେ ବାଣୀ ରାୟର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ।

 

ସରିତା ସ୍ତବ୍‌ଧ ହୋଇ ଶୁଣିଥାଏ । ଶୋଭନ ପଚାରିଲା–ବାଣୀ ରାୟର କଅଣ ହେଲା-?

 

ହବ ଆଉ କଅଣ, ଅସାମାଜିକ ଲୋକଙ୍କ ହାତରେ ପଡ଼ିଲେ ଯାହା ହୁଏ ଝିଅମାନଙ୍କର, ସେୟା ହେଲା । ତାକୁ ସେଇ ଲୋକଟା ଦିନେ ଅଧେ ନୁହେଁ ପ୍ରାୟ ବର୍ଷେ ହବ ଫଲୋ କରୁଥିଲା, ବାଣୀ କେତେଥର ଦେଖିଥିବ ତାକୁ...ହୁଏତ ଭାବିଥିବ କୋଉ ପରିଚିତ ଲୋକ; ଇମିତ ବି ଅନେକ ଥାଆନ୍ତି ଯେଉଁମାନଙ୍କ ସହିତ ପ୍ରାୟ ଦଶଥର ଦେଖାହୁଏ ମାସରେ ହାଟ ବଜାରରେ; କିନ୍ତୁ ସେମାନଙ୍କ ସହିତ ପରିଚୟ ନ ଥାଏ, ସମ୍ପର୍କ ଗଢ଼ି ଉଠେନି, ବନ୍ଧୁତ୍ୱ ହୁଏନି । ବାଣୀର ବିଚାର କିନ୍ତୁ ଭୁଲ୍‌ । ସେ ଯାହାର ନାମ ଠିକଣା ନ ଜାଣି ମଧ୍ୟ ବରାବର ଦେଖିଥିବାରୁ ପରିଚିତ ଭାବି ତା’ କଥାରେ ବିଶ୍ୱାସ କରି ସ୍କୁଟର ପଛରେ ବସିଲା ସେହି ଲୋକଟା ତାକୁ ଧରି ଚମ୍ପଟ... ଆଜିକି ତିନିଦିନ ହୋଇଗଲା ପତ୍ତା ମିଳିନି ।

 

ଶୋଭନ କହିଲା–ସେ ସ୍କୁଟର ପଛରେ ବସୁଥିଲା କାହିଁକି... ?

 

ମିଷ୍ଟର ଅଗରଓ୍ୱାଲ କହିଲେ- ସେଇ ଲୋକଟା ହଠାତ୍‌ ଆସି ତାଙ୍କୁ କହିଲା ଯେ ତାଙ୍କର ସ୍ୱାମୀ ଏକ୍‌ସିଡ଼େଣ୍ଟରେ ପଡ଼ି ହସିପିଟାଲରେ ସିରିୟସ୍‌ କଣ୍ତିସନ୍‌ରେ । ସେ ଯଦି ଚାହାଁନ୍ତି ତାଙ୍କୁ ନେଇ ସେ ପହଞ୍ଚେଇ ଦବ ଠିକଣା ଜାଗାରେ । ବାଣୀ ରାୟ ତା’ର ନାମ, ଠିକଣା ନ ଜାଣିଲେ ମଧ୍ୟ ଅନେକଥର ଦେଖିଥିବାରୁ ଏବଂ ତା’ର ଚାଲିଚଳଣରୁ ଧରି ନେଇଥିଲେ ଯେ ସେ ବୋଧହୁଏ କେହି ପରିଚିତ ବ୍ୟକ୍ତି...ତାଙ୍କ ସ୍ୱାମୀ ବା ଅନ୍ୟ କେହି ସମ୍ପର୍କୀୟଙ୍କର ବନ୍ଧୁ ବି ହୋଇପାରେ ।

 

ଏକଥା ବାଣୀ ମୁହଁରୁ ଶୁଣିଛନ୍ତି ? ପ୍ରଶ୍ନ କଲା ଶୋଭନ ।

 

–ନା, ମୁଁ ସବୁ କଥା ଶୁଣି ଏହିପରି ହୋଇଥାଇପାରେ ବୋଲି ସନ୍ଦେହ କରୁଛି...,

 

ହଠାତ୍‌ ମୁଣ୍ତ ବୁଲାଇ ଦେଲା ସରିତା’ର, ତାକୁ ଧରାଧରି କରି ଖଟ ଉପରେ ନେଇ ଶୁଆଇଦେଲା ଶୋଭନ । ଅଗରଓ୍ୱାଲ ଦମ୍ପତି ଉଦ୍‌ବେଗ ପ୍ରକାଶ କରି ଶୁଭ କାମନା ସହିତ ଆରୋଗ୍ୟ କାମନା କରି ବିଦାୟ ନେଲେ । ସେଇ ରାତିରେ କିନ୍ତୁ ଆଦୌ ଶୋଇ ପାରିଲାନି ସରିତା ।

 

ଶୋଭନ ଥରେ ବାଥ୍‌ରୁମ୍‌ ଯାଇଥିବାବେଳେ ଖୋଲା ଝରକାର ପର୍ଦ୍ଦା ପବନରେ ଉପରକୁ ଉଠିଯିବାରୁ ବାହାରେ ଚନ୍ଦ୍ରାଲୋକରେ କୋଠରୀ ଭିତରକୁ ଚାହିଁ କେହି ଛିଡ଼ା ହୋଇଥିବାର ଦେଖି ଭୟରେ ଶ୍ୱାସରୁଦ୍ଧ ହେବାପରି ମନେକଲା ସରିତା । ତାକୁ ଲାଗିଲା ଯେ ସେଇ ଲୋକଟାର ଲମ୍ବା ହାତ ଶିକୁଳି ଟାଣି ଦରଜା ଖୋଲି ଆଗେଇ ଆସୁଛି ତାକୁ ଟାଣି ନବାପାଇଁ-। ସେଇ ମୁହୂର୍ତ୍ତରେ ଶୋଭନ ସେଠାରେ ନ ଥିବାରୁ ସେ ଭୟରେ ଚିତ୍କାର କରି ଉଠିଲା ଏବଂ କଅଣ ହେଲା ଜାଣି ନ ପାରି ବାଥ୍‌ରୁମ୍‌ ଖୋଲି ଦୌଡ଼ି ଆସିଲା ଶୋଭନ । ସେତେବେଳକୁ ବିଛଣା ଉପରେ କଟା କଦଳୀ ଗଛପରି ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥାଏ ସରିତା ।

 

ଦୁଇଦିନ ଛୁଟିନେଇ ସ୍ତ୍ରୀ ପାଖରେ ଘରେ ରହିଲା ଶୋଭନ । ସରିତା ସେଦିନ ରାତିରେ ଏତେ ଡରିଯାଇଥିଲା ଯେ ତାକୁ ଲାଗୁଥିଲା ସେଇ ଲୋକଟା ତା’ ପିଛା ଧରିଛି ଏବଂ ଯେକୌଣସି ମୁହୂର୍ତ୍ତରେ ତାକୁ କିଡ଼୍‌ନାପ୍‌ କରି ନେଇଯାଇପାରେ । ତେଣୁ ଶୋଭନ ଯେତେ ପଚାରିଲେ ବି ସେ ଭୟରେ କିଛି କହିଲା ନାହିଁ । ପ୍ରକୃତରେ ଝରକା ପାଖରେ କେହି ଯେ ଠିଆହୋଇ ନ ଥିଲା ଏବଂ ସବୁ ତା’ର ମନର ଭ୍ରମ ଏହା ଶୋଭନ କେତେଥର କହିଲେ ବି ସରିତା ବିଶ୍ୱାସ କଲାନି ଏବଂ ଏକ ଅଜ୍ଞାନ ଆସନ୍ନ ସଂକଟର ଭୟରେ ମୁହ୍ୟମାନ ହୋଇ ପଡ଼ିଲା ।

 

ଶୋଭନ ଆଉ ସାତଦିନ ଛୁଟିନେଇ ସ୍ତ୍ରୀ ପାଖରେ ରହିଲା । ତା’ର ଚିଠି ପାଇ ସରିତା’ର ବଡ଼ ଭଉଣୀ ମଧ୍ୟ ରାଉରକେଲାରୁ ଆସି ପହଞ୍ଚିଲେ । କିଛିଦିନ ସେମାନଙ୍କ ଗହଣରେ ରହିବା ପରେ ସରିତା କିଛିଟା ସୁସ୍ଥ ଅନୁଭବ କଲା ଏବଂ ତା’ର ମନ ପରିବର୍ତ୍ତନ କରିବାପାଇଁ ସରିତାକୁ ରାଉରକେଲା ନେଇଯିବାପାଇଁ ତା’ ବଡ଼ଭଉଣୀ ପ୍ରସ୍ତାବ ଦବାରୁ ଶୋଭନ ରାଜି ହୋଇଗଲା । ସେ ରାଉରକେଲା ଚାଲିଗଲେ ସେଇ ଲୋକଟା ଆଉ ତା’ର ପିଛା କରିପାରିବ ନାହିଁ ଭାବି ସରିତା ମନେ ମନେ ନିଶ୍ଚିନ୍ତ ହେଲା ଏବଂ ଜିନିଷପତ୍ର ବନ୍ଧାବନ୍ଧି କରିବାରେ ମନ ଦେଲା ।

 

ଶୋଭନ ସରିତାକୁ ଓ ତା’ ବଡ଼ ଭଉଣୀକୁ ଉତ୍କଳ ଏକସ୍‌ପ୍ରେସ୍‌ରେ ବସେଇ ଦେଇ କହିଲା–ଘରେ ପହଞ୍ଚି ଟେଲିଫୋନ କରିବ ... ମୁଁ ଅପେକ୍ଷା କରିଥିବି । ଦେହର ଯତ୍ନ ନବ... ।

 

ଗାଡ଼ି ଛାଡ଼ିଦେଲା ଏବଂ ଶୋଭନ ହାତ ହଲାଇ ସ୍ତ୍ରୀକୁ ବିଦାୟ ଦେଲା । ସରିତା ମଧ୍ୟ ହାତ ହଲାଇ ତା’ର ପ୍ରତ୍ୟୁତ୍ତର ଦେଲା ।

 

କିନ୍ତୁ ଗାଡ଼ିଟା ମହାନଦୀ ପୋଲ ପାଖରେ ହଠାତ୍‌ ଛିଡ଼ା ହୋଇଗଲା । କେହି ଆଲାର୍ମ ଚେନ୍‌ ଟାଣିଥିବାରୁ ଦୁଇଥର ଲମ୍ବା ଓ ଥରେ ଛୋଟ ବିଗୁଲ ବଜାଇବାକୁ ଲାଗିଲା ଡ଼୍ରାଇଭର । ଗାଡ଼ିର ଗତି ବନ୍ଦ ହୋଇଯିବାରୁ ଡବା ଭିତରେ ଆଲୁଅର ତେଜ ମଧ୍ୟ ମଳିନ ଦିଶିଲା । କେତେଜଣ ଲୋକ ତଳେ ଯିବା-ଆସିବା କରୁଥିବାର ଝରକା ଦେଇ ଦେଖିଲା ସରିତା । ଏପରି ସ୍ଥାନରେ ଡବାର ଦରଜା ଭିତରପଟୁ ବନ୍ଦ ରହିବା ଭଲ ଭାବି ସେ ଦରଜା ବନ୍ଦ ଅଛି କି ନାହିଁ ଦେଖିବାପାଇଁ ସେ ଆଡ଼କୁ ଚାହିଁବା ବେଳକୁ ବିସ୍ମୟ ବିମୂଢ଼ ହୋଇ ଜଣେ ଲୋକ ଦରଜା ଖୋଲି ବାହାରୁ ଭିତରକୁ ପଶି ଆସୁଥିବାର ଦେଖିଲା । ଲୋକଟା ଅନ୍ୟଆଡ଼େ ଚାହିଁଥିବାରୁ ତା’ର ମୁହଁ ସହଜରେ ଦେଖିପାରିଲା ନାହିଁ ସରିତା; କିନ୍ତୁ କଳାକୋଟ୍‌ ପିନ୍ଧିଥିବା ସେଇ ଲମ୍ବା ମଣିଷଟି ତା’ର ପିଛା କରୁଥିବା ସେଇ ପରି ମନେହେଲା । ନିଷ୍ପ୍ରଭ ଆଲୋକିତ ସେଇ ଡବା ଭିତରେ ସେଇ ଅଭଦ୍ର ଲୋକଟାକୁ ଦେଖିବ ବୋଲି ସ; ଆଦୌ ଆଶା କରୁ ନ ଥିଲା; ବରଂ ତାହାରି କବଳରୁ ରକ୍ଷା ପାଇବା ଲାଗି ସେ ରାଉରକେଲା ପଳେଇ ଯାଉଥିଲା କିଛିଦିନ ନିଶ୍ଚିନ୍ତରେ, ନିର୍ଭୟରେ ରହିବାପାଇଁ; ଅଥଚ ତା’ଠାରେ କଅଣ ଅଛି ଯେ ସେଇ ଲୋକଟା ପିଛା ଧରିଚି ପାଞ୍ଚବର୍ଷ ହେଲା । ସରିତା ଅପାଆଡ଼କୁ ଅନେଇଲା ଭୟ ବିହ୍ୱଳ ଦୃଷ୍ଟିରେ, ତାକୁ ଡାକିବାକୁ ଯାଇ କିନ୍ତୁ ଡାକିପାରିଲାନି-। ସେଇ ଲୋକଟା କ୍ରମଶଃ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖି, ସେ ହାତ ବଢ଼ାଇଲା ଅପାକୁ ଚିମୁଟି ଦେଇ ତା’ର ଦୃଷ୍ଟି ଆକର୍ଷଣ କରିବାଲାଗି; କିନ୍ତୁ ତାହା ମଧ୍ୟ କରିପାରିଲା ନାହିଁ ସେ, ହାତ ଅବଶ ହୋଇଗଲା–ବୋଲ ମାନିଲା ନାହିଁ ।

 

ଏଭଳି ଏକ ସଙ୍କଟରେ ଏହାପୂର୍ବରୁ ଆଉକେବେ ପଡ଼ି ନ ଥିଲା ସରିତା । ସେହି ଲୋକଟାକୁ ସେ ଏ ଯାଏ ବାହାରେ ଦେଖିଛି, କୋଠରି ଭିତରେ ଦେଖିନି । ତାକୁ ଡବା ଭିତରେ ଦେଖି ସେ ନିଶ୍ଚିତ ହୋଇଗଲା ଯେ ତା’ ପିଛା ଧରିଚି ଏବଂ ସେ ରାଉରକେଲା ଯାଉଥିବା ବିଷୟଟି କେମିତି ଜାଣିଯାଇଚି; ହୁଏତ ରାଉରକେଲାରେ ସେ କେଉଁଠି କାହାଘରେ ରହିବ ତାହା ମଧ୍ୟ ଜାଣିଯାଇଥିବ । ତାହାରି ଆଡ଼କୁ ସେ ଆଗୋଉଥିବାର ଦେଖି ଭୟରେ ଆଖି ବୁଜିଲା ସରିତା ।

 

ତା’ପରେ କେତେବେଳେ ଟ୍ରେନ୍‌ ଚାଲିଲା, ଡବା ଭିତରେ ସମସ୍ତେ ଶୋଇପଡ଼ିଲେ ସେ ଜାଣିପାରିଲା ନାହିଁ। ସେ ନିଜେ ମଧ୍ୟ କେତେବେଳେ ଶୋଇପଡ଼ିଥିଲା ଆଦୌ ସ୍ମରଣ କରିପାରିଲା ନାହିଁ । ସକାଳର ସୂର୍ଯ୍ୟକିରଣ ଝରକା ଦେଇ ଦୌଡ଼ୁଥିବା ରେଳଗାଡ଼ିର ଡବା ଭିତରକୁ ପଶିଆସୁଥିବାର ଦେଖି ସରିତା ଉଠିବସି ବାହାରକୁ ଚାହିଁଦେଇ ବନ୍ଧମୁଣ୍ତା ପାର ହେଉଥିବାର ଦେଖି କହିଲା-ଅପା ଉଠ୍‌ ଉଠ୍‌... ରାଉରକେଲା ଆସିଗଲାଣି । ଭାଗ୍ୟକୁ ସେଇ କଳାକୋଟ୍‌ପିନ୍ଧା ଲୋକଟା ସେତେବେଳକୁ ନ ଥିଲା ଡବାରେ ।

 

ରାଉରକେଲା ଷ୍ଟେସନକୁ ଭିଣୋଇ ସତ୍ୟବ୍ରତବାବୁ ଆସିବାର କଥା ସେମାନଙ୍କୁ ନବାପାଇଁ । ଗାଡ଼ି ପ୍ଲାଟଫର୍ମ ଉପରେ ଛିଡ଼ାହେଲାକ୍ଷଣି ବାହାରକୁ ଚାହିଁଲା ସରିତା... କିନ୍ତୁ ସତ୍ୟବ୍ରତ ଭାଇଙ୍କୁ କାହିଁ ଦେଖିପାରିଲା ନାହିଁ ।

 

ଜିନିଷପତ୍ର ଧରି ଦୁହେଁ ଓହ୍ଲେଇଲେ ଗାଡ଼ିରୁ, ଗୋଟେ କୁଲି ସେମାନଙ୍କୁ ସାହାଯ୍ୟ କରିବାପାଇଁ ଦଉଡ଼ି ଆସିଲା । ସରିତା କହିଲା–ହୁଇଲର ବହି ଦୋକାନ ଆଗରେ ଭାଇଙ୍କୁ ଅପେକ୍ଷା କରିବାକୁ କହିଥିଲି, ତୁ ଜିନିଷପତ୍ର ଜଗିଥା, ମୁଁ, ଦେଖିଆସେ । ସରିତା ଆଗେଇଲା ହୁଇଲର ବୁକ୍‌ଷ୍ଟଲ ଆଡ଼କୁ ।

 

ସେ ଭିଡ଼ ଠେଲି ଆଗକୁ ଯାଉଥିବାବେଳେ ଯୋଉ ଲୋକଟାକୁ ଠେଲିଦେଇ ସେ ଆଗେଇଯିବ ବୋଲି ଚେଷ୍ଟା କରୁଥିଲା ସେଇ ଲୋକଟା ପଛକୁ ଯେମିତି ବୁଲିପଡ଼ିଚି ସରିତା ତା’ ମୁହଁକୁ ଚାହିଁଦେଇ ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲା । ତାକୁ ଯେପରି ସେଇ ଲୋକଟା ପଚାରିଲା–କାହାକୁ ଖୋଜୁଛ ? ମୁଁ କିଛି ସାହାଯ୍ୟ କରିପାରେକି ?

 

ସେ ଅତି ନିକଟରୁ କହିଥିଲେ ବି ଅତି ଦୂରରୁ କହୁଥିବା ପରି ଲାଗିଲା ସରିତାକୁ । ସେ କିଛି କହିବା ଅବସ୍ଥାରେ ନ ଥିଲା ସେତେବେଳେ, କାଳେ ସେଇ ଲୋକଟା ଆହୁରି ଇତର, ଅଭଦ୍ର ହୋଇ ତାକୁ ପ୍ଲାଟଫର୍ମ ଉପରୁ କିଡ଼୍‌ନାପ କରିନବ ଏୟା ଭାବିଲାକ୍ଷଣି ଆତଙ୍କରେ ସର୍ବାଙ୍ଗ ଶିଥିଳ ହୋଇଗଲା ସରିତା’ର ।

 

ତା’ ସାମ୍ନାରେ ଓ ଚାରିଆଡ଼େ ଯାତ୍ରୀମାନଙ୍କର କୋଳାହଳ, କୁଲି ଓ ଚା’ ବିକାଳିମାନଙ୍କର ଡାକହାକ...କିନ୍ତୁ କିଛି ଶୁଣିପାରୁ ନ ଥାଏ ସରିତା । ଏଡ଼େ ଜନାକୀର୍ଣ୍ଣ ମୁଖରିତ ପ୍ଲାଟ୍‌ଫର୍ମଟା ଗୋଟାଏ ନିସ୍ତବ୍‌ଧ, ନିକାଞ୍ଚନ ସ୍ଥାନପରି ଅନୁଭବ କରୁଥିଲା ସେ । ଆଉ ଠିକ୍‌ ଏପରି ନିର୍ଜନ ଜାଗା ଅନୁକୂଳ କିଡ଼୍‌ନାପିଂ ପାଇଁ...

 

ସରିତା କାନ୍ଧ ଉପରେ କାହାରି ସ୍ପର୍ଶ ପାଇ ସବୁ ଶକ୍ତି ଖର୍ଚ୍ଚକରି ଚିର୍କାର କରି ଉଠିଲା...ଅ...ପା ... ସେ ପଡ଼ିଯାଉଥିଲା–ସତ୍ୟବ୍ରତ ତାକୁ ହାତ ଉପରକୁ ଆଉଜାଇ ନେଇ କହିଲେ–ଆରେ ମୁଁ ସତ୍ୟବ୍ରତ ଯେ ସରିତା ... ।

Image

 

ମୁଖା

 

ଏଇ ସହରକୁ ଆସିବା ବରଷେ ହୋଇଗଲାଣି, ତଥାପି କିମିତି ଅଡ଼ୁଆ ଲାଗେ ନିଶିକାନ୍ତକୁ । ସହରର ଲୋକମାନଙ୍କୁ, ରାସ୍ତା ବଜାର, ପାର୍କ ଏବଂ ବଡ଼ ଛୋଟ କୋଠାଗୁଡ଼ିକୁ ବରଷେ ହେଲା ପ୍ରତିଦିନ ଦେଖି ମଧ୍ୟ ଏ ପର୍ଯ୍ୟନ୍ତ କିଛି ନ ଦେଖିବାପରି ଲାଗୁଛି । ପ୍ରତିବେଶୀ ସହିତ ଆଳାପ ଜମିନାହିଁ କି ପ୍ରବାସୀ ମନଟା ଚାରିପାଖର ପରିବେଶକୁ ନିଜର କରି ନେଇପାରି ନାହିଁ । ଏଥିପାଇଁ ଏତେ ହୋମ୍‌ସିକ୍‌ ଲାଗେ ନିଶିକାନ୍ତକୁ, ଏଇ ସହର ଛାଡ଼ି ନିଜ ଗାଁକୁ ଫେରିଯିବାପାଇଁ ଇଚ୍ଛାହୁଏ । ଆହୁରି ବି ତା’ର କୌଣସି ଇଚ୍ଛା ପୂର୍ଣ୍ଣ ହେଉ ନ ଥିବାରୁ ଏକ ଅସହାୟତାବୋଧ ମନକୁ ଭାରାକ୍ରାନ୍ତ କରୁଛି । ମନକୁ ସରସ କରି ରଖିବାପାଇଁ ଯେତେ ଚେଷ୍ଟା କରିଛି ସବୁ ପ୍ରାୟ ନିଷ୍ପଳ ହୋଇଛି । ଅଫିସ୍‌ରେ ଟାଣି ଓଟାରି ଦଶଟାରୁ ପାଞ୍ଚଟା କୌଣସି ପ୍ରକାରେ କଟିଯାଏ, ଫାଇଲ ଘାଣ୍ଟୁ ଘାଣ୍ଟୁ ଦୂରରେ ଛାଡ଼ି ଆସିଥିବା ଘରର ସ୍ମୃତି ମନରୁ ଉଭେଇଯାଏ ଏବଂ ଚିହ୍ନା ମୁହଁ ଜାଗାରେ ଫାଇଲ୍‌ ପୃଷ୍ଟାରେ ଲୁଚି ରହିଥିବା ଅଦେଖା ଅଚିହ୍ନା ମୁହଁ କେତୋଟି ଫୁଟିଉଠେ ଆଗରେ । ବିସ୍ମିତ ହୁଏ ନିଶିକାନ୍ତ । ଯେଉଁ ଲୋକମାନଙ୍କ ସହିତ ତା’ର କେବେ ଦେଖାସାକ୍ଷାତ୍‍ ହୋଇନି ବା ଯେଉଁମାନଙ୍କ କଥା ସେ ସ୍ୱପ୍ନରେ ବି କେବେ ହେଲେ ଭାବିନାହିଁ, ସେମାନେ ଆଜି ତା’ର ଅନେକ ସମୟର ପ୍ରଧାନ ଅଂଶୀଦାର; ଅନେକ ପ୍ରିୟ ।

 

କିଏ ଯେ ସେଇ ମାତ୍ର ଛଅମାସ ଚାକିରି କରି ବରଖାସ୍ତ ହୋଇଥିବା ପ୍ରସନ୍ନ ନାଏକ ତାହା ସେ ଜାଣେନି; ଅଥଚ ସେଇ ଲୋକଟିର ନିବେଦନ ପତ୍ର ପଢ଼ିସାରି ଦୀର୍ଘ ନିଃଶ୍ୱାସ ଛାଡ଼ିଛି ନିଶିକାନ୍ତ, ତା’ର କାର୍ଯ୍ୟ ସେ କରିପାରୁ ବା ନ ପାରୁ ତାକୁ ଆଗରେ ଦେଖିଲେ ପଦେ ଅଧେ ସାନ୍ତ୍ୱନା ଦବାପାଇଁ ମନ ହୋଇଛି । ଏତେ ଅନ୍ୟାୟ ସହିପାରେ ମଣିଷ ! ପୁଣି ନ୍ୟାୟ ଦେଉଥିବାର ଛଳନା କରି କେହି କେହି ଏପରି ଅନ୍ୟାୟ ବି କରିପାରନ୍ତି !

 

ଏଇ ସହରର ଲୋକ-ଚରିତ୍ର ଏପର୍ଯ୍ୟନ୍ତ ସେ ବୁଝିପାରିନାହିଁ । ଆହୁରି ଅବୋଧ୍ୟ ହୋଇ ଉଠିଛି ଚାରିପାଖରେ ଘଟୁଥିବା ପ୍ରତିଦିନର ଘଟଣାଗୁଡ଼ାକ । ସବୁ ଘଟଣାଗୁଡ଼ାକୁ ଗୋଟିଏ ଦୃଷ୍ଟିରେ ଦେଖିବାର କୌଣସି କାରଣ ନ ଥାଇ ମଧ୍ୟ ନିଶିକାନ୍ତକୁ ଲାଗେ ଯେ ଯେପରି ଗୋଟିଏ ଘଟଣା ଅନ୍ୟଟି ସହିତ ଜଡ଼ିତ । ନ୍ୟାସନାଲ୍‌ ଲାଇବ୍ରେରିରେ ବସି ଘଣ୍ଟା ଘଣ୍ଟା ପୁରୁଣା ବହିପତ୍ର ଓ ରେକର୍ଡ଼ ଘାଣ୍ଟି କେତେଗୁଡ଼ିଏ ଘଟଣାର କାରଣ ନିରୂପଣ କରି ନ ପାରି ଆହୁରି ଅନୁଶୀଳନ କରୁଥିବା ଗବେଷକ ପରି ସେ ବି ଫାଇଲର ପୃଷ୍ଠା ଲେଉଟାଇ, ତହିଁରେ ଥିବା ପ୍ରତ୍ୟେକ ନୋଟ ଓ ଚିଠିପତ୍ର ପଢ଼ି ସେ ସେଇ ଅପରିଚିତ ବ୍ୟକ୍ତିର ମର୍ମ ବ୍ୟଥାର ସଠିକ୍‌ କାରଣ ନିର୍ଦ୍ଧାରଣ କରିପାରିନାହିଁ । ଏହା ତାକୁ ବେଳେବେଳେ ଯେ ବ୍ୟଥା ନ ଦେଇଛି ତାହା ନୁହେଁ; କିନ୍ତୁ ସେ ପୁଣି ନିଜର ଅଜାଣତରେ ସବୁକଥା ଭୁଲିଯାଇଛି ଏବଂ ହଠାତ୍‌ ଅଫିସର ଅମୁକର ଫାଇଲ୍‌ କିମ୍ବା ସମୁକର ପ୍ରସଙ୍ଗ ସମ୍ପର୍କରେ ପଚାରିଦେଲେ ହଠାତ୍‌ କୌଣସି ଉତ୍ତର ଦେଇ ନ ପାରି ବୋକାପରି ଅନାଇ ରହିଛି । ଯେଉଁ ଅମୁକ ଲୋକକୁ ନ୍ୟାୟ ଦବାପାଇଁ ସେ ଗତ କେତେ ରାତି ଭଲଭାବରେ ଶୋଇପାରିନି ସେଇ ଲୋକଟା ହଠାତ୍‌ ପର ହୋଇଯାଇ ତା’ର ବିସ୍ମ ତି ଗର୍ଭରେ ଲୀନ ହୋଇଯାଇଛି ଏବଂ ତା’ ଜାଗାରେ ଆଉ ଗୋଟେ ଚରିତ୍ର ଆଉ ଗୋଟେ ନିବେଦନପତ୍ର ଧରି ଛିଡ଼ା ହୋଇଛି ।

 

ବେଳେ ବେଳେ ଅତ୍ୟଧିକ ଚିନ୍ତା ଯୋଗୁ ଯେପରି ମଥା ଭାରାକ୍ରାନ୍ତ ମନେହୁଏ, ସେମିତି ବେଳେବେଳେ ଫମ୍ପା ମନ ସାହାସାଥୀ ଆଭାବରୁ ବା ଶୂନ୍ୟତା ଓ ନିଃସଙ୍ଗତାରୁ ଇମିତି ଅବସନ୍ନତା ଆଣିଦିଏ ଯେ ନିଶିକାନ୍ତ ରାତି ରାତି ଶୋଇ ପାରେନି, ଦିନ ଦିନ ଧରି ମନୋଯୋଗ ଦେଇ ନିଷ୍ଠାର ସହିତ କିଛି କରିପାରେନି । ଇମିତି ଅବସ୍ଥାର ଦାସତ୍ୱ ବରଣ କରିବା ଅପେକ୍ଷା ଏଇ ପାର୍ଟଟାଇମ୍‌ ଚାକିରି ଛାଡ଼ି ସବୁ ଆକର୍ଷଣକୁ ଉପେକ୍ଷାକରି ବୈରାଗୀ ହୋଇଯିବା ଭଲ ହେବ ବୋଲି ମନକୁ ମନ ସେ ଯୁକ୍ତି କରିଛି; କିନ୍ତୁ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ନିଶିକାନ୍ତ ହଠାତ୍‌ ନିଘୋଡ଼ ନିଦରେ ଶୋଇପଡ଼ି ସବୁ ଭୁଲିଯାଇଛି ।

 

ଏହି କଲିକତା ସହରର ଦୋଷ ନା ତା’ ନିଜର ଦୋଷ ତାହା ସେ ବିଶ୍ଳେଷଣ କରିବାକୁ ଯାଇଛି ସତ୍ୟ; କିନ୍ତୁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନାହିଁ । ଗୋଟିଏ ଶବ୍ଦର ନିର୍ଭୁଲ ବନାନ୍‌ ଆସୁ ନ ଥିବା ପିଲାଟି ଯେପରି ଶବ୍ଦକୋଷର ପୃଷ୍ଠା ଓଲଟାଏ ସଠିକ୍‌ ବନାନ୍‌ ଜାଣିବାଲାଗି, ସେହିପରି ନିଜର ଇଚ୍ଛା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ନିଶ୍ଚିନ୍ତ ହୋଇ ନ ପାରି ନିଶିକାନ୍ତ ଗୋଟିକ ପରେ ଗୋଟିଏ ଦିନ ଅତିବାହିତ କରେ । ସକାଳୁ ସନ୍ଧ୍ୟା ଏବଂ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ତାଡ଼ନା ତାକୁ ନିଷ୍ପେଷିତ କରେ, ସେ ଚାହୁଁ ବା ନ ଚାହୁଁ ମେରୀଖୁଣ୍ଟ ଚାରିପାଖରେ ବୁଲୁଥିବା ବଳଦ ପରି ସେ ବି ନିଜ ଚାରିପାଖରେ ବୁଲେ; ସବୁ ଲକ୍ଷ୍ୟ, ସବୁ କମିଟ୍‌ମେଣ୍ଟ ପଛରେ ପଡ଼ିରହେ-। ତା’ର କେବଳ ମନେପଡ଼େ ଯେ ସେ ଅନନ୍ତକାଳରୁ ଏହିପରି ଚଳିଆସୁଛି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଏହିପରି ଚଳିବ; ଏଥିରେ ବ୍ୟତିକ୍ରମ ହେବାର ଯୁ ନାହିଁ କି ଏଥିରୁ ନିଷ୍କୃତି ପାଇବାର ପଥ ମଧ୍ୟ ଏଯାଏ ଆବିଷ୍କୃତ ହୋଇନାହିଁ ।

 

ଇମିତି ଭାବୁଥିବାବେଳେ ନିଶିକାନ୍ତ ହଠାତ୍‌ ଚମକିପଡ଼ି ଦେଖିଲା ଯେ ତାହାରି ବେଞ୍ଚର ଏକାଂଶରେ ଆଉ ଜଣେ ଭଦ୍ରମହିଳା ନିଃସଙ୍କୋଚରେ ଆସି ବସି ଯାଇଛନ୍ତି ଏବଂ ସେ ଦୂରତ୍ୱ ରକ୍ଷା କରିବାକୁ ଯାଇ ଟିକେ ଘୁଞ୍ଚିଯିବାରୁ ଫିକ୍‌କିନା ହସିଦେଇ ଭଦ୍ରମହିଳା ତୃତୀୟ ବ୍ୟକ୍ତିକୁ କହିଲାପରି କହିଲେ ଯେ ସେ ସାପ ନୁହଁନ୍ତି କି ବେଙ୍ଗ ନୁହଁନ୍ତି । ଯେତେବେଳେ ଭୟ ବା ଘୃଣା କରିବାର କୌଣସି କାରଣ ନାହିଁ ବରଂ ଏକାକୀତ୍ୱର ନିର୍ଜନତା ଭାଙ୍ଗି ଆଉଜଣେ ପାଖରେ ଆସି ବସୁଥିବାରୁ ତାକୁ ସ୍ୱାଗତ କରିବାର କଥା । ଏହାସତ୍ତ୍ୱେ ନିଶିକାନ୍ତର ଅବସନ୍ନ ମନଟି ପ୍ରସନ୍ନ ହେଲାନାହିଁ କି ସେ ଆଦୌ ଉତ୍ସାହ ପ୍ରକାଶ ନ କରି ନିସ୍ପୃହ ପରି ବସିରହିଲା ।

 

ଭଦ୍ରମହିଳା ବିଚଳିତ ନ ହୋଇ ସ୍ୱଗତୋକ୍ତି କରିବାର ସେ ଶୁଣିଲା–ଇମିତି ଜଣେ ଜଣେ ବିରାଡ଼ି ବୈଷ୍ଣବ ଥାଆନ୍ତି, ଯାହାଙ୍କର ମାଛ ଖାଇବାପାଇଁ ମନ ହାଇଁପାଇଁ ହେଉଥିଲେ ବି ଶୁଖୁଆର ଗନ୍ଧ ବାରି ବିଚଳିତ ହୋଇ ପଡ଼ନ୍ତି ।

 

ନିଶିକାନ୍ତ ଅନ୍ୟମନସ୍କ ହୋଇଯାଇଥିଲା, କିନ୍ତୁ କେଜାଣି କାହିଁକି ହଠାତ୍‌ ସେଇ ଭଦ୍ରମହିଳାଙ୍କ ଆଡ଼କୁ ଜୋର୍‌କରି କେହି ଯେପରି ତା’ର ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲା । ସେ ଆଉ ପଛେଇ ନ ଯାଇ ଯୋଉଠି ବସିଥିଲା ସେହିଠାରେ ବସିରହିଲା, ବରଂ କିଛି ନ ଦେଖିବା ପରି ଏଣେତେଣ ଚାହିଁବାର ବାହାନା କରି ସେଇ ଭଦ୍ରମହିଳାଙ୍କୁ ଥରେ ନୁହେଁ ଦୁଇ ତିନିଥର ଦେଖିନେଲା ।

 

ତାଙ୍କର ବୟସ ସତେଇଶ ଅଠେଇଶ ଭିତରେ । କେଶବିନ୍ୟାଶ ମନେରଖିବା ଭଳି । ଲମ୍ବା ଲମ୍ବା ଆଖି ଉପରେ ଆହୁରି ଲମ୍ବା ଭ୍ରୁଲତା । ଗଢ଼ଣଟି ଭଲ, ଆଖିଯୋଡ଼ିକରେ ପରକୁ ଆପଣାର କରିବାର ଅଦ୍ଭୁତ ଅନ୍ତରଙ୍ଗତା । ଓଠ ଓ ହାତ ପାପୁଲିର ରଙ୍ଗ ଦେଖିବା ଭଳି । ଏପରି ନିରସ ନିର୍ଲିପ୍ତ ସହରରେ ସେ ଯେପରି ଖାପ ଖାଉନାହାନ୍ତି । ତାଙ୍କ ମୁହଁକୁ ଅନେଇଲେ ନିଜ ଲୋକକୁ ପାଇବା ଭଳି ଲାଗୁଛି ସତ; କିନ୍ତୁ ବ୍ୟବଧାନ ଟିକକ ପାରି ହୋଇ ଏକତ୍ର ହେବାଲାଗି ସାହସ ଅଣ୍ଟୁ ନାହିଁ ।

 

ସେ କହିଲା–ମୋ ନାମ ସିପ୍ରା ଦାସ...ମୁଁ ନିଜେ ନିଜର ପରିଚୟ । ଏଇ କଲିକତାରେ ଦେଖୁଚନ୍ତି ଯେତେବେଳେ ଏଇ ସହରର ଲୋକ ବୋଲି ଧରିନିଅନ୍ତୁ ।

 

ନିଶିକାନ୍ତର ମୁହଁରୁ ହଠାତ୍‌ ବାହାରିଗଲା– ଏଇ ଉପଗ୍ରହଟା ଏତେ ଦୂରରେ ବୋଲି ମନେହେଉଥିବାବେଳେ ହଠାତ୍‌ ଆପଣଙ୍କୁ ଦେଖି ମନେହେଉଛି ଯେ ଉପଗ୍ରହର ଦୂରତ୍ୱ ସମୟ ଓ ସୀମା ମଧ୍ୟରେ, ତେଣୁ ଲକ୍ଷ୍ୟସ୍ଥଳ ଅପହୁଞ୍ଚ ହୋଇ ରହିଯିବାର ସମ୍ଭାବନା ନାହିଁ ।

 

ସିପ୍ରା ସେତେବେଳକୁ ନିଜକୁ ବେଶ୍‌ ସଜାଡ଼ି ନେଇସାରିଲାଣି । ନିଶିକାନ୍ତ ନିଜର ପରିଚୟ ଦେଲା ଏବଂ କହିଲା ଯେ ସେ ବି ଏଇ ସହରର ଜଣେ ଅଧିବାସୀ । ସ୍ଥାୟୀ ଅଧିବାସୀ ହୋଇନି ସତ୍ୟ; କିନ୍ତୁ ସବୁ ସମ୍ପର୍କତ ଅସ୍ଥାୟୀ, ସାମୟିକ ଆବେଗ ବା ଆଗ୍ରହରୁ ସୃଷ୍ଟ, ତେଣୁ କଲିକତା’ର ସ୍ଥାୟୀ ବାସିନ୍ଦା ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଏଇ ଅସ୍ଥାୟୀ ଅବସ୍ଥାରୁ ବରଂ ସେ ଆରମ୍ଭ କରିବ-

 

ସିପ୍ରା ସେଦିନର ଅୟମାରମ୍ଭକୁ ଅକ୍ଷୟ କରି ରଖିବାପାଇଁ ପ୍ରତିଶ୍ରୁତି ଦେଲା ଏବଂ କାଲି ଠିକ୍‌ ସେଇଠାରେ ସେହି ସମୟରେ ଯେପରି ସାକ୍ଷାତ୍‍ ହୁଏ ତା’ର ପ୍ରତିଶ୍ରୁତି ନିଶିକାନ୍ତଠାରୁ ଆଦାୟ କରି ମନେରଖିବାଭଳି ଗୋଟେ ସେଣ୍ଟ୍‌ର ବାସନା ଛାଡ଼ି ଚାଲିଯିବାବେଳେ ସନ୍ଧ୍ୟା ସୋ ସିନେମା ଆରମ୍ଭ ହେଉଥାଏ ।

 

ମେଟ୍ରୋକୁ ଗଲେ ମନ୍ଦ ହୁଅନ୍ତାନି ! କିନ୍ତୁ ତଥାପି ଯାଇ ପାରିଲାନି ନିଶିକାନ୍ତ । ଆଜିକାଲି ଲୋଡ଼୍‌ସେଡ଼୍‌ ବଢ଼ୁଛି ବୋଲି ପାଲୁଅ ଜାଳିବାରେ ମଧ୍ୟ ମିତବ୍ୟୟିତା ଜାରି କରାଯାଇଛି । ରାସ୍ତାକଡ଼ର ସବୁ ବତିଖୁଣ୍ଟରେ ବଲ୍‌ବ ଲାଗିଥିଲେ ମଧ୍ୟ ଗୋଟିଏ ଛାଡ଼ି ଗୋଟିଏ ବତିଖୁଣ୍ଟରେ ଆଲୁଅ ଜଳାଇ ଦିଆଯାଇଛି ।

 

ମୁହଁ ଅନ୍ଧାର ସମୟ । ତା’ ପାଖରେ ଛିଡ଼ା ହୋଇ ଫିସ୍‌ଫିସ୍‌ କରି ଜଣେ କେହି କହିଲା–ଏଇ ଆଗରେ ହୋଟେଲ । ଇଚ୍ଛା ଯଦିଥାଏ ମୋ ସାଙ୍ଗରେ ଆସ, ବେଶ୍‌ ଆନନ୍ଦରେ କେତେଘଣ୍ଟା ସଙ୍ଗସୁଖରେ କଟିଯିବ । ନିରାଶ ଯେ ହେବ ନାହିଁ ପ୍ରଥମରୁ କଥା ଦେଉଛି ମୁଁ ...

 

ନିଶିକାନ୍ତ ଅନ୍ୟ ଏକ ଉପଗ୍ରହରେ ବିଚରଣ କରୁଥିବା ପରି ମନେକଲା ଏବଂ ତାକୁ ପ୍ରତ୍ୟୁତ୍ତର ନ ଦେଇ ତା’ ଆଡ଼କୁ ଦଶଟଙ୍କିଆ ନୋଟ ଖଣ୍ତେ ଫିଙ୍ଗିଦେଇ ତରତର ହୋଇ ମେଟ୍ରୋ ଭିତରେ ପଶିଗଲା ।

 

ସିପ୍ରା ସହିତ ଏ ଭିତରେ କେତେଥର ଦେଖା ହୋଇଛି । ଦୁହେଁ ସାଙ୍ଗ ହୋଇ ପାର୍କରେ ବସିଛନ୍ତି, ସିନେମା ଦେଖିଚନ୍ତି, ରେସ୍ତୋଁରାରେ ଖାଇଚନ୍ତି । ବାଟବଣା ହୋଇ ପରସ୍ପରକୁ ଖୋଜୁଥିବା ଦୁଇଜଣ ଭେଟାଭେଟି ହେବା ପରେ ଯେମିତି ମନ ଉଲ୍ଲସିତ ହୁଏ ସେମିତି ସିପ୍ରାକୁ ଦେଖି ନିଶିକାନ୍ତ ଏବଂ ତାକୁ ଦେଖି ସିପ୍ରା ଉଲ୍ଲାସ ଅନୁଭବ କରୁଛନ୍ତି । ନିଶିକାନ୍ତର ମୁଣ୍ତ ଉପରୁ ସବୁ ଓଜନ ଯେମିତି କିଏ ଓହ୍ଲେଇ ନେଇଛି ଏବଂ ବରଷେ କଲିକତାରେ ରହି ମଧ୍ୟ ଚିହ୍ନି ନ ଥିବା ଗଳି, ହୋଟେଲ ଥିଏଟର ସେ ସହଜରେ ଚିହ୍ନିପାରୁଛି ଏବଂ ସେଇ ଥାଳରେ ଶହେ ଲୋକ ମେଳରେ ସିପ୍ରାକୁ ବାହାର କରିବା ଆଦୌ କଷ୍ଟକର ମନେହେଉନାହିଁ; ବରଂ ଭଲ ମୁହଁ ଗୋଟିଏ ଦେଖିଲେ କିମ୍ବା ଆପଣାର ଆପଣାର ବୋଲି କେହି ଲାଗିଲେ ସେ ଚାହିଁ ଦେଖେ ତ ଭିଡ଼ ଠେଲି ସିପ୍ରା ତାହାରି ଆଡ଼କୁ ଆଗେଇ ଆସୁଛି ।

 

ସିପ୍ରାର ସାନ୍ନିଧ୍ୟ ଯେତିକି ପାଏ ନିଶିକାନ୍ତ ସେତିକି ବିସ୍ମିତ ହୁଏ ନିଜ ଭିତରେ ମୁହଁମାଡ଼ି ନିଷ୍କୃତିର ପଥ ଖୋଜୁଥିବା ଲୋକଟିର ନିଶ୍ଚିନ୍ତ ନିଶ୍ଚୟତା ଦେଖି । ଆଉ ନିଶିକାନ୍ତର ଭୁଲ ହୁଏନି, ସେ ଭୁଲି ଯାଏନି ସମୟ, ଠିକ୍ ପାଞ୍ଚଟା ପରେ ସିଧା ଅଫିସରୁ ଚାଲିଆସେ ଗଙ୍ଗାକୂଳର ‘ଗେଲର୍ଡ଼’ ରେସ୍ତୋଁରା ପାଖକୁ ।

 

ଆଜି ବି ସେମିତି ଚାଲି ଆସିଥିଲା । କିନ୍ତୁ ଆଜିର ବ୍ୟତିକ୍ରମ ଦେଖି ବ୍ୟଥିତ ହେଲା ସେ-। ସିପ୍ରାକୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ହତାଶ ହୋଇ କିଛି ସମୟ ଖୋଜିଲା । କିନ୍ତୁ ନିରାଶ ହୋଇ ଅବସନ୍ନ ଭାବରେ ସିମେଣ୍ଟ ବେଞ୍ଚ ଉପରେ ବସିଥିବାବେଳେ କେହି ଜଣେ ତା’ କାନ୍ଧରେ ହାତଥୋଇ କଅଣ କହୁଥିବା ପରି ଶୁଭିଲା ତାକୁ । ସେଇ ହାତ ଯେ ସିପ୍ରାର ହାତ ନୁହେଁ ଏହା ଭାବିବାକ୍ଷଣି ତା’ର ସର୍ବାଙ୍ଗ ଆହୁରି ଶିଥିଳ ହୋଇଆସିଲା ଏବଂ ସେ ନିର୍ବିକାର ପରି ବସିରହିଲା ।

 

ତା’ର କାନ୍ଧ ଉପରେ ମୁହଁ ରଖି କହିଲା ଅରୁଣାଂଶୁ- ପ୍ରେମରେ ନ ପଡ଼ିଲେ ଇମିତି ଅନ୍ୟମନସ୍କ କେହି ହୁଅନ୍ତିନି ବନ୍ଧୁ...ବାହା ହୋଇନୁ ବୁଝଚି...କିନ୍ତୁ ବାର ଘାଟରେ ପାଣି ନ ପିଇ ଗୋଟିଏ ଘାଟରେ ଯଦି ଅବଗାହନ କରୁଥାଉ ରକ୍ଷା ।

 

ଏତେବେଳେ ପରିଚିତ ସ୍ୱର କାନରେ ବାଜିଲା । ଦୂରରୁ କାହାର ପରିଚିତ ସ୍ୱର ଯେପରି ଭାସି ଆସୁଛି । ତଥାପି ସେ ଆଖି ବୁଜି ବସିରହିଲା, ଆଖି ଖୋଲିଳା ନାହିଁ ।

 

ଅରୁଣାଂଶୁ ତାକୁ ଜୋର୍‌ରେ ହଲାଇ ଦେଇ କହିଲା-ଆରେ ଚିହ୍ନିପାରୁନୁ ... ଅରୁ...ଅରୁ... ଅରୁଣାଂଶୁ ।

 

ଏତେବେଳେ ସତକୁ ସତ ଶୋଇଥିବା ମଣିଷ ଜାଗିଉଠିବା ପରି ଧଡ଼୍‌ପଡ଼୍‌ ହୋଇ ଉଠିପଡ଼ି ଅରୁଣାଂଶୁକୁ କୁଣ୍ଢେଇ ପକେଇଲା ନିଶିକାନ୍ତ । ସାତବର୍ଷ ପରେ ଏଇ ପ୍ରଥମ ଦେଖା । ପୂର୍ବ ଓ ପଶ୍ଚିମକୁ ମାଡ଼ିଯାଇଥିବା ଦୁଇଟି ସ୍ରୋତ ପୁଣି ପରସ୍ପରକୁ ଭେଟିବେ ଏହା ଯେପରି ସତ୍ୟ, ପୃଥିବୀ ଯେ ଗୋଲ୍‌ ତାହା ମଧ୍ୟ ସତ୍ୟ । ତଥାପି ନିଶିକାନ୍ତ ମାତାଲ ପରି ବିଭୋର ହୋଇ ବନ୍ଧୁଙ୍କୁ ଆଲିଙ୍ଗନ କରି କହିଲା–ତୁ ଠିକ୍‌ ସେମିତି ଅଛୁରେ ଅରୁ...ଟିକେ ବଦଳି ନାହୁଁ । ଆବେ ତୁ ଯଦି ପୁରୁଷ ନ ହୋଇ ସ୍ତ୍ରୀ ହୋଇଥାଆନ୍ତୁ ତତେ ମୁଁ ନିଶ୍ଚୟ ବାହା ହୋଇଥାଆନ୍ତି ।

 

ଅଚିହ୍ନା ପୃଥିବୀ ନିଶିକାନ୍ତକୁ ଚିହ୍ନା ଚିହ୍ନା ମନେହେଲା । କଲିକତା’ର କୋଉ ଏକ ଅନ୍ଧଗଳିରେ ଛାଡ଼ି ଆସିଥିବା ଭାବପ୍ରବଣତା ପୁଣି ଫେରି ପାଇଲା ସେ । ହଠାତ୍‌ ସବୁ ମଧୁର ଜଣାଗଲା ଏବଂ ନିଶିକାନ୍ତ ଯେ ଏପର୍ଯ୍ୟନ୍ତ ନିଜ ଭିତରେ ମରି ନ ଯାଇ ବଞ୍ଚିଛି ଏଇ ସତ୍ୟଟିକୁ ଆବିଷ୍କାର କରି ଆନନ୍ଦିତ ହେଲା ।

 

କଲେଜ ଛାଡ଼ିବା ପରେ ଅରୁଣାଂଶୁ ସହିତ ତା’ର ଆଉ ଦେଖା ହୋଇ ନ ଥିଲା କିମ୍ବା ସେମାନେ ପରସ୍ପରର କୌଣସି ଖବର ରଖିପାରି ନ ଥିଲେ । ଅରୁଣାଂଶୁ ଅରୁଣାଚଳ ପ୍ରଦେଶରେ ଡାକ୍ତରୀ ଚାକିରିଟିଏ ପାଇ ଚାଲିଯାଇଥିଲା, ଏବେ ବର୍ଷେ ହେବ ପୋଷ୍ଟିଂ ପାଇ ରହୁଛି କଲିକତାରେ-। ସି. ଆର୍‌. ପି.ର ଡାକ୍ତର ସେ । ଘର ଖଣ୍ତିଏ ବି ପାଇଛି ସରକାରଙ୍କ ଦୟାରୁ ରେସ୍‌କୋର୍ସ ପାଖରେ । ଭଲ ସୁନ୍ଦରୀ ସ୍ତ୍ରୀଟିଏ ବି ପାଇଛି ସେ । ଭାଗ୍ୟବାନ୍‌ ଅରୁଣାଂଶୁ । କିଛି ସମସ୍ୟା ନାହିଁ ହାତରେ, ସବୁ ସମାଧାନ ହୋଇଯାଇଛି । ତା’ ମୁହଁରୁ ସବୁକଥା ଶୁଣିବା ପରେ ନିଶିକାନ୍ତର ଅଭାବବୋଧ ତୀବ୍ର ହୋଇଉଠିଲା । ନିଶଶିକାନ୍ତର ଘର ନାହିଁକି ଚାକିରି ନାହିଁ । ଚାକିରି ସନ୍ଧାନରେ ଆସି ଏଇଠି ରହିଯାଇଛି । ପାର୍ଟଟାଇମ୍‌ ଚାକିରି କରି ଯାହା ପାଏ ସେଥିରେ ଟାଣିଟୁଣି ଚଳିଯାଏ କୌଣସି ପ୍ରକାରେ । ଓକିଲ ସଂଖ୍ୟା ଅନେକ । ପ୍ରତ୍ୟେକ ଗଳିର ଆରମ୍ଭରେ, ମଝିରେ ଏବଂ ଶେଷରେ ଅନ୍ତତଃ ତିନିଜଣ ଓକିଲଙ୍କ ଚେମ୍ବର ଆଖିରେ ପଡ଼ିବ । କମ୍ପିଟିସେନ୍‌ର ଯୁଗ । କେହି କାହାକୁ ବାଟ ଛାଡ଼ିବାକୁ ନାରାଜ । ଜୋର୍‌ ଯାହାର ମୁଲକ ତାହାର । ସେଥିପାଇଁ ସ୍ୱାଧୀନ ଭାବରେ ପ୍ରାକ୍‌ଟିସ୍‌ କରି ନ ପାରି ବାରିଷ୍ଟରଙ୍କ ପାର୍ଟଟାଇମ୍‌ କିରାଣି ହୋଇ ରହିଯାଇଛି । ନିଶିକାନ୍ତ ବନ୍ଧୁକୁ ପାଇ ମଧ୍ୟ ସିପ୍ରାକୁ ମନେ ମନେ ଖୋଜୁଥିଲା । ସେ ପାଖରେ ଥିଲେ ଅରୁଣାଂଶୁ ସହିତ ତା’ର ପରିଚୟ କରାଇ ଦେଇଥାଆନ୍ତା । ଅରୁଣାଂଶୁର ସ୍ତ୍ରୀ ଅଧିକ ସୁନ୍ଦରୀ ନା ସିପ୍ରା ଦେଖିବାକୁ ଅଧିକ ଭଲ ତାହା ଅରୁଣାଂଶୁ ମୁହଁରୁ ଶୁଣିବାପାଇଁ ସୁଯୋଗଟିଏ ମିଲିଥାଆନ୍ତା । ସେଇ ସୁଯୋଗ ଆଉ ମିଳିଲା ନାହିଁ ।

 

ନିବାନ୍ଧବ କଲିକତା ସହରର ନିଃସଙ୍ଗତା ତା’ର ସବୁ ସରସତାକୁ ଶୋଷି ନେଇଛି । ସେ ଦିନ ଦିନ ଧରି ରାସ୍ତାରେ ଘୂରୁଛି, ବଡ଼ ବଡ଼ କମ୍ପାନୀ ଅଫିସ ଆଗରେ ସୁଯୋଗର ଅପେକ୍ଷାକରି ଧୈର୍ଯ୍ୟର ସହିତ ଛିଡ଼ା ହୋଇଛି । କିନ୍ତୁ ଶେଷରେ ପାର୍ଟଟାଇମ୍‌ ଚାକିରି ଖଣ୍ତେ ପାଇ ସନ୍ତୁଷ୍ଟ ହୋଇଛି । ଦୁର୍ବଳ, ଦୁଃସ୍ଥ ଲୋକଙ୍କୁ ନ୍ୟାୟ ଦବା ସକାଶେ, ଆଇନର ଶାସନରେ ସେମାନଙ୍କ ନ୍ୟାଯ୍ୟ ଦାବି ହାସଲ କରିବାଲାଗି ଯେଉଁ ଆଇନଜ୍ଞଙ୍କୁ ସରକାର ନିଯୁକ୍ତ କରିଛନ୍ତି ତାଙ୍କର ପାଖରେ ଦିନକୁ ଚାରିଘଣ୍ଟା କାମକରି ତାଙ୍କୁ ସାହାଯ୍ୟ କରିବାପାଇଁ ପାର୍ଟଟାଇମ୍‌ ଚାକିରି ଖଣ୍ତେ ବରଷେ ହେବ ପାଇଥିଲେ ବି ଦିନସାରା ସେଇଠି ରହିଯାଏ ନିଶିକାନ୍ତ । ନିଜର ବାସସ୍ଥାନଟି ଏଡ଼େ ସଂକୀର୍ଣ୍ଣ ଏବଂ ଇମିତି ଏକ ଅପାଙ୍‌କ୍ତେୟ ସ୍ଥାନରେ ଅବସ୍ଥିତ ଯେ ସେଠାକୁ ଫେରିବାକୁ ଇଚ୍ଛା ହୁଏନି । ଏକା ଏକା ସେଠାରେ କିଛି ଭୋଗକରି ହୁଏ ନାହିଁ । ପାଣିକଳ, ପାଇଖାନା, ଶୋଇବା କୋଠରି, ପଙ୍ଖା, ଆଲୁଆ, ଏପରିକି ଚୌକି ଟେବୁଲରୁ ମଧ୍ୟ ଅଂଶ ଦାବି କରିବାଲାଗି ଅନ୍ୟମାନେ ଅଛନ୍ତି ସେଠାରେ-। ସେଇ ଦୀନବନ୍ଧୁ ମେସ୍‌ର ସବୁ କୋଳାହଳ ସତ୍ତ୍ୱେ ସେଠାକାର ଶୂନ୍ୟତା ତାକୁ ଅସ୍ଥିର କରିଛି । ସେଥିପାଇଁ ଓକିଲଙ୍କ ଅଫିସରେ ବସି ଫାଇଲ ଘାଣ୍ଟେ ସେ । ସଚିବାଳୟରୁ ସରକାର ମତାମତ ପାଇଁ ପଠେଇଥିବା ମୋଟା ଫାଇଲଗୁଡ଼ାକର ଫିତା ଖୋଲି ବସିଯାଏ ଯେ କେତେବେଳେ ମଧ୍ୟାହ୍ନ ଅତିକ୍ରାନ୍ତ ହୋଇ ପାଞ୍ଚଟା ବାଜିଯାଏ ତାହା ସେ ଜାଣିପାରେନି ।

 

ଏଇ କେତେଦିନ ସିପ୍ରାର ସାନ୍ନିଧ୍ୟ ସମୟ ସମ୍ପର୍କରେ ସଚେତନ କରିଦେଇଛି । ସେ ଠିକ୍‌ ସମୟରେ ଯାଇ ଉପସ୍ଥିତ ହୋଇଛି ଗଙ୍ଗାକୂଳରେ ‘ଗେଲର୍ଡ଼ ’ ରୋସ୍ତୋଁରା ପାଖରେ । ସିପ୍ରା ଏ ଭିତରେ ତା’ର ସମୟ, ପରିବେଶ ଓ ଜୀବନ ସହିତ ଜଡ଼ିତ ହୋଇଯାଇଛି । ସେ ଦୁହେଁ ପରସ୍ପରର ବନ୍ଧୁ ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ମଣିଷମାନଙ୍କର ମୁହଁ ନୁହେଁ ଚିତ୍ର କେବଳ ଦେଖୁଥିଲା ନିଶିକାନ୍ତ-। ଏବେ ଗୋଟେ ଦୁଇଟି ମୁହଁ ଆଖିରେ ପଡ଼ୁଛି, ଜଣେ ଦୁଇଜଣଙ୍କ ସହିତ କଥାଭାଷା ହେବାଲାଗି ମନ ହେଉଛି, ସିନେମା ବା ଥିଏଟରରେ ଆଉ କାହା ସହିତ ସାଙ୍ଗ ହୋଇ ବସିବା ଲାଗି ଇଚ୍ଛା ହେଉଛି ।

 

ସେଦିନ ଅରୁଣାଂଶୁ ବିଦାୟ ନେଇ ଗଲାବେଳେ ତା’ର ଠିକଣା ଦେଇ ବାରମ୍ଭାର ଅନୁରୋଧ କରିଯାଇଥିଲା ନିଶିକାନ୍ତକୁ ତା’ ଘରକୁ ଯିବାପାଇଁ । ସେଇଦିନୁ ଇଚ୍ଛା ହୋଇଛି ଯିବାପାଇଁ କିନ୍ତୁ ବେଳ ପାଇନି ସେ । ଏଇ କେତେଦିନ ହେବ ସିପ୍ରାକୁ ବି ସେ ବେଶି ସମୟ ଦେଇପାରିନି । ସେ କଣ ଭାବୁଥିବ କେଜାଣି ? କିନ୍ତୁ ନିଶିକାନ୍ତର ମନ ଗୋଟିଏ ବିଷୟ ଭାବି ଅସ୍ଥିର ହୁଏ ଏଇଥିପାଇଁ ଯେ ସିପ୍ରାକୁ ଏତେ ନିକଟରେ ପାଇ ମଧ୍ୟ ଅବୋଧ୍ୟ ମନେହୋଇଛି, କାହିଁକି ସେ ତା’ ପରି ଜଣେ ନିଃସ୍ୱ ପାଖକୁ ଆସେ ତାହା ରହସ୍ୟ ହୋଇ ରହିଯାଇଛି । ଏପର୍ଯ୍ୟନ୍ତ ସେ ସାମାନ୍ୟ କିଛି ଉପହାର ବ୍ୟତୀତ ସିପ୍ରାକୁ ଅନ୍ୟ କିଛି ଦେଇପାରିନି । କିନ୍ତୁ ସେତକ ପାଇ ସେ ଯେପରି ପରିତୃପ୍ତ ପରିପୂର୍ଣ୍ଣ । ବନ୍ଧୁତ୍ୱର ବିନିମୟଦ୍ୱାରା ଗଢ଼ିଉଠିଚି ସମ୍ପର୍କ, ବିଶ୍ୱାସ ।

 

ନିଶିକାନ୍ତ ବାହୁ ବଢ଼େଇଛି ତାକୁ ଆଲିଙ୍ଗନ କରିବାପାଇଁ, କିନ୍ତୁ ମୁହଁ ଉପରେ ହସ ଖେଳାଇ ଟିକେ ଦୂରକୁ ଘୁଞ୍ଚିଯାଇ ତାକୁ ସେଥିରୁ ନିବୃତ୍ତକରିଛି ସିପ୍ରା । ଅତି ପାଖକୁ ଆସି ପୁଣି ସିପ୍ରା ଯେ କାହିଁକି ଦୂରକୁ ଘୁଞ୍ଚିଯାଏ ତାହା ଏଯାଏ ଜାଣିବାର ଅବକାଶ ପାଇନି ନିଶିକାନ୍ତ । ଦିନେ ସେ ବାଧ୍ୟକରିବାରୁ ଏକ ଦୁର୍ବୋଧ୍ୟ ହସ ହସି ସିପ୍ରା ଯାହା କହିଥିଲା ଏବେବି ତାହା ମନେଅଛି ତା’ର-। ସବୁ ଥାଇ ବି ବେଳେ ବେଳେ ଆହୁରି କିଛି ଅଧିକ ପାଇବାପାଇଁ ବ୍ୟଗ୍ର, ଅସ୍ଥିର ହୁଏ ମଣିଷ । ସେ ଖାଲି ଖୋଜେ ସେତେବେଳେ । ଘରବାହାର ସବୁଠାରେ ଅନୁସନ୍ଧାନ କରେ । ସୌଭାଗ୍ୟକୁ ଯଦି ତାହା ମିଳିଯାଏ ଏକ ଅନୁପମ ପରିପୂର୍ଣ୍ଣତା ଜୀବନକୁ ମହିମା ମଣ୍ତିତ, ଶାନ୍ତ ଏବଂ ସ୍ଥିରକରେ-। ସେମିତି କିଛି ପାଇବାପାଇଁ ଏତେ ଦିନ ଖୋଜୁଥିଲା ସିପ୍ରା । ଏବେ କୁଆଡ଼େ ଅପ୍ରାପ୍ତ ବସ୍ତୁ ପାଇସାରିଛି, ତା’ ଜୀବନରେ ପୂର୍ଣ୍ଣତା ପାଇ ସେ ଗୌରବାନ୍ୱିତ ହୋଇଛି ।

 

ନିଶିକାନ୍ତର ବି ବେଳେବେଳେ ଇମିତି ମନେହୁଏ । ସେ ବି ଏପର୍ଯ୍ୟନ୍ତ କଅଣ ଖୋଜି ଖୋଜି ନ ପାଇବାର ବେଦନାରେ ଅସ୍ଥିର ହେଉଥିଲା । ଏବେ ପୂର୍ବର ଅସ୍ଥିରତା, ଶୂନ୍ୟତା ତାକୁ ଆଉ ବିଚଳିତ କିମ୍ବା ବିବ୍ରତ କରୁନାହିଁ । ସେ ଘଣ୍ଟା ଘଣ୍ଟା ଧରି ଏକା ବସି ବି ମନେ ମନେ ଆଉ କାହାର ମାନସିକ ସାନ୍ନିଧ୍ୟ ଲାଭକରୁଛି ।

 

ଅରୁଣାଂଶୁ ଦେଇ ଯାଇଥିବା କାର୍ଡ଼ଟାକୁ ଆଉଥିରେ ଦେଖିଲା ନିଶିକାନ୍ତ । ଆଜି ସନ୍ଧ୍ୟାରେ ନିଶ୍ଚୟ ତା’ ଘରକୁ ଯିବ ବୋଲି ସ୍ଥିର କରି ସେ ଉଠିଲା ଗୋଟେ ଟ୍ରାମରେ । ରେସ୍‌କୋର୍ସର ଦକ୍ଷିଣରେ ଅଫିସରମାନଙ୍କ ପାଇଁ ତିଆରି ହୋଇଥିବା ସାତ ମହଲା କୋଠାର ପାଞ୍ଚ ମହଲାର ପୂର୍ବ ପାଖରେ ରହେ ଅରୁଣାଂଶୁ ।

 

କଲିଂବେଲ୍‌ ଟିପିବା ମାତ୍ରେ କବାଟ ଖୋଲି ତାକୁ ସାଦର ସମ୍ବର୍ଦ୍ଧନା ଜଣାଇଲା ଅରୁଣାଂଶୁ । ଯା’ହେଉ ଏତେଦିନ ପରେ ଆସିଲୁ...ତୁ ଯେମିତି ଭୋଳାନାଥ ...ମୁଁ ତ ଭାବିଥିଲି ଆଉ ଶୀଘ୍ର ଭେଟ ହେବନି ବୋଲି–। କହିଲା ଅରୁଣାଂଶୁ ।

 

ସେତେବେଳକୁ ସୋଫା ଉପରେ ବସିସାରିଥାଏ ନିଶିକାନ୍ତ ।

 

ସେ ଚାରିଆଡ଼କୁ ଭଲକରି ଥରେ ଦେଖିନେଲା ।

 

ଅରୁଣାଂଶୁ ବୁଝିପାରିଲା ବୋଧହୁଏ । ସେ କହିଲା-ଏଇ ଆସୁଥିବେ ସେ ...ତୋତେ ଆଗରେ ଛିଡ଼ା କରାଇ ତାଙ୍କୁ ଚମକାଇ ଦେବି ନିଶ୍ଚିୟ ...

 

ନିଶିକାନ୍ତ କଲିକତାକୁ ଆସିବା ପରେ ଚା’ପିଇବା ଅଭ୍ୟାସରେ ପରିଣତ କରିନେଇଛି । ସେ କହିଲା-ଖାଲି ହାତରେ ନ ଆସି କିଛି ଆଣିବାକୁ କହ ... ଭୋକ କରୁଚି ।

 

ଅରୁଣାଂଶୁ ତରତର ହୋଇ ଭିତରକୁ ଚାଲିଗଲା ଏବଂ ପାଞ୍ଚମିନିଟ୍‌ ଭିତରେ ଗୋଟିଏ ଥାଳିରେ କିଛି ମିଷ୍ଟାନ୍ନ ଏବଂ ଆଉ ଗୋଟିକରେ କିଛି କାଜୁବାଦାମ ଓ ବିସ୍କୁଟ ନେଇ ଫେରିଆସିଲା-

 

ତଥାପି ତା’ର ସ୍ତ୍ରୀକୁ ନଦେଖି କହିଲା ନିଶିକାନ୍ତ–ଲଜ୍ଜା କରୁଛନ୍ତି କିରେ ?

 

ଅରୁଣାଂଶୁ ସ୍ତ୍ରୀକୁ ବାଟଛାଡ଼ିଦେଇ ଛିଡ଼ା ହେଲାବେଳକୁ ଯାହା ଦେଖିଲା ନିଶିକାନ୍ତର ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । ସେ ବିସ୍ମୟବିମୁଢ଼ ଭାବରେ ବସିରହିଲା ବିର୍ବାକ୍‌ ହୋଇ । ସୌଜନ୍ୟ ରକ୍ଷାକରି ଛିଡ଼ା ହୋଇପାରିଲା ନାହିଁ କି ନମସ୍କାର କରିପାରିଲା ନାହିଁ । ହଠାତ୍‌ ଚା’ ଟ୍ରେଟା ଖସିସଡ଼ିଲା ସିପ୍ରା ହାତରୁ ।

Image

 

Unknown

ଛାଡ଼ପତ୍ର

 

ସୁନୀତି ଗୋଟାଏ ଝୁଙ୍କ୍‌ରେ ସୁବ୍ରତକୁ ଛାଡ଼ି ଚାଲିଆସିଲା । ଆସିଲାବେଳେ ସୁବ୍ରତ ଯେମିତି ତାକୁ କହିଥିଲା ଯେ, ସେ ଆଉ ତା’ର ମୁଖ ଦର୍ଶନ କରିବାକୁ ଚାହେ ନାହିଁ, ତାଙ୍କୁ ଶୁଣେଇ ଶୁଣେଇ ସେ କହିଥିଲା ଯେ ବି ଆଉ ଏ ଘରେ ରହିବ ନାହିଁ । ତିନିମାସ ହୋଇଗଲାଣି, ସୁବ୍ରତ ତାକୁ ଖୋଜି ଆସିନାହିଁ କି ସୁନୀତି ସ୍ୱାମୀ ପାଖକୁ ଫେରି ଯାଇନି । ଦୁହେଁ ଦୁହିଁଙ୍କର ଜିଦ୍‌ରେ ଅଟଳ ରହି ଅନ୍ୟର ଦୋଷ ସମୀକ୍ଷା କରିବାରେ ସମୟ ଅତିବାହିତ କରିଛନ୍ତି । ସ୍ୱାମୀ ସହିତ ଯଦି ସେ ରହିବାକୁ ନ ଚାହେଁ ଛାଡ଼ପତ୍ର ଦେଇ ସ୍ୱାଧୀନ ହୋଇଯିବା ଭଲ ବୋଲି ବନ୍ଧୁମାନେ କହିଛନ୍ତି, କିନ୍ତୁ ସେ ବିଷୟରେ ଅଧିକ ଭାବିବାପାଇଁ ଇଚ୍ଛା ପ୍ରକାଶ କରିନି ସୁନୀତି । ସେ କେବଳ ଭାବୁଛି ଯେ ଯଦି ଛାଡ଼ପତ୍ର ଦବାକୁ ହୁଏ ସେ ପ୍ରଥମେ ଆଗେଇବ କାହିଁକି, ସୁବ୍ରତ ଆଗୋଉ । ସେ ପୁରୁଷ, ତା’ର ସ୍ୱାଧିକାର ସମ୍ପର୍କରେ ସମାଜ ଯେତିକି ସଚେତନ ନାରୀର ଅଧିକାର ସମ୍ପର୍କରେ ସେତିକି ଉଦାସୀନ-। ଆଇନ ଅନୁସାରେ ଯଦି ଚଳିବା ଦରକାର ତା’ହେଲେ ସୁବ୍ରତ କୋର୍ଟକୁ ଯାଇ ଛାଡ଼ପତ୍ର ପାଇଁ ପ୍ରାର୍ଥନା କରିପାରେ, ସେ ତା’ର ବିରୋଧ କରିବ ନାହିଁ ।

 

ଗୋଟିଏ ସହରରେ ରହୁଥିଲେ କଥା ନ ଥାନ୍ତା, ପରସ୍ପର ମଧ୍ୟରେ ଦେଖାଚାହାଁ, କଥାବାର୍ତ୍ତା ନ ହେଲେ ବି ଅନ୍ୟମାନଙ୍କୁ ଜରିଆରେ ଉଭୟ ଉଭୟଙ୍କ ବିଷୟରେ ଖବର ପାଆନ୍ତେ । କିନ୍ତୁ ସେପରି ସୁବିଧା ନାହିଁ । ସୁବ୍ରତ ପୁରୀରେ ତ ସେ ଭୁବନେଶ୍ୱରରେ, ମଝିରେ ଚାଳିଶ ମାଇଲର ବ୍ୟବଧାନ । ଯେତେବେଳେ ସୁନୀତି ବାହାହୋଇ ଯାଇଥିଲା ସୁବ୍ରତ ଘରକୁ, ସେତେବେଳେ ବାପା ରହୁଥିଲେ ବାରିପଦାରେ । ବାରିପଦାରୁ ପୁରୀ ତିନି ଶହ ତିରିଶ କିଲୋମିଟର, କିନ୍ତୁ ଦୂରତ୍ୱ ଅତିକ୍ରମ କରିବା ଅତି ସହଜ ମନେ ହୋଇଥିଲା । ବାରିପଦାରୁ ପୁରୀ ଆସି ସେ ତା’ର କୁମାରୀ ଜୀବନର ଚାରିପାଖରେ ଗଢ଼ି ଉଠିଥିବା ଦୂରତ୍ୱଗୁଡ଼ାକୁ ଭାଙ୍ଗି ଦେଇଥିଲା ଏବଂ ସମୁଦ୍ର କୂଳକୁ ଅଶ୍ରା କଲା ପରି ସୁବ୍ରତର କୋଳରେ ନିଜକୁ ସମର୍ପି ଦେଇ ଅପାର୍ଥିବ ଆନନ୍ଦ ପାଉଥିଲା । ସେଦିନ ଆଉ ଦୂରତ୍ୱ ନୁହେଁ ନିକଟତର ହବାପାଇଁ ମନରେ ଯେଉଁ ଆବେଶ, ପ୍ରାଣରେ ଯେଉଁ ପୁଲକ ଜାଗେ ତାକୁ ସମ୍ବଳ କରି ସ୍ୱାମୀ ହାତରେ ନିଜକୁ ସମର୍ପଣ କରି ଆଖି ବୁଜି ଦେଇଥିଲା ସେ । ସେହି ସ୍ନିଗ୍‌ଧ ମଧୁର ଦିନଗୁଡ଼ିକ ଆଜି ସ୍ୱପ୍ନ ପରି ଲାଗୁଛି । ସେଦିନ ଯେଉଁ ଦୂରତ୍ୱ ତାକୁ ନିକଟତର କରିବାପାଇଁ ଆହ୍ୱାନ କରୁଥିଲା ଆଜି ସେଇ ଦୂରତ୍ୱ ବଢ଼ିବାରେ ଲାଗିଛି । ମଣିଷ ଓ ମଣିଷ ମଧ୍ୟରେ ସମ୍ପର୍କ ବୋଧହୁଏ ଏହିପରି । ଦୂର ନିକଟକୁ ଆସିଲା କ୍ଷଣି ପୁଣି କେତେବେଳେ ନିକଟ ଦୂର ହୋଇଯାଏ ଜାଣିହୁଏନି ।

 

ସୁନୀତି ଘର ଛାଡ଼ି ଚାଲି ଆସିଥିଲା ବୋଲି କେବେ ଅନୁତାପ କରି ନାହିଁ । ଯଦି ସୁବ୍ରତ ଏକା ଏକା ଏତେଦିନ ବିତେଇ ଦେଇପାରେ ସେ ବି ନିଶ୍ଚିନ୍ତ ହୋଇ ରହିପାରିବ । ଝିଅ ହୋଇ ଜନ୍ମ ହବାମାତ୍ରେ ସବୁ ଦୂର୍ବଳତାଗୁଡ଼ିକ ତାକୁ ଘେରିପକାଏ । ପୁଅ ପାହାଡ଼ର ଶିଳା ପରି ଗଡ଼ି ଗଡ଼ି ଯାଉଥିବ, ଦେହରେ ଧୂଳିମଳି ଶିଉଳି ଲାଗିବ ନାହିଁ । ସମାଜର ପକ୍ଷପାତ ବିଚାର ପାଇଁ ମନ ବିଦ୍ରୋହ କରେ ସୁନୀତିର । ସେ ପାଖରେ ଯାହାପାଏ ଫିଙ୍ଗେ ଓ ଭାଙ୍ଗେ ଏବଂ ମନକୁମନ କହେ-ସ୍ୱାର୍ଥପର, ସମସ୍ତେ ସ୍ୱାର୍ଥପର !

 

ସୁବ୍ରତ ଯେ ଏଡ଼େ ସ୍ୱାର୍ଥପର ହୋଇପାରିବ ତାହା ତିନି ବର୍ଷ ପରେ ଜାଣିଲା ସୁନୀତି । ଏଇ ତିନି ବର୍ଷ ସେ ଗଢ଼ି ଉଠିଥିବା ଘର ସଂସାର ହଠାତ୍‌ ଦିନେ କାଚ ପରି ଭାଙ୍ଗିଗଲା । କାରଣ ସାମାନ୍ୟ । ଯେଉଁଦିନ ସ୍ୱାମୀକୁ ଟେଲିଫୋନ କରି ତାକୁ ନ ପାଇ ମିତାକୁ ଟେଲିଫୋନ୍‌ରେ ପାଇଲା ସୁନୀତି ସେଦିନ ଚମକିପଡ଼ି କହିଲା–ନା ନା ସରି ...ମୁଁ ସୁବ୍ରତ ବାବୁଙ୍କୁ ଚାହୁଁଥିଲି...ଭୁଲ୍‌ ନମ୍ବର ଲାଗିଯାଇଛି । ମିତା କିନ୍ତୁ ଖିଲ୍‌ଖିଲ୍‌ ହସି ତତ୍‌କ୍ଷଣାତ୍‌ କହିଥିଲା ଯେ ନମ୍ବର ଭୁଲ୍‌ ନୁହେଁ, ଠିକ୍‌...ତା’ପରେ ସେ କଲ୍‌ଟା ଟ୍ରାନ୍‌ସଫର କରି ଦେଇଥିଲା ସୁବ୍ରତକୁ । କିନ୍ତୁ ସେତେବେଳକୁ ଟେଲିଫୋନ୍‌ ଛାଡ଼ି ଦେଇଥିଲା ସୁନୀତି ରାଗ ଓ ଅଭିମାନରେ । କାଲି ପର୍ଯ୍ୟନ୍ତ ସେ ସ୍ୱାମୀ ସିଧାସଳଖ କଥା ହୋଇଛି; ଅଥଚ ଆଜି ତାଙ୍କୁ ଟେଲିଫୋନ୍‌ କଲେ ଜଣେ ଝିଅକୁ ମାଧ୍ୟମ କରି କଥା କହିବାକୁ ହେବ, ଏହା ସେ ବିଶ୍ୱାସ କରିପାରୁନି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାଧ୍ୟମକୁ ସ୍ୱୀକାର କରି ନ ପାରି ସେଇ ସନ୍ଧ୍ୟାରେ ସୁବ୍ରତ ଘରକୁ ଫେରିବା ପରେ ତାକୁ ଦୁଇପଦ ଶୁଣାଇଦେଲା ସେ-। ସୁବ୍ରତ ପ୍ରଥମ ସ୍ତ୍ରୀର ଏପରି ଆକ୍ରମଣାତ୍ମକ ଭାବ ଦେଖି ବିବ୍ରତ ହୋଇପଡ଼ିଲା ଏବଂ ପରେ ଏହାର କାରଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେଲା ଯେ ସୁନୀତି ଏପରି ସାମାନ୍ୟ ଘଟଣାକୁ ଅସାମାନ୍ୟ ଗୁରୁତ୍ୱ ଦେଇପାରେ । ତାକୁ ବୁଝାଇବାକୁ ଚେଷ୍ଟାକଲା ସୁବ୍ରତ; କିନ୍ତୁ ସୁନୀତି ଗୋଖର ସାପ ପରି ଫଁ ଫଁ ହୋଇ ଫଣା ଟେକିଲା ଏବଂ ସେଇ ରାଗର ଉପଶମ ହେବାବେଳକୁ ଆଉ ଗୋଟେ ଦୁର୍ଘଟଣା ଘଟିଗଲା ।

 

ସୁବ୍ରତ ଗସ୍ତରେ ଯାଇଥିଲା ଅଫିସ ଗାଡ଼ିରେ । ସେ ରାସ୍ତରେ ଗଲେ ବେଳେବେଳେ ସ୍ତ୍ରୀକୁ ବି ସାଙ୍ଗରେ ନେଇଯାଏ । ଏଥର ଫୁଲବାଣୀ ଯାଉଥିବାରୁ ଏବଂ ସୁନୀତି ଫୁଲବାଣୀ ଦେଖିଥିବାରୁ ତାକୁ ଏଇ ଦୂର ଯାତ୍ରାରେ ନ ନେଇ ଏକା ଯାଇଥିଲା ସୁବ୍ରତ । ସେଠାରେ କାମ ଶେଷ କରି ଫେରିଲା ବାଟରେ ଦଶପଲାଠାରେ ଗାଡ଼ି ଖରାପ ହେବାରୁ ଆଉ ସେଦିନ ଫେରି ନ ପାରି ରାତିରେ ଆଇ. ବି.ରେ ରହିଗଲା । ତା’ ପରଦିନ ସକାଳୁ ବାହାରିବାବେଳକୁ ଆଇ. ବି.ର ଅନ୍ୟ ଗୋଟିଏ ସୁଟ୍‌ରେ ମଞ୍ଜରୀକୁ ଦେଖିଲା ସେ । ମଞ୍ଜରୀ ପଟ୍ଟନାୟକ ତା’ର ସହପାଠିନୀ ଏବଂ ସେ ବିତ୍ରୀକର ବିଭାଗର ଅଫିସର । ନିଜର ଗାଡ଼ି ନ ଥିବାରୁ ଏବଂ ଅଫିସ ଗାଡ଼ି ଅଚଳ ହୋଇ ମରାମତି ହେଉଥିବାରୁ ବସ୍‌ରେ ସେ ଆସିଥିଲା ଏବଂ କାମସାରି ସକାଳ ବସ୍‌ରେ ଯିବାପାଇଁ ପ୍ରସ୍ତୁତ ହୋଇ ରିକ୍‌ସା ପାଇଁ ବାରଣ୍ଡାରେ ଆରାମ ଚୌକିରେ ଅପେକ୍ଷା କରୁଥିବାବେଳେ ହଠାତ୍‌ ସୁବ୍ରତ ସହିତ ସାକ୍ଷାତ୍‍ ହେଲା । ମଞ୍ଜରୀ କଟକ ଯିବାର ଥିଲେ ବି ଭଦ୍ରତା ଖାତିରରେ ତାକୁ ବସ୍‌ରେ ଯିବାକୁ ନ ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ତା’ ସହିତ ଯିବାପାଇଁ ଅନୁରୋଧ କଲା ସୁବ୍ରତ ଏବଂ ସେଥିରେ ସେ ସମ୍ମତ ହୋଇଗଲା । ପ୍ରାୟ ଗୋଟାଏ ବେଳକୁ ଦୁହେଁ ଭୁବନେଶ୍ୱର ପହଞ୍ଚିଲେ ଏବଂ ସେହି ସମୟରେ ମଞ୍ଜରୀକୁ ଛାଡ଼ି ନ ଦେଇ ଏବଂ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବାପାଇଁ, ଆଗରୁ କୌଣସି ସୂଚନା ସୁନୀତି ପାଖକୁ ସେ ପଠାଇ ନ ଥିବାରୁ ହଠାତ୍‌ ମଞ୍ଜରୀକୁ ନେଇ ଅସମୟରେ ପହଞ୍ଚିଗଲେ କାଳେ ସୁନୀତି ବିବ୍ରତ ବୋଧ କରିପାରେ ଏଥିପାଇଁ ସେ ସ୍ୱସ୍ତି ହୋଟେଲକୁ ଚାଲିଗଲା ମଞ୍ଜରୀକୁ ସାଙ୍ଗରେ ନେଇ । କିନ୍ତୁ ଘଟଣା କ୍ରମେ ସେହିଦିନ ସ୍ୱସ୍ତି ହୋଟେଲରେ ମଧ୍ୟାହ୍ନ ଭୋଜନ କରିବାପାଇଁ ସୁନୀତିକୁ ନିମନ୍ତ୍ରଣ କରିଥିଲା ତା’ ପିଲାଦିନର ସାଙ୍ଗ ମାଳବିକା । ମାଳବିକା ଦିଲ୍ଲୀରେ ସ୍ୱାମୀ ସହିତ ରହୁଥିବାରୁ ବହୁବର୍ଷ ଦୁହିଙ୍କ ମଧ୍ୟରେ ସାକ୍ଷାତ୍‍ ହୋଇନ ଥିଲା ଏବଂ ସୁବ୍ରତ ଘରେ ନ ଥିବାରୁ ଏବଂ ସ୍ୱାମୀ ସହିତ ମାଳବିକା ସ୍ୱସ୍ତି ହୋଟେଲରେ ରହୁଥିବାରୁ ସେଦିନ ଅପରାହ୍‌ଣର ଫ୍ଲାଇଟ୍‌ରେ ଦିଲ୍ଲୀ ଫେରିଯିବା ଆଗରୁ ସାଙ୍ଗ ସହିତ କିଛି ସମୟ କଟେଇବାପାଇଁ ନିମନ୍ତ୍ରଣ କରିଥିଲେ । ଦୁହେଁ ଲଞ୍ଚ ଖାଉଥିଲାବେଳେ ମଞ୍ଜରୀ ସାଙ୍ଗରେ ଡାଇନିଂ ହଲ୍‌କୁ ସୁବ୍ରତ ପଶୁଥିବାର ଦେଖି ଅବାକ୍‌ ହୋଇଗଲା ସୁନୀତି । କିନ୍ତୁ ମାଳବିକା ଆଉ ଜଣେ ମହିଳା ସାଙ୍ଗରେ ସୁବ୍ରତକୁ ଦେଖିଲେ ସେ ଭୁବନେଶ୍ୱରରେ ନ ଥିବାର ଏବଂ ଗସ୍ତରେ ଯାଇଥିବାର ଯାହା କହିଥିଲା ତାହା ମାଳବିକା ବିଶ୍ୱାସ ନ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେ ସୁସମ୍ପର୍କ ନାହିଁ ଏହା ଧରିନେବ ଏଥିପାଇଁ ଲଜ୍ଜ୍ୟାରେ ମୁହଁ ଫେରାଇ ନେଲା ସୁନୀତି । ଭାଗ୍ୟକୁ ସୁବ୍ରତ ତାକୁ ଦେଖିପାରିଲା ନାହିଁ ଏବଂ ସେ ଏକ ଅପ୍ରୀତିକର ଅବସ୍ଥାରୁ ରକ୍ଷା ପାଇଗଲା । ମାଳବିକା ଖାଇଲାବେଳେ ତାକୁ ବାରମ୍ବାର ସେମାନଙ୍କର ଦାମ୍ପତ୍ୟ ଜୀବନ ସଫଳ ଓ ସୁଖକର ହୋଇଛି କି ନାହିଁ ପଚାରୁଥିଲା ଏବଂ ସୁନୀତି ଅନ୍ୟ ମନସ୍କଭାବରେ ହଁ କିମ୍ବା ନା କହି ବିଭିନ୍ନ ପ୍ରଶ୍ନ ଉତ୍ତର ଦେଉଥିଲା । ତା’ କଥାରେ ଯେ ଅନୁରାଗ ନ ଥିଲା ଏହା ଜାଣିପାରି କହିଥିଲା ମାଳବିକା । ଯେ ତୁ ଇମିତି ଭାଙ୍ଗିପଡ଼ୁଛି କାହିଁକି, ଆଉଥରେ ଆସିଲେ ତୋ ଘରେ ନିଶ୍ଚୟ ଖାଇବି । ସୁବ୍ରତ ଓ ମଞ୍ଜରୀ ଇମିତି ପଛକରି ବସିଥିଲେ ଯେ ସୁନୀତିକୁ ସୁବ୍ରତ ଦେଖିପାରୁ ନ ଥିଲା; କିନ୍ତୁ ସ୍ୱାମୀକୁ ଏବଂ ସେହି ଅପରିଚିତା ମହିଳାଙ୍କୁ ସୁନୀତି ଦେଖି ପାରୁଥିଲା ଓ ଦୁହିଁଙ୍କ ମଧ୍ୟରେ ହାସ୍ୟ ପରିହାସ ଲକ୍ଷ୍ୟ କରୁଥିଲା । ଶୀଘ୍ର ଶୀଘ୍ର ଖିଆପିଆ ଶେଷ କରି ମାଳବିକାଠାରୁ ବିଦାୟ ନେଇ ଘରକୁ ଫେରିଆସି ନିଜ କୋଠରିର କବାଟ ଝରକା ବନ୍ଦ କରି ଶୋଇପଡ଼ିଲା ସୁନୀତି । ଆଉ କାହାକୁ ମୁହଁ ଦେଖାଇବାକୁ ତା’ର ଇଚ୍ଛା ନ ଥିଲା ଏବଂ ଅପମାନର ଜ୍ୱାଳାରେ ସେ କମ୍ପିତ ପ୍ରଦୀପ ଶିଖା ପରି ଥରିବାକୁ ଲାଗିଲା ।

 

କେତେବେଳେ ସନ୍ଧ୍ୟା ହେଲା ଏବଂ ସୁବ୍ରତ ଘରକୁ ଫେରିଲା ତାହା ଜାଣିବାପାଇଁ ଆଉ ଆଗ୍ରହ ନ ଥିଲା ସୁନୀତିର । ବାରମ୍ବାର ଏଇ କଥା ମନକୁ ଘାଣ୍ଟିଚକଟି ପକାଉଥିଲା ଯେ ସୁବ୍ରତ ଆଉ ତା’ର ନିଜସ୍ୱ ଏକାନ୍ତ ଆପଣାର ହୋଇ ରହିନାହିଁ ଏବଂ ବହୁ ନାରୀ ସମ୍ଭୋଗରେ ଲିପ୍ତ ହୋଇଯାଇଛି । ଏହି କଥା ଭାବିବାକ୍ଷଣି ସେ ଅସହାୟବୋଧ କଲା ଏବଂ ଆଉ ସମ୍ଭାଳି ନ ପାରି କାନ୍ଦିବାକୁ ଲାଗିଲା । ତା’ର ପ୍ରେମ ଓ ପାତିବ୍ରତ୍ୟ ଯେ ବ୍ୟର୍ଥ ହୋଇଛି ଏବଂ ସୁବ୍ରତକୁ ନିଜର ସର୍ବସ୍ୱ ଦେଇ ମଧ୍ୟ ତାକୁ ଯେ ସୁଖୀ କରିପାରିନାହିଁ ଏହା ଭାବିଲାକ୍ଷଣି ଏକ କରୁଣ ହାହାକାର ତା’ର ବକ୍ଷପଞ୍ଜରକୁ ଦୋହଲାଇ ଦେଲା । ଏହାଠାରୁ ବିବାହିତ ନାରୀର ଜୀବନରେ ଆଉ କିଛି ବଡ଼ ଲାଞ୍ଚନା ଓ ଅପମାନ ଥାଇ ନ ପାରେ ବୋଲି ସେ ବାରମ୍ବାର କହିଲା ନିଜକୁ ଏବଂ ସାରା ରାତି ନିଜର ଜ୍ୱାଳାରେ ଦଗ୍‌ଧ ହେବାକୁ ଲାଗିଲା ।

 

ସୁବ୍ରତ ହୋଟେଲରୁ ଫେରି ମଞ୍ଜରୀକୁ ବସ୍‌ଷ୍ଟାଣ୍ତରେ ଛାଡ଼ି ଅଫିସ୍‌କୁ ଗଲା ଏବଂ କେତୋଟି ଜରୁରୀ କାର୍ଯ୍ୟ ସାରି ଘରକୁ ଫେରିଲା ସନ୍ଧ୍ୟାରେ । ସେତେବେଳକୁ ସୁନୀତିର କୋଠରିର ଦରଜା ବନ୍ଦଥିଲା ଏବଂ ସେ ଯେତେ ଡାକିଲେ ବି କୌଣସି ପ୍ରତ୍ୟୁତ୍ତର ନପାଇ ସୁନୀତିର କଅଣ ହୋଇଥାଇପାରେ ତାହା ଜାଣିବାପାଇଁ ଚାହିଁଲା । କିନ୍ତୁ ସୁନୀତି କୌଣସି ଉତ୍ତର ଦେଲାନି । ତିନିଦିନ ପରେ ସେ ଗସ୍ତରୁ ଫେରିଥିଲେ ମଧ୍ୟ ସୁନୀତି ତା’ ସହିତ ସାକ୍ଷାତ୍‍ ନ କରିବା ଏବଂ ତାକୁ ନ ସଙ୍ଖୋଳିବା ଯୋଗୁ ସୁବ୍ରତର ରାଗ ହେଲା ଏବଂ ସେ ଏପାଖରୁ ସ୍ତ୍ରୀକୁ ଶୁଣେଇ ଶୁଣେଇ କହିଲା ଯେ ଯଦି ସେ ତା’ ସହିତ ସ୍ୱାଭାବିକ ସମ୍ପର୍କ ରକ୍ଷା ନ କରେ ସେ ବି ଅନ୍ୟ ବ୍ୟବସ୍ଥା କରିବ ।

 

ତଥାପି ସୁନୀତି ଉତ୍ତର ଦେଲାନି ଏବଂ ରାଗ ଓ ଅଭିମାନରେ ସାରା ରାତି ସେହିପରି କଟାଇଦେଲା । ସୁବ୍ରତ ଭାବିଥିଲା ଯେ ସକାଳେ ସବୁ ଠିକ୍‌ ହୋଇଯିବ ଏବଂ ସୁନୀତି ତା’ ସହିତ ସହଜ ଭାବରେ କଥାବାର୍ତ୍ତା କରିବ । କିନ୍ତୁ ସକାଳର ଚା’ ସୁନୀତି ନ ଆଣି ଯେତେବେଳେ ଚାକର ଆଣିଲା ସୁବ୍ରତ ବୁଝିଗଲା ଯେ ସୁନୀତିର ରାଗ କମିନାହିଁ। ସେ ଏକା ଚା’ ନ ପିଇ ସ୍ତ୍ରୀକୁ ଅନୁନୟ ବିନୟ କରି ଡାକିଲା ଏବଂ କିଛି ସମୟ ତା’ପାଇଁ ଅପେକ୍ଷା କଲା । ସେଥିରେ କିଛି ଫଳ ନ ହେବାରୁ ସେ ଚିଡ଼ିଗଲା ଏବଂ ସୁନୀତି ଯଦି ଭଲ ବ୍ୟବହାର ନ କରେ ସେ ତା’ର ମୁହଁ ଚାହିଁବନାହିଁ ବୋଲି କହିଲା ।

 

ସୁନୀତି ଆଉ ସହ୍ୟକରି ନ ପାରି କହିଲା–ଚରିତ୍ରହୀନ ସାଙ୍ଗରେ ଆଉ ମୁହୂର୍ତ୍ତେ ରହିବାକୁ ମୁଁ ବି ଚାହେଁନି, ଏ ଘରେ ମୁଁ ବି ରହିବାକୁ ଚାହେଁନି ।

 

ଦୁହେଁ କିନ୍ତୁ ଅଭଦ୍ର ପରି ଆଉ ପଡ଼ୋଶୀ ଓ ଚାକରମାନଙ୍କ ଆଗରେ କଳି ନ କରି ପରସ୍ପରଠାରୁ ଅଲଗା ରହିବାକୁ ଲାଗିଲେ । ଗୋଟିଏ କୋଠରିରେ, ଗୋଟିଏ ବିଛଣାରେ ଏକତ୍ର ପରସ୍ପରର କଣ୍ଠଲଗ୍ନା ହୋଇ ସମୟ କାଟୁଥିବା ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ଯେଉଁ ମୁଖରତା ଓ ମଧୁରତା ଥାଏ ତାହା ହଠାତ ନୀରବ ନିଶ୍ଚଳ ହୋଇଗଲା ଏବଂ ଗୋଟିଏ ଘରେ ଉଭୟ ରହି ମଧ୍ୟ କେହି କାହାର ମୁଖ ଦର୍ଶନ କଲେ ନାହିଁ, ବରଂ ହଠାତ ଦେଖା ହୋଇଗଲେ ମୁହଁ ବୁଲେଇ ଚାଲିଯିବାର ଦେଖାଗଲା । ଏପରି ଅବସ୍ଥା ଯେ ଅସହ୍ୟ ଏବଂ ସ୍ୱାମୀ ସହିତ ଏକତ୍ର ରହିବା ଯେ ଅସମ୍ଭବ ତାହା ଶୀଘ୍ର ବୁଝିପାରିଲା ସୁନୀତି । ସେ ଭାବିଥିଲା ଯେ ହୁଏତ ସୁବ୍ରତ ଭୁଲ ବୁଝି ଅନୁତାପ କରିବ, ତା’ର ଅଭିମାନ ଭାଙ୍ଗିବାପାଇଁ ଚେଷ୍ଟା କରିବ ଏବଂ ଜୋରକରି ତା’ ପାଖରୁ ତା’ର ପ୍ରାପ୍ୟ ଆଦାୟ କରି ଦବ, କିନ୍ତୁ କାର୍ଯ୍ୟରେ ତାହା କିଛି ହେଲା ନାହିଁ । ସୁବ୍ରତ କ୍ରମଶଃ ଆହୁରି ଦୂରକୁ ଚାଲିଯାଉଥିବାର ଦେଖି ସେଇ ଅସହନୀୟ ନିଃସଙ୍ଗ ପରିବେଶ ତ୍ୟାଗ କରିବାପାଇଁ ସିଦ୍ଧାନ୍ତ କରି ଘର ଛାଡ଼ି ବାହାରି ଆସିଲା ସୁନୀତି । ଘରେ ଯାହା ଯେଉଁଠି ଥିଲା ତା’ର ଗୋଟେ ତାଲିକା ରଖିଆସିଲା କାଳେ ସୁବ୍ରତ ପରେ ଦୋଷାରୋପ କରିପାରେ-ସେଥିରୁ ନିଷ୍କୃତି ପାଇବାପାଇଁ । ବାପଘରୁ ଆଣିଥିବା ଲୁଗାପଟା ଓ କିଛି ଟଙ୍କା ବ୍ୟତୀତ ସେ ଆଉ କିଛି ନ ନେଇ ଚାଲିଗଲା ବାପ ଘରକୁ । ଆସିବାବେଳେ କାନ୍ଥରେ ଝୁଲୁଥିବା ତା’ର ଫଟୋ ଏବଂ ଟେବୁଲ ଉପରେ ଥୁଆ ହୋଇଥିବା ସେ ଦୁହିଁଙ୍କର ଫଟୋ ଉଠେଇ ଆଣି ଷ୍ଟୋର ଘରେ ବା ପରିତ୍ୟକ୍ତ ଆସବାବ ସହିତ ରଖିଦବ ବୋଲି ଭାବିଥିଲେ ବି ତାହା କରିବାକୁ ଭୁଲିଗଲା । ବାଟରେ ମନେପଡ଼ିଲା କ୍ଷଣି ସେ ନିଜକୁ ଧିକ୍‌କାର କଲା ଏବଂ ସୁବ୍ରତକୁ ଅନ୍ୟ ଆଗରେ ନିର୍ମଳ ନିର୍ଦ୍ଦୋଷ ପୁରୁଷ ଭାବରେ ପ୍ରମାଣିତ କରିବାପାଇଁ ସେ ଯଥେଷ୍ଟ ପ୍ରମାଣ ରଖି ଆସିଲା ବୋଲି ନିଜକୁ ନିନ୍ଦିଲା ।

 

ସୁନୀତି ଆଗରୁ କାହାକୁ କିଛି ଜଣାଇ ନ ଥିଲା । ସେ ହଠାତ୍‌ ଏକା ପହଞ୍ଚିଯିବାରୁ ବାପା ମା’ ଧରି ନେଇଥିଲେ ଯେ ଜ୍ୱାଇଁ ହୁଏତ ସମୟ ପାଇଲେ ପରେ ଆସିବେ, ଝିଅ କିଛି ଦିନ ବାପା ମା’ ପାଖରେ ରହିବାପାଇଁ ଆଗରୁ ଚାଲି ଆସିଛି । ଗତ ତିନିବର୍ଷ ମଧ୍ୟରେ ସୁନୀତି ଯେ କେବେ ଏକା ବାପ ଘରକୁ ଆସି ନ ଥିଲା ଏଇ ବ୍ୟତିକ୍ରମ ଲକ୍ଷ୍ୟ କରି ମଧ୍ୟ ସେମାନେ ତାକୁ କିଛି ପଚାରିଲେ ନାହିଁ-। କିନ୍ତୁ ଅଳ୍ପଦିନ ପରେ ବାପା ମା’ ଜାଣିଗଲେ ଯେ ସୁନୀତି ଭଲରେ ଆସିନି, ସ୍ୱାମୀ ସହିତ ମନାନ୍ତର ଯୋଗୁଁ ଚାଲିଆସିଚି । ସେ ସବୁ କଥା ଖୋଲିକରି ନ କହିଲେ ମଧ୍ୟ ସେମାନଙ୍କର ପୋଖତ ଆଖିରୁ ସୁନୀତିର ଅସ୍ୱାଭାବିକ ନୀରବତା ଏବଂ ସୁବ୍ରତ ସମ୍ପର୍କରେ କୌଣସି କଥା ନ କହିବାର ଦୃଢ଼ତା ଦେଖି ସେମାନେ ସତରେ ଉଦ୍‌ବିଗ୍ନ ହୋଇପଡ଼ିଲେ ଏବଂ ନାନାଭାବରେ ଝିଅକୁ ବୁଝାଇବାପାଇଁ ଚେଷ୍ଟା କଲେ । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆବହମାନ କାଳରୁ ମତାନ୍ତର ବା ମନାନ୍ତର ଚାଲିଆସୁଥିବାର ଉଲ୍ଲେଖ କରି ଏସବୁ ସତ୍ତ୍ୱେ କିପରି ସ୍ୱାମୀ ସ୍ତ୍ରୀ ଏକତ୍ର ରହିବା ସ୍ପୃହଣୀୟ ତାହା ମଧ୍ୟ ବୁଝାଇଲେ । ସମୟ ସବୁ ଠିକ୍‌ କରିଦେବ ଏଇ ଆଶାରେ ସେମାନେ ଝିଅକୁ ଫେରିବାପାଇଁ ବାଧ୍ୟ ନ କରି ନୀରବ ରହିଲେ ।

 

କିନ୍ତୁ ଦିନ ଦିନ କରି ପ୍ରାୟ ବରଷେ ଅତିବାହିତ ହୋଇଗଲା, ସୁନୀତିର ମନରେ କୌରସି ପରିବର୍ତ୍ତନ ହେଲା ନାହିଁ କିମ୍ବା ସୁବ୍ରତ ତାକୁ ନେଇଯିବାପାଇଁ ଆସିଲା ନାହିଁ । ଦୁହେଁ ଦୁହିଁଙ୍କର ଜିଦ୍‌ରେ ଅଟଳ ରହିଲେ ।

 

ସୁନୀତି ଯେ କ୍ରମଶଃ ଏକ ଅସହ୍ୟ ଏକାକୀତ୍ୱ ଆଡ଼କୁ ଟାଣି ହୋଇଯାଉଥିଲା ଏହା ସେ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲା । ସେ ମୁହଁ ଖୋଲି କିଛି ନ କହିଲେ ମଧ୍ୟ ଏଇ ପ୍ରସଙ୍ଗଟି ମୁଖରୋଚକ କାହାଣୀ ହୋଇ ପ୍ରଚାରିତ ହେବାରେ ଲାଗିଲା ଏବଂ ସୁନୀତି ଯାହା ବାହାରକୁ ଯାଉଥିଲା ଆଉ ଗଲାନାହିଁ, ସେ ଭୟ କରିବାକୁ ଲାଗିଲା ଯେ କାଳେ ତାକୁ କେହି ତା’ର ବୈବାହିକ ଜୀବନ ନେଇ ପ୍ରଶ୍ନ ପଚାରିବେ ଏବଂ ସେ ଯାହା ଏଯାଏ ନ କହି ଏଡାଇ ଆସୁଛି ସେପରି କଥା ତା’ଠାରୁ ଶୁଣିବାପାଇଁ ଚାହିଁବେ । ଘର ବାହାରକୁ ଯିବା ବନ୍ଦ ହୋଇଗଲା । ଏପରିକି ମନ୍ଦିର ବା ବଜାରକୁ ମଧ୍ୟ ଆଉ ଗଲାନାହିଁ । ସାମାଜିକ ଉତ୍ସବ ବା ପାଖ ପଡ଼ୋଶୀଙ୍କ ଘରକୁ ଯିବା ଆସିବା ଆଗରୁ ବନ୍ଦ ହୋଇଯାଇଥିଲା । ନିଜ ପାଖରେ ନିଜକୁ ବନ୍ଦୀ କରିଦେଲା ସୁନୀତି ।

 

ସେ ନିଜକୁ ସମାଜର ସବୁ କାମରୁ ଗୋଟାଇ ଆଣିଲେ ବି ଅନ୍ୟମାନେ ଅହୋତୁକୀ ଆଗ୍ରହ ଯୋଗୁଁ ତା’ ନିକଟକୁ ସମବେଦନା ଜଣାଇବେ ବା ସଙ୍ଗ ଦବା ବାହାନା କରି ଅଧିକ କଥା ଜାଣିବାକୁ ଲାଗିଲେ । ସେମାନଙ୍କ କବଳରୁ ରକ୍ଷା ପାଇବାପାଇଁ ସୁନୀତି ଅନେକଙ୍କୁ ଦେଖା କଲାନାହିଁ ଏବଂ ଅସୁସ୍ଥ ଅଛି କହି ନିଜ କୋଠରି ଭିତରେ ଶୋଇ ରହିଲା । କିନ୍ତୁ ଏପରି ଯେ ବେଶୀ ଦିନ ରହିବା ସମ୍ଭବ ନୁହେଁ କ୍ରମଶଃ ସେ ତାହା ଅନୁଭବ କରିବାକୁ ଲାଗିଲା । ସମସ୍ତଙ୍କଠାରୁ ବିଚ୍ଛିନ୍ନ ହୋଇଆସୁଥିବା ବେଳେ ମନ ନିସ୍ତବ୍‌ଧ ନ ହୋଇ ବରଂ ଅଧିକ ବିକ୍ଷୁବ୍‌ଧ ହେବାକୁ ଲାଗିଲା-

 

ଦିନେ ବିଷଣ୍ଣ ବିକ୍ଷୁବ୍‌ଧ ସମୁଦ୍ର ପରି ନିଜର ବେଦନାରେ ନିଜେ ଘାରି ହେଉଥିବାବେଳେ ହଠାତ ତା’ର ମନେହେଲା ଯେ ଏହି ଅସହ୍ୟ ଯନ୍ତ୍ରଣାରୁ ନିଷ୍କୃତି ପାଇବାର ଏକମାତ୍ର ବାଟ ହେଉଛି ଛାଡ଼ପତ୍ର ବା ସୁବ୍ରତ ସହିତ ବୁଝାମଣା । ବାପା କହିଥିବା କଥାଟି ବାରମ୍ବାର ମନେପଡ଼ିଲା ଯେ ହିନ୍ଦୁ ବିବାହ ସାମୟିକ ନୁହେଁ; ଚିରନ୍ତନ । ସାତ ପୁରୁଷର ବନ୍ଧନ ରହିଛି ସପ୍ତପଦୀରେ । କିନ୍ତୁ ବହୁନାରୀ ଭୋଗ କରୁଥିବା ଚରିତ୍ରହୀନ ସୁବ୍ରତ ସହିତ ସେ କିପରି ବୁଝାମଣା କରିବ ? କିପରି ଅନ୍ୟାୟ ଓ ଅବିଚାର ଆଗରେ ପୁଣିଥରେ ନିଃସହାୟ ପରି ସମର୍ପି ଦବ ନିଜକୁ ? ସେ ଶୁଣାକଥାରେ ଏପରି କରିନାହିଁ, ଆଖିରେ ଯାହା ଦେଖିଚି, କାନରେ ଯାହା ଶୁଣିଚି ଅବିଶ୍ୱାସ କରିପାରିବ ନାହିଁ । ଜୀବନର ସଙ୍କଟତମ ମୁହୂର୍ତ୍ତଟି କେଡ଼େ ବେଦନାର୍ତ୍ତ ପୁଣି କେତେ ସମ୍ଭାବନାରେ ପୂର୍ଣ୍ଣ ତାହା ବୋଧହୁଏ ଏଇ ପ୍ରଥମ ଅନୁଭବ କଲା ସୁନୀତି । ବୁଝାମଣା ସମ୍ଭବ ନୁହେଁ, ସମ୍ଭବ ନୁହେଁ ସହାବସ୍ଥାନ... ଶେଷରେ ଛାଡ଼ପତ୍ର ଦେଇ ସିନ୍ଥିରେ ଲଗାଉଥିବା ସିନ୍ଦୂର ଓ ହାତରେ ଥିବା କାଚରୁ ସୁବ୍ରତର ସବୁ ପରିଚୟ ପୋଛିଦବାପାଇଁ ଚିନ୍ତା କଲା ସେ ।

 

ଛାଡ଼ପତ୍ର ! ଏଇ ଶବ୍ଦଟା ଆଉ କେବେ ତାକୁ ଏପରି ଚମକାଇ ଦେଇ ନ ଥିଲା ।

 

ଛାଡ଼ପତ୍ର ! ମୁହଁରେ କହିଦେଇ ବା ଚିଠିରେ ଲେଖିଦେଇ ଛାଡ଼ପତ୍ର ଦେଇ ହୁଏ ନାହିଁ । ସ୍ୱାମୀ ସହିତ ସହବାସ ଓ ସହାବସ୍ଥାନ କାହିଁକି ସମ୍ଭବ ନୁହେଁ ସେଇ କଥା ଗୋଟି ଗୋଟି କରି ଦର୍ଶାଇବାକୁ ହୁଏ ଅଦାଲତରେ । ଦାମ୍ପତ୍ୟ ଜୀବନର ସବୁକଥା ଘାଣ୍ଟିବାକୁ ହୁଏ ସମସ୍ତଙ୍କ ଆଗରେ-। ଖାଲି ସେତିକିରେ ବି ଯଦି ଏଇ ସମସ୍ୟାର ସମାଧାନ ହୋଇଯାଇ ଥାଆନ୍ତା ତା’ହେଲେ ବଞ୍ଚି ଯାଆନ୍ତା ସେ, କିନ୍ତୁ ସମସ୍ତଙ୍କ ସାମ୍ନାରେ ନିଜର ଶୂନ୍ୟତା, ଲାଞ୍ଛନା ଓ ତିକ୍ତତା’ର କାହାଣୀ କହିବାଠାରୁ ମୃତ୍ୟୁ ଆହୁରି ଶ୍ରେୟସ୍କର ।

 

ସୁବ୍ରତର ହାତ ଧରି ସେ ଆସିଥିଲା ସଂସାର କରିବାପାଇଁ । କିନ୍ତୁ ସଂସାର ଯେ ପୁଷ୍ପଶଯ୍ୟା ନୁହେଁ ଏହା ଆଜି ସେ ବୁଝୁଛି । ରାଗ ହେଲା ମନରେ । ସୁବ୍ରତ ଉପରେ ପ୍ରତିଶୋଧ ନବାପାଇଁ ଛଚ୍ଛା ହେଲା । ସୁଯୋଗର ଅପେକ୍ଷା କରିବାପାଇଁ ସ୍ଥିର କଲା । କିନ୍ତୁ ସେ ସୁଯୋଗ ଯଦି ନ ଆସେ ? ଆଉ ତାକୁ ଏକା ଛାଡ଼ି ଦେଇ ସେ ଯଦି ଭୋଗରେ ବୁଡ଼ି ରହେ ?

 

ସୁବ୍ରତ ପୁରୁଷ, ସେ ହୁଏତ ନିଜର ସବୁଦୋଷ, ସବୁ ସ୍ଖଳନସତ୍ତ୍ୱେ ଅଦାଲତ ଆଗରେ ସଫେଇ ଦେଇ ବର୍ଷାଧୂଆ ବନସ୍ପତି ପ୍ରମାଣ କରିବ ନିଜର । ସୁନୀତି ଏହା ଭାବିବାକ୍ଷଣି ସମାଜ ବିରୁଦ୍ଧରେ ଯୁଦ୍ଧ ଘୋଷାଣା କରିବା ଲାଗି ଇଚ୍ଛା କଲା । କିନ୍ତୁ ଏହା ଯେ ନିଷ୍ଫଳ କ୍ରୋଧର ପରିଣତ ଏହା ଅଳ୍ପ ସମୟ ପରେ ବୁଝିଗଲା । ତଥାପି ବୁଝାମଣା ସମ୍ଭବ ନୁହେଁ । ଯେତେ କଷ୍ଟ ହେଉ ପଛକେ ସେ ଅଦାଲତର ଆଶ୍ରୟ ନବ ଛାଡ଼ପତ୍ର ଦବାପାଇଁ । ସୁବ୍ରତ ସହିତ ସାଲିସ କରିବା ସମ୍ଭବ ନୁହେଁ ।

 

ପ୍ରାୟ ମାସେ କାଳ ଅନ୍ତର୍ଦ୍ୱନ୍ଦ୍ୱରେ ଘାରିହେଲା ସୁନୀତି । ବୁଝାମଣା ବନାମ ଛାଡ଼ପତ୍ର ମଧ୍ୟରେ ଲଢ଼େଇ ଚାଲିଲା ଦିନ ଦିନ ଧରି । ସେଥିରେ ରକ୍ତାକ୍ତ ହେଲା ସେ ନିଜେ । ସବାଶେଷରେ ସୁନୀତିର ଓକିଲ ଛାଡ଼ପତ୍ର ପାଇଁ ଆବେଦନ କଲେ କୋର୍ଟରେ ।

 

ସୁବ୍ରତ ଡାକରା ପାଇ ହାଜର ହବା ଆଗରୁ ବହୁଦିନରେ ବ୍ରତ ଭଙ୍ଗ କରି ସୁନୀତି ସହପାଠିନୀ ମାଳବିକାର ପୁଅର ଅନ୍ନପ୍ରାଶନକୁ ଯାଇଥିଲା ତାଙ୍କ ଘରକୁ । କେବଳ ଏଥିପାଇଁ ଦିଲ୍ଲୀରୁ ମାଳବିକା ଓ ତା’ର ସ୍ୱାମୀ ଆସିଥିଲେ ଭୁବନେଶ୍ୱର । ସୁନୀତିର ଶତ ମନା ସତ୍ତ୍ୱେ ତାକୁ ବାଧ୍ୟ କରି ଟାଣି ଆଣିଥିଲା ମାଳବିକା । ଅନ୍ନପ୍ରାଶନର ଅତିଥିମାନଙ୍କୁ ପରିଚୟ କରାଇ ଦେବାବେଳେ ସୀତାଂଶୁ ପଟ୍ଟନାୟକ ଏବଂ ତାଙ୍କର ସ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେଇ କହିଲା ମାଳବିକା, ମୋ ସ୍ୱାମୀଙ୍କର ବାଲ୍ୟବନ୍ଧୁ ସୀତାଶୁ ବାବୁ, ଆଉ ତାଙ୍କର ସ୍ତ୍ରୀ ମଞ୍ଜରୀ ପଟ୍ଟନାୟକ, ବିକ୍ରୀକର ବିଭାଗର ଅଫିସର । ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ।

 

ସେଇ ମହିଳା... ସେଇ ମୁହଁ... । ମଞ୍ଜରୀ ପଟ୍ଟନାୟକଙ୍କୁ ଦେଖି ଚମକିପଡ଼ିଲା ସୁନୀତି-। ସ୍ୱସ୍ତି ହୋଟେଲର ଡାଇନିଂ ହଲରେ ତାଙ୍କ ସହିତ ଦେଖିଥିବା ସୁବ୍ରତର ମୁହଁ ବି ଭାସିଉଠିଲା ମେଘମେଦୂର ଆକାଶରେ ବିଜୁଳି ଚମକିବା ପରି ।

 

ମଞ୍ଜରୀ ପଟ୍ଟନାୟକ ତା’ ପାଖକୁ ଲାଗିଆସି କହିଲେ–କ୍ଷମାକରିବ ଭାଉଜ, ସେଦିନ ତୁମ ଘରକୁ ଯାଇ ତୁମକୁ ଅପ୍ରସ୍ତୁତ କରିଦେଇ ପାରିଲି ନାହିଁ । ସୁବ୍ରତ ଭାଇ ମୋତେ ଖାଲି ଲିଫ୍‌ଟ ଦେଇ ଅଶେଷ ଉପକାର କରି ନ ଥିଲେ ସ୍ୱସ୍ତି ହୋଟେଲରେ ଲଞ୍ଚ ଖୁଆଇବା ପରେ ଯାଇ ଛାଡ଼ିଥିଲେ । ଯାଇ ପାରିଲିନି ସିନା, କିନ୍ତୁ ବାଟସାରା ତୁମ ବିଷୟରେ ସେ ମୋତେ ଏତେ କଥା କହିଲେ ଯେ ମୁଁ ତୁମକୁ ନ ଦେଖିବି ଯେମିତି ଭାବିଥିଲି ଆଜି ତା’ର ସତ୍ୟତା ପ୍ରମାଣିତ ହେଉଛି ।

 

କାନକୁ ବିଶ୍ୱାସ କରିପାରୁ ନ ଥାଏ ସୁନୀତି । ସୀତାଂଶୁ କହିଲେ-ସୁବ୍ରତ ବାବୁଙ୍କୁ ନେଇ ଚାଲିଆସିବେ ଆମ ଘରକୁ ଯେ କୌଣସି ସନ୍ଧ୍ୟାରେ...

 

ସୁନୀତିକୁ ଆଉ ଟିକେ ଆଗକୁ ନେଇଯାଇ କହିଲା ମାଳବିକା-ମିତା ! ତୁ ସୁନୀତିର ସାଙ୍ଗରେ ରହ...ମୁଁ ଅନ୍ୟ ଅତିଥିମାନଙ୍କୁ ଦେଖେ ।

 

ମିତା ସୁନୀତିର ପାଦଧୂଳି ନେଇ କହିଲା–ଆପଣଙ୍କୁ ଦେଖିବାପାଇଁ କେତେଥର ଚେଷ୍ଟା କରିଚି, କିନ୍ତୁ ବସ୍‌ ଏଡ଼ାଇ ଦେଇ କହିଛନ୍ତି ଏତେ ତର ତର କାହିଁକି ...ସେ ବାପ ଘରୁ ଫେରନ୍ତୁ-...ତା’ ପରେ ଦେଖିବନି ।

 

କେଉଁଠାରେ ଏଇ ସ୍ୱର ଶୁଣିଥିବା ପରି ଅନୁମାନ କଲା ସୁନୀତି ।

 

ତାକୁ ଆହୁରି ଚମକାଇ ନେଇ କହିଲା ମିତା- ଦିନେ ଆପଣ ମିଷ୍ଟର ମିଶ୍ରଙ୍କ ପାଖକୁ ଟେଲିଫୋନ କରିଥିଲେ ମନେଥିବ... ସେଇଦିନ ପ୍ରଥମ ଜଏନ୍‌ କରିଥାଏ ମୁଁ...ଆଗରୁ ତ ଜାଣି ନ ଥିଲି...ନ ହେଲେ ପ୍ରଥମେ ପରିଚୟ ଦେଇଥାଆନ୍ତି... ବିଳମ୍ବ ହେଲେ ବି କ୍ଷମା ମାଗି ନଉଚି ।

 

ସବୁ ମୁହଁଗୁଡ଼ିକ ସୁନ୍ଦର, ସବୁ ହୃଦୟ ନିର୍ମଳ ଦିଶିଲା ସୁନୀତିକୁ ।

 

ହଠାତ ପରିବେଶଟା ଯେପରି ବଦଳି ଯାଇଛି...ସବୁ ପୁଣି ନୂତନ ସୁନ୍ଦର ମନେହେଉଛି-

 

ଆଉ ପରମ ବିସ୍ମୟରେ ସେ ଲକ୍ଷ୍ୟ କଲା ଯେ ଭିଡ଼ ଠେଲି ମାଳବିକା ସହିତ ସୁବ୍ରତ ତାହାରି ଆଡ଼କୁ ଆଗେଇ ଆସୁଛି ।

Image

 

ଜନ୍ମଦିନ

 

ଆଗାମୀ ସପ୍ତାହରେ ମୌସୁମୀର ଜନ୍ମଦିନ । ଚଉଦ ପୁରି ସେଦିନ ସେ ପନ୍ଦରରେ ପ୍ରବେଶ କରିବ । ଏଇ ଦିନଟାକୁ ବର୍ଷସାରା ଅପେକ୍ଷା କରେ ମୌସୁମୀ । କ୍ୟାଲେଣ୍ତର ପୃଷ୍ଠାରେ ସେହି ମାସରେ ସେହି ତାରିଖ ଚାରିପାଖରେ ଗୋଟିଏ ଲାଲ ବୃତ୍ତ ଆଙ୍କିଦିଏ ସେ, ସହଜରେ ତାରିଖଟା ଧରାପଡ଼ିବ, ଏଇ ଉଦ୍ଦେଶ୍ୟରେ । କିନ୍ତୁ ନିଜକୁ ଯେପରି ସେ ଭୁଲିପାରେନି ମୁହର୍ତ୍ତେ, ସେହିପରି ନିଜର ଜନ୍ମଦିନ ବି ତା’ର ସ୍ମୃତିରେ ସଜୀବ ସବୁଦିନ । ବାପା ମା’ କୁହନ୍ତି ଯେ ସେ କେବଳ ସେମାନଙ୍କର ପ୍ରଥମ ସନ୍ତାନ ନୁହେଁ । ତା’ର ଜନ୍ମ ପରେ ପରେ ବାପାଙ୍କର ପ୍ରମୋସନ ହୋଇଛି, ମାଆଙ୍କର ସାମାଜିକ ଖ୍ୟାତି ବଢ଼ିଛି । ଜେଜେବାପା ବଞ୍ଚିଥିବାବେଳେ ତାକୁ ସୌଭାଗ୍ୟଲକ୍ଷ୍ମୀ ବୋଲି ଡାକୁଥିଲେ । ତାଙ୍କ ପରେ ପରେ ସେଇ ନାମଟା ପୁରୁଣା ଏବଂ ଅଚଳ ହୋଇଯାଇଛି । ମୌସୁମୀ ନାମଟା ମା’ ଦେଇଥିଲେ ସେ ଆଦ୍ୟ ଆଷାଢ଼ରେ ଜନ୍ମଗ୍ରହଣ କରିଥିବାରୁ । ପ୍ରଥମ ମୌସୁମୀ ପ୍ରବାହ ଯେପରି ଧରଣୀକୁ ବର୍ଷାସିକ୍ତ କରି ନିଦାଘର ନିର୍ମମ ଯନ୍ତ୍ରଣାରୁ ମୁକ୍ତି ଦିଏ; ଠିକ୍‌ ସେ ତାଙ୍କ ଜୀବନରେ ଓ ପରିବାରରେ ଆଣିଥିଲା ଶାନ୍ତି ଶୀତଳତା । କିନ୍ତୁ ଏଇ ଚଉଦ ବର୍ଷ ଧରି ସେ ଯାହା ଦେଖି ଆସୁଛି ସେଥିରୁ ଜୀବନର ପ୍ରଥମ ଅନୁଭୂତିର ମଧୁରତା ଲୁଚକାଳି ଖେଳପରି ଲାଗୁଛି । ଏକ ଦୀର୍ଘ ଜୀବନ ପଡ଼ିରହିଛି ତା’ ଆଗରେ । ଚଉଦ ବର୍ଷ ସେଥିରୁ ଚଉଠେ ବି ନୁହେଁ, କିନ୍ତୁ ଏଇ ଚଉଦ ବର୍ଷ ତା ଜୀବନର ମହାର୍ଘ ସମୟ ।

 

ମୌସୁମୀ ନିଜର ଜନ୍ମଦିନ ସମ୍ପର୍କରେ ଯେତିକି ଭାବିଲା ମନ ସେତିକି ଚଞ୍ଚଳ ହୋଇଉଠିଲା । ବାପା ମା’ ଉଭୟ ଏଥର ତାକୁ ନିଶ୍ଚିତ ପ୍ରତିଶ୍ରୁତି ଦେଇଛନ୍ତି ଯେ ଗତଥର ପରି ବିପର୍ଯ୍ୟୟ ଏଥର ହେବ ନାହିଁ । ସେମାନେ ଦୁହେଁ ସବୁକାମ ଛାଡ଼ି ତା’ର ଜନ୍ମଦିନ ପାଳନ କରିବେ-। ମା ପ୍ରଥମରୁ କହୁଥିଲେ ଯେ ଜନ୍ମଦିନ ଦିନ ସେମାନେ ପୁରୀ ଯିବେ ଏବଂ ଜଗନ୍ନାଥଙ୍କୁ ଦର୍ଶନ କରି ସମୁଦ୍ର କୂଳରେ ସନ୍ଧ୍ୟା ଅତିବାହିତ କରି ବି. ଏନ୍‌. ଆର. ହୋଟେଲର ସବୁଜ ଲନ୍‌ ଉପରେ ବସି ସେଇଠି ଡିନର ଖାଇବେ । ବାପା କହୁଥିଲେ ଗୋଟେ ବଡ଼ ବାର୍ଥଡ଼େ ପାର୍ଟିର ଆୟୋଜନ କରିବେ-। କିନ୍ତୁ ମୌସୁମୀ ମାଆଙ୍କର ପ୍ରସ୍ତାବକୁ ଅନୁମୋଦନ କରିବାକୁ ଦୁହେଁ ରାଜି ହେଲେ ସେଥିରେ । ମୌସୁମୀ ହୋହଲ୍ଲା ଭିତରେ ଜନ୍ମଦିନ କଟାଇବାକୁ ଚାହେଁନି । ବାର୍ଥଡ଼େ ପାର୍ଟି ମାନେ ହୋହଲ୍ଲା । ସେଥିପାଇଁ ବାପାଙ୍କ ପ୍ରସ୍ତାବ ପସନ୍ଦ କରି ନ ଥିଲା ସେ । ଜନ୍ମଦିନଟା ତା’ର ନିଜସ୍ୱ, ତେଣୁ ସେଦିନଟିକୁ ସେ ଏକାନ୍ତରେ ବାପା ମାଆଙ୍କ ସହିତ କଟାଇବାକୁ ଚାହେଁ । ଆଉ ଗୋଟିଏ ଉଦ୍ଦେଶ୍ୟ ବି ଅଛି ମୌସୁମୀର । ଏଇ କେତେବର୍ଷ ହେବ ସେ ଲକ୍ଷ୍ୟ କରୁଛି ଯେ ବାପା ମାଆଙ୍କର କ୍ରମଶଃ ସମୟ ଅଭାବ ହେବାରେ ଲାଗିଛି । ସେମାନେ ଆଗେ ତାକୁ ଯେତେ ସମୟ ଦେଉଥିଲେ ବର୍ତ୍ତମାନ ଆଉ ସେତେ ସମୟ ଦେଇ ପାରୁନାହାନ୍ତି । କେବଳ ସେ ସେମାନେ ତା’ ଠାରୁ ବେଶୀ ସମୟ ଦୂରରେ ରହନ୍ତି ତା’ ନୁହେଁ; ମୌସୁମୀ ଲକ୍ଷ୍ୟ କରୁଛି ଯେ ବାପା ମାଆଙ୍କର ଜଗତଟି ଆଉ ଏକ ଓ ଅଭିନ୍ନ ହୋଇ ରହିନାହିଁ; ଦୁହେଁ ଦୁଇଟି ଗୋଲାର୍ଦ୍ଧର ଅଧିବାସୀ ପରି ହୋଇଗଲେଣି । ଦୁହେଁ କ୍ୱଚିତ୍‍ ସମୟ ପାଆନ୍ତି ଏକତ୍ର ବସି ଖାଇବା ବା ଗଳ୍ପ କରିବାପାଇଁ । ବର୍ଷେ ହେବ ଯେଉଁ କୋଠରିଟା ଖାଲି ପଡ଼ିଥିଲା ସେଟାକୁ ବାପା ଅଧିକାର କରି ନେଇଛନ୍ତି । ଘରେ ଯେଉଁ କେତେ ସମୟ ରହନ୍ତି ପ୍ରାୟ ସବୁ ସମୟ ସେଇ କୋଠାରି ଭିତରେ । ରାତିରେ ବି ସେଇଠି ଶୁଅନ୍ତି ।

 

ସେ ବାପା ମାଆଙ୍କ ମଧ୍ୟରେ ଯୋଗସୂତ୍ର । ତା’ର ଜନ୍ମଦିନ ସେମାନଙ୍କୁ ଏକତ୍ର କରିବାରେ ଏବଂ ଏକତ୍ର ବସି କିଛି ଗୋଟେ ପ୍ଲାନ କରିବାର ସୁଯୋଗ ଆଣିଦିଏ । କୌଣସି ଗୋଟିଏ ବିଷୟରେ ଆଲୋଚନା କରିବାପାଇଁ କ୍ୱଚିତ ସମୟ ପାଉଥିବା ବାପା ମା’ ତା’ର ଜନ୍ମଦିନ ସମ୍ପର୍କରେ ବିଶଦ ଆଲୋଚନା କରନ୍ତି, ସେହି ଦିନଟି କିପରି ଅବିସ୍ମରଣୀୟ ହୋଇ ରହିବ, ସେଥିପାଇଁ ସଚେତନ ଉଦ୍ୟମ ମଧ୍ୟ କରନ୍ତି । ସେଥିପାଇଁ ହୋହଲ୍ଲା ଭିତରେ ମୌସୁମୀ ଏଇ ଅନନ୍ୟ ସୁଯୋଗଟିକୁ ହରାଇବାକୁ ଚାହେଁନି, ସେ ନିରୋଳାରେ ଏକ ଶାନ୍ତ, ନିବିଡ଼ ଆତ୍ମୀୟ ପରିବେଶ ମଧ୍ୟରେ ଉପଭୋଗ କରିବାକୁ ଚାହେଁ ତା’ର ଜନ୍ମଦିନ । ପିଲାଦିନେ ମା ବାପା ଉଭୟ ତାକୁ କହିଥିବାର ଏବେ ବି ତା’ର ମନେଅଛି ଯେ ସେମାନଙ୍କ ଜୀବନର ମଧୁରତମ ମୁହର୍ତ୍ତର ସ୍ମାରକୀ ବହନ କରି ସେ ଜନ୍ମଗ୍ରହଣ କରିଛି । ସେଥିପାଇଁ ତାକୁ ଦେଖିଲେ ସେମାନଙ୍କର ସବୁ ଅବସାଦ ଦୂର ହୋଇଯାଏ, ସେ ସେମାନଙ୍କୁ ଏକତ୍ର କରିବାପାଇଁ ଜୀବନ୍ତ ଶକ୍ତିର କାର୍ଯ୍ୟକରେ । କିନ୍ତୁ ଆଜିକାଲି ସେଇ କଥାସବୁ ସ୍ମରଣକଲେ ତାହା ସେମାନଙ୍କର ଉକ୍ତି ବା ଅତ୍ୟୁକ୍ତି ଥିଲା, ତାହା ବୁଝିବାକୁ କଷ୍ଟ ହୁଏ ।

 

କାହିଁକି ଯେ ବାପା ମା’ ପରସ୍ପରଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି ଆଦୌ ବୁଝିପାରେନି ସେ । ସେ କଥା ଭାବିବାକ୍ଷଣି ତା’ର ମନଟି ଭରିଯାଏ ଦୁଃଖରେ । ସେ ନିଜକୁ କିପରି ଅସେହାୟ ମନେକରେ । ବାପା ମା’ ଯେତେବେଳେ ଗୋଟିଏ ମଣିଷ ପରି ଚଳୁଥିଲେ, ଦୁହେଁ ଅଲଗା ଅଲଗା ନ ରହି ଏକତ୍ର ଗୋଟିଏ କୋଠରିରେ ରହୁଥିଲେ ଏବଂ ପ୍ରାୟ ଏକ କଥା ଚିନ୍ତା କରୁଥିଲେ, ସେତେବେଳେ ମୌସୁମୀର ଦିନଗୁଡ଼ା ଥିଲା ଅତି ସୁନ୍ଦର । ସମୟ ନଦୀର ପ୍ରବାହ ପରି କେବଳ କଳଧ୍ୱନି କରି ବହିଯାଉଥିଲା ଯେ ସେ ଜାଣିପାରୁ ନ ଥିଲା । ପ୍ରତିଟି ଦିନ ମନେହେଉଥିଲା ନୂତନ, ପ୍ରତିଟି ମୁହୂର୍ତ୍ତ ମଧୁର । ସେତେବେଳେ ବାପା ଯେମିତି ତରତର ହୋଇ ଠିକ୍‌ ପାଞ୍ଚଟାରେ ଫେରି ଆସୁଥିଲେ ଅଫିସରୁ, କେବଳ ତାକୁ ଦେଖିବାପାଇଁ । ମାଆ ବି କଲେଜରୁ ଫେରୁଥିଲେ ଠିକ୍‌ ଚାରିଟାରେ ପଢ଼େଇବା କାମ ଶେଷ କରି । ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା କିଏ ଠିକ୍‌ ସମୟରେ ପ୍ରଥମେ ଆସିବ ଘରକୁ । ଦିନେ ଦିନେ ଇମିତି ହୋଇଛି ଯେ ବାପା ଅଫିସ ଛାଡ଼ି ଆଗରୁ ଚାଲିଆସି ମାଆ ଆସିବା ଆଗରୁ ଘରେ ପହଞ୍ଚିଯାଇ ତାକୁ ଚମକାଇ ଦେଇଛନ୍ତି । ସେଥିପାଇଁ ମାଆ ତାଙ୍କୁ କେତେଥର କହିଥିବାର ମନେଅଛି ଯେ ସେ ବାପାଙ୍କଠାରୁ ଯାହା ପାଇ ନ ଥିଲେ ସେତକ ସେ ପାଇଛି । ପ୍ରାୟ ଛୁଟି ନେଉ ନ ଥିବା ଲୋକଟି ଝିଅର ମୁହଁ ଦେଖିବାପାଇଁ ମଧ୍ୟେ ମଧ୍ୟେ ଛୁଟି ନେଉଥିଲେ ସେତେବେଳେ ।

 

ଆଜି ସବୁ ଓଲଟାପାଲଟା ହୋଇଯିବା ପରି ଲାଗୁଛି । ଜୀବନର ସେଇ ସୁନେଲି ଦିନଗୁଡ଼ାକ ଆଉ ବୋଧହୁଏ ଫେରି ଆସିବ ନାହିଁ । ତଥାପି ଏଇ ଜନ୍ମଦିନ କେବଳ ପଛର ସ୍ମୃତି ନୁହେଁ ଆଗାମୀ ପାଇଁ ସ୍ୱପ୍ନ ଦେଖିବାର ସୁଯୋଗ ଆଣିଦିଏ; ସେଥିପାଇଁ ଏଇ ଦିନଟିକୁ ଅପେକ୍ଷା କରେ ମୌସୁମୀ । ସାରା ବର୍ଷ ଧରି ଏଇ ଅପେକ୍ଷା, ଦିନେ ହେଲେ କିନ୍ତୁ ତାକୁ କ୍ଲାନ୍ତି ଦେଇନି, ବରଂ ସେ ଅପେକ୍ଷା କରିବାର ସେଇ ସମୟ ଭିତରେ ନିଜକୁ ନୂଆ ନୂଆ ରୂପରେ ଆବିଷ୍କାର କରିବାର ସୁଯୋଗ ପାଇଛି । ଅତି ଶିଶୁ ଅବସ୍ଥାର କଥା ଛାଡ଼ି ଦେଲେ ହେତୁ ହେଲା ଦିନୁ ତା’ ଆଗରେ ଘଟିଯାଇଥିବା ଘଟଣାଗୁଡ଼ିକ ମନରେ ଛାପି ହୋଇ ଯାଇଛି । ବାଲ୍ୟକାଳର ସେଇ ସ୍ମୃତି କେଡ଼େ ଅକପଟ, ନିର୍ମଳ ଏବଂ ମଧୁର । ସେତେବେଳେ ଏଇ ଛୋଟ ପରିବାରଟି ଆନନ୍ଦ କୋଳାହଳରେ ଥିଲେ ପୂର୍ଣ୍ଣ । ମୌସୁମୀ ସମୟ ପାଉ ନ ଥିଲା ଏକା ବସିବା ବା ଖେଳିବାପାଇଁ । ବାପା, ମା ଓ ଅନ୍ୟମାନଙ୍କର ସଙ୍ଗ ଓ ସ୍ନେହ ପାଇ ସେ ହୋଇଥିଲା ଧନ୍ୟା ।

 

ଆଜି ଜନ୍ମଦିନ କଥା ଭାବିବାବେଳକୁ ଆପେ ଆପେ ସବୁ ମନେପଡ଼ି ଯାଉଛି । ବାପା ମାଆଙ୍କ ମଧ୍ୟରେ ସେ ବର୍ତ୍ତମାନ ସଂଯୋଗର ସେତୁସ୍ୱରୂପ । ତାକୁହିଁ ମାଧ୍ୟମ କରି ସେମାନେ ଚଳପ୍ରଚଳ ହୁଅନ୍ତି, କଥାଭାଷା ହୁଅନ୍ତି । ତାହାରି ପାଇଁ ସେମାନଙ୍କ ମଧ୍ୟରେ ବାକିଥିବା ସମ୍ପର୍କ ଏଯାଏ ତିଷ୍ଠି ରହିଛି । ଦିନେ ବାପା ମାଆଙ୍କ ମଧ୍ୟରେ ବିତର୍କ ଚାଲିଥିବାବେଳେ ମାଆ କହିବାର ସେ ସ୍ପଷ୍ଟ ଶୁଣିଛି ଯେ ସେ କେବଳ ତାହାରି ମୁହଁକୁ ଚାହିଁ ପଡ଼ିରହିଛି, ନ ହେଲେ ଜଳ ସ୍ପର୍ଶ କରନ୍ତେନି ଏ ଘରେ । ଏମିତି ଅନେକ ତର୍କବିତର୍କ ହୁଏ ସେମାନଙ୍କ ମଧ୍ୟରେ । ସେ ଯେତିକି ଶୁଣିଛି ସେଥିରୁ ତା’ର ହୃଦ୍‌ବୋଧ ହୋଇଛି ଯେ କ୍ରମଶଃ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ବଢ଼ିବାରେ ଲାଗିଛି-। ଜଣେ ପୂର୍ବକୁ ମୁହଁ କଲେ ଆଉ ଜଣେ କରେ ପଶ୍ଚିମକୁ । ଯେତିକି ଏ ବିଷୟରେ ଭାବେ ମୌସୁମୀ, ସେତିକି ତା’ର ଅନ୍ତର ଭିତରଟା ମନ୍ଥି ହୁଏ, ଯେମିତି କିଏ ପେଟ ତଳେ ନିଆଁ ଜାଳିଦେଇଛି ସେମିତି ଅନୁଭବ କରେ ସେ ।

 

ଗୋଟେ ଜନ୍ମଦିନ ଶେଷ ହେଲେ ଆଗାମୀ ଜନ୍ମଦିନ କେବେ ଆସିବ ସେଥିପାଇଁ ପୁଣି ମୌସୁମୀ ମନେ ମନେ ଗଣନା ଆରମ୍ଭ କରିଦିଏ । ପୁରୁଣା କ୍ୟାଲେଣ୍ତରର ପୃଷ୍ଠା ଛିଡାଇ ନେଇ ନୂଆ କ୍ୟାଲେଣ୍ତରରେ ଥିବା ନିର୍ଦ୍ଦିଷ୍ଟ ଦିନ ଉପରେ ଲାଲବୃତ୍ତ ଘୁରାଇ ଦିଏ ଏବଂ ତିନିଶହ ପଞ୍ଚଷଠି ଦିନରୁ ଆଉ କେତେଦିନ ବାକି ରହିଲା ସଙ୍ଗେ ସଙ୍ଗେ ହିସାବ କରିନିଏ ।

 

ଆଗାମୀ ଜନ୍ମ ତାରିଖ ପଡ଼ୁଛି ରବିବାର ଦିନ । ସେଦିନ ସର୍ବସାଧାରଣ ଛୁଟି ଦିବସ । ବାପାଙ୍କର ଅଫିସ ଛୁଟି ତ ମାଆଙ୍କର କଲେଜ ଛୁଟି । ଯା’ ହେଉ ଅନେକ ଦିନ ପରେ ସେ ବାପା ମାଆଙ୍କୁ ଏକତ୍ର ପାଇବ ଏବଂ ସମୁଦ୍ର କୁଳରେ ପ୍ରାୟ ପାଞ୍ଚବର୍ଷ ପରେ ପୁଣି ସେମାନେ ସାଙ୍ଗ ହୋଇ ବୁଲିବେ । ଦଉଡ଼ି ଆସୁଥିବା ଭଙ୍ଗା ଢେଉର ପାଣିରେ ପାଦ ଭିଜାଇବାର ସୁଯୋଗ ପାଇବ ସେ । ମଝି ସମୁଦ୍ରରୁ ଢେଉ ଭାଙ୍ଗି ଭାଙ୍ଗି କୂଳ ଆଡ଼କୁ ମାଡ଼ିଆସୁଥିବା ନାଆକୁ ଦେଖେଇ ମାଆ ହୁଏତ ଆଗପରି ପୁଣି ଆଉଥରେ କହିବେ–ପ୍ରତିଦିନ ବଞ୍ଚିବାପାଇଁ ଲଢ଼ୁଥିବା ଏଇ ଲୋକମାନଙ୍କର ଝାଳୁଆ ଦେହର ଚମ ତଳେ ଜୀବନର ଜୁଆର । ସେଇ ଜୁଆରରେ ଭାସନ୍ତି ସେମାନେ ...

 

ଅଥଚ ସବୁଥାଇ ବି ସେ କିଛି ପାଇ ପାରୁନି । ଆଗେ ବାପା ମାଆ ଅନେକ ସମୟ ଦେଉଥିଲେ ତାକୁ । ସେ ଆୟା ପାଖରେ କମ୍‌ ସମୟ ରହୁଥିଲା । ହଠାତ୍‌ କଅଣ ହେଲା କେଜାଣି ଦୁହେଁ କ୍ରମଶଃ ବାହାରେ ବେଶି ସମୟ କଟାଇବାକୁ ଲାଗିଲେ । ବାପା ଅଫିସରୁ ମାଆଙ୍କୁ ନେଇ କ୍ଲବ, ପାର୍ଟି ସାଙ୍ଗମାନଙ୍କ ଘରକୁ ଯିବାକୁ ଲାଗିଲେ । ଫେରିବା ବେଳକୁ ରାତି ବେଶି ହୁଏ ବୋଲି ପ୍ରଥମେ ପ୍ରଥମେ ସେମାନଙ୍କ ଫେରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଯେତେବେଳେ ସେ ଅନୁଭବ କଲା ଯେ ସେ ଏତେ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବା ସେମାନେ ଚାହାନ୍ତି ନାହିଁ, ସେତେବେଳେ ସେ ଅଭିମାନ କରିଥିଲା, ଲୁଚି ଲୁଚି ଆଖିରୁ ଲୁହ ଗଡ଼ାଇ ଥିଲା । ଯେଉଁ ବାପା ମା’ ତାକୁ ଏତେ ଭଲପାଆନ୍ତି ସେମାନେ ତାକୁ ଛାଡ଼ି ବାହାରେ କାହିଁକି ଏତେ ସମୟ ରହନ୍ତି ତାହା ସେ ଆଦୌ ବୁଝି ପାରୁ ନ ଥିଲା । ସେ ନିଜେ ସ୍କୁଲ ଛୁଟି ହେଲାକ୍ଷଣି ଆଉ ଅଟକି ନ ଯାଇ କିମ୍ବା ସାଥୀମାନଙ୍କ ସହିତ ଖେଳିବାକୁ ନ ଯାଇ ଘରକୁ ବାହୁଡ଼ି ଆସୁଥିଲା ବାପା ମା’ଙ୍କ ସହିତ ସମୟ କଟେଇବାପାଇଁ, ସେମାନଙ୍କ ସାନ୍ନିଧ୍ୟ ପାଇବାପାଇଁ । ଅତୀତରେ ଏକା ସାଙ୍ଗରେ ସକାଳ ଓ ସନ୍ଧ୍ୟା କଟାଉଥିଲେ ସେମାନେ । ଛୁଟିଦିନଗୁଡ଼ାକ ଥିଲା ତା’ ପାଇଁ ସଂରକ୍ଷିତ । ବାପା ମା’ ତାକୁ ଗାଡ଼ିରେ ବସେଇ କେବେ ସପ୍ତଶଯ୍ୟା, କପିଳାସ ବା କୋଣାର୍କ ନେଇ ଯାଉଥିଲେ ତ ଅନ୍ୟ କୋଉଦିନ ସିନେମା ବା ପିକ୍‌ନିକ୍‌ କରିବାକୁ ଯାଉଥିଲେ । ବାହାରକୁ ଯିବାର ନ ଥିଲେ ବଗିଚାରେ ବସି ଦିନବେଳେ ଫୁଲଗଛମାନଙ୍କର ଯତ୍ନ ନେଉଥିଲେ ଏବଂ ରାତିରେ ତାକୁ ନକ୍ଷତ୍ରମଣ୍ତଳ ସମ୍ପର୍କରେ ନାନାଦି କାହାଣୀ ଶୁଣାଉଥିଲେ । କିଏ ତାକୁ ବେଶି ଗପ କହିପାରିବ ସେଥିପାଇଁ ବାପା ଓ ମା’ଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଯାଉଥିଲା ଏବଂ ଯିଏ ହାରିଯାଉଥିଲା ସେ କୃତ୍ରିମ ଅଭିମାନ କରି କହୁଥିଲା ମୌସୁମୀ ତାକୁ କମ୍‌ ଭଲପାଏ । ସେ କିନ୍ତୁ ଦୁହିଁଙ୍କର ହାତଧରି ସେମାନଙ୍କର ମଝିରେ ଛିଡ଼ାହୋଇ କେତେଥର କହିବାର ଏବେ ବି ତା’ର ମନେଅଛି ଯେ–ସେ କୌଣସି ପକ୍ଷର ନୁହେଁ-ଉଭୟଙ୍କର ସମାନ ସମାନ । ତା’ର କଥା ଶୁଣି ବାପା ମା’ ଏକାସାଙ୍ଗରେ ହସି ଉଠୁଥିଲେ ଜୋର୍‌ରେ ।

 

ଆଜି ସବୁ ସ୍ୱପ୍ନପରି ଲାଗୁଛି । ସମୟର ଚୋରାବାଲି କେତେବେଳେ ଦୁହିଁଙ୍କୁ ପରସ୍ପରଠାରୁ ଦୂରକୁ ନେଇ ଯିବାକୁ ଲାଗିଲା କେଜାଣି; କିନ୍ତୁ ଯେଉଁ ଦୂରତ୍ୱ ଆଖିରେ ପଡ଼ୁ ନ ଥିଲା ଏବେ ତାହା ଅସହ୍ୟ ଏବଂ ଅଶୋଭନୀୟ ମନେହେଉଛି ।

 

ବାପା ମାଆଙ୍କର ଦୋଷ କିନ୍ତୁ ଆଖିରେ ପଡ଼େନି ମୌସୁମୀର । ଦୁହେଁ ତା’ ପାଖରେ ଅନ୍ୟ କିଛି ନୁହଁନ୍ତି-କେବଳ ବାପା ମାଆ । ସେଇ ଦୁଇ ଦୁଇଟା ଅକ୍ଷରକୁ ଘେରି ତା’ର ବିଶ୍ୱବ୍ରହ୍ମାଣ୍ତ, ଭୂଗୋଳ ଓ ଇତିହାସ, ଆଶା ଓ ଭରସା । ପୃଥିବୀ କିନ୍ତୁ ଏତେଶୀଘ୍ର ବଦଳିଯାଏ ବୋଲି ସେ ଶୁଣିଥିଲେ ବି ଅଙ୍ଗେ ନିଭାଇ ନ ଥିଲେ । ଏବେ କିନ୍ତୁ ସେଇ ପରିବର୍ତ୍ତନ ଆଖିରେ ପଡ଼ୁଛି-ପରସ୍ପର ମଧ୍ୟରେ ଘନୀଭୁତ ପ୍ରୀତିପୂର୍ଣ୍ଣ ମଧୁର, ମୁହୂର୍ତ୍ତଗୁଡ଼ାକ କିପରି ଅସହ୍ୟ ଓ ଅପ୍ରୀତିକର ହୋଇଉଠୁଛି ତାହା ଦେଖିବାକ୍ଷଣି ବିସ୍ମୟରେ ଅବାକ୍‌ ହୋଇଯାଉଛି ମୌସୁମୀ ।

 

ବାପା ଖାଲି ମାଆଙ୍କୁ ଭଲପାଉ ନ ଥିଲେ, ମାଆ ବି ଅତି ଭଲପାଉଥିଲେ ବାପାଙ୍କୁ । ସେଥିପାଇଁ ବେଳେ ବେଳେ ସେମାନଙ୍କର ସାଙ୍ଗସାଥୀମାନେ କହିବାର ସେ ଶୁଣିଥିଲା ଯେ-ଦେ ଆର୍‌ ମେଡ଼୍‌ ଫର୍‌ ଇଚ୍‌ ଅଦର-ଜଣେ ଅନ୍ୟ ଜଣକ ପାଇଁ ତିଆରି । ଦୀର୍ଘ ନିଶ୍ୱାସ ଛାଡ଼ିଲା ମୌସୁମୀ ଏବଂ ତାହାରି ଆଖି ଆଗରେ କ୍ୟାଲେଣ୍ତର୍‌ର ପୃଷ୍ଠାଟା ହଠାତ୍‌ ଦମକାଏ ପବନରେ ଅଧେ ଚିରିଗଲା-

 

ବାପା ଆଉ ଠିକ୍‌ ପାଞ୍ଚଟାବେଳକୁ ଅଫିସରୁ ଫେରନ୍ତି ନାହିଁ କି ଛୁଟିଦିନରେ ତାକୁ ଓ ମାଆଙ୍କୁ ସାଙ୍ଗରେ ନେଇ ବୁଲିଯାଆନ୍ତି ନାହିଁ କି ବଗିଚାରେ ଖେଲନ୍ତି ନାହିଁ । ମାଆଙ୍କର ବି ସମୟ ନାହିଁ ବାପାଙ୍କ ପାଇଁ । ସେ କଲେଜରୁ ଠିକ୍‌ ଚାରିଟା ସମୟରେ ଫେରୁଥିଲେ ବି ବାପାଙ୍କ ପାଇଁ ଅପେକ୍ଷା ନ କରି ସଜବାଜ ହୋଇ ଚାଲିଯାଆନ୍ତି ନିଜ କାମରେ । ଗୋଟିଏ କ୍ଲବ୍‌କୁ ନୁହେଁ, ଏବେ ଦୁହେଁ ଭିନ୍ନ ଭିନ୍ନ କ୍ଲବ୍‌କୁ ଯାଆନ୍ତି । ଦୁହିଁଙ୍କର ସାଙ୍ଗସାଥୀ ମଧ୍ୟ ଅଲଗା ଅଲଗା । ବଡ଼ ଦୁଃଖ ହୁଏ ମୌସୁମୀର ମନରେ; ଅଥଚ ସେଇ ବାପା ମା’ ତାକୁ ଗଳ୍ପ ଶୁଣେଇବାବେଳେ କେତେଥର କହିଛନ୍ତି ଯେ ବାପା ମାଆଙ୍କର ସବୁ ସମୟ ସନ୍ତାନ ପାଇଁ–ଅଥଚ ସେ ଆଜି ସେମାନଙ୍କୁ ପ୍ରାୟ ଦେଖେନି । ସେମାନେ ସକାଳୁ ଉଠିବା ପୂର୍ବରୁ ମୌସୁମୀ ସ୍କୁଲକୁ ଚାଲିଯାଏ, ସେ ଫେରିବାବେଳକୁ ବାପା ମା’ ଘରେ ନ ଥାନ୍ତି । ସେମାନେ କାମରୁ ଫେରି ତର ତର ହୋଇ ଯିଏ ଯାହାର ଜାଗାକୁ ଇମିତି ବାହାରି ଯାଆନ୍ତି ଯେ ତା’ ସହିତ ଖେଳିବାପାଇଁ ବା ଗଳ୍ପ କରିବାପାଇଁ କାହାରି ସମୟ ନ ଥାଏ । ସେମାନଙ୍କର ଆଚାର ବ୍ୟବହାରରୁ ଅନ୍ତତଃ ଏତକ ମୌସୁମୀ ବୁଝେ ଯେ ବାପା ଓ ମାଆ ପରସ୍ପରକୁ ଏଭୟେଡ଼ କରିବାକୁ ଚାହାଁନ୍ତି ଏବଂ କାଳେ ସେ ପାଖରେ ଥିଲେ ଦୁହିଁଙ୍କୁ ଏକତ୍ର କରିବାପାଇଁ ଯୋଗସୂତ୍ରର କାମ କରିବ ସେଥିପାଇଁ ତାକୁ ମଧ୍ୟ ଏଡ଼େଇ ଯାଆନ୍ତି ଦୁହେଁ । ବଡ଼ ଅଭିମାନ ହୁଏ, ମନରେ ଅଭିଯୋଗ ଉଠେ । କିନ୍ତୁ କାହାକୁ କିଛି କହିପାରେନି ମୌସୁମୀ, ନିଜର ସବୁ ଦୁଃଖ, ସବୁ ରିକ୍ତତାକୁ ଅନ୍ତସ୍ତଳରେ ଲୁଚାଇରଖି ସେ ନିଜକୁ ସାନ୍ତ୍ୱନା ଦେଇ କହେ–ଦିନେ ପୁଣି ସବୁ ଠିକ୍‌ ହୋଇଯିବ...ପୁଣି ଦିନେ ବାପା ନିଜେ ଲଗେଇଥିବା ଗୋଲାପ ଗଛର ପ୍ରଥମ ଫୁଲ ମାଆଙ୍କୁ ଉପହାର ଦେବେ ।

 

ଜନ୍ମଦିନ ପାଇଁ ଏଇ କେତେଦିନ ହେଲା ଅନେକ ପ୍ଲାନ ମନେ ମନେ ପ୍ରସ୍ତୁତ କରିଛି ସେ, କିନ୍ତୁ ସଂଯୋଗ ଅଭାବାରୁ କାହାକୁ କହିପାରିନି । ବାପା ମା’ ଯେତେବେଳେ କହିଲେ ଯେ ପୁରୀ ଯିବେ ସେ ରାଜି ହୋଇଗଲା ସହଜରେ । ଏତିକି ଭାବି ଯେ ଅନ୍ତତଃ ବହୁଦିନ ପରେ ଦୁହିଁଙ୍କ ସାଙ୍ଗରେ ସେ ମନଇଚ୍ଛା ବୁଲିବ, ସେ ପୁଣି ମଧ୍ୟସ୍ଥ ହେବ ବାପା ମାଆଙ୍କ ମଧ୍ୟରେ ଛୋଟ ଛୋଟ କଳିର ସମାଧାନ କରିବାପାଇଁ ।

 

ଯତ୍ନ ନ ପାଇ ଶୁଣି ଆସୁଥିବା ରଜନୀଗନ୍ଧା ଗଛ ପାଖରେ ଛିଡ଼ାହୋଇ ଅପେକ୍ଷା କରୁଥିଲା ମୌସୁମୀ । ବାପା ସେଦିନ କିନ୍ତୁ ବିଳମ୍ବରେ ନ ଆସି ବରଂ ଟିକେ ଆଗରୁ ଆସିଲେ । ତାକୁ ଆଉଥରେ ବେଶି ଭଲପାଉଥିବାର ପ୍ରମାଣ ଦବାପାଇଁ ଏହା କରିଛନ୍ତି ବୋଲି ଭାବି ମନେ ମନେ ଖୁସିହେଲା ସେ । ବହୁତ ଭଲ ଲାଗିଲା ତାକୁ । ମନଟା ଅନେକ ହାଲୁକା ହୋଇଗଲା । ମାଆ ଆସିବାପାଇଁ ସେ କିନ୍ତୁ ଅପେକ୍ଷା ନ କରି ତାକୁ କହିଲେ ଯେ–ଗୋଟିଏ ଜରୋରୀ ସରକାରୀ କାର୍ଯ୍ୟରେ ତାଙ୍କୁ ବ୍ରହ୍ମପୁର ଯିବାକୁ ହେବ ମନ୍ତ୍ରୀଙ୍କ ସାଙ୍ଗରେ । ବହୁ ଚେଷ୍ଟା କରି ମଧ୍ୟ ଝିଅର ଜନ୍ମଦିନରେ ସେ ଅନୁପସ୍ଥିତ ରହୁଥିବାରୁ ନିଜକୁ ଅପରାଧୀ ମନେ କରୁଛନ୍ତି । କିନ୍ତୁ କାର୍ଯ୍ୟର ଗୁରୁତ୍ୱ ଦୃଷ୍ଠିରୁ ଯିବାକୁ ହେବ-ଜନ୍ମଦିନର ଉପହାର ଅବଶ୍ୟ ଆଗୁଆ ଦେଇ ବାପା କହିଲେ ଯେ, ଏଇ ନୂଆ ହାରଟା ଜନ୍ମଦିନର ଉପହାର । ବାପା ତା’ର ଜନ୍ମଦିନରେ ପାଖରେ ରହିବେ ନାହିଁ-ଏହା ଭାବିବାକୁ ମଧ୍ୟ କଷ୍ଟ ଅନୁଭବ କଲା ମୌସୁମୀ । ସେଥିପାଇଁ ତାଙ୍କର ହାରଟା ପ୍ରତି ସେ ଆଦୌ ଦୃଷ୍ଟି ନ ଦେଇ କହିଲା, ହାର ନୁହେଁ, ତୁମକୁ ଚାହେଁ ବାପା...ଏବଂ ସାଙ୍ଗେ ସାଙ୍ଗେ ଏଇ ଟିକେ ପୂର୍ବରୁ ବାପାଙ୍କୁ ଦେଖି କୁରୁଳି ଉଠିଥିବା ମୌସୁମୀର ମନ ହଠାତ୍‌ ବିଷଣ୍ଣ ହୋଇଗଲା ।

 

ବାପା କିନ୍ତୁ ଆଉ କିଛି ନ କହି ମା’ ଆସୁଥିବାର ଦେଖି ତର ତର ହୋଇ ବାହାରିଯିବାବେଳେ ସମସ୍ତେ ଶୁଣିବାପରି କହିଲେ–ମନ୍ତ୍ରୀଙ୍କ ସହିତ ଜରୋରୀ ସରକାରୀ କାର୍ଯ୍ୟରେ ଯିବାକୁ ପଡ଼ୁଛି ବ୍ରହ୍ମପୁର–ସେଥିପାଇଁ ମାମିର ଜନ୍ମଦିନରେ ରହିପାରୁ ନ ଥିବାରୁ ମୁଁ ଆନ୍ତରିକ ଦୁଃଖିତ ।

 

ସେ ଏତକ କହି ନ ଥିଲେ ବି ଚଳିଥାଆନ୍ତା । ତାଙ୍କ ସ୍ୱର ଅଦ୍ଭୂତ ଓ ଅପରିଚିତ ମନେହେଲା ମୌସୁମୀର ଏବଂ ସେ ଭାବିଲା ଯେ ବାପା ଯେପରି ଦୁଃଖରେ ନୁହେଁ ବାଧ୍ୟହୋଇ ଫର୍ମାଲୀଟି ଦୃଷ୍ଟିରୁ କହିଛନ୍ତି ଏତକ ।

 

ମାଆ ଆଜି ରିକ୍‌ସାରେ ନ ଆସି ଆସିଲେ ଗାଡ଼ିରେ । ଅନ୍ୟ କେହି ବନ୍ଧୁଙ୍କର ଗାଡ଼ି ଆଣି ଛାଡ଼ିଦେଇଗଲା ତାଙ୍କୁ । ବାପାଙ୍କର ଶେଷ କଥାପଦକ ଯେ ସେ ନିଶ୍ଚୟ ଶୁଣିଥିବେ ଏଥିରେ ସନ୍ଦେହ ନ ଥିଲା ମୌସୁମୀର; ତଥାପି ମା’ ତାକୁ କହିଲେ–‘‘କେତେବେଳେ ବାହାରିବା କଥା ବାପା କହିଗଲେ ମାମି ...।’’ ମୌସୁମୀ କୌଣସି ଉତ୍ତର ନ ଦେଇ ଦୌଡ଼ି ପଳାଇଲା ସେଠାରୁ ।

 

ତା’ ପରଦିନ ସକାଳୁ ମା’ ତାକୁ ଉଠାଇଦେଇ କହିଲେ–ଚାଲ ଆମେ କୋଣାର୍କ ବୁଲିଆସିବା–ପଟ୍ଟନାୟକ ସାହେବ ଫୋନ୍‌ କରି ଦେଇଛନ୍ତି ହୋଟେଲ ନଟରାଜକୁ । କିଛି ଅସୁବିଧା ହେବନି ।

 

ପୁରୀ ଯିବାର ପ୍ରସ୍ତାବ ବାତିଲି ହେଲେ ବି ଏବଂ ବାପା ସାଙ୍ଗରେ ଯାଉ ନ ଥିଲେ ବି ସେ ଯେ ଶେଷରେ ମା’ ସହିତ କୋଣାର୍କ ଯାଇ ହୋଟେଲ ନଟରାଜ ଏବଂ ସମୁଦ୍ର କୂଳରେ ନିଜର ଜନ୍ମଦିନ ପାଳନ କରିବ ଏହି ସମ୍ଭାବନା ସତ୍ୟରେ ପରିଣତ ହେଉଥିବାରୁ ମନକୁ ପୁଣି ସତେଜ କରି ଉଠିଲା ମୌସୁମୀ ।

 

ବାହାରୁ ବାହାରୁ ନଅଟା ବାଜିଗଲା । ପଟ୍ଟନାୟକ ଅଙ୍କଲ ପୋର୍ଟିକୋ ବାହାରେ ଗାଡ଼ି ରଖି କହିଲେ- ‘‘ହାପି ବାର୍ଥଡ଼େଅ ମାମି... ଉଇସ୍‌ଇଉ ମେନି ରିଟର୍ଣ୍ଣ ଅଫ୍‌ ଦିସ୍‌ ଗ୍ରେଟ ଡେ...’’ ଜନ୍ମଦିନ ଶୁଭହେଉ, ବାରମ୍ବାର ଏଇ ଶୁଭଦିନ ଫେରିଆସୁ । ମୌସୁମୀ ତାଙ୍କୁ ଧନ୍ୟବାଦ ଜଣାଇ ମାଆ ସାଙ୍ଗରେ ଆସି କାରରେ ବସିଲା ।

 

ପଟ୍ଟନାୟକ ଅଙ୍କଲ କିନ୍ତୁ ଗାଡ଼ିରୁ ଓହ୍ଲାଇଯାଇ ସେମାନଙ୍କର ଯାତ୍ରାର ଶୁଭକାମନା କରି କହିଲେ–ତୁମେ ଦୁହେଁ ବୁଲିଆସ-ମୋର ବିଶେଷ କାମ ଥିବାରୁ ଯାଇ ପାରୁନି । ସେଥିପାଇଁ ଦୁଃଖିତ ମୌସୁମୀ ।

 

ସେ ନଯି ବାରୁ ଖୁସିହେଲା ମୌସୁମୀ ।

 

ଏଇ ପଟ୍ଟନାୟକ ଅଙ୍କଲ୍‌ଙ୍କର ପରଫେକ୍ଟ ଭଦ୍ରାମି ସତ୍ତ୍ୱେ ତାଙ୍କ ପାଖରେ ମାଆଙ୍କର ଉପସ୍ଥିତିକୁ ଆଦୌ ସହ୍ୟ କରିପାରେନି ମୌସୁମୀ । ସେହିପରି ମିଶ୍ର ଆଣ୍ଟିଙ୍କ ସହିତ ନାଚରେ, ଖେଳରେ ଓ କମ୍ପିଟିସନରେ ବାପାଙ୍କୁ ପାଟନର ହେବାର ଦେଖିଲେ ସେ ଜଳିଯାଏ ଭିତରେ ଭିତରେ । କାହାକୁ କିଛି କହିପାରେନି–ଯେତେବେଳେ ସେମାନେ ତାହାର ବାପା ଆଉ ମା’... ମା’ ଆଉ ବାପା ...

 

କୋଣାର୍କରେ ପହଞ୍ଚିବାବେଳକୁ ଏଗାରଟା ପ୍ରାୟ ।

 

ସମୁଦ୍ର ସ୍ନାନ ଶେଷକରି ହୋଟେଲକୁ ଫେରିବାବେଳକୁ ଦେଢ଼ଟା ବାଜିଯାଇଥାଏ ।

 

ଡାଇନିଂହଲ୍‌ରେ ଛୁଟିଦିନର ଭିଡ଼ । ଦେଶୀ ଓ ବିଦେଶୀ ଟୁରିଷ୍ଟମାନଙ୍କ ମନୋରଞ୍ଜନ କରିବାପାଇଁ ଖାଦ୍ୟ, ପାନୀୟ ଓ ମନୋରଞ୍ଜନର ପର୍ଯ୍ୟାପ୍ତ ବ୍ୟବସ୍ଥା ।

 

ଡାଇନିଂହଲ୍‌ର ହଲିଡ଼େ ମୁଡ଼୍‌ ସହିତ ତାଳରଖି ପରିବେଶକୁ ଉତ୍ତାଳ କରୁଥାଏ ଜାଜ୍‌ ସଙ୍ଗୀତ । ଠାଏ ଠାଏ ସଜାହୋଇ ରଖାଯାଇଛି ସଦ୍ୟପ୍ରସ୍ଫୁଟିତ ରଜନୀଗନ୍ଧା ଏବଂ ରକ୍ତ ଗୋଲାପ, କଲର୍‌ର କଣ୍ଟ୍ରାଷ୍ଟ ଆଖିରେ ପଡ଼ିବାଭଳି

 

ଗୋଟିଏ କୋଣରେ ରିଜର୍ଭ କରାଯାଇଥିବା ଗୋଟିଏ ଟେବୁଲ ଦଖଲ କରିବାପାଇଁ ଆଗେ ଆଗେ ମା’ ଏବଂ ପଛେ ପଛେ ମୌସୁମୀ । ବାପା ଆସିଥିଲେ ବଡ଼ ମଜା ହୋଇଥାଆନ୍ତା ସତରେ । ତଥାପି ଅଧାମରା ମନଟାକୁ ଉଲୁସେଇ ଦେଇ ସେଇ ଗୋଲାପ ଓ ରଜନୀଗନ୍ଧା ଝାଡ଼କୁ ଦେଖିଲା ମୌସୁମୀ । ଆଜି ସମୁଦ୍ର ସ୍ନାନ ତାକୁ ବେଶ୍‌ ଭଲ ଲାଗୁଥିଲେ ବି ବାପା ମା’ ଦୁଇ ପାଖରେ ରହି ତା’ର ଦୁଇହାତ ଧରି ସ୍ନାନ କରି ନ ଥିବାରୁ ମନ ଭିତରେ ଅଭାବବୋଧଟି ବେଳେ ବେଳେ ମେଘଢଙ୍କା ସୂର୍ଯ୍ୟପରି ବାହାରି ପଡ଼ୁଥିଲା ।

 

ହଠାତ୍‌ ମୌସୁମୀ ଅନୁଭବକଲା ଯେ, ଆଜି ସକାଳଠାରୁ ଏଯାଏ ବାପାଙ୍କ ବିଷୟ ଥରେ ହେଲେବି ଉଠେଇ ନାହାନ୍ତି ମା’ ।

 

ମା’ ଗୋଟିଏ ଚୌକି ଦଖଲ କଲାପରେ ଅନ୍ୟଟି ଦଖଲ କରିବା ପୂର୍ବରୁ ହଲର ଚାରିଆଡ଼ୁ ଦୃଷ୍ଟି ବୁଲେଇ ଆଣିବାବେଳେ ହଠାତ୍‌ ଗୋଟିଏ ଜାଗାରେ ଅଟକିଗଲା ମୌସୁମୀ । ବାପାଙ୍କପରି କିଏ ଜଣେ ବସିଛି ଅନ୍ୟ ଜଣେ ମହିଳାଙ୍କ ସହିତ । ଚମକି ଉଠିଲା ମୌସୁମୀ । ନା ନା, ବାପା ନୁହନ୍ତି ନିଶ୍ଚୟ, ସେ ତ ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁରରେ । ମଥାଟା ବୁଲିବାପରି ମନେକଲା ମୌସୁମୀ । ଆଉଥରେ ଭଲକରି ଅନେଇଲା ସେ ।

 

ହଠାତ୍‌ ମୁଣ୍ତ ବୁଲାଉଥିବାର ବାହାନା କରି ମାଆଙ୍କୁ ହୋଟେଲ ଭିତରକୁ ଜଲ୍‌ଦି ଫେରିବାପାଇଁ କହି ମା’ ଯେପରି ବାପାଙ୍କୁ ଦେଖି ନ ପାରନ୍ତି ସେହିପରି ବୁଲିପଡ଼ି ଆଗେଇବାବେଳକୁ ବାପାଙ୍କ ସହିତ ମୁହାଁମୁହିଁ ହୋଇଗଲା ମୌସୁମୀ । ନା, ସେ ଅନ୍ୟକେହି ନୁହନ୍ତି–ତାହାରି ବାପା । ସ୍ତବ୍‌ଧ ହୋଇଗଲା ମୌସୁମୀ ।

Image

 

କର୍ମଫଳ

 

ଖାଲି–ତୁମେ ବଡ଼ ଚାକିରି କଲେ କଅଣ ହେବ, ତୁମର ପୁଅମାନେ ତ ଗୁଣ୍ତା ବଦମାସ ବୋଲି ନାଗରା ବାଜିଲାଣି ଦାଣ୍ତରେ । କେତେଦିନ ଇମିତି ଚୁପ୍‌ ହୋଇ ବସିଥିବ, ସେଇ ସକାଳେ ଅଫିସ୍‌କୁ ବାହାରିଯାଇ ସନ୍ଧ୍ୟାରେ ଫେରୁଥିବ ? ନିଜ ଘରକଥା ଟିକେ ବୁଝ, ଝିଅ ପୁଅଙ୍କ ପାଇଁ କିଛି କର । ମୋ କଥା ନ ହେଲା ନାହିଁ ତୁମ ଦେହ କଅଣ ହେଲାଣି ଦେଖ !

 

ଇମିତି ଆଜି ନୁହେଁ ଏଇ କେତେମାସ ହେବ ପ୍ରାୟ ପ୍ରତିଦିନ କହନ୍ତି ରମାଦେବୀ । ସବୁ ଶୁଣନ୍ତି ଦେବବ୍ରତ, ମୁହଁ ଫିଟାଇ କିଛି କହନ୍ତି ନାହିଁ । କଅଣ ବା କହିବେ ? ସବୁ ପ୍ରାରବ୍‌ଧ, ସବୁ ଭାଗ୍ୟ । ସେ ପିଲାଙ୍କ ପାଇଁ କଅଣ କରିନାହାନ୍ତି ଭଲ ସ୍କୁଲରେ ପାଠ ପଢ଼େଇଛନ୍ତି, ସମୟ ଦେଖି ଭଲ ଉପଦେଶ ଦେଇଛନ୍ତି । କିନ୍ତୁ ସବୁ ନିଷ୍ଫଳ, ନିରର୍ଥକ ହୋଇଯିବ ବୋଲି ସେ କଅଣ ଜାଣିଥିଲେ ? ଯିଏ ଭଲ ହେବ ସେ ଯେଉଁଠାରେ ରହିଲେ ବି ଭଲ ହେବ । ଖତଗଦାରେ ପୁଣି ତ ପଦ୍ମ ଫୁଟେ ! ସେ ଗାଆଁର ସାମାନ୍ୟ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ତିରିଶ ବର୍ଷ ଚାକିରି କରି ଏବେ ତହସିଲଦାର ହୋଇଛନ୍ତି । ଚାରିଟା ପ୍ରଗଣାର ଲୋକ ଦୁଃଖ ସୁଖରେ ତାଙ୍କ ମୁହଁକୁ ଚାହିଁ ଚଳନ୍ତି, ହାରି ଗୁହାରି ଜଣାନ୍ତି, ପରସ୍ପର ମଧ୍ୟରେ ବିବାଦ ହେଲେ ସମାଧାନ କରିବାକୁ କହନ୍ତି-। ତାଙ୍କର ନାମ ଡାକ । ଅନେକ ବଡ଼ ବଡ଼ ଅଫିସରଙ୍କର, ଏକା ସାଙ୍ଗରେ କାମକରୁଥିବା ସହକର୍ମୀମାନଙ୍କର ଈର୍ଷାର ବିଷୟ । ଦେବବ୍ରତ ଗଧପରି କେବଳ କାମ କରି ଆସିଛନ୍ତି । ନିଜର ଇଚ୍ଛା ତାଲିମ କରିବାପୂର୍ବରୁ ଅନ୍ୟର ଇଚ୍ଛା ପୂର୍ଣ୍ଣ କରିବାଲାଗି ବାଟ ଦରାଣ୍ତିଛନ୍ତି । ଆଉ ଦୁଇବର୍ଷ ଚାକିରି–ତା’ପରେ ଅବସର ।

 

ରମା ପ୍ରତିଦିନ ଇମିତି କହନ୍ତି, ସେ ଚୁପ୍‌ଚାପ୍‌ ଶୁଣିଯାଆନ୍ତି, ମୁହଁଖୋଲି ପଦେ କହନ୍ତି ନାହିଁ, ପ୍ରତିବାଦ କରନ୍ତି ନାହିଁ । ଆଜି ବି ସ୍ତ୍ରୀ ଯାହା କହନ୍ତି ନୀରବରେ ସବୁ ଶୁଣିଗଲେ ଦେବବ୍ରତ । କରିବାପାଇଁ ଆଉ ଜଣେ ଅଛି । ତାହାରି ଇଚ୍ଛାରେ ଜଗତ ଚଳୁଛି । ସେ ସାମାନ୍ୟ ଲୋକ । ତାଙ୍କ କଥାରେ ଦୂବ ଘାସଟିଏ ଉଠିବ ନାହିଁ କି ଫୁଲଟିଏ ଫୁଟିବ ନାହିଁ ସବୁ । ସବୁ ପୂର୍ବଜନ୍ମର ଫଳ । ପ୍ରାରବ୍‌ଧ । ଭାଗ୍ୟକୁ ସ୍ୱୟଂ ଭଗବାନ ବି ଏଡ଼େଇ ଦେଇପାରି ନାହାଁନ୍ତି ।

 

କିନ୍ତୁ ଆଜି ଆଉଗୋଟେ କଥା ସ୍ତ୍ରୀଙ୍କୁ କହିବାପାଇଁ ପାଟି ଖଲଖଲ କରୁଥିଲା । ସେ ଲୁଗା ଜାମା ବଦଳାଇ ପିଣ୍ତା ଉପରେ ସପ ପକେଇ ଲମ୍ବହୋଇ ଦେହ ମେଲେଇ କହିଲେ ଯାହା ହବାର ଥିବ ହେବ...ପୃଥିବୀର ନିୟମ ସେୟା...ଆଜି ଅଫିସ୍‌ରୁ ସହଳ ସହଳ ଫେରୁଥିଲି...ଠିକ୍‌ ଆମ ଘର ଆଗରେ ଯାହା ଦେଖିଲି ଆଖି ଓଲଟି ଗଲା ଜାଣ ।
 

ରମା ଭାତ ହାଣ୍ତି ଚୁଲି ଉପରୁ ଉହ୍ଲେଇ ଆଣି ପେଜ କାଢ଼ି ନବାବେଳେ ମୁହଁ ବୁଲେଇ କହିଲେ କି ଅପୂର୍ବ-ସୂର୍ଯ୍ୟ ପଶ୍ଚିମରେ ଉଇଁଲେ କି କଅଣ, ଡବ ଡବ ହେଇ ତ କେତେ କଥା କହିଯାଉଛ ।

 

ଦେବବ୍ରତ ପରୁଆ ନ କରି କହି ଚାଲିଲେ- ଆମ ଘରର ପଶ୍ଚିମ କୋଣରେ ଝାଉଁ ଗଛ ମୂଳରେ ଦୁଇଟା ଢିମା ପଥର କୋଉଦିନୁ ପଡ଼ିଛି...କେତେଥର ଦେଖି ନ ଥିବି ସେଇ ପଥର ଦୁଇଟାକୁ ...କିନ୍ତୁ ଆଜି ଯାହା ଦେଖିଲି ସେଥିରେ ମୋ ଆଖି କପାଳ ଉପରକୁ ଉଠିଗଲା ...

 

ରମା ଭାତହାଣ୍ତି ପିଣ୍ତି ଉପରେ ରଖିଦେଇ କହିଲେ-‘‘ତମେ ତା’ ହେଲେ ଦେଖ କୋଉଠି କଅଣ ଅଛି, ଢିମା ପଥର ଦୁଇଟା ଆଖିରେ ପଡ଼ିଲା ଅଥଚ ତମ ଦୁଇ ପୁଅ ଆଖିରେ ପଡ଼ିଲେ ନାହିଁ ? ହାଣ୍ତିଶାଳରେ ଥିଲେ ବି ତାଙ୍କର ଦୀର୍ଘ ନିଃଶ୍ୱାସ ଷ୍ପଷ୍ଟ ଶୁଣିପାରିଲେ ଦେବବ୍ରତ ।

 

ବାଲେଶ୍ୱରକୁ ବଦଳି ହୋଇ ଆସିଲେଣି କେତେବର୍ଷ ହବ... ସହଦେବଖୁଣ୍ଟାରେ ସମବାୟ ଗୃହ ନିର୍ମାଣ ସମିତିରୁ ଟଙ୍କା କରଜ କରି ତୋଳିଥିବା ଘରେ ଅଛନ୍ତି ସେଇଦିନୁ । ନିଅଁପଡ଼ିବାବେଳେ ଇଟା ପଥର ଆଣିଥିଲେ ବାହାରୁ । ସେଥିରୁ କାମରେ ଲାଗି ନ ଥିବା ଢିମା ପଥର ଯୋଡ଼ିଏ ରଖିଦେଇଥିଲେ ଗୋଟିଏ କୋଣରେ ଝାଉଁଗଛକୁ ଲାଗି ।

 

ଯୋଡ଼ିଏ ପଥର ପଡ଼ିଥିଲେ ବି ଗୋଟିଏ ପଥରର ଛାତି ଫଟେଇ ସବୁଜ ଗଛଟିଏ ଉଠୁଛି । ଚିହ୍ନା ଚିହ୍ନା ଗଛଟିଏ–କଣ୍ଟାବାଇଗଣ ଗଛପରି ଲାଗୁଛି । ଦେବବ୍ରତ ସ୍ତ୍ରୀଙ୍କ ଅନୁଯୋଗର ଉତ୍ତର ନ ଦେଇ କହିଲେ-ପଥର ଦେହରୁ ଗଛ ଉଠେ । ମରୁଭୂମିରେ ବି ପାଣି ମିଳେ । ସେଇ ଢିମା ପଥରର ଛାତି ଫଟେଇ କିମିତି ଶାଗୁଆ ଗଛଟିଏ ମୁଣ୍ତ ଟେକୁଛି ଦେଖିଆସ, ରମା, ତମର ସବୁ ପ୍ରଶ୍ନର ଉତ୍ତର ସେଥିରୁ ପାଇଯିବ ।

 

ରମା ମୁହଁ ଛିଞ୍ଚାଡ଼ି କହିଲେ–ମୋ ପିଲାମାନେ ଢିମା ପଥର ହୋଇନାହାଁନ୍ତି ମ...ଦଶମାସ ଦଶଦିନ ଗର୍ଭରେ ଧରି ସେମାନଙ୍କୁ ଜନ୍ମଦେଇଛି ମୁଁ । ତମେ ନ ଦେଖି ଥିଲେ ଦେଖିଆସ । କଥାରେ କହନ୍ତିନି, ନ ଦେଖିଲା ଲୋକ ଦଖେ, କଇଞ୍ଚ କାଢ଼ିଚି ବେକ...

 

ଦେବବ୍ରତ କିନ୍ତୁ ବହୁଦିନୁ ମନ ଭିତରେ ଗୋଳେଇ ଘାଣ୍ଟି ହେଉଥିବା ପ୍ରଶ୍ନର ଉତ୍ତର ପାଇ ବେଶ୍‌ ପ୍ରଫୁଲ୍ଲ ଦିଶୁଥିଲେ । ପଥର ଦିହରୁ ଗଛ ଯଦି ଜନ୍ମିପାରେ ଶୁଷ୍କ କଠିନ ଅତି ପ୍ରତିକୂଳ ପରିବେଶରେ ଜନ୍ମଗ୍ରହଣ କରି ବି ଶିଶୁଟିଏ ବଡ଼ ହୋଇପାରେ । ଏଇ କଣ୍ଟାବାଇଗଣ ଗଛପରି ସୁନ୍ଦର କୋମଳ ଓ ସବୁଜ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରେ ।

 

ସେ ସ୍ତ୍ରୀଙ୍କୁ ଅପ୍ରସନ୍ନ କରିବାଲାଗି ଚାହୁଁ ନ ଥିଲେ, କିନ୍ତୁ ଚୁପ୍‍ ରହି ସେ ଯାହା ଆବିଷ୍କାର କରିଛନ୍ତି ତା’ର ଗୁରୁତ୍ୱ ଲାଘବ କରିବାପାଇଁ ମଧ୍ୟ ଇଚ୍ଛା କରୁ ନ ଥିଲେ । ସେଥିପାଇଁ ପୁଣି ଥରେ କହିଲେ–ମୁଁ ସେକଥା କହୁନି ରମା, ମୋର କହିବାର ଉଦ୍ଦେଶ୍ୟ ହେଲା ଏହି ଯେ ଯଦି ପଥର ଦେହରୁ ଗଛ ବାହାରି ପାରିଲା, ତୁମ ପେଟରୁ ଜନ୍ମି ବି ଏଇ ଟୋକାଏ ଯଦି ଖରାପ ହେବ କଅଣ କରିପାରିବ ? ସବୁ ଭାଗ୍ୟଫଳ...ଭାଗ୍ୟଂ ଫଳତି ସର୍ବତ୍ର...

 

ଆଜିଯାଏ ସମସ୍ତଙ୍କ ସହିତ ଲଢ଼ିଛନ୍ତି ଦେବବ୍ରତ, କିନ୍ତୁ ଏଇ ଭାଗ୍ୟ ସହିତ ଲଢ଼ିବା କଥା ମନରେ ଉଠିଲେ ଝାଳେଇ ଯାଆନ୍ତି ସେ । କର୍ମଫଳ ଭୋଗ କରିବାକୁ ହେବ । ପ୍ରାରବ୍‌ଧ ଏଡ଼ି ଯିବାର ଉପାୟ ନାହିଁ । ଆଜି ବଡ଼ପୁଅ ଯଦି ବାବାଜି ହୋଇ ବୁଲୁଥାଏ ବା ସାନପୁଅ ଗୁଣ୍ତାଗିରି କରି ବ୍ୟବସାୟୀମାନଙ୍କଠାରୁ ଚାନ୍ଦା ଆଦାୟ କରୁଥାଏ–ଏହା ସେମାନଙ୍କର କର୍ମଫଳ ପ୍ରାରବ୍‌ଧ ଭାଗ୍ୟଲିପି; କେହି ପୋଛିଦେଇ ପାରିବ ନାହିଁ । ବଡ଼ପୁଅର କୋଷ୍ଠୀ ଗଣନା କରି ଜଣେ ଜ୍ୟୋତିଷୀ କହିଥିଲେ ଯେ ସେ ଆଇ. ଏ. ଏସ୍‌. ଅଫିସର ହେବ । ଦୁଇଥର ବାହାହେବ । ପାଞ୍ଚଟି ପିଲାର ବାପା ଓ ଧନ ଜନ ଗୋପାଲକ୍ଷ୍ମୀର ମାଲିକ ହେବ । କିନ୍ତୁ ସବୁ ପାଣି ଫୋଟକା ପରି ଫାଟିଗଲା । ପାଣିର ଗାର ପରି ଜ୍ୟୋତିଷୀଙ୍କର ସବୁ ଗଣନା ନିଭିଗଲା । ବଡ଼ପୁଅ ଏମ୍‌. ଏ. ପରୀକ୍ଷା ନ ଦେଇ ଦିନେ ମଧ୍ୟରାତ୍ରିରେ ଗୌତମଙ୍କ ପରି ପରିବାର, ସୁଖ ସମ୍ଭୋଗର ମୋହ ପରିତ୍ୟାଗ କରି କେଉଁଆଡ଼େ ଚାଲିଗଲା । ରମାଦେବୀ ଅନେକ କାନ୍ଦିଲେ । ଅନେକ ନେହୁରା ହୋଇ କହିଲେ ତାଙ୍କ ପୁଅର ଫଟୋ ଖବର କାଗଜରେ ଛାପି ତାକୁ ଫେରି ଆସିବାକୁ ଅନୁରୋଧ କରିବାପାଇଁ, ପୋଲିସକୁ କହି ତା’ର ସନ୍ଧାନ କରିବାପାଇଁ । କିନ୍ତୁ ଏସବୁ କିଛି କଲେ ନାହିଁ ସେ । ଯିଏ ଯିବ ତାକୁ ବାନ୍ଧି ରଖି ହେବନାହିଁ । ପ୍ରତ୍ୟେକ ଲୋକ ନିଜର ଭାଗ୍ୟ ନେଇ ଜନ୍ମିଛି । ସେଥିପାଇଁ ପରା କହନ୍ତି–ପୂର୍ବାର୍ଜିତ ଯଦା ବିଦ୍ୟା, ପୂର୍ବାର୍ଜିତ ଯଦା ଧନ, ପୂର୍ବାର୍ଜିତ ଯଦା କନ୍ୟା ଅଗ୍ରେ ଧାବତି ଧାବତି । ପୂର୍ବଜନ୍ମରେ ଯାହା ଅର୍ଜନ କରିଛି ତାକୁ ଭୋଗ ନ କରି ପଳେଇ ଯିବା ଅସମ୍ଭବ । ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ ... ।

 

ରମା କହିଲେ– ସେଇ ଚାକିରି ଚାକିରି କରି ତିରିଶ ବର୍ଷ ବିତେଇ ଦେଲ । ଆଉ ଦୁଇବର୍ଷ ପରେ ଅବସର ନବ । ସେତେବେଳେ ଦେଖିବି ଯେ କଅଣ କରିବ ? ସେତେବେଳେ ଯଦି ତୁମ ଦେହରୁ ଯୌବନର ଦୀପ୍ତି ବାହାରେ ମୁଁ ଜାଣିବି ଯେ ତୁମେ ଯୋଗଜନ୍ମା, ନିର୍ବିକାର, ନିର୍ଲିପ୍ତ, ପରମପୁରୁଷ ...

 

ହଠାତ୍‌ ଠୋ ଠୋ କରି ହସି ପକାଇଲେ ଦେବବ୍ରତ । ତାଙ୍କର ହସର ଲହରି କାନ୍ଥରେ, ଛାତରେ, କବାଟରେ, ଖୁଣ୍ଟରେ ବାଜି ଫେରିଆସିଲା ପ୍ରତିଧ୍ୱନି ହୋଇ ।

 

ରମା ମୁହୂର୍ତ୍ତେ ଅବାକ୍‌ ହୋଇ ଅନାଇ ରହିଲେ । ତା’ ପରେ ତାଙ୍କ ମୁହଁରେ ବି ହସ ଫୁଟିଲା । ସେ ମୁଗ୍‌ଧ ପୁଲକିତ ଚିତ୍ତରେ ରହିଲେ ସ୍ୱାମୀ ଆଡ଼କୁ । ସଚରାଚର ହସନ୍ତି ନାହିଁ ଦେବବ୍ରତ, ବହୁଦିନ ପରେ ପ୍ରଥମ ଏଇ ମନଖୋଲା ହସ ହସିଲେ ସିଏ ।

 

ଟିକେ ପରେ କହିଲେ ସେ–ବାପା ହେଲ କାହିଁକି ? ପିଲାଙ୍କ କଥା ଯଦି ଇମିତି ହସରେ ଉଡ଼େଇଦବ କିଏ ବୁଝିବ ସଂସାର କଥା । ମୁଁ ତ ଥଳକୂଳ ପାଉନି ...ଅଜାତ ପାଣିରେ ଭାସୁଛି ।

 

ହସିବା ପରେ କାନ୍ଦିବାକୁ ହୁଏ ବୋଲି ନା କଅଣ ରମାଙ୍କର ଶେଷ ପଦକ କାନ୍ଦିବା ପରି ଶୁଣାଗଲା ।

 

କଅଣ କରିବେ ଦେବବ୍ରତ ? ବଡ଼ ପୁଅକୁ ଫେରାଇ ଆଣିବାପାଇଁ ବୃଥା ଚେଷ୍ଟା ନ କରି ସେ ଯେଉଁ ପଥରେ ଯାଇଛି ସେଇ ପଥ ସୁଗମ ହେଉ, ସେ ନକଲି ବାବାଜି ନ ହୋଇ ଈଶ୍ୱରଙ୍କ ସଚ୍ଚା ଭକ୍ତ ହେଉ, ସାଧୁ ହେଉ, ସିଦ୍ଧ ହୋଇ...

 

ଆଉ ପ୍ରଣବ କଥା ଭାବନ୍ତିନି ଦେବବ୍ରତ । ସେ ତା’ ବାଟରେ ଯାଉ, ନଦୀ ଯେମିତି ନିଜ ବାଟରେ ଯାଏ... କେହି ତା’ର ଗତିରୋଧ କରିପାରେ ନାହିଁ ।

 

ଆଉ ପାର୍ଥ ବି ଚାଲିଛି ନିଜ ବାଟରେ...ପ୍ରଣବର ଠିକ୍‌ ବିପରୀତ ବାଟରେ । ଏମ୍‌. ଏସ୍‌. ସି. ଶେଷକଲା, ସେକେଣ୍ତ୍‌ କ୍ଲାସ ପାଇଲା, ଇଚ୍ଛା କରିଥିଲେ ମାଷ୍ଟର ବା କିରାଣି ହୋଇପାରିଥାନ୍ତା, କିନ୍ତୁ ହେଲାନାହିଁ । ସିନେମା ଦେଖିବା, ନେତା ବନିବା, କ୍ଳବ୍‌ ଗଢ଼ିବା, ନିଜ ଦଳପାଇଁ ଲଢ଼ିବା, ଚାନ୍ଦା ଆଦାୟ କରିବା ତା’ର କାମ । ସେଥିପାଇଁ ବଦନାମ୍‌ ବଢ଼ୁଛି । ବଜାରର ବ୍ୟବସାୟୀମାନେ ତାଙ୍କ ପାଖରେ ତା’ ବିରୁଦ୍ଧରେ ସାଲିସ୍‌ ମଧ୍ୟ କରିଛନ୍ତି । ସେ କୁଆଡ଼େ ଗୁଣ୍ତା, ଯୁଆ ଖେଳେ, ମଦ ଖାଏ, ଚାକୁ ଚଳାଏ...

 

ସବୁ କର୍ମଫଳ । ସେ କଅଣ ଚାହିଁ ନ ଥିଲେ ଦୁଇ ପୁଅକୁ ବଡ଼ ବଡ଼ ପଦବୀରେ ଦେଖିବାପାଇଁ, କିନ୍ତୁ ହେଲା ନାହିଁ ।

 

ପାର୍ଥ ପାଇଁ କିନ୍ତୁ ନିଶ୍ଚିନ୍ତ ହୋଇପାରନ୍ତି ନାହିଁ ଦେବବ୍ରତ । ଇମିତି ଉଚ୍ଚଶିକ୍ଷିତ ବୁଦ୍ଧିମାନ ପିଲା ଯଦି ଅବାଟରେ ଯାଏ କିଏ କଅଣ କରିପାରିବ ? ସେ କିଛିଦିନ ମଧ୍ୟରେ ପୁଣି ସ୍ତ୍ରୀଙ୍କ ଅନୁରୋଧ ଭୁଲିଗଲେ, ପୁଅମାନଙ୍କ କଥା ସବୁବେଳେ ମନେପଡ଼ିଲା ନାହିଁ, ଫାଇଲ୍‌ ଭିତରେ ହଜେଇଦେଲେ ନିଜକୁ ।

 

ସକାଳରୁ ସନ୍ଧ୍ୟାଯାଏ ଅଫିସ୍‌ରେ କାମ କରି ଘରକୁ ଫେରିବାବେଳକୁ ଦେହରେ ମନରେ ଆଉ ଉତ୍ସାହ ନ ଥାଏ ଅନ୍ୟକିଛି କରିବାପାଇଁ । ତଥାପି କେବେ କେବେ ବଜାର ଯିବାକୁ ହୁଏ, ଡାକ୍ତରଙ୍କ ପାଖକୁ ପରାମର୍ଶ କରିବାପାଇଁ ଯିବାକୁ ହୁଏ । ବନ୍ଧୁ ବାନ୍ଧବଙ୍କ ସଙ୍ଗେ ଯିବାକୁ ହୁଏ-। ଏଇ କେତେକ ଅଫିସ୍‌ର କାମ ବଢ଼ିଛି ଯେ ଆଉ ଫୁରୁସତ୍‌ ପାଇନାହାନ୍ତି ଦେବବ୍ରତ ଅନ୍ୟକିଛି କରିବାପାଇଁ । ବନ୍ଦୋବସ୍ତ ସହିତ ଚକବନ୍ଦୀ କାମ ଶୀଘ୍ର ଶେଷ କରିବାଲାଗି ସରକାର ତାଗିଦ୍‌ କଲେଣି କେତେଥର । ବନ୍ଦୋବସ୍ତ ଅଫିସରଙ୍କ ସହିତ ରେକର୍ଡ଼ପତ୍ର ଧରି ପରୀକ୍ଷାନିରୀକ୍ଷା, ମାପ କରିବାରେ ସମୟ ସରିଯାଉଛି ।

 

ସେଦିନ ଘରକୁ ଫେରୁ ଫେରୁ ରାତି ନଅଟା । ପହଞ୍ଚିବାକ୍ଷଣି ରମା ତାଙ୍କ ହାତକୁ ଟେଲିଗ୍ରାମ ଖଣ୍ତେ ବଢ଼େଇଦେଇ କହିଲେ–ପଢ଼... । ବଡ଼ ଶଳାଙ୍କ ବଡ଼ ପୁଅର ବିବାହ ହଠାତ୍‌ ଠିକ୍‌ ହୋଇଯାଇଛି । ନିମନ୍ତ୍ରଣ କରିଛନ୍ତି ଯିବାପାଇଁ । ରମା କହିଲେ–ଭାଉଜ ରୋଗିଣୀ । ଭାଇନା ଏକା ଲୋକ । ଆମକୁ ଅପେକ୍ଷା କରୁଥିବେ ।

 

କାନମୁଳ ଆଉଁସି କହିଲେ ଦେବବ୍ରତ–ସବୁ ସତ ଯେ, କିନ୍ତୁ ଯିବା କେମିତି ? ଘରେ ପାର୍ଥ ନାହିଁ । କୁଆଡ଼େ ବୁଲୁଛି କିଏ ଜାଣେ...ତିନିଦିନ ହବ ଫେରିନି ରାତିରେ...

 

-ସେ ଫେରି ଆସିଲେ ଦାଣ୍ତଘରେ ରହିବ...ମାମୁ ଘରକୁ ଯିବବୋଲି ତ କହୁଥିଲା । ଆମ ପଛେ ପଛେ ଠିକ୍‌ ସମୟରେ ଆସିଲେ ବରଯାତ୍ରୀ ହୋଇ ଯିବ ।

 

–କିନ୍ତୁ ଯଦି ନ ଆସେ ? କହିଲେ ଦେବବ୍ରତ ।

 

–ନ ଆସି ଯିବ କୁଆଡ଼େ ? କେତେଦିନ ବାହାରେ ବାହାରେ ବୁଲିବ ?

 

–ଶିକାର ଖୋଜିଥିବ ସାଙ୍ଗମାନଙ୍କ ସହିତ । ଛି ଛି ଟୋକାଟା ନଷ୍ଟ ହୋଇଗଲା । ଆଉ ମୁଣ୍ତ ଟେକି ଚାଲିପାରୁନି ରାସ୍ତାରେ । ଆଜି ଆସିବା ବାଟରେ ଗଣପତି ରାମ ଲୁହା ବେପାରୀ ସହିତ ଭେଟ ହୋଇଯିବାରୁ କଅଣ କହିଲା ଜାଣ ? ତାଙ୍କ ପେଟରେ ଛୁରୀ ଭୁଷିଦବ କହି ହଜାରେ ଟଙ୍କା ଜବରଦସ୍ତି ଆଦାୟ କରିନେଇଛି କ୍ରିକେଟ୍‌ ମ୍ୟାଚ୍‌ ପାଇଁ ।

 

–କିନ୍ତୁ ପାର୍ଥ କଲେଜରେ କେପ୍‌ଟେନ ହୋଇଥିଲା ବୋଲି ତୁମେ ତ ତା’ର ପ୍ରଶଂସା କରୁଥିଲ...

 

–କେପ୍‌ଟେନ୍‌ ହେଲା ଭଲକଲା । କ୍ରିକେଟ୍‌ ଖେଳିବା ଖରାପ କଥା ନୁହେଁ । କିନ୍ତୁ ଲୋକକୁ ଥରେଇ ହଲେଇ ଟଙ୍କା ଆଦାୟ କରିବା ଭଲ କଥା ନୁହେଁ । ଗଣପତି ରାମ ଚିହ୍ନାଲୋକ, ମୋ ପୁଅ ଜାଣି ପୁଲିସ୍‍ରେ ଏତାଲା ଦେଇନାହିଁ...ନ ହେଲେ ଏତେବେଳକୁ ଆମ ଘର ଖାନ୍‌ତଲାସ କରୁଥାଆନ୍ତା ପୁଲିସ୍‍... ।

 

ରମା କହିଲେ–ସେ’ତ ଚୋରି କରିନି । ଭଲକାମ ପାଇଁ ଚାନ୍ଦାନବା ଚୋରି ନୁହେଁ ।

 

ସ୍ତ୍ରୀଙ୍କ ସହିତ ଯୁକ୍ତି ନ କରି ଶଳା ପୁଅର ବାହାରରେ ଯୋଗଦେବାପାଇଁ ପ୍ରସ୍ତୁତ ହବାପାଇଁ ମନକଲେ ଦେବବ୍ରତ । ଯିବି କହିଲେ ତ ଯାଇହୁଏ ନାହିଁ, ମାସ ଅଧା ପାର ହୋଇଲାଣି, ହାତରେ ଯାହା ଅଛି ପରିବା ଓ ପାନ ଖର୍ଚ୍ଚକୁ ନିଅଣ୍ଟ । ସୁନା ମୁଦି ଗୋଟେ କିଣିଲେ ହଜାରେ ବାରଶହ ଲାଗିଯିବ । ବୋହୂ ଦେଖା ଆଉ କମ୍‌ରେ ହୋଇପାରିବ ନାହିଁ ।

 

ଆଉ ବିଶ୍ରାମ ନ କରି ପୁଣି ବଜାର ଆଡ଼େ ଚାଲିଲେ ଦେବବ୍ରତ । ରମା କହିଲେ କାଲି ଯିବା । ହାତରେ ଦୁଇଦିନ ତ ଅଛି...କିନ୍ତୁ ସେ ନିଶ୍ଚିନ୍ତ ହୋଇ ବସି ନ ଯାଇ ବାହାରି ପଡ଼ିଲେ ପାଣି ଗିଲାସେ ପିଇସାରି ।

 

ଏଇ ରାସ୍ତାରେ ରାତି ବାରଟା ଗୋଟେରେ ଚାଲିଲେ କୁକୁର ଗୋଟେ ଭୁକୁ ନ ଥିଲା, ଏବେ କିନ୍ତୁ ଦିନ କାଳ ଖରାପ ହେଲାଣି; ଦଶଟା ବେଳକୁ ରାସ୍ତା ଶୁନ୍‌ଶାନ ହୋଇଯାଉଛି । ସ୍ତ୍ରୀ ଲୋକ ଏକା ଯିବା ଆସିବା କରିବାକୁ ନିରାପଦ ମଣୁନାହାନ୍ତି । ଛତରା ଟୋକାଗୁଡ଼ା ରାସ୍ତା ଛକରେ, ନିଛାଟିଆ ସ୍ଥାନରେ, ପୋଲ ଉପରେ ଆଡ଼ା ଦିଅନ୍ତି ଅଧନ୍ତି ଅଧରାତି ଯାଏ । କାଳେ କାହାରି ହାବୁଡ଼ରେ ପଡ଼ିଯିବେ ବୋଲି ବୋହୂଝିଅ ସିନେମା ଦେଖା ବନ୍ଦ କଲେଣି ।

 

ଦେବବ୍ରତ ସରକାରୀ ଅଫିସର୍‌ ହୋଇ ବି ଡରିଯାଆନ୍ତି । ସମୟ ଯାହା ହେଲାଣି ପୈତୃକ ପ୍ରାଣ ପିଣ୍ତରେ ରହିବା ଭାଗ୍ୟର କଥା । କଚେରିହତା ଥିବା ଭିତରେ ଦୁଇଟା ଝଙ୍କାଳିଆ ବରଗଛ କାଟି କିମ୍ବା ଚୋରିକରି ନେଇଛି ।

 

ସାଇକେଲ୍‌ ସାଇଁ ସାଇଁ କରି ଚାଲିଗଲା । ଗଣପତି ରାମର ଗୋଦାମ ବନ୍ଦ ହୋଇ ନ ଥିଲା ସେତେବେଳେ ପର୍ଯ୍ୟନ୍ତ । ଦେବବ୍ରତଙ୍କ କଥା ଶୁଣି କୌଣସି ଗୌରଚନ୍ଦ୍ରିକା ନ କରି ଦେଢ଼ହଜାର ଟଙ୍କା ବଢ଼ାଇଦେଇ କହିଲା ସେ–ଆପଣ ସୁବିଧା ଅନୁସାରେ ଫେରେଇ ଦେବେ । ସୁଧ ଦବାକୁ ପଡ଼ିବ ନାହିଁ । ଆପଣ ଉପକାରୀ ମଣିଷ ।

 

ଗଣପତି ରାମ ପାଖରୁ ବିଦାୟ ନେଇ ଟଙ୍କା ପକେଟ୍‌ ଭିତରେ ନିରାପଦରେ ରଖି ପୁଣି ସାଇକେଲ୍‌ ଚଳେଇଲେ ଦେବବ୍ରତ । ଯିବାବେଳେ ଗଣପତି କହିଲେ- ପୁଅକୁ ଟିକେ କଣ୍ଟ୍ରୋଲ କରନ୍ତୁ ତହସିଲଦାର ବାବୁ...ଏତେ ବଡ଼ ଲୋକର ପୁଅ ...ଛତରା ବଦ୍‌ମାସଙ୍କ ସାଙ୍ଗରେ ମିଶୁଛି...

 

ତାଙ୍କ କଥାଗୁଡ଼ା କାନରେ ଗୁଳି ଫୁଟିବା ଶବ୍ଦପରି ଶୁଭୁଛି । ସେ କେବଳ ଭାବିବାରେ ଲାଗିଛନ୍ତି ପୁଅ କଥା । ପାର୍ଥ ଶେଷରେ ଗୁଣ୍ତା ହୋଇଗଲା, ଅସମାଜିକ ହୋଇଗଲା...ଆଇନ୍‌ର ହାତ ଅନେକ ଲମ୍ବା ...ଧରାପଡ଼ିଲେ କେହି ମୁକୁଳାଇ ପାରିବେ ନାହିଁ ।

 

କଚେରିହତା ଆଗରେ ରାସ୍ତାଟା ଲମ୍ବିଯାଇଛି ଆଗକୁ । ଯିବାବେଳେ କଚେରିହତା ଭିତରେ ବରଗଛ ମୂଳେ ଅନ୍ଧାର ଠୁଳ ହୋଇଥିଲେ ବି ରାସ୍ତାରେ ଆଲୁଅ ଥିଲା । ଏଇ ଆଲୁଅହିଁ ନିଶ୍ଚୟତା’ର ସାକ୍ଷୀ । ଏଇ ଆଲୁଅ ଦେଖିଲେ ସାହସ ଆସେ ମନରେ । କିନ୍ତୁ ହାୟ ! ଯିବା ବେଳର ଆଲୁଅ ନ ଥିଲା ରାସ୍ତାର ବତି ଖମ୍ବରେ । କିଏ ଲିଭେଇଦେଲା ଏତେଶୀଘ୍ର ବା ପଥର ମାରି ବଲ୍‌ବ ଭାଙ୍ଗି ଦେଲା ଜାଣିବା ମୁସ୍କିଲ । ଏଇ ବାଲେଶ୍ୱର ସହରରେ ଦୁଇବର୍ଷ ଆଗରୁ ଉତ୍ପାତ ନ ଥିଲା କି ଏପରି ଅସାମାଜିକ କାର୍ଯ୍ୟ ଆଖିରେ ପଡ଼ୁନ ଥିଲା । ହଠାତ୍‌ ପରିବେଶ ବଦଳିଗଲା କେମିତି ? ଲୋକ ଚରିତ୍ର କଅଣ ଏତେ ଶୀଘ୍ର ବଦଳିଯାଏ ? ଆଗେ କେହି ଅପରାଧ କରୁଥିଲେ ସମାଜ ତାକୁ ଦଣ୍ତ ଦେଉଥିଲା, ସେଥିରେ ବ୍ୟକ୍ତିବିଶେଷଙ୍କର ଚରିତ୍ର ସଂଶୋଧନ ହୋଇଯାଉଥିଲା-। ଏବେ କଅଣ ହୋଇଛି କେଜାଣି, ଆଉ ଚରିତ୍ର ଉପରେ କେହି ଜୋର୍‌ ଦେଉନାହିଁ, ସଂଶୋଧନ କରିବା ଆବଶ୍ୟକ ହେବାନାହିଁ । ଅପରାଧ ସାମାଜିକ କାର୍ଯ୍ୟର ଅଙ୍ଗ ହୋଇଗଲାଣି । ସମାଜ ଅପରାଧୀକୁ ଦଣ୍ତ ଦେଇପାରୁନି । ସମାଜ ଯେଉଁମାନଙ୍କ ନିର୍ଦ୍ଦେଶରେ ଚାଲେ ସେମାନେ ନିଜକୁ ସୁହାଇଲା ଭଳି କାର୍ଯ୍ୟରେ ସମାଜକୁ ଲଗାଉଛନ୍ତି...ଯେମିତି ତାଙ୍କ ପୁଅ ପାର୍ଥ ଗୁଣ୍ତାମି କରି ବୁଲୁଛି ସହରରେ, ଡରି ମରି କେହି ତାକୁ ଧରୁନାହାନ୍ତି, ତା’ ନାମରେ ଅଭିଯୋଗ କରୁନାହାଁନ୍ତି, ତାକୁ ଶାସ୍ତି ଦେଉ ନାହାନ୍ତି ।

 

ଦେବବ୍ରତ ନିର୍ଭୟରେ ରାତି ଅଧରେ ଏଇ ବାଟରେ କେତେଥର ଯାଆ ଆସ କରିଛନ୍ତି, କିଛି ହୋଇନାହିଁ । ଆଜି କାହିଁକି କେଜାଣି କଚେରିହତା ପାଖ ହବାକ୍ଷଣି ଛାତି ଭିତରଟା ଧଡ଼୍‌କରି ଉଠିଲା । ସେ ଜୋର୍‌ରେ ପ୍ୟାଡ଼େଲ ଘୁରେଇବାପାଇଁ ଚେଷ୍ଟା କଲେ । ହଠାତ୍‌ କିନ୍ତୁ ସେଇ ଅନ୍ଧାରୁଆ ସ୍ଥାନରେ ଚେନ୍‌ଟା ଖୋଲିଗଲା, ସାଇକେଲ ଚକ ବନ୍ଦ ହୋଇଗଲା ।

 

ଦେବବ୍ରତ ଓହ୍ଲେଇ ପଡ଼ିଲେ ସାଇକେଲରୁ । ସନ୍ଧ୍ୟାବେଳେ ଘରୁ ବାହାରିଲେ ଟର୍ଚ୍ଚ ଖଣ୍ତିକ ସାଙ୍ଗରେ ନିଅନ୍ତି ସେ । ବ୍ୟାଗ ଅଣ୍ତାଳିରେ, ତରତରରେ ବାହାରି ଆସି ଥିବାରୁ ଟର୍ଚ୍ଚ ଆଣି ନ ଥିଲେ ଆଜି ।

 

ଚେନ୍‌ଟାକୁ ଲଗାଇବା ଆଗରୁ ପକେଟ୍‌ ଭିତରୁ ଟଙ୍କାତକ ବାହାର କରି ଗେଞ୍ଜି ତଳେ ଛାତି ଉପରେ ରଖିଦେଲେ । କେହି ଅନ୍ଧାରରେ ଥଳିରେ ହାତ ପକେଇ ଦେଲେ ବି ଟଙ୍କା ପାଇବ ନାହିଁ । ଛାତି ତଳର ସ୍ପନ୍ଦନ ସହିତ ଟଙ୍କାର ଅଙ୍କଟା ପ୍ରତି ମୁହୂର୍ତ୍ତରେ ଗଣିବାକୁ ଲାଗିଲେ ଦେବବ୍ରତ-

 

ଚେନ୍‌ଟା ଲଗାଇବାବେଳେ ପଛରୁ ପାଦ ଶବ୍ଦ ଶୁଣାଗଲା । ସେ ସତର୍କ ହୋଇଯାଇ କହିଲେ, କିଏ ସେ ? ହଠାତ୍‌ ଝପାଝପ୍‌ ତିନି ଚାରିଜଣ ଲୋକ ଦୌଡ଼ିଆସି ତାଙ୍କ ଉପରେ ମାଡ଼ି ବସିଲେ ଏବଂ ଜଣେ ଲୁଗାଚାପି ତାଙ୍କ ମୁହଁ ବନ୍ଦ କରିଦେଲା । ଦେବବ୍ରତ ଆତଙ୍କରେ ଶିହରି ଉଠି ଦୁଇହାତ ଛାତି ଉପରେ ଜାକି ରଖିଲେ ।

 

ତାଙ୍କ ଛାତି ଉପରେ ଛୁରୀର ମୁନ ଚାପି କହିଲା ଜଣେ କର୍କଶ କଣ୍ଠରେ-ଯାହା ଅଛି ଦେଇଦେ ଶଳା ହାରାମଜାଦା–ନ ହେଲେ ଛାତିରେ ଭୁଷିଦେବି ଛୁରୀ ।

 

ଦେବବ୍ରତ ଭାବିଲେ ସେ କେଉଁଠି ଟଙ୍କା ରଖିଛନ୍ତି ବୋଧହୁଏ ଦୁର୍ବୁତ୍ତ ଜାଣିଯାଇଛି, ନ ହେଲେ ପେଟଉପରେ କି ମୁହଁ ଉପରେ ଛୁରୀର ମୁନ ନ ରଖି ଛାତି ଉପରେ ରଖନ୍ତା କାହିଁକି ? ସେତେବେଳେ ତାଙ୍କ ବାମହାତ ମଣିବନ୍ଧରୁ ଏଚ୍‌. ଏମ୍‌. ଟି. ଘଣ୍ଟାଟି ଜୋର୍‌କରି ଟାଣି ନେଇଥାଏ ଜଣେ ଏବଂ ଆଉ ଜଣେ ବହୁବର୍ଷ ପରେ ପାଇଥିବା ତାଙ୍କ ବାହାଘର ମୁଦିଟି ଖୋଲିବାକଳୁ ଚେଷ୍ଟା କରୁଥାଏ ଆଙ୍ଗୁଳିରୁ । ପଚିଶବର୍ଷ ତଳେ ଏଇ ମୁଦି ପିନ୍ଧିଥିଲେ ଦେବବ୍ରତ । ଘୋରିଗଲେ ବି ଛୋଟ ହୋଇ ମାଂସ ଭିତରେ ମାଡ଼ି ବସିଥିଲେ ବି ସେ ଖୋଲି ନ ଥିଲେ କେବେ । ଲୋକଟା ମୁଦି ଖୋଲିବାପାଇଁ ଏଡ଼େ ଜୋର୍‌ରେ ଟାଣିଲା ଯେ ଯନ୍ତ୍ରଣାରେ ସେ ଚିତ୍କାର କରି ଉଠିଲେ । ଆଉ ସେଇ ମୁହୂର୍ତ୍ତରେ ଛୁରୀଟା ଛାତି ଉପରେ ଚାପିବାବେଳେ ସେ ଅତର୍ଚ୍ଛ ହୋଇ ନୋଟ୍‌ବିଡ଼ା ବାହାର କରୁ କରୁ ଛୁରୀର ମୁନଟା ଗଳିଗଲା ଠିକ୍‌ ବେକତଳେ...

 

ତା’ପରେ ଆଉ ତାଙ୍କର ମନେନାହିଁ କଅଣ ହେଲା...କିଏ ତାଙ୍କୁ ହସ୍‌ପିଟାଲକୁ ଆଣିଲା-। ସେ ଘରକୁ ଫେରିବା ଲୋକ, କିନ୍ତୁ ରାତିସାରା ପଡ଼ି ରହିଲେ ଡାକ୍ତରଖାନାରେ । ସକାଳେ ଆଖି ଖୋଲିଲାବେଳକୁ ତାଙ୍କ ମୁହଁ ଉପରେ ରମାଙ୍କର ଉତ୍କଣ୍ଠିତ ମୁହଁ ଦେଖି ସେ କମ୍ପିତ କଣ୍ଠରେ କହିଲେ–ସବୁ ଚେଷ୍ଟା ବ୍ୟର୍ଥ ହୋଇଛି ରମା । ମୋତେ ମାରିଦେଇଥିଲେ ମୁଁ ଶାନ୍ତି ପାଇଥାନ୍ତି, କିନ୍ତୁ ଏଇନେ ପନ୍ଦରଶହ ଟଙ୍କା କୋଉଠୁ ଆଣିବି ଯେ ତମେ ଭାଇନାଙ୍କ ପୁଅ ବାହାଘରକୁ ଯିବ ।

 

ରମା ତାଙ୍କ ମଥା ଉପରେ ହାତ ବୁଲାଇଆଣି ଫିସ୍‌ ଫିସ୍‌ କରି କହିଲେ–ଆଉ କିଛି ଚିନ୍ତାନାହିଁ–ଫେରି ଆସିଛି ପାର୍ଥ । ପନ୍ଦରଶହ ଟଙ୍କାର ନୋଟ୍‌ ବିଡ଼ା ମୋ ହାତକୁ ବଢ଼େଇଦେଇ ପ୍ରତିଜ୍ଞା କରିଛି ଯେ ସେ ଆଉ ସେ ବାଟରେ ଯିବନାହିଁ ।

Image

 

ଚିରକାଳ

 

ଓଲଟପୁରର ସୂର୍ଯ୍ୟ ଯେ ଚିରଦିନ ପାଇଁ ଅସ୍ତିମିତ, ଏହା ବିଶ୍ୱାସ କରିପାରୁ ନ ଥିଲେ ରାଜା ବଳବନ୍ତ ରାୟ ପାହାଡ଼ସିଂ । ମେଘଢାଙ୍କିବା ଯୋଗୁଁ ସୂର୍ଯ୍ୟର କିରଣ ହୁଏତ କିଛି ସମୟ ପାଇଁ ପଡ଼ି ନ ପାରେ ପୃଥିବୀ ଉପରେ; କିନ୍ତୁ ତାହା ବୋଲି ସୂର୍ଯ୍ୟର ତେଜ ନାହିଁ କହିବାଠାରୁ ଆଉ ବଡ଼ ମୂର୍ଖତା କିଛି ଥାଇ ନ ପାରେ । ମେଘ ଢଙ୍କା ସୂର୍ଯ୍ୟପରି ପାହାଡ଼ସିଂ ବଂଶର ଅବସ୍ଥା । ଯେତେବେଳେ ମଧ୍ୟାହ୍ନର ସୂର୍ଯ୍ୟପରି ଗୌରବ ଐଶ୍ୱର୍ଯ୍ୟର ଶୀର୍ଷ ଦେଶରେ ଶୋଭାପାଉଥିଲେ ତାଙ୍କର ପୂର୍ବପୁରୁଷମାନେ, ସେତେବେଳେ ତାହାରି ପ୍ରତୀକସ୍ୱରୂପ ନିର୍ମିତ ହୋଇଥିଲା ଏଇ ଦୁର୍ଗ । ଦୁଇଶହ ବର୍ଷ ତଳର କଥା । ଏହା ଓଲଟପୁରର ରାଜା ଗୁଣବନ୍ତ ରାୟ ପାହାଡ଼ସିଂଙ୍କର ରାଜୁତି ସମୟର କଥା । ବ୍ରିଟିଶ ସୈନ୍ୟମାନଙ୍କ ଉପରକୁ ଶେଷ ଗୋଳା ଫିଙ୍ଗାଯାଇଥିଲା ଏହି ଦୁର୍ଗର ନିରୀକ୍ଷଣ ମଞ୍ଜ ଉପରୁ । ତା’ପରେ ବନ୍ଦୀ ହୋଇଥିଲେ ରାଜା । କିନ୍ତୁ ବୀରର ମର୍ଯ୍ୟାଦା ରକ୍ଷା କରି ଜାଣେ ବ୍ରିଟିଶ ଜାତି, ସେଥିପାଇଁ ଗୁଣବନ୍ତ ରାୟ ପାହାଡ଼ସିଂ ରାଜତ୍ୱ ହରାଇ ମଧ୍ୟ ରାଜା ହୋଇରହିଲେ, ସୈନ୍ୟ ସାମନ୍ତ ନ ଥାଇ ମଧ୍ୟ ଦୁର୍ଗାଧିପତି ପରି ବସବାସ କରିବାକୁ ଅନୁମତି ପାଇଲେ ।

 

କର୍ପୂର ହୁଏତ ଉଡ଼ିଯାଇଛି, କିନ୍ତୁ କନା ଖଣ୍ତକ ଏବେ ବି ଅଛି । ସେଥିରୁ ଅନୁମାନ କରିହୁଏ ଯେ ଦିନେ କର୍ପୁର ଥିଲା । ଆଜି ହୁଏତ କର୍ପୁର ନାହିଁ କିନ୍ତୁ ସବୁଦିନ ଏହିପରି ଯେ ଯିବନାହିଁ ଏବଂ ଦିନେ ବଂଶର ହୃତ୍‍ ଗୌରବ କେହି କୁଳପ୍ରଦୀପ ଫେରାଇ ଆଣିବ ଏଥିରେ ସଂଶୟ ନ ଥିଲା ତାଙ୍କର । ବଂଶ ରକ୍ଷା କରିବାର ଶେଷ ଦାୟିତ୍ୱ ତାଙ୍କରି ହାତରେ ପଡ଼ିଛି ବୋଲି ମନେକରନ୍ତି ବଳବନ୍ତ ରାୟ । ଏହା ଯେପରି ଶେଷ ସୁଯୋଗ । ପରେ ଏଇ ସୁଯୋଗ ଆସି ମନେକରନ୍ତି ବଳବନ୍ତ ରାୟ । ଏହା ଯେପରି ଶେଷ ସୁଯୋଗ । ପରେ ଏଇ ସୁଯୋଗ ଆସି ନ ପାରେ କିମ୍ବା ସୁଯୋଗ ଗ୍ରହଣ କରିବାପାଇଁ ଉପଯୁକ୍ତ ଲୋକ ନ ଥାଇ ପାରେ । ସେ ଯେ ପାହାଡ଼୍‌ସିଂ ବଂଶର ଶେଷ ଗୌରବ ଏହା ଭାବିବାକୁ କଷ୍ଟ ହେଉଥିଲେ ମଧ୍ୟ ବେଳେ ବେଳେ ସେଇ ଚିନ୍ତା ମନକୁ ଅସ୍ଥିର କରେ, କାରଣ ତାଙ୍କ ପରେ ତାଙ୍କ ପୁଅ ଦୁର୍ଗରେ ଆଉ ରହିବ ନାହିଁ, ଏହିପରି ମତିଗତି ଦେଖାଇ ଆସିଛି ଏ ଯାଏ । କିନ୍ତୁ ଭାବିବାକୁ ଭଲଲାଗେ ଯେ ତାଙ୍କ ପରି ତାଙ୍କ ପୁଅ ମଧ୍ୟ ହୃତ୍‍ଗୌରବ ଫେରି ପାଇବା ସକାଶେ ଉଦ୍ୟମ କରିବ । ଉଦ୍ୟମ କଲେ ଯେ ସଫଳତା ଦିନେ ନା ଦିନେ ଆସେ ଏଥିରେ କିନ୍ତୁ ସେ ନିଃସନ୍ଦେହ । ସେଥିପାଇଁ ତ ପାଖ ଲୋକଙ୍କୁ କହନ୍ତି ଯେ ଏଇ ସୂର୍ଯ୍ୟପରି ପାହାଡ଼୍‌ସିଂ ବଂଶ କେବେ ଲୋପ ପାଇବ ନାହିଁ, ଆକାଶ ନିର୍ମଳ ହୋଇଗଲେ ସୂର୍ଯ୍ୟର ତେଜ ପୁଣି ଯେପରି ପ୍ରକାଶ ପାଏ ସେହିପରି ଦୁର୍ଦ୍ଦଶା କଟିଗଲେ ପାହାଡ଼୍‌ସିଂ ବଂଶର ଦମ୍ଭ, ଅହଙ୍କାର ଓ ଐଶ୍ୱର୍ଯ୍ୟ ଫେରି ଆସିବ ସହଜ ଭାବରେ ।

 

ବଳବନ୍ତ ରାୟଙ୍କର କଥାଗୁଡ଼ିକ ପ୍ରବଚନ ପରି ବେଳେ ବେଳେ ଶୁଣାଯାଏ କାନକୁ । କିନ୍ତୁ ସେଥିରେ ବିଚଳିତ ହେବାର ବ୍ୟକ୍ତି ସେ ନୁହନ୍ତି । ନିଶରେ ହାତମାରି ସେ ପୁନର୍ବାର ଘୋଷଣା କରନ୍ତି ସେଇକଥା–ଟଳି ପଡ଼ିବାପାଇଁ ଏ ଦୁର୍ଗ ତିଆରି ହୋଇନାହିଁ । ସାମୟିକ ଦୁଃଖରେ ଭାଙ୍ଗି ପଡ଼ିବାର ବ୍ୟକ୍ତି ସେ ନୁହନ୍ତି । ତେଣୁ କନ୍ୟାର ବିବାହ ଧୁମ୍‌ଧାମ୍‌ରେ ହେବ, ଯେମିତି ହୁଏ ରାଜବଂଶରେ । ତା’ପରେ ଜେମା ତ ବିବାହ କରିବେ କଙ୍କଣର ରାଜପୁତ୍ର ଉଦୟଭାନୁ ମର୍ଦ୍ଦରାଜଙ୍କୁ-

 

ଉଦୟଭାନୁଙ୍କର ପୂର୍ବସୁରୀମାନେ ବି ଦିନେ ଦୁର୍ଗାଧିପତି ଥିଲେ । ରାଜତ୍ୱ କରୁଥିଲେ ଦୁଇହଜାର ମାଇଲ୍‌ ପରିବେଷ୍ଟିତ ଏକ ଭୂଖଣ୍ତରେ । କିନ୍ତୁ ସମୟର ତାଡ଼ନା ଯୋଗୁ ହେଉ ବା ନିଜର ଆବଶ୍ୟକତାକୁ ଚାହିଁ ହେଉ ଉଦୟଭାନୁ ଦୁର୍ଗ ଛାଡ଼ି ବାହାରି ଆସିଲେ ଆଉ ଗୋଟିଏ ସାଧାରଣ ଦୋମହଲା କୋଠାକୁ । ସେଇ କୋଠାର ଅନତିଦୂରରେ ନିର୍ମାଣ କଲେ ସୂତାକଳ । ସେ ରାଜତ୍ୱ କରିବାର ଆଶା ଓ ଅହମିକା ଛାଡ଼ି କାରଖାନାର ମାଲିକ ହେବାକୁ ଶ୍ରେୟସ୍କର ମଣିଲେ । ତଥାପି ଶୋଚନା ନ କରି ଜେମାଙ୍କୁ ତାଙ୍କରି ହାତରେ ଅର୍ପଣ କରିବାପାଇଁ ସ୍ଥିରକଲେ ବଳବନ୍ତ ରାୟ-ସୂତାକଳ ମାଧ୍ୟମ ମାତ୍ର । ଆଉ ସେଇ କାରଖାନା ନେଇ ଯଦି ଭାବୀ ଜାମାତା ଫେରି ପାଆନ୍ତି ପୂର୍ବର ଐତିହ୍ୟ ଓ ଆଧିପତ୍ୟ ତାହା ତାଙ୍କ ପକ୍ଷରେ କେବଳ ସାନ୍ତ୍ୱନାର କଥା ହେବନାହିଁ, ସନ୍ତୋଷର କାରଣ ମଧ୍ୟ ହେବ ।

 

ସେ କିନ୍ତୁ ଦୁର୍ଗାଧିପତି ହୋଇ ରହିବାକୁ ପସନ୍ଦ କରନ୍ତି । ଏଇ ବିରାଟ ଦୁର୍ଗକୁ ଚାହିଁଦେଲେ ଅତୀତର ଗୌରବ ଓ ଗର୍ବ ଝଲସିଯାଏ ତାଙ୍କ ମାନସପଟରେ ଏବଂ ସ୍ୱର୍ଗତୋକ୍ତି କଲାପରି କହନ୍ତି–କି ଥିଲା ଏ ରାଜ୍ୟ କି ହୋଇଛି ଆଜି ।

 

ସେ କିନ୍ତୁ ବର୍ତ୍ତମାନର ବନ୍ଦୀ ହୋଇ ରହିପାରିବେ ନାହିଁ । ସେଥିପାଇଁ ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗ କରିବା ସମୟରେ ଶପଥ ନିଅନ୍ତି ହୃତ୍‍ଗୌରବକୁ ଫେରାଇ ଆଣିବାପାଇଁ । ସେ ନିଶ୍ଚିତ ଯେ ଶେଷରେ ତାହାହିଁ ହେବ । ରାଜ ଜ୍ୟୋତିଷ ବି ତାଙ୍କୁ ସମର୍ଥନ କରନ୍ତି । ତାଙ୍କ ଗଣନା ନିର୍ଭୁଲ ପ୍ରମାଣିତ ହୋଇଛି ଅନେକଥର । ସେଥିପାଇଁ ଦୁର୍ଗ ଛାଡ଼ି ଗ୍ରାମ ବା ସହରକୁ ଚାଲିଯାଇନାହାନ୍ତି ସେ । ସହରଠାରୁ ଦୂର; କିନ୍ତୁ ଗାଁ‘ର ନିକଟ ଏଇ ପୁରାତନ ଦୁର୍ଗରେ ରହି ସେ ନିରୀକ୍ଷଣ କରନ୍ତି ଉପରର ଆକାଶକୁ ଏବଂ ପାଦରେ ଚାଲି ଅନୁଭବ କରନ୍ତି ବୀର ପ୍ରସବିନୀ ଧରିତ୍ରୀର କୋମଳତାକୁ ।

 

ବଳବନ୍ତ ରାୟଙ୍କୁ କାଲି ରାଣୀ ସ୍ମରଣ କରାଇ ଦେଇଛନ୍ତି ଯେ ଜେମାଙ୍କର ବିବାହ ପାଇଁ ଅର୍ଥ ପ୍ରୟୋଜନ, ବିନା ଅର୍ଥରେ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ । ତାଙ୍କର ନିଜର ବାହାଘରରେ ଅଜସ୍ର ଅର୍ଥ ବ୍ୟୟ କରିଥିଲେ ପିତା । ସେତେବେଳେ ଦେଶ ସ୍ୱାଧୀନ ହୋଇ ନ ଥିଲା-। ସ୍ୱାଧୀନତା ପରେ ତାଙ୍କର ରାଜ୍ୟ ଚାଲିଗଲେ ବି ରାଜା ହୋଇ ରହିଲେ ବଳବନ୍ତ ରାୟ । ରାଜା ବଳବନ୍ତ ରାୟ ପାହାଡ଼ସିଂ ଆଜି ବି ଦୁର୍ଗ ମଧ୍ୟରେ ସମସ୍ତଙ୍କର ଅବିଭାଜ୍ୟ ଆନୁଗତ୍ୟ ଏବଂ ଅନୁରକ୍ତି ଆଶା କରନ୍ତି ।

 

ଜେମାଙ୍କର ବିବାହ ଉତ୍ସବ ସମ୍ପର୍କରେ ସେ ମୋଟାମୋଟି ଏକ ଚିତ୍ର ଆଙ୍କିଛନ୍ତି ମନରେ-। ଓଡ଼ିଶାର ସବୁ ରାଜ ପରିବାର ନିମନ୍ତ୍ରଣ ହେବେ ଉତ୍ସବକୁ । ଗଣ୍ୟମାନ୍ୟ ସମସ୍ତଙ୍କୁ ଡାକିବେ ସେ-। ଏହା ବ୍ୟତୀତ ପ୍ରାକ୍ତନ ରାଜ୍ୟର ପ୍ରତ୍ୟେକ ଗ୍ରାମରୁ ପାଞ୍ଚଜଣ କରି ନିମନ୍ତ୍ରିତ ହେବ ଜେମାଙ୍କ ବିବାହକୁ । ବାଦ୍ୟ, ବାଣ ରୋଶଣି, ସାଜସଜ୍ଜା ସେଇ ପୂର୍ବ ରୀତିରେ ହେବ । ଗାଁ ଲୋକଙ୍କର ରହିବା ଓ ଖାଇବାପାଇଁ ଛାଉଣୀ ପଡ଼ିବ, ଗଣ୍ୟମାନ୍ୟ ଲୋକଙ୍କର ରହିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ତମ୍ବୁ ପଡ଼ିବ, ଖାଲିଥିବା ଘରଗୁଡ଼ିକୁ ପରିଷ୍କାର କରି ବାସୋପଯୋଗୀ କରାଯିବ । ଅଜସ୍ର ଅର୍ଥ ଦରକାର, ଏଥିପାଇଁ । ଅର୍ଥ ପରାମର୍ଶଦାତାଙ୍କ ହିସାବ ଅନୁସାରେ ଦୁଇଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚ ହେବନାହିଁ । ଆଜି ଦୁଇଲକ୍ଷ ଟଙ୍କା ସ୍ୱପ୍ନ ପରି ଲାଗୁଛି ବଳବନ୍ତ ରାୟଙ୍କୁ, କିନ୍ତୁ ଦିନ ଥିଲା ଯେତେବେଳେ ଟଙ୍କା ଗଣିବାପାଇଁ ସମୟ ନ ଥିଲା ହାତରେ । ପ୍ରଜାମାନଙ୍କଠାରୁ ରାଜସ୍ୱ ଭାବରେ ବା ଅନ୍ୟାନ୍ୟ ସୂତ୍ରରୁ ଯେଉଁ ଟଙ୍କା ଆସୁଥିଲା ତା’ର ପରିମାଣ ଚିନ୍ତା କଲେ ଆଜିର ଅବସ୍ଥା ଦେଖି ଦୟା ଆସେ ନିଜ ଉପରେ । ତଥାପି ଦମ୍ଭ ବାନ୍ଧିଛନ୍ତି କିଛି ପାହାଡ଼ସିଂ, ମନେ ମନେ ଭାବୁଛନ୍ତି ଯେ ଶେଷରେ କିଛିନା କିଛି ଗୋଟେ ହୋଇଯିବ, ଦୁଇଲକ୍ଷ ନ ହେଲେ ମଧ୍ୟ ସେଇ ଅଙ୍କର ପାଖାପାଖି ଅର୍ଥ ମିଳିଯିବ ଏବଂ ଆଜି ଅସାଧ୍ୟ ମନେ ହେଇଥିବା ସମସ୍ୟାର ସମାଧାନ ହୋଇଯିବ । ବଳବନ୍ତ ରାୟଙ୍କୁ ଅନ୍ୟ ଦିଗଟି ଭାବିବାକୁ ଭୟ ଲାଗେ, ରାଣୀସାହେବାଙ୍କର ଏ ସଂକ୍ରାନ୍ତରେ ସବୁ ପ୍ରଶ୍ନ ସେ ଚତୁରତାର ସହିତ ଏଡ଼ିଯାଆନ୍ତି ।

ଏଇ ହାତେରେ କେତେ ଦାନ କରିଛନ୍ତି ପାହାଡ଼ସିଂ, କେତେ ଦୀନ ଦୁଃଖୀ ଆର୍ତ୍ତୀ ଓ ଅର୍ଥାର୍ଥୀଙ୍କୁ ଅକୁଣ୍ଠିତ ଚିତ୍ତରେ କୌଣସି ପ୍ରତ୍ୟାଶା ନ ରଖି କେବଳ ଦେଇଛନ୍ତି । ଆଜି ରାଜକୋଶ ନାହିଁ କି ରାଜତ୍ୱ ନାହିଁ; କିନ୍ତୁ ସେ ଅଛନ୍ତି ପୁରାତନ ମହୀରୁହ ପରି । ମହୀରୁହ ଥିବାଯାଏ ତାହାରି ଛାୟାରେ କ୍ଳାନ୍ତି ଅପନୋଦନ କରିବାପାଇଁ ବସୁଥିବେ ଶ୍ରାନ୍ତ କ୍ଳାନ୍ତ ପଥିକ, ଶାଖା ପ୍ରଶାଖାରେ ଆଶ୍ରୟ ନବାପାଇଁ ଦୂରଦୂରାନ୍ତରୁ ଉଡ଼ି ଆସିବେ ପକ୍ଷୀମାନେ, ପତ୍ର ଫୁଲ ଓ ଫଳ ତୋଳିବାପାଇଁ ତାହାରି ତଳେ ଆସି ଛିଡ଼ାହେବେ କେତେ ଲୋକ ଏବଂ ବନସ୍ପତିର ମଥା ଉପରେ ସହସ୍ରଧାରରେ ବର୍ଷିବାପାଇଁ ବ୍ୟାକୁଳ ହୋଇ ଖସିପଡ଼ିବ କଳା କଳା ମେଘ । ମହୀରୁହ ଯେପରି ଧନ୍ୟ, ସେହିପରି ରାଜା ବଳବନ୍ତ ରାୟ ପାହାଡ଼ସିଂ ।

ଆଜି ଦାନ ପୁଣ୍ୟ କରିବାପାଇଁ ଅଣ୍ଟାରେ ସମ୍ବଳ ନାହିଁ ସତ କିନ୍ତୁ ମନ ସଙ୍କୁଚିତ ହୋଇନାହିଁ । ସେଦିନ ତାଙ୍କରି ଆଖି ଆଗରେ ପାଖ ଗାଁର ପଚିଶଟି କୁଡ଼ିଆ ଧ୍ୱଂସ ପାଇଗଲା ନିଆଁରେ । ନିରାଶ୍ରୟ ହୋଇଗଲେ ପଚିଶଟି ହରିଜନ ଓ ଚମାର ପରିବାର । ସାଶ୍ରୁପୂର୍ଣ୍ଣ ନୟନରେ ସେମାନଙ୍କୁ ଦୁର୍ଗର ପ୍ରଧାନ ଫାଟକ ଆଗରେ ଛିଡ଼ା ହେବାର ଦେଖି ହଠାତ ସବୁ ଭାରସାମ୍ୟ ହରାଇ ବଳବନ୍ତ ରାୟ ନିଜ ବିବାହରେ ପାଇଥିବା ସୁନାହାରକୁ ବିକ୍ରୀ କରି ସେହି ଅର୍ଥ ବଢ଼ାଇ ଦେଲେ ସେମାନଙ୍କ ହାତକୁ । ଦଶ ହଜାର ଟଙ୍କା ଯେ ସେମାନଙ୍କର ଆବଶ୍ୟକତାକୁ ଚାହିଁ ଯଥେଷ୍ଟ ନୁହେଁ, ଏହା ଜାଣି ମଧ୍ୟ ମନରେ ଅସୀମ ସାନ୍ତ୍ୱନା ପାଇଲେ ପାହାଡ଼ସିଂ । ରାଜ୍ୟ ଗଲାପରେ ସେ ଆଉ ରାଜା ହୋଇ ରହିନାହାନ୍ତି ସତ କିନ୍ତୁ ଏବେବି ଏଇ ଦୀନହୀନ ପ୍ରଜାମାନେ ତାଙ୍କୁ ରାଜା ବୋଲି ସମ୍ବୋଧନ କରନ୍ତି, ସମ୍ମାନ ଓ ସ୍ନେହ କରନ୍ତି ଏବଂ ଆପଦ ବିପଦରେ ତାଙ୍କର ଟିକେ ଅନୁକମ୍ପା ପାଇବା ଲାଗି ହାତ ପତାନ୍ତି । ଏତକ ମିଳୁଥିବା ଯାଏ ସେ ରାଜ୍ୟ ନ ଥାଇ ବି ରାଜା ହୋଇ ରହିବେ । ସର୍ବସ୍ୱାନ୍ତ ହେବାଯାଏ ଯଥାଶକ୍ତି ଦେଇଯିବେ । ସେଦିନ ଦଶହଜାର ଟଙ୍କା ନେଇ ପଚିଶଟି ଗୃହଶୂନ୍ୟ ପରିବାର ଦୁର୍ଗ ଭିତରୁ ଫେରିବା ସମୟରେ ସେମାନଙ୍କର ଆଖିରେ କୃତଜ୍ଞତା’ର ଅଶ୍ରୁ ଦେଖି ନିଜ ଆଖିର ଅଶ୍ରୁକୁ ଲୁଚାଇବାପାଇଁ ତରତର ହୋଇ ଉଆସ ଭିତରେ ପଶିଯାଇଥିଲେ ପାହାଡ଼ସିଂ । ସେତେବେଳେ ସ୍ୱାଧୀନ ଦେଶର ମନ୍ତ୍ରୀ କିମ୍ବା ପଦସ୍ଥ ଅଧିକାରୀ କେହି ନ ଥିଲେ ସେଠାରେ । ସେମାନଙ୍କର କୌଣସି ଅଭାବ ନାହିଁ ବା ଯେଉଁମାନେ ଅଭାବଗ୍ରସ୍ତ ଓ ଦୁଃସ୍ଥ ସେମାନଙ୍କ ବିଷୟରେ ଅଧିକ ଜାଣିବାର କୌଣସି କୌତୂହଳ ସେମାନଙ୍କର ନାହିଁ । କାହିଁ ଏତେବଡ଼ ବିପଦ ସତ୍ତ୍ୱେ ସେହି ପଚିଶଟି ହରିଜନ ଏବଂ ଚମାର ପରିବାର ତ ଗଣତନ୍ତ୍ର ସୁଫଳ ଭୋଗ କରୁଥିବା ସମ୍ମାନନୀୟ ବ୍ୟକ୍ତିମାନଙ୍କର ଆଗରେ ହାତ ପତାଇ ଛିଡ଼ାହେଲେ ନାହିଁ ? ବରଂ ତାଙ୍କ ଦୂରାବସ୍ଥା ଜାଣି ମଧ୍ୟ ଦୌଡ଼ି ଆସିଲେ ଅସମୟରେ ସାହାଯ୍ୟ ପାଇଁ । ସେମାନଙ୍କୁ କେଉଁ ସାହାସରେ ନିରାଶ କରି ଥାଆନ୍ତେ ବଳବନ୍ତ ରାୟ ?

ଜେମାଙ୍କର ବାହାଘର ଲୁଚେଇ ଛପେଇ କରିପାରିବେ ନାହିଁ ସେ । ହାଡ଼ି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶକୁ ଶୁଭେ । ଜେମାଙ୍କର ବାହାଘର ବିଷୟ ଚତୁର୍ଦ୍ଦିଗରେ ପ୍ରସରିଯାଉଛି । ନିମନ୍ତ୍ରଣକୁ ଅପେକ୍ଷା ନ କରି ପୂର୍ବ ପରମ୍ପରା ଅନୁସାରେ ଯେ ସହସ୍ର ଲୋକ ଆସିବେ ବାହାଘରକୁ ଏହା ଆଉ କେହି ଜାଣନ୍ତୁ ବା ନ ଜାଣନ୍ତୁ ନିଶ୍ଚିତ ଭାବରେ ଜାଣନ୍ତି ରାଜା ପାହାଡ଼ସିଂ । ପ୍ରଜାମାନଙ୍କର ନାଡ଼ି ନକ୍ଷତ୍ର ତାଙ୍କୁ ଜଣା । ଆଜି ସେମାନଙ୍କୁ ଭୁଲିଗଲେ ମଧ୍ୟ ସେମାନେ ତାଙ୍କୁ ଭୁଲିଯାଇ ପାରିବେ ନାହିଁ । ସେ ନିମନ୍ତ୍ରଣ ନ କଲେ ମଧ୍ୟ ସେମାନେ ଆସିବେ । ସେଦିନ ସେଇକଥା ତ କହିଗଲା କୁଆଁପାଳର ଜଣେ ଗରିବ ଚାଷୀ । ଯୁଗ ଯୁଗ ଧରି ସେମାନେ ସମସ୍ତେ ଆସୁଥିଲେ ରାଜା ଘରକୁ, ରାଜାଙ୍କ ଉଆସର ଦ୍ୱାର ଯୁଗ ଯୁଗ ଧରି ଖୋଲାଥିଲା ସେମାନଙ୍କ ପାଇଁ । ଆଜି ରାଜା ଘରେ ପତ୍ରେ ଖାଇବାକୁ ମିଳି ନ ପାରେ ଏହା ଆଶଙ୍କା କରି ଜେମାଙ୍କ ବାହାଘରକୁ ଆସିବେ ନାହିଁ ସେମାନେ ? ଅସମ୍ଭବ । ସମସ୍ତେ ଆସିବେ; ଆସିବେ ବାଜାଦାର, ମହୁରିଆ, ବଣୁଆ, ବେହେରା ସବାରୀବାହକ, ଚିତ୍ରକାର, ମାଳୀ, ଗଉଡ଼, ବାରିକ, ପ୍ରଜା ପାଟକ, ସାମନ୍ତ ଓ ପୁରୋହିତ । ଆସିବେ ସରବରାକାର ଓ ସୁପକାର, ସଙ୍ଗୀତ ଓ ନୃତ୍ୟ ଦଳ, ଯୁବକ ଯୁବତୀ, ଶିଶୁ ଓ ବୃଦ୍ଧ । ଆସିବେ ବ୍ରାହ୍ମଣ, ବୈଷ୍ଣବ, ଭିକ୍ଷୁକ ।

ସେମାନଙ୍କୁ ନିରାଶ କରିପାରିବେ ନାହିଁ ପାହାଡ଼ସିଂ ।

ରାଣୀ ବାରମ୍ବାର ଚେତାଇ ଦେଇ କହନ୍ତି ତାଙ୍କୁ–ତା’ହେଲେ ସମ୍ଭାଳିବ କିପରି ? ଏତେ ଖର୍ଚ୍ଚ କରିବ କିଏ ? ଅର୍ଥ ଆସିବ କେଉଁଠୁ ? ରାଜା ବଳବନ୍ତ ରାୟ ପାହାଡ଼ସିଂ କୌଣସି ଉତ୍ତର ନ ଦେଇ କେବଳ ଶୁଣନ୍ତି ରାଣୀଙ୍କର ପ୍ରଶ୍ନ । ଏ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ ବୋଲି ସେ ଭୟରେ ଅନ୍ତଃପୁରକୁ ଯାଆନ୍ତି ନାହିଁ । ରାଜା ସେ; ଦେଇ ଆସିଛନ୍ତି କେବଳ, ଖାଲି ହାତରେ ଯିବେ ରାଣୀଙ୍କ ଉଆସକୁ ?

 

ରାଣୀ ଅଭିମାନ କରନ୍ତି–ବେଳେ ବେଳେ ଅଭିଯୋଗ ବି । ସବୁ ନୀରବରେ ସହ୍ୟ କରିଯାଆନ୍ତି ପାହାଡ଼ସିଂ । ଆଗେ ସେ ପ୍ରଗଳ୍‌ଭ ଥିଲେ, ଏବେ ପ୍ରାୟ ନୀରବ ରହିବାକୁ ଶ୍ରେୟସ୍କର ମନେ କରନ୍ତି ।

 

ଜେମାଙ୍କର ବାହାଘର ଦିନ ଯେତିକି ପାଖେଇ ଆସିଲା ପାହାଡ଼ସିଂଙ୍କର ନିଦ ସେତିକି କମିଲା । ସେ ଆଉ ନିଶ୍ଚିତ ହୋଇ ଶୋଇପାରୁ ନାହାନ୍ତି । ନିଦ୍ରା ସହିତ ଆହାର ମଧ୍ୟ କମିଗଲାଣି । ରାଜାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ରାଣୀ ଶଙ୍କିତା ।

 

କରିବାର ଯେପରି କିଛି ନାହିଁ । ଯାହା ହେବାର କଥା ଆପେ ଆପେ ହୋଇଯାଉଛି ।

 

ସେଇ ଦୟାନଦୀ ଏବେବି ଦେଖାଯାଏ ଦୁର୍ଗ ଉପରୁ । ଆଗେ କେଡ଼େ ବଡ଼ ଦିଶୁଥିଲା-। ଏବେ ଦୟାନଦୀରେ ଜଳଧାର କମି ଆସିଲା ପରି ଜଣାପଡ଼ୁଛି । ଧାର ହ୍ରାସ ପାଇଲେ ବି ଗତି ଅଛି; ପ୍ରବାହ ଅଛି । ଯେଉଁଦିନ ପ୍ରବାହ ନ ଥିବ, ଗତି ନ ଥିବ, ସେଦିନ ଧର୍ମଚ୍ୟୁତ ହୋଇ ଶୁଖିଯିବ ନଦୀର ଧାର, ଲୋପ ପାଇଯିବ ପୃଥିବୀ । ସେଦିନ ପାହାଡ଼ସିଂ ମଧ୍ୟ ନ ଥିବେ; ନ ଥିବ ଏଇ ଦୁର୍ଗ ବା ଏହାର ଐତିହ୍ୟ ଓ ଐଶ୍ୱର୍ଯ୍ୟ ।

 

ଯୌବନର ପ୍ରଥମାବସ୍ଥାରେ ଯେତେବେଳେ ସେ ରାଜାଥିଲେ ସେତେବେଳେ ପ୍ରତି ସପ୍ତାହରେ ଥରେ ଅନ୍ଧାରି ବିଜେ କରୁଥିଲେ ପାହାଡ଼ସିଂ । ସ୍ୱଚକ୍ଷୁରେ ଦେଖି ଆସୁଥିଲେ ପ୍ରଜାମାନଙ୍କର ଅବସ୍ଥା, ନିଜ କାନରେ ଶୁଣି ଆସୁଥିଲେ ସେମାନଙ୍କର ଅଭିମତ ଏବଂ ଛଦ୍ମ ବେଶରେ ବୁଝି ଆସୁଥିଲେ ରାଜା ଏବଂ ଶାସନ ସମ୍ପର୍କରେ ସେମାନଙ୍କର ମନ୍ତବ୍ୟ । କେବେ କେବେ ନିଜକୁ, ଶାସନକୁ ସଂଶୋଧନ କରିବାକୁ ସୂତ୍ର ପାଉଥିଲେ ସେଥିରୁ । କେବେ କେବେ ଶଠ ଓ ଅତ୍ୟାଚାରୀକୁ ସମସ୍ତ ଶକ୍ତି ପ୍ରୟୋଗ କରି ଦମନ କରିବାର ବାଟ ମଧ୍ୟ ଦିଶୁଥିଳା ଅନ୍ଧାରି ବିଜେରୁ ।

 

ଆଜି କିନ୍ତୁ ସମସ୍ତଙ୍କ ଅଗୋଚରରେ ସେ ନିଜର ଦୁର୍ଗ ଭିତରେ ନିଶାଚର ପ୍ରାଣୀ ପରି ବୁଲିଲେ ବି କିଛି ଜାଣିବାର ସୁଯୋଗ ନାହିଁ, କିଛି ଶିଖିବାର ଉପାୟ ନାହିଁ । ଅତୀତର କେତେ ଆଲେଖ୍ୟ ଅଙ୍ଗରେ ବହନ କରି ମୂଳ ସାକ୍ଷୀ ଭାବରେ ଖରା, ବର୍ଷା, ଶୀତ ଓ କାକର ସହି ପଡ଼ିରହିଛି ଏଇ ଦୁର୍ଗ । ଅତୀତର ଆନୁଗତ୍ୟ, ମନୁଷ୍ୟର ସ୍ନେହ ପ୍ରୀତି ଅନୁରକ୍ତି ଚିନ୍ତାକରି ବୋଧହୁଏ ଭାଙ୍ଗିପଡ଼ୁନି ସେ । ଯେମିତି କେହି ତାକୁ ଖୋଜେ ବୋଲି, କେହି ତାକୁ ଭଲପାଏ ବୋଲି ମରିବାକୁ ଇଚ୍ଛା କରେନି ମନୁଷ୍ୟ ।

 

ସେ ମରିବାକୁ ଇଚ୍ଛା କରିନାହାନ୍ତି ବୋଲି ବଞ୍ଚିଛନ୍ତି ଏ ଯାଏଁ । କାହିଁକି ମରିବେ ? କାହିଁକି ମୁକାବିଲା ନ କରି ଭୀରୁ ପରି ନେପଥ୍ୟରେ ପଳାୟନ କରିବେ ଏଇ ସୁନ୍ଦର ପୃଥିବୀରୁ ? ଅନେକ କିଛି ଆଜି ହୁଏତ ତାଙ୍କର ନାହିଁ, କିନ୍ତୁ ଦିନେ ତ ଥିଲା; ପୁଣି ଯେ ଦିନେ ସବୁ ଫେରି ନ ଆସିବ ଏହା ସେ କହିବେ କିପରି ? ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତି ବଳବନ୍ତ ରାୟ । ଅନ୍ତଃପୁରରୁ ଖବର ପାଇ ମଧ୍ୟ ପାଦ ଅଟକିଯାଏ ବାଟରେ, ପହଞ୍ଚିବାକୁ ସାହସ ହୁଏନାହିଁ । ଖାଲି ହାତରେ ରାଣୀଙ୍କ ମୁହଁ ଦେଖିବେ ?

 

ବୟସ ହେଲାଣି ବଳବନ୍ତଙ୍କର ଷାଠିଏ ପାଖାପାଖି । କିନ୍ତୁ ଜଣାପଡ଼େନି ଦେଖିଲେ । ବୟସର ଛାପ ହୁଏତ ପଡ଼ିଛି ଦେହ ଉପରେ, କିନ୍ତୁ ବାର୍ଦ୍ଧକ୍ୟଠାରୁ ଏବେବି ଅନେକ ଦୂରରେ ପାହାଡ଼ସିଂ । ଖୋର୍ଦ୍ଧାର ପାଇକ ବଂଶର ପୁଅ ସେ । ସେଇ ବଂଶର କେହି ଜଣେ ଧନୁର୍ଦ୍ଧର ବୀର କୌଣସି ଏକ ଦେଶୀୟ ସାମନ୍ତ ରାଜାକୁ ପରାସ୍ତ କରି ଦୟାନଦୀ କୂଳରୁ ମହେନ୍ଦ୍ରତନୟା ପର୍ଯ୍ୟନ୍ତ ଦିନେ ରାଜ୍ୟ ସ୍ଥାପନ କରିଥିଲା । ସେଇ ରାଜ୍ୟ ପରବର୍ତ୍ତୀ କାଳରେ କେତେବେଳେ ବଢ଼ିଛି ବା ସଙ୍କୁଚିତ ହୋଇଛି, କିନ୍ତୁ ସେଥିପାଇଁ ଭୁକ୍ଷେପ ନ କରି ଯୁଦ୍ଧ କରିଛନ୍ତି ପାହାଡ଼ସିଂଙ୍କର ପୂର୍ବପୁରୁଷ । ଯୁଦ୍ଧ କରୁ କରୁ ମରିବା ତ ବିରତ୍ୱ, ଯୁଦ୍ଧ ନ କରି ପଳାୟନ କରିବା ଶହେଥର ମରିବା ସହିତ ସମାନ-

 

ପାହାଡ଼ସିଂ ନିଶାଚର ପ୍ରାଣୀ ପରି ନଭୋମଣ୍ତଳର ଈଷତ୍‌ ଆଲୋକରେ ସିଲହଟ୍‌ ଚିତ୍ର ପରି ଦିଶୁଥିବା ସେଇ ଦୁର୍ଗର ଅଭିରାମ ଚିତ୍ରକୁ ଅନେଇଥିଲେ । କେତେ ସଙ୍କଟରୁ ରକ୍ଷା କରିଛି ଏଇ ଦୁର୍ଗ ! ଆଜି କଅଣ ତାଙ୍କର ବ୍ୟକ୍ତିଗତ ସଙ୍ଗଟରୁ ପରିତ୍ରାଣ ପାଇବାର ପଥ କହିଦେବ ନାହିଁ ସେ ? ପାହାଡ଼ସିଂ ବିବ୍ରତ ହୋଇ ଅସ୍ଥିର ଚିତ୍ତରେ ପଦଚାରଣ କରନ୍ତି, ଉତ୍ତର ଖୋଜି ପାଆନ୍ତି ନାହିଁ-

 

ଜେମାଙ୍କର ବାହାଘର ପାଇଁ ଆଉ ସାମାନ୍ୟ କେତୋଟି ଦିନ ହାତରେ । ସମସ୍ତେ ସମସ୍ୱରରେ କହିଲେଣି ଯେ ଯଦି ଆବଶ୍ୟକ ଅର୍ଥ ଯୋଗାଇ ଦିଆ ନ ଯାଏ ବିଭାଘର ହୁଏତ ହୋଇପାରେ, କିନ୍ତୁ ଉତ୍ସବ ହୋଇପାରିବ ନାହିଁ । ଯାହାହେଲେ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ହେବ । ଆଉ କାଳକ୍ଷେପ ସ୍ପୃହଣୀୟ ବା ସହାୟକ ହେବନାହିଁ । ତାଙ୍କ ମୁହଁରୁ ଶେଷ କଥା ପଦେ ଶୁଣିବାପାଇଁ ଅପେକ୍ଷା କରୁଛନ୍ତି ସମସ୍ତେ ।

 

ପିତାମହଙ୍କ ମୁହଁରୁ ଶୁଣିବା କଥା ।

 

ବଳବନ୍ତ ରାୟଙ୍କର ପିତାମହ ସୌର୍ଯ୍ୟବନ୍ତ ରାୟ ପାହାଡ଼ସିଂଙ୍କ ସମୟର କଥା । ସେତେବେଳେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥାଏ ଦେଶରେ । ଟଙ୍କା ହାତରେ ଥାଇ ବି ଲୋକଙ୍କୁ ରକ୍ଷା କରି ନ ପାରି ଅର୍ଥ ବୀତସ୍ପୃତ ହୋଇ ଅଜସ୍ର ସ୍ୱର୍ଣ୍ଣମୁଦ୍ରା ଦିନେ ଦୁର୍ଗର କୌଣସି ଏକ ସ୍ଥାନରେ ମାଟିତଳେ ପୋତିଦେଲେ ସେ । ତା’ପରେ ନଅଙ୍କ ଦୁର୍ଭିକ୍ଷ ଶେଷ ହେଲା, ସମୟ ଶେଷ ହୋଇ ଆସିଲା ସୌର୍ଯ୍ୟବନ୍ତଙ୍କର । ସେ ମୃତ୍ୟୁପୂର୍ବରୁ ନିଜର ପୁତ୍ର ସୂର୍ଯ୍ୟକାନ୍ତକୁ ପାଖରେ ନ ପାଇ ବଳବନ୍ତଙ୍କୁ କହିଯାଇଥିଲେ ସେଇ କଥା । ସେତେବେଳକୁ ତାଙ୍କୁ ମାତ୍ର ଦଶବର୍ଷ ବୟସ । ଜେଜେବାପାଙ୍କର ମହନୀୟ ପୌରୁଷତ୍ୱ ମନେପଡ଼ୁଛି ଅନ୍ଧାକରରେ ଛିଡ଼ା ହୋଇଥିବା ଦୁର୍ଗର ସିଲହଟ୍‌ ଚିତ୍ରପରି । କିନ୍ତୁ ସଠିକ୍‌ କିଛି ମନେପଡ଼ୁନି ବଳବନ୍ତ ରାୟଙ୍କର ମାଟିତଳେ ପୋତା ହୋଇଥିବା ସେଇ ଅଜସ୍ର ସୂର୍ଣ୍ଣମୁଦ୍ରା ସମ୍ପର୍କରେ । କେଉଁ ପ୍ରାଚୀନ କାଳର ସ୍ୱର୍ଣ୍ଣମୁଦ୍ରା ତାହା ଜାଣିବା ଦୁଷ୍କର ଥିଲା ତାଙ୍କ ପକ୍ଷରେ । କିଶୋର ବୟସର ସବୁକଥା ସ୍ମରଣ ବି ହେଉ ନ ଥିଲା ଆଜି ।

 

ତଥାପି କାଳେ ମାଟିତଳେ ଗଚ୍ଛିତ ସେଇ ସ୍ୱର୍ଣ୍ଣମୁଦ୍ରା ସେହିପରି ଅକ୍ଷତ ଅବସ୍ଥାରେ ଥିବ, ଏହା ମନେପଡ଼ିବା କ୍ଷଣି ସର୍ବାଙ୍ଗରେ ଶିହରଣ ଖେଳିଗଲା ପାହାଡ଼ସିଂଙ୍କର । ଶୂନ୍ୟରୁ ଯେପରି କାହାର ବାଣୀ ଶୁଭିଲା ତାଙ୍କୁ–ଖୋଜିଲେ ପାଇବୁ । ଠିକ୍‌ ଜେଜେବାପାଙ୍କ ସ୍ୱରପରି ଶୁଣାଗଲା ବଳବନ୍ତଙ୍କୁ । ପୁଣ୍ୟାତ୍ମା ଥିଲେ ଜେଜେବାପା, ତାଙ୍କର ଆଶୀର୍ବାଦର ଫଳ ହୁଏତ ଏବେବି ଭୋଗ କରୁଛନ୍ତି ସେ ।

 

ଅନ୍ଧାକାରକୁ ଭ୍ରୂକ୍ଷେପ ନ କରି ଦୁର୍ଗର ସର୍ବତ୍ର ଛୁଟିଲେ ବଳବନ୍ତ ରାୟ । କେତେ ଏକର ଜମି ଉପରେ ନିର୍ମିତ ଏଇ ଦୁର୍ଗ ଆଜି ଅନେକ ବଡ଼, ଅନେକ ଅଜ୍ଞାତ ମନେହେଲା ତାଙ୍କୁ । ତଥାପି ନିରାଶ ନ ହୋଇ ସମ୍ଭାବନା ଥିବା ପ୍ରତ୍ୟେକ ଜାଗାକୁ ନିରୀକ୍ଷଣ କଲେ ସେ । ହଠାତ୍‌ ଇମିତି ଖୋଜୁ ଖୋଜୁ ଅନ୍ତଃପୁର ସନ୍ନିକଟକ ପୁଷ୍କରିଣୀ କୂଳରେ ଶଙ୍ଖ ମଲ ମଲ ପଥରର ବେଦୀ ତଳେ ପୋତାହୋଇଥିବା ସେଇ ଅଜସ୍ର ସ୍ୱର୍ଣ୍ଣମୁଦ୍ରା ଅକ୍ଷତ ଅବସ୍ଥାରେ ଥିବାର ଗୋଟିଏ ଝାପ୍‌ସା ଅନୁମାନ ମନରେ ଦୃଢ଼ୀଭୂତ ହେବାରୁ ନିଜ ହାତରେ ଖୋଳିବା କାର୍ଯ୍ୟ ଆରମ୍ଭ କଲେ ବଳବନ୍ତ । ଆଉ କାହାର ସାହାଯ୍ୟ ନେଲେ କାର୍ଯ୍ୟ ସୁଗମ ଓ ସହଜ ସାଧ୍ୟ ହୁଅନ୍ତା; କିନ୍ତୁ କାହାକୁ କହିବାପାଇଁ ସଙ୍କୋଚ ହେଲା ମନରେ । ଯଦି ନିଷ୍ଫଳ ହୁଅନ୍ତି ସେ, ଅବଶିଷ୍ଟ ମାନ ମର୍ଯ୍ୟାଦା ଧୂଳିରେ ମିଶିଯିବ । ଲୋକ ହସିବେ ଆଉ କହିବେ ଯେ ଦୁଇ ହାତରେ ଦାନ କରୁଥିବା ସୂର୍ଯ୍ୟକାନ୍ତ ରାୟ ପାହାଡ଼ସିଂଙ୍କର ନାତି... ବଳବନ୍ତ ରାୟ ପାହାଡ଼ସିଂ ଶେଷରେ ଅର୍ଥାଭାବରୁ ପାଗଳ ହୋଇଗଲେ । ନା ନା, ଏହା ସେ ଘୃଣାକ୍ଷରରେ ବି କାହାକୁ କହିପାରିବେ ନାହିଁ, ଏପରିକି ରାଣୀଙ୍କୁ ମଧ୍ୟ ନୁହେଁ ।

 

ଶରୀରରେ ସିଂହର ବଳ ପାଇଲେ ସେ ।

 

ପଥର ଉଠାଇ ମାଟି ଖୋଳି ଚାଲିଲେ ପାହାଡ଼ସିଂ । ସେତେବେଳେ ତାଙ୍କର ମନେହେଉଥାଏ ଯେପରି ସେ କେଉଁ ଏକ ପ୍ରାଗ୍‌ଐତିହାସିକ ଯୁଗର ମଣିଷ...ଯୁଗ ଯୁଗ ଧରି ଅନନ୍ତ କାଳ ହେଲା କେବଳ ଖୋଳୁଛନ୍ତି...ଆଉ ଖୋଜୁଛନ୍ତି...ସେ ଅନ୍ୱେଷଣର ଶେଷ ନାହିଁ,...ଆଜି ବି ଶେଷ ନାହିଁ...ଏଇମିତି ଚାଲିଥିବ ସେଇ ଖୋଜିବା ...ଆଉ ଖୋଳିବା ।

 

ରାତି ପରେ ରାତି, ଦିନ ପରେ ଦିନ, କେବଳ ଖୋଳି ଚାଲିଲେ ବଳବନ୍ତ...ଖୋଜି ଚାଲିଲେ ମାଟି ତଳେ ପୋତା ହୋଇଥିବା ଅଜସ୍ର ସ୍ୱର୍ଣ୍ଣମୁଦ୍ରାର ସନ୍ଧାନ ପାଇବାପାଇଁ । ସେଇଦିନୁ କେବଳ ଚାଲିଛି ସେଇ କାମ ଅବ୍ୟାହାତ ଭାବରେ ...ଖୋଳା ସରିନି ଖୋଜା ବି ସରିନି । ରାଜା ବଳବନ୍ତ ରାୟ ପାହଡ଼ସିଂ ଗୀତା’ର ସିଦ୍ଧାନ୍ତକୁ ପ୍ରମାଣିତ କରି ସେହିପରି ଖୋଳୁଛନ୍ତି, ଖୋଜୁଛନ୍ତି, କିନ୍ତୁ ନୂଆ ବେଶରେ ନୂଆ ରୂପରେ ।

 

Image

 

ବାଘଶିକାର

 

ଜୀବନର ସବୁ ଅନୁଭୂତିଗୁଡ଼ାକୁ ଲେଖି ରଖିବାପାଇଁ ଇଚ୍ଛା ହୁଏ, କିନ୍ତୁ ସୁଭଦ୍ରା ଲେଖିକା ନୁହେଁ ଯେ ଏହା କରିପାରିବ । କେତେଥର ସେ ଚେଷ୍ଟାକରିଛି ନିତି ଅଙ୍ଗେ ନିଭାଉଥିବା ଅନୁଭବକୁ ଲେଖିବାପାଇଁ, କିନ୍ତୁ ପାରିନାହିଁ । କେଉଁଠାରୁ ଆରମ୍ଭ କରି ପୁଣି କେଉଁଠାରେ ଶେଷ କରିବ ତାହା ସ୍ଥିର କରି ନ ପାରି ଶେଷରେ କାଗଜ ଚିରି ପକେଇଛି । ଆହୁରି ଗୋଟିଏ ପ୍ରଧାନ ଅନ୍ତରାୟ ହେଉଚି ଯେ ନିଜର ଅନୁଭୂତିକୁ ସତ୍ୟନିଷ୍ଠ ଭାବରେ ଠିକ୍‌ ଯେମିତି ସେ ଅନୁଭବ କରିଛି ବା ଘଟଣାଗୁଡ଼ିକୁ ସେ ଯେମିତି ନିଜ ଆଖିରେ ଦେଖିଛି ଠିକ୍‌ ସେପରି ଭାବରେ ଲେଖିବାପାଇଁ ଅନ୍ତରର ଉଚ୍ଛ୍ୱାସ ଓ ପ୍ରାଣର ଆବେଗକୁ ଅକପଟ ଭାବରେ ପ୍ରକାଶ କରିବାପାଇଁ ଚେଷ୍ଟା କରିଛି ସତ କିନ୍ତୁ ପାରିନାହିଁ, ସବୁ ଗୋଳମାଳ ହୋଇଯାଇଛି । ଶବ୍ଦ ବାଛିବାକୁ ଯାଇ ନିଃଶବ୍ଦ ହୋଇଯାଇଛି । ଏଇଥିପାଇଁ ଶୁଭପ୍ରିୟ ଉପରେ ହିଂସା ହୁଏ, ସେ ନିଜର ଅନୁଭବଗୁଡ଼ିକୁ ଅନ୍ୟର ଅନୁଭବରେ ଯେପରି ସହଜଭାବରେ ରୂପାନ୍ତରିତ କରିଦିଏ, ଅନ୍ୟର ଅନୁଭବଗୁଡ଼ିକୁ ନିଜର ଅଙ୍ଗେ ନିଭା ଅନୁଭବ ପରି ଅତି ସ୍ୱାଭାବିକ ଭାବରେ ଅଭିବ୍ୟକ୍ତ କରିପାରେ । ଶୁଭପ୍ରିୟ ବ୍ୟବସାୟ କରୁଥିଲେ ବି କବି ଓ ଲେଖକ । କେତେବେଳେ ସେ ନିଜର ପ୍ରାଣର ଆବେଗକୁ କବିଠାରେ ରୂପଦିଏ ତ ଆଉ କେତେବେଳେ ସମ୍ପର୍କରେ ସେତୁବନ୍ଧ ବାନ୍ଧିବା ଲାଗି ଗଳ୍ପ ଲେଖିପକାଏ । ଅନ୍ୟମାନଙ୍କର ମନ ବୁଝୁଥିବା ଶୁଭପ୍ରିୟ କିନ୍ତୁ ଏଯାଏ ସୁଭଦ୍ରାର ମନକଥା ବୁଝିପାରୁ ନ ଥିବା କାରଣରୁ ସେ ଦୁଃଖପାଏ, ଅଭିମାନ କରେ । କିନ୍ତୁ ଶୁଭପ୍ରିୟ ତା’ର ସବୁ ଅନୁଯୋଗ, ଅଭିମାନ ଭାଙ୍ଗିବାକୁ ଯାଇ ସ୍ୱରରେ ଇମିତି ଆତ୍ମୀୟତା ଫୁଟାଇ କ୍ଷମା ମାଗିନିଏ ଯେ ସୁଭଦ୍ରା ମୁଗ୍‌ଧ ହୋଇ ରହିଯାଏ । ତା’ର ସେଇ ମୁଗ୍‌ଧ ଦୃଷ୍ଟି ଅଙ୍ଗରେ ବୋଳିହୋଇ ଅତି ସହଜରେ ପ୍ରଗଳ୍‌ଭ ହୋଇ କହେ ଶୁଭପ୍ରିୟ–ତୁମର ମନମୋହିନୀ ଦୃଷ୍ଟିରୁ ମୋତେ କାଣିଚାଏ ଦେଇ ପୂର୍ଣ୍ଣ, ପବିତ୍ର କରିଦିଅ ସୁଭଦ୍ରା । ସୁଭଦ୍ରା ତରଳିଯାଏ ପ୍ରଥମ ଜଳୁଥିବା ମହମବତିପରି । ଧୂସର ବିବର୍ଣ୍ଣ ଧରଣୀ ହଠାତ୍‌ ସବୁଜ ଦିଶେ, ନଣ୍ତା ପାହାଡ଼ଆଡ଼ୁ ଫୁଲର ସୁରଭି ଭାସିଆସେ ।

 

ଶୁଭପ୍ରିୟର ଏତେ ପାଖରେ ଥାଇ ମଧ୍ୟ ସୁଭଦ୍ରା ଅନିଶ୍ଚିୟତା ପଛରେ ଚାଲିଛି ବୋଲି । ମନେକରେ ଏହାର କାରଣ କିନ୍ତୁ ସେ ଠିକ୍‌ ଜାଣିପାରେନି । ବେଳେ ବେଳେ ମନରେ ଆଶଙ୍କା ହୁଏ ଯେ ସେ ତା’ ନିଜର ନୁହେଁ କି ଶୁଭପ୍ରିୟର ନୁହେଁ, ଅନ୍ୟ କାହାର । ଅନ୍ଧାର ରାତିରେ ନିଦ ଭାଙ୍ଗି ଗଲେ ଅପରିଚିତ କୋଳରୁ ଉଠିବା ପରି ଲାଗେ ଏବଂ କାହାର । ଅନ୍ଧାର ରାତିରେ ନିଦ ଭାଙ୍ଗିଗଲେ ଅପରିଚିତ କୋଳରୁ ଉଠିବା ପରି ଲାଗେ ଏବଂ ତାହାରି ନିଜର ନିଃଶ୍ୱାସର ଜାତି ପରର ଉଷ୍ମା ପରି ମନେହୁଏ । କାହିଁକି ଯେ ଏମିତି ହୁଏ ସେ ବୁଝିପାରେନି । ଦିନେ ଶୁଭପ୍ରିୟକୁ କହିଥିଲା ଏକଥା, ସେ କିନ୍ତୁ ସବୁ ହସରେ ଭସେଇ ଦେଇ କହିଥିଲା । ଯେ ସୁନ୍ଦର ଜିନିଷଟିଏ ଦେଖିଲେ ସମସ୍ତଙ୍କର ଇଚ୍ଛାହୁଏ ସଂଗ୍ରହ କରିବାପାଇଁ । ତାକୁ ଦେଖି ଅନ୍ୟମାନେ ବି ସେମିତି ଭାବୁଥିବେ, ସେଥିପାଇଁ ବୋଧହୁଏ ସେମାନଙ୍କର ପ୍ରତିକ୍ରିୟା ଛୁଉଁଛି ତା’ ମନକୁ। ଶୁଭପ୍ରିୟ ତାକୁ ବାରମ୍ବାର ସଚେତନ କରିଦେଇ କହେ ଯେ ସେ ତ ଅଛି ପାଖରେ, ତା’ର ଅଜ୍ଞାତରେ ତାକୁ ଅନ୍ୟ କେହି ଟେକିନବ ଏହା କଳ୍ପନା କରିବା ବୃଥା ।

 

ଏବେ କିନ୍ତୁ ଆଉ ବିରସ ହୁଏନା ସୁଭଦ୍ରାର ମନ । ସେ ଯେ ଏକ ଅନିବୃତତା ମଧ୍ୟକୁ ଟାଣିହୋଇ ନିଜର ଅନିଚ୍ଛାସତ୍ତ୍ୱେ ଚାଲିଆସୁଛି ଏହା ଅନୁଭବ କରିବାକୁ ଆରମ୍ଭ କଲାଣି । ଶୁଭପ୍ରିୟ ଆଉ ପୂର୍ବପରି ତା’ ଚାରିପାଖରେ ନିଜର ବିଶ୍ୱବ୍ରହ୍ମାଣ୍ତର ଚିତ୍ର ଦେଖୁନାହିଁ, ବରଂ ଏଇ କେତେଦିନ ଧରି ତାକୁ କହିବାରେ ଲାଗିଛି ଯେ ସେ ବାଘ ଶିକାର କରିବାକୁ ଚାହେଁ ଏବଂ ବାଘ ମୁହଁକୁ ସେ ନିଜେ ନୁହେଁ ସୁଭଦ୍ରାକୁ ଠେଲିଦେବାକୁ ଇଚ୍ଛା ତା’ର । ବାଘ ଶିକାର ପାଇଁ ଯେଉଁ ଗୁଳି ଦରକାର ତାହା କୁଆଡ଼େ ସୁଭଦ୍ରା ପାଖରେ ଅଛି ସେଥିରୁ କେହି ବର୍ତ୍ତିପାଇ ପାରିବ ନାହିଁ, ମହାଚଳ ବି ସେଇ ଗୁଳିର ଆଘାତରେ ଟଳି ପଡ଼ିବ । ସୁଭଦ୍ରା କେତେଥର କିହିଛି ତାକୁ ବଙ୍କେଇ ବଙ୍କେଇ କଥା ନ କହି ଶୁଭପ୍ରିୟ ଯାହା ଭାବୁଛି ସିଧା କହିବା ଉଚିତ । ସେ ସବୁବେଳେ ଉତ୍ତର ଦେଇଛି ଯେ ସମୟ ଆସିଲେ ଆପେ ଆପେ ସୁଭଦ୍ରା ଜାଣିପାରିବ ଏବଂ ତାକୁ ଆଉ ବଙ୍କେଇ ବା ସଜେଇ କହିବାକୁ ପଡ଼ିବ ନାହିଁ ।

 

ସେଇ ସମୟ ହଠାତ୍‌ ଆସିଯାଇଛି ବୋଲି ଯେତେବେଳେ ତା’ ମୁହଁରୁ ଶୁଣିଲା ସୁଭଦ୍ରା ସେ ବଡ଼ ବଡ଼ ଆଖିକରି ଅନେଇଲା ଶୁଭପ୍ରିୟର ମୁହଁକୁ । ସୁଭଦ୍ରାର ଆଚମ୍ବିତ ହେବାର ଭାବଟା ଭାଙ୍ଗି ଦେଇ ଶୁଭପ୍ରିୟ କହିଲା-ଶୀଘ୍ର ପ୍ରସ୍ତୁତ ହେବାପାଇଁ ଦିଲ୍ଲୀ ଯିବାପାଇଁ ପଡ଼ିବ । ସୁଭଦ୍ରା କହିଲା ବାଘ ଶିକାର ପାଇଁ ଶିମିଳିପାଳ ଯିବାକୁ ହୁଏ, ଦିଲ୍ଲୀ ଚିଡ଼ିଆ ଖାନାରେ ହୁଏତ ବାଘ ଥିବେ କିଛି, ସେଠାରେ ଜଙ୍ଗଲ ନାହିଁ ଯେ ଶିକାର କରିବାଲାଗି ବାଘ ମିଳିବେ । ତା’ର କଥା ଶୁଣି ଶୁଭପ୍ରିୟ ମୁହଁ ଉପରେ ହସର ଗାର ଟିକେ ବାଙ୍କି ଯାଇଥିଲା ଏବଂ ସେ ସୁଭଦ୍ରାକୁ ନିର୍ଭୟ ହେବାକୁ କହି ତାକୁ ପାଖକୁ ଟାଣିନେଇ କହିଥିଲା ଯେ ଶିମିଳିପାଳର ବାଘ ଅପେକ୍ଷା ଦିଲ୍ଲୀର ବାଘ ଆହୁରି ବଳବାନ୍‌ ଏବଂ ସେମାନଙ୍କର ସଂଖ୍ୟା ଅନେକ । ଏତେ ବାଘ ଶିକାର କରିବାପାଇଁ ଇଚ୍ଛା ବା ଆବଶ୍ୟକତା ନାହିଁ, କିନ୍ତୁ ଆମଦାନୀ ଓ ରତ୍ପାନୀ ବିଭାଗର ମହାବଳକୁ ଶିକାର ନ କଲେ ଆଉ ଏକାମ୍ର ଭବନରେ ନିର୍ବିଘ୍ନରେ ଶୀତତାପ ନିୟନ୍ତ୍ରଣ କୋଠରି ଭିତରୁ ରଙ୍ଗୀନ କାଚ ଦେଇ ବର୍ହିଜଗତକୁ ଦେଖି ହେବନାହିଁ ।

 

ସୁଭଦ୍ରାକୁ ଏତେଶୀଘ୍ର ଦିଲ୍ଲୀ ଯିବାଲଗି ପଡ଼ିବ ବୋଲି ସେ ଭାବି ନ ଥିଲା, ବରଂ ବର୍ଷାଦିନରେ କାହିଁ ନ ଯାଇ ଏକାମ୍ର ଭବନର ଏକାତ୍ମତା ଭିତରେ ଶୁଭପ୍ରିୟ ସହିତ ସବୁ ସମୟ କଟାଇ ଦବାକୁ ଚାହିଁଥିଲା । ତାହା ସେଇ ଭବନାରେ ରହିଗଲା ଏବଂ ଦିଲ୍ଲୀର ନିର୍ମେଘ ଆକାଶ ତଳେ ବର୍ଷାରୁତୁ କଟାଇବାପାଇଁ ଶୁଭପ୍ରିୟ ଯେଉଁ ପ୍ରସ୍ତାବ ଦେଲା ତାହା ଯେ ଅଲଂଘ୍ୟ ଏହା ଜାଣି ମଧ୍ୟ ସେ କେବଳ କହଲା କିନ୍ତୁ ମୋର ଦୁଇଟି ସର୍ତ୍ତ... , ଶୁଭପ୍ରିୟ ତାକୁ ସର୍ତ୍ତଗୁଡ଼ିକୁ ଶୀଘ୍ର କହିବାପାଇଁ କହିଲା ।

 

ସୁଭଦ୍ରା କହିଲା ଯେ ସେ ଟ୍ରେନ୍‌ରେ ନ ଯାଇ ପ୍ଲେନ୍‌ରେ ଯିବାକୁ । ଗଲେ ଏବଂ ଯୁଆଡ଼େ ଗଲେ ମଧ୍ୟ ଶୁଭପ୍ରିୟ ସହିତ ରହିବା ଲାଗି ତା’ର ଇଚ୍ଛା, ତାକୁ ସେ ଏକା କୌଣସି ସ୍ଥାନକୁ ନ ପଠାଏ ଯେପରି । ଶୁଭପ୍ରିୟ କହିଲା ଯେ ପ୍ଲେନ୍‌ରେ ଗଲେ ତିନିଘଣ୍ଟା ଲାଗେ; କିନ୍ତୁ ପ୍ରାଇଭେସି ନାହିଁ, ଭୁବନେଶ୍ୱର ଭଳି ଛୋଟ ଜାଗାରୁ ସେ ଦୁହେଁ ସ୍ୱାମୀ ସ୍ତ୍ରୀ ଭାବରେ ଗଲେ ଚିହ୍ନାପଡ଼ିଯିବାର ଯଥେଷ୍ଟ ଆଶଙ୍କା ଅଛି । କିନ୍ତୁ ଟ୍ରେନ୍‌ରେ ସେ ଆଶଙ୍କା ନାହିଁ । ନୀଳାଚଳରେ ଓଡ଼ିଆମାନଙ୍କର ଭିଡ଼, ଉତ୍କଳରେ ସେ ଆଶଙ୍କା ନାହିଁ । ନୀଳାଚଳ ଏକ୍‌ସପ୍ରେସ୍‌ ଚାଲିଲାଦିନୁ ମନେହେଉଛି ଯେପରି ଓଡ଼ିଆମାନଙ୍କର ଦେହରେ ଡେଣା ଲାଗୁଛି, ଦିଲ୍ଲୀ, କାଶୀ, ପ୍ରୟାଗ ଓ କାଶ୍ମୀର ଆଡ଼କୁ ଖେଦି ଯାଉଛନ୍ତି । ଓଡ଼ିଆ ପାନ, ପଖାଳ, ଡାଲମା, ମହାପ୍ରସାଦର ପ୍ରସାର ବଢ଼ିଗଲାଣି । ଟ୍ରେନ୍‌ରେ ଯିବାବେଳେ ବା ଓଡ଼ିଶାକୁ ଫେରିବାବେଳେ ଓଡ଼ିଆଙ୍କ ହସ, ଓଡ଼ିଆଙ୍କୁ ପାନଖିଆ, ପରସ୍ପର ପ୍ରତି ଇର୍ଷା ଓ କଜିଆ ସମସ୍ତଙ୍କର ଦେହସୁହା ହୋଇଗଲାଣି । ଉତ୍କଳ ଏକ୍‌ସପ୍ରେସ୍‌ ପୁରୀରୁ ବାହାରୁଥିଲେ ବି ପ୍ରକୃତରେ ଓଡ଼ିଆଙ୍କର ଗାଡ଼ି ନୁହେଁ । ପୂର୍ବ ଉପକୁଳରୁ ଭୁଲ୍‌ରେ ବି ଏଗାଡ଼ିରେ କେହି ଦିଲ୍ଲୀ ଯାଆାନ୍ତି ନାହିଁ, ଯେଉଁମାନେ ଯାଆନ୍ତି ସେମାନଙ୍କର ଦୌଡ଼ ରାଉରକେଲା ବା ଝାରସୁଗୁଡ଼ା ପର୍ଯ୍ୟନ୍ତ । ତା’ ପରେ ପଶ୍ଚିମାଞ୍ଚଳ ଓଡ଼ିଶାରୁ ଅବଶ୍ୟ କିଛି ଲୋକ ଯାଆନ୍ତି ଉତ୍କଳ ଏକ୍‌ସପ୍ରେସ୍‌ରେ, କିନ୍ତୁ ସେମାନଙ୍କର ଗହଣରେ ଗଲେ ଚିହ୍ନା ପଡ଼ିବାର ଭୟନାହିଁ, ଓଡ଼ିଆ ନ କହି ହିନ୍ଦୀ କହିଲେ ବି ସେମାନେ ଚିହ୍ନିପାରିବେ ନାହିଁ । ସୁଭଦ୍ରାର ଇଚ୍ଛା ଥିଲା କାଳିଦାସଙ୍କର ମେଘଦୂତ ଆାକାଶ ମାର୍ଗରୁ ଦେଖିବାପାଇଁ, କିନ୍ତୁ ସେ ଆଶା ଆଉ ପୂର୍ଣ୍ଣ ହେବନାହିଁ ଆଉ ତାକୁ ଏକା ଏକା ବାଘ ମୁହଁରେ ଛାଡ଼ି ନ ଦେବାପାଇଁ ପ୍ରତିଶ୍ରୁତି ଦେଲା ଶୁଭପ୍ରିୟ କିନ୍ତୁ ଏଇ ସର୍ତ୍ତରେ ସେ ଯେତେବେଳେ ଶିକାର କରିବାର ପ୍ରକୃତ ସମୟ ଆସିବ, ସୁଭଦ୍ରାକୁ ଶିକାର କରିବାର ଆମୋଦ ଦବାପାଇଁ ସେ ଶେଷ ମୁହୂର୍ତ୍ତରେ ଖସିଯିବ କାଏଦା କରି ।

 

ସୁଭଦ୍ରା ଅଭିନୟ କରି ଜୀବନକୁ ଉପଭୋଗ କରିବ ବୋଲି ସିଦ୍ଧାନ୍ତ କରିଥିଲା । କିନ୍ତୁ ଯୋଉଦିନ ଶୁଭପ୍ରିୟକୁ ଦେଖିଲା ସୁଟିଂ ସମୟରେ ସେହି ପ୍ରଥମ ସାକ୍ଷାତ୍‍ରୁ ହିଁ ସମ୍ପର୍କ । ଶୁଭପ୍ରିୟ ଟଙ୍କା ଖଟେଇ ଥିଲା ଚଳଚିତ୍ର ନିର୍ମାଣ ପାଇଁ । ସମୁଦ୍ରକୁ ଟ୍ରଲର ପଠେଇ ଚିଙ୍ଗୁଡ଼ି ଧରି ସେଥିରୁ ଯେଉଁ ଅପଯ୍ୟାପ୍ତ ଲାଭ ଉଠାଇଥିଲା ସେଥିରୁ କିଛି ଖର୍ଚ୍ଚ କରୁଥିଲା ଫିଲ୍ମ କରିବାପାଇଁ ଏବଂ ଏଥିରେ କାଳେ କ୍ଷତି ହୋଇପାରେ ତାହା ଭରଣା କରି ଆରମ୍ଭ କରିଥିଲା ଆମଦାନୀ ରପ୍ତାନୀ କାରବାର । ବିଦେଶକୁ ରେଡ଼ିମେଡ଼୍‌ ପୋଷାକ ପଠାଏ ଏବଂ କଲର୍‌ ଟିଭି ଓ ଅଟୋମେଟିକ୍‌ ଘଡ଼ି ଆମଦାନୀ କରେ । ଏଇ ବ୍ୟବସାୟ ଅଳ୍ପଦିନ କରିବା ପରେ ସେ ବୁଝିଗଲା ଯେ ଉପଯୁକ୍ତ ସଂଯୋଗ ରକ୍ଷା କରିପାରିଲେ ଏଥିରେ ଯେଉଁ ଲାଭ ମିଳିବ ତାହା ଆଉରଙ୍ଗଜେବ୍‌ ବି କଳ୍ପନା କରି ନ ଥିବେ ଜୀବନରେ ।

 

ଆମଦାନୀ ରପ୍ତାନୀ ବ୍ୟବସାୟର ଲୁକ୍‌କାୟିତ ଦିଗଟି ଆବିଷ୍କାର କଲାଦିନୁ ଶୁଭପ୍ରିୟ ଆଗରେ ଅସୀମ ସମ୍ବାବନାର ଦିଗ୍‌ବଳୟ ଉଦ୍‌ଘାଟିତ ହୋଇଯାଇଛି । କେବଳ ରେଡ଼ିମେଡ଼ ପୋଷାକ ଓ ଟିଭି ସେଟ୍‌ର ବ୍ୟବସାୟ କରି କହି ଯେ ସାମ୍ରାଜ୍ୟ ତିଆରି କରିପାରିବ ନାହିଁ ଏହା ଜାଣିବାଦିନୁ ଶୁଭପ୍ରିୟ ଲାଗିଥିଲା ବିଦେଶରୁ କମ୍ପ୍ୟୁଟର, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ସୂକ୍ଷ୍ମ ଯନ୍ତ୍ରପାତି ଆମଦାନୀ କରିବାର ଅର୍ଡର ପାଇବାପାଇଁ । ଏଥିରେ ଉଭା ଯେତେ ପୋତା ସେତେ । କିନ୍ତୁ ବୁଦ୍ଧି ଦରକାର । ଆଉ ବୁଦ୍ଧି ନ ଥିଲେ କିମ୍ୱା, ବିଦ୍ୟାଳୟର ଦଶଟା ଡିଗ୍ରୀ ଥାଇ ବି ଯେ ବାଘଶିକାର କରିହୁଏନା ଏହା କଅଣ ସେ ଜାଣି ନ ଥିଲା !

 

ସେଥିପାଇଁ ସୁଭଦ୍ରାର ସାହାଯ୍ୟ ଦରକାର ହେବାକ୍ଷଣି ଆଉ ଦ୍ୱିଧା ନ କରି ସେ ଠିକ୍‌ କରିନେଲା ଏବଂ ସୁଭଦ୍ରା ରାଜି ହୋଇଯିବା କ୍ଷଣି ଉତ୍କଳ ଏକ୍‌ସପ୍ରେସ୍‌ରେ ଗୋଟେ କୁପେ ରିଜର୍ଭ କରିନେଲା । ଏବେ ଡାଇନିଂ କାର ଯାଉଛି ଉତ୍କଳରେ, ତେଣୁ ଖାଇବା ପିଇବାରେ ଅସୁବିଧା ହେବ ନାହିଁ । ତଥାପି ମ୍ୟାନେଜରକୁ କହି ରଖିଲା ଶୁଭପ୍ରିୟ ଯେପରି ରାସ୍ତାରେ କୌଣସି ଅସୁବିଧା ନ ହୁଏ ।

 

ଉତ୍କଳ ଏକ୍‌ସପ୍ରେସ୍‌ ସନ୍ଧ୍ୟାରେ ଛାଡ଼େ ଭୁବନେଶ୍ୱର । କାଳେ କେହି ଚିହ୍ନିପାରେ ବୋଲି ସେ ସୁଭଦ୍ରାକୁ କଟକ ପଠେଇଦେଇ ଏକା ବସିଲା ଟ୍ରେନ୍‌ରେ । ସୁଭଦ୍ରା କଟକରେ ଉଠିଲାବେଳକୁ ଆଉ କେହି ନ ଥିଲେ ପାଖରେ ପ୍ରଶ୍ନ ପଚାରିବାପାଇଁ ଏବଂ ସେ ଭିତରକୁ ପ୍ରବେଶ କଲାକ୍ଷଣି ଦରଜା ବନ୍ଦକରି କହିଲା ଶୁଭପ୍ରିୟ ପ୍ରାୟ ଦୁଇଟି ଏଇଠି ଆମର ଘର... ବେଶ୍‌ ନିରୋଳା, ନିରାପଦ... ଭଲ ଲାଗୁଛି ତ ?

 

ସୁଭଦ୍ରା କହିଲା–କିନ୍ତୁ ତୁମେ ମୋତେ ମିସେସ୍‌ ଶୁଭପ୍ରିୟ ସାମନ୍ତ ନ କହିଥିଲେ ଚଳିଥାନ୍ତା, ଯଦି ହଠାତ୍‌ କେହି ଚିହ୍ନି ପକାଏ ।

 

ଶୁଭପ୍ରିୟ ନିଶ୍ଚିନ୍ତ ସ୍ୱରରେ କହିଲା–ସେ ଆଶଙ୍କା ନାହିଁ ବୋଲି ତ ଉତ୍କଳ ଏକ୍‌ସପ୍ରେସ୍‌ରେ ଆସିଛୁ ଭାୟା ଉତ୍ତମାଶା ଅନ୍ତରୀପ ଦେଇ ୟୁରୋପରୁ ଇଣ୍ତିଆ ଆସିବା ପରି । ସହଜ, ସରଳ ପଥରେ ଆକର୍ଷଣ ନ ଥାଏ ସୁଭଦ୍ରା ।

 

ଦୁଇଦିନ କେମିତି କଟିଗଲା ଜାଣିପାରିଲା ନାହିଁ ସୁଭଦ୍ରା ତୃତୀୟ ଦିନ ମଧ୍ୟାହ୍ନରେ ହଜ୍‌ରତ୍‌ ନିଜାମୁଦ୍ଦିନ ଷ୍ଟେସନ୍‌ରେ ଗାଡ଼ିରୁ ଓହ୍ଲାଇବା କ୍ଷଣି ଦିଲ୍ଲୀର ଆକାଶକୁ ଚାହିଁ କହିଲା ଶୁଭପ୍ରିୟ, ଆକାଶ କେଡ଼େ ସୁନ୍ଦର ଦେଖୁଛ ଦିଲ୍ଲୀରେ, ଅଥଚ ଆମ ଓଡ଼ିଶାରୁ ଏବେବି ବର୍ଷା ଛାଡ଼ିନି-। ଦିଲ୍ଲୀର ରାସ୍ତା ବି ଲମ୍ୱି ଯାଇଛି ଆଗରେ ସ୍ୱାଗତ ଜଣାଇବାପାଇଁ ।

 

ସୁଭଦ୍ରା କିନ୍ତୁ ଏତେ ସହୃଦୟତା ସତ୍ତ୍ୱେବି ନିଜକୁ ସହଜ ସ୍ୱାଭାବିକ କରିପାରି ନ ଥିଲା । ମୁହଁର ହସ ବେଶୀ ଆକର୍ଷଣୀୟ ନା ଓଠ ଉପର ରଙ୍ଗ ବେଶୀ ଆକର୍ଷଣୀୟ କରେ ଆଖିକୁ, ତା’ର ଉତ୍ତର ଦେଲେ ଦିଲ୍ଲୀରେ ଠକି ଯିବାର ଭୟ ଅଛି କହିଥିଲା ଶୁଭପ୍ରିୟ । ତଥାପି ସୁଭଦ୍ରା ହସିବାକୁ ଯାଇ ଭଲକରି ହସିପାରିନି କି ଓଠରେ ରଙ୍ଗ ଦବାକୁ ମନ କରିନି ହସର ରଙ୍ଗ ନା ରଙ୍ଗର ଲୋଭ କେଉଁଟାର ରାଜଧାନୀର ଦାମ୍‌ ବେଶୀ ତାହା ପରଖି ନେବାକୁ ଇଚ୍ଛା ହେଲା ତା’ର ।

 

ଶୁଭପ୍ରିୟ ସହିତ ଏହା ତା’ର ପ୍ରଥମ ଅଭିଯାନ ନୁହେଁ ଭୁବନେଶ୍ୱର ଛୋଟ ଜାଗା ହେଲେ ବି ଖଣ୍ତଗିରିର ପାହାଡ଼ ତଳେ ‘ହୋଟେଲ ମାଳବିକା’ ଖୋଲିବା ଦିନୁ କି ନନ୍ଦନକାନନର ହ୍ରଦରେ ଭାସମାନ ହାଉସ୍‌ବୋଟ୍‌ ଭାସିବା ଦିନୁ ସେ ଶୁଭପ୍ରିୟର ନିର୍ଦ୍ଦେଶ ଅନୁସାରେ ତା’ ସହିତ ଯାଇଛି । ବେଳେ ବେଳେ ଆହୁରି ନିରୋଳାରେ ସମୟ କଟାଇବାପାଇଁ ସେ କେତେଥର ଯାଇଛି ବରକୁଳ ବା ତପ୍ତପାଣିର ଡାକବଙ୍ଗଳାକୁ । କିନ୍ତୁ ଓଡ଼ିଆ ଅଫିସରଗୁଡ଼ା ବେରସିକ, ସମୟ ଖର୍ଚ୍ଚ କରି ଜାଣନ୍ତିନି, ନିଜକୁ ବି ଖର୍ଚ୍ଛ କରିପାରନ୍ତିନି... ସମସ୍ତେ ଯେମିତି ବାବା ବାଳକ ବ୍ରହ୍ମଚାରୀଙ୍କ ଭକ୍ତ, ପାଖକୁ ଆସୁ ଆସୁ କଇଁଛ ପରି ଗୋଟେଇ ନିଅନ୍ତି ନିଜକୁ । ଦିଲ୍ଲୀର ଅଫିସରମାନେ କୁଆଡ଼େ କପିଳ ମୁନିଙ୍କ ପଟ୍ଟଶିଷ୍ୟ... ସମୁଦ୍ରକୁ ବି ଚଳୁ କରିଦେବେ । ସେଥିପାଇଁ ଭୟ ହୁଏ ସୁଭଦ୍ରାର, ନିଜର ଯାହା ଟିକେ ନିଜସ୍ୱ ଅଛି ସେତକ ଯଦି ଦିଲ୍ଲୀର ସେରାଟନ ବା ତାଜ୍‌ ହେଟେଲରେ ହରାଇ ଦିଏ ଆଉ କଣ ନେଇ ଫେରିବ ଘରକୁ ? ଭୟ ହୁଏ , କିନ୍ତୁ ଶୁଭପ୍ରିୟକୁ ଭୟର କାରଣ କହିପାରେନି ।

 

ଅଭିନେତ୍ରୀ ହେଲେ ଯେ ଖାଲି ଅଭିନୟ କରିଯିବାକୁ ହୁଏ ନିଜ ଜୀବନକୁ ଅନୁଭବ କରିହୁଏ ନାହିଁ ଏହା ଜାଣିଯାଇଛି ସୁଭଦ୍ରା । ସେଥିପାଇଁ ନିଜକୁ ପାସୋରି ଦବାକୁ ଚେଷ୍ଟା କରି ବି ଯେତେବେଳେ ବାଧ୍ୟ ହୁଏ ନିଜକୁ ମନେପକାଇବା ପାଇଁ ସେତେବେଳେ ଆଖିର ଅଶ୍ରୁ ବାଧା ନ ମାନି ବହିଯାଏ, ଚେଷ୍ଟା କରିବି ସେ ନିଜକୁ ଆୟତ୍ତ କରିପାରେ ନାହିଁ । ସୁଭଦ୍ରା ଦିଲ୍ଲୀ ଆସି ମିସେସ୍‌ ଶୁଭ୍ରପ୍ରିୟ ସାମନ୍ତ ଭାବରେ ଅୟସରେ ବୁଡ଼ି ରହିଛି ସତ; କିନ୍ତୁ ସେ ଦିନେ ସତରେ ଜଣେ ଗୃହିଣୀ ହବାପାଇଁ ଚାହିଁଥିଲା, ସ୍ତ୍ରୀ ହୋଇ ସୀମନ୍ତରେ ସିନ୍ଦୂର ଲଗାଇବା ଏବଂ ମା’ ହୋଇ ସନ୍ତାନକୁ ସ୍ତନ୍ୟପାନ କରାଇବାପାଇଁ ବାସନା କରିଥିଲା । କିନ୍ତୁ ସେସବୁ କିଛି ହେଲାନାହିଁ । ସିନେମାରେ ଅଭିନୟ କରିବାର ଅମୋଘ ଆକର୍ଷଣ ତାକୁ ଟାଣି ଆଣିଥିଲା ପ୍ରଲୋଭବନର ମହାସମୁଦ୍ରକୁ ଯେମିତି ମହାନଦୀର ବନ୍ୟାରେ ଟାଣିହୋଇ ସମୁଦ୍ରକୁ ଚାଲି ଆସନ୍ତି କେତେ କୁଟାକାଠି । ଆଜି ତା’ର ପରିଚୟ ନାହିଁ, ସେ ଦିଲ୍ଲୀକୁ ଆସିଛି ଶୁଭପ୍ରିୟ ସାମନ୍ତର ସ୍ତ୍ରୀ ହୋଇ. ହୁଏତ କାଲି କୋଉ ହୋଟେଲରେ ଶୁଭପ୍ରିୟର କୋଉ ସାଙ୍ଗ ସହିତ ଅଭିନୟ କରିବ ସ୍ୱାମୀ ସ୍ତ୍ରୀର । ଦିଲ୍ଲୀର ରାତ୍ରୀ ପ୍ରତୀପଦ ହେଲାନି ତା’ ପକ୍ଷରେ ପଳ ପଳ ଦେଇ ଦଗ୍‌ଧ ହେଲା କେବଳ ।

 

ଦୁଇଦିନ ରହିବାକୁ ଆସି ଦଶଦିନ ହେଲା ରହିଗଲାଣି ସୁଭଦ୍ରା । ବେଳେବେଳେ ଭଲ ଲାଗୁଚି ଦିଲ୍ଲୀ, ଦିଲ୍ଲୀର ଗଛପତ୍ର, ଫୁଲ ବଗିଚା ଏବଂ ନିର୍ମେଘ ଆକାଶ । ବର୍ଷା ହୋଇଥିଲା ସେ ଆସିବା ଆଗରୁ, ଆଉ ବର୍ଷା ନାହିଁ । ଦିଲ୍ଲୀ ଅଗଷ୍ଟମାସ ଶେଷରେ ଶାନ୍ତ ଶୀତଳ ହୋଇଯାଏ–ଏବର୍ଷ ଗରମ ଛାଡ଼ିନି ଆଜିଯାଏ । ହୋଟେଲ ସେରାଟନର ସୁଇମିଂପୁଲ୍‌କୁ ଯିବା ରାସ୍ତାରେ ସୋନି ସାହେବଙ୍କୁ ତା’ ସହିତ ପରିଚିତ କରାଇଦେଲା ଶୁଭପ୍ରିୟ । ସୋନି ସାହେବ ଯେ କି ବହୁ ଦିନରୁ ତାକୁ ଜାଣନ୍ତି ଇମିତି ଭଙ୍ଗୀକରି ତା’ର ଗୋଟେ ହାତ ନିଜର ହାତ–ମୁଠାରେ ଜାକି ରଖି ଡାକିଲେ ସୁଇମିଂପୁଲ୍‌କୁ ଯିବାପାଇଁ । ମନା କରିଥାଆାନ୍ତା ସୁଭଦ୍ରା, କି ଅଭଦ୍ର ଲୋକ ଏଇ ସୋନୀ ସାହେବ, ଦେଖା ହେଉ ନ ହେଉଣୁ ତା’ର ହାତ ଟାଣିନେଲେଣି, ଆଉ ଟିକେ ଘନିଷ୍ଠତା ବଢ଼ିଲେ ଆଉ କଅଣ କରିବେ କେଜାଣି ! କିନ୍ତୁ ଶୁଭପ୍ରିୟର ମୁହଁକୁ ଚାହିଁ ମନା କରିପାରିଲା ନାହିଁ ସେ । ଆଖିଠାରି ଆହୁରି ନିକଟତର ହେବାଲାଗି ନିର୍ଦ୍ଦେଶ ଦେଲା ଶୁଭପ୍ରିୟ ।

 

ତାକୁ ବିରକ୍ତ ଲାଗୁଥିଲା ଏଇ ଅଯାଚିତ ସାନ୍ନିଧ୍ୟ ପାଇଁ । କିନ୍ତୁ ଉପାୟ ନ ଥିଲା । କଲଗାର୍ଲମାନେ ଏ ବିଷୟରେ ଧୂରନ୍ଧର ଶୁଣିଚି ସୁଭଦ୍ରା । ସେ ତ କଲଗାର୍ଲ ନୁହେଁ, ବେଶ୍ୟା ବି ନୁହେଁ, ବେଶୀ ହେଲେ ଶୁଭପ୍ରିୟର ସଙ୍ଗିନୀ ବା ପ୍ରେମିକା ! କିନ୍ତୁ ତାକୁ ଯେ ଏପରି ଅଭିନୟ କରିବାକୁ ହେବ ତାହା ଯଦି ଭଲ ଭାବରେ ଜାଣିଥାଆନ୍ତା...

 

ସୁଇମିଂପୁଲକୁ ଯିବା ପୂର୍ବରୁ ବାର୍‌କୁ ତାକୁ ଡାକିନେଲେ ସୋନୀ ସାହେବ । ସ୍କଚ ହୁଇସ୍କିରେ ସୋଡ଼ା ମିଶାଇ ତାହାକୁ ଗୋଟେ ଗ୍ଳାସ ବଢ଼ାଇ ଦବାବେଳେ ତାଙ୍କ ହାତରେ ପରଶ ପାଇ ଶଙ୍କି ଗଲା ସୁଭଦ୍ରା । ମଦକୁ ସବୁଦିନେ ଘୃଣା କରିଆସିଛି ସେ, କିନ୍ତୁ ଯେଉଁଥିରେ ତା’ର ଘୃଣା ସେଥିରେ ତାକୁ ଅନୁରକ୍ତ କରିବା ଲାଗି ବାରମ୍ବାର ପ୍ରୟାସ କରିଛି ଶୁଭପ୍ରିୟ । ତା’ ହାତକୁ ମଦିରାପୂର୍ଣ୍ଣ ଗ୍ଲାସ ବଢ଼ାଇ ଦେଇ ବାଧ୍ୟ କରାଏ ପିଇବାପାଇଁ, ଆଉ ତା’ପରେ ସୁଭଦ୍ରା ଭୁଲିଯାଏ ନିଜକୁ ନିଜର ନିଜତ୍ୱକୁ, ତାହାର ଆଖି ଆଗରେ ଲୁଟ୍‍ ହୋଇଯାଏ ତା’ର ଅହଂକାର, ତା’ର ଐଶ୍ୱର୍ଯ୍ୟ-। କିନ୍ତୁ ତଥାପି ମନରେ ଟିକିଏ ଅଭିମାନ ଥିଲା ଯେ ସେ ଶୁଭପ୍ରିୟର ଏକାନ୍ତ ନିଜର... ଆଜି କିନ୍ତୁ ସେ ସ୍ୱପ୍ନ ବି ଭାଙ୍ଗିଯାଉଛି... ସେଇ ଶୁଭପ୍ରିୟ ନିଜ ହାତରେ ତାକୁ ଟେକି ଦେଉଛି ଅନ୍ୟ ହାତକୁ-

 

ସେତେବେଳକୁ ଚିଅର୍‌ସ କହି ତା’ ମୁହଁ ପାଖରେ ଗ୍ଲାସ ଧରିଥାଆନ୍ତି ସୋନୀ ସାହେବ-। ଶୁଭପ୍ରିୟକୁ ବିରକ୍ତ ନ କରିବାପାଇଁ ଏବଂ ତା’ର ଋଣ ଶୁଝିବା ଲାଗି ଢୋକେ ପିଇଦେଲା ସୁଭଦ୍ରା, ତା’ପରେ କପିଳ ମୁନିପରି ସମୁଦ୍ରର ସବୁ ଜଳ ଶୋଷିନବାପାଇଁ ତା ’ଭିତରେ ଯେପରି କିଏ ଭରିଦବାକୁ ଲାଗିଲା ଏକ ଅସ୍ୱାଭାବିକ ତୃଷ୍ଣା । ସୁଭଦ୍ରା କାଳେ ନିଜକୁ ହରେଇ ବସିବ, ଏ ଆଶଙ୍କାରେ ସୋନୀ ସାହେବଙ୍କଠାରେ ବିଦାୟ ନେଇ ଶୁଭପ୍ରିୟ ସହିତ ଚାଲିଯିବାପାଇଁ ସେ ଆଡ଼କୁ ଚାହିଁଲାବେଳକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ ଶୁଭପ୍ରିୟ କେତେବେଳୁ ତା’ର ଅଜ୍ଞାତରେ ସେଠାରେ ଚାଲିଗଲାଣି । ସୋନୀ ସାହେବ ତାକୁ ଯିବାକୁ ନ ଦେଇ ସୁଇମିଂପୁଲକୁ ନେଇଗଲେ ହାତ ଧରି । ସୁଇମିଂକଷ୍ଟ୍ୟୁମ୍‌ ପିନ୍ଧି ଯେତେବେଳେ ପାଣିକୁ ପଶିଗଲା ସେ, ସୋନୀ ସାହେବଙ୍କ ଖାତିରରେ ବା ପୂର୍ବ ପରିକଳ୍ପନା ଅନୁସାରେ, ଆଉ କେହି ନ ଥିଲେ ସେଠାରେ । ସେଇ ରାତି ଆଉ ନିଜ କକ୍ଷରୁ ଫେରି ପାରିଲା ନାହିଁ ସୁଭଦ୍ରା ।

 

କିନ୍ତୁ ତା’ ପରଦିନ ସେ ଯେତେବେଳ ଫେରିଲା କୋଠରିକୁ ଶୁଭପ୍ରିୟ ତାକୁ ସଙ୍ଖୋଳି ନବାପାଇଁ ଆଗେଇ ଆସି କହିଲା–ବୁଲେଟ ଠିକ୍‌ ବାଜିଛି ସୁଭନ୍ଦ୍ରା, ବାଘ ଶିକାର କରି ତମେ ଅପୂର୍ବ ସଫଳତା ଅର୍ଜନ କରିଛ... କଙ୍ଗ୍ରାଚୁଲେସନ... ଆଉ ଗୋଟିଏ ଶୁଭ ଖବର ତମ ପାଇଁ... ଏଇ ଦଶ ମିନିଟ୍‌ ପୂର୍ବରୁ ସୋନୀ ସାହେବ ଫୋନରେ ଜଣାଇ ଦେଲେ ଯେ ବିଦେଶରୁ ଯୁଦ୍ଧ ସରଞ୍ଜାମ ଆମଦାନୀ କରିବାର ଶହେ କୋଟି ଟଙ୍କାର ଅର୍ଡ଼ର ମୁଁ ପାଇଛି । କିନ୍ତୁ ଏତେକଥା ଶୁଣିବାକୁ ସେତେବେଳେ ଧୈର୍ଯ୍ୟ ନ ଥିଲା ସୁଭଦ୍ରାର ।

 

ବିଛଣା ଉପରେ ଶୋଇଯାଇ ସେ ଅବୋଧ ଶିଶୁପରି କାନ୍ଦିବାକୁ ଲାଗିଲା ।

Image

 

Unknown

ସଙ୍କଟ

 

ବାହା ହେବା ପରେ ସଂକଳ୍ପକୁ ଭୁଲିଯାଇଥିଲା ରାଗିଣୀ । ଏଇ ସାତବର୍ଷର କାହାଣୀ ସୀମାବଦ୍ଧର । ତାକୁ ବାହା ହେବା ଦିନୁ ତାହାରି ହାତରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇଛି ସେ । ଶୋଚନା କରିନି, ଦ୍ୱିଧା କରିନି । କିଛି ସାଇତି ନ ରଖି ଯାହା ଥିଲା ପାଖରେ ଅନ୍ତରର ନିଷ୍ଠା ସହିତ ସୀମାବଦ୍ଧ ପାଖରେ ନିବେଦନ କରିଛି ସବୁ । ତାହାରି ପ୍ରତିଦାନର ଫଳସ୍ୱରୂପ ସେ ପାଇଛି ସ୍ୱାମୀର ଭଲପାଇବା, ଶ୍ରଦ୍ଧା ଏବଂ ସମ୍ମାନ । ସୀମାବଦ୍ଧ ବି ନିଜକୁ ସମର୍ପି ଦେଇଛି ରାଗିଣୀ ହାତରେ । ରାଗିଣୀ କେବେ ଅଭିମାନରେ ସୁଦ୍ଧା ଅଭିଯୋଗ କରିପାରିନାହିଁ ଏ ସମ୍ପର୍କରେ; ପରସ୍ପରର ବିଶ୍ୱାସ ଉପରେ ନିର୍ମିତ ସେଇ ସମ୍ପର୍କ, ସେଇ ବନ୍ଧୁତ୍ୱ ହୋଇଛି ମଧୁର ଓ ନିବିଡ଼ ।

 

କଟକର ସେଇ ଅନ୍ଧଗଳିରେ ରହିବାପାଇଁ ଭଲ ଲାଗିଲା ନାହିଁ ବୋଲି ସ୍ୱାମୀକୁ ଲଗାଇ ସେ ଚାଲିଆସିଲା ରାଉରକେଲା । ଖୋଲା ଜାଗା, ଚଉଡ଼ା ରାସ୍ତା, ବଢ଼ୁଥିବା ବନସ୍ପତିମାନଙ୍କର ଶୋଭା ଏବଂ ଚାରିଆଡ଼େ ସବୁଜ ପାହାଡ଼ ତାକୁ ଆକର୍ଷଣ କରେ ଏବେବି । ଏଥିପାଇଁ କିନ୍ତୁ ସୀମାବଦ୍ଧକୁ ଅନେକ ଚେଷ୍ଟା କରିବାକୁ ପଡ଼ିଥିଲା । ରାଜ୍ୟ ସରକାରଙ୍କ ଅଧୀନରୁ ଷ୍ଟିଲ ଅଥରଟିକୁ ଆସିବା ସହଜ ନୁହେଁ । କିନ୍ତୁ ତଥାପି ଜଣେ ହିତାକାଙ୍‌କ୍ଷୀଙ୍କ କୃପାରୁ ଶେଷରେ ଡେପୁଟେସନ ମଞ୍ଜୁର ହେଲା, ସୀମାବଦ୍ଧ ସହିତ ରାଗିଣୀ ଚାଲି ଆସିଲା ରାଉରକେଲା ।

 

ତିନିମାସ ହେଲା ଆସିଲାଣି ସେ, କିନ୍ତୁ ଏଇ ତିନିଦିନ ପରି ଲାଗୁଛି । ସମୟ ନିଜ ବାଟରେ କଳରବ କରି ବହିଯାଇଛି କଲ୍ଲୋଳିନୀ ବ୍ରାହ୍ମଣୀ ପରି, ମୁହୂର୍ତ୍ତେ ଅଟକି ଯାଇନି କିମ୍ୱା ପଛକୁ ଫେରି ଚାହିଁନି । ରାଉରକେଲାକୁ ଆସି ମୁକ୍ତିର ନିଶ୍ୱାସ ମାରିଛି ରାଗିଣୀ । କଟକର ତଳ ତେଲେଙ୍ଗା ବଜାରର ସେଇ ଭଡ଼ାଘର, ଘର ଆଗରେ ଖୋଲା ନର୍ଦ୍ଦମା ଏବଂ ପଛପଟେ ମଳତ୍ୟାଗ କରିବାର ସ୍ଥାନ ଆଉ ଆଖିରେ ପଡୁନି କି ସେଇ ଉତ୍କଟ ଗନ୍ଧ ତାକୁ ଆଉ ବିବ୍ରତ କରୁନି-। ଏଠାରେ ସକାଳ ଓ ସନ୍ଧ୍ୟାରେ ସେ ସୀମାବଦ୍ଧ ସହିତ ଘେରାଏ ବୁଲିପାଚୁଛି, ବିଭିନ୍ନ ବୃକ୍ଷର ସବୁଜିମା ଭେଦକରି ଫୁଟିଥିବା ଫୁଲମାନଙ୍କର ଶୋଭା ଦେଖି ହେଉଛି । ଇସ୍ପାତ କାରଖାନା ଏବଂ ନିର୍ମଳ ଆକାଶର ଶୋଭା ଦେଖି ହେଉଛି । ଇସ୍ପାତ କାରଖାନା ଏବଂ ସହର ମଝିରେ ପାହାଡ଼, ଆଖିକୁ ଦିଶେନି କାରଖାନା କିନ୍ତୁ କେବଳ ଆଖିରେ ପଡ଼େ ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ୱିଯାଇଥିବା କାରଖାନା ଚିମ୍‌ନି ଗୋଲାପୀ ରଙ୍ଗର ଧୂଆଁ । ସେତକ ନ ଥିଲେ ଆହୁରି ଶୁଦ୍ଧ, ନିର୍ମଳ ହୋଇଥାଆନ୍ତା ପରିବେଶ । ଏଇ ପରିବେଶ ସହିତ ନିଜ ଜୀବନର ପରିବେଶଟି ବେଶ୍‌ ଖାପ୍‍ ଖାଉଛି-। ସେ ଭୁଲିଯାଇଛି ପଛ କଥା । ବାହାର ଜଗତର ଆକର୍ଷଣ; ତା’ର ଆଖି ଆଗରେ ଓ ମନ ଭିତରେ କେବଳ ଦୋଳି ଖେଳୁଛି ଗୋଟିଏ ସୁଖୀ ପରିବାରର ଐଶ୍ୱର୍ଯ୍ୟ । ସେଠାରେ ତିକ୍ତତା ନାହିଁ, ଅନୁଯୋଗ କି ଅଭିଯୋଗ ନାହିଁ, ଅଛି କେବଳ ସ୍ନେହ, ପ୍ରେମ, ସହଯୋଗ-। ଅଛି ଅନୁରାଗ ଓ ବିଶ୍ୱାସ । ଅଛି ସଦା ସଞ୍ଜୀବତ ଏକ ଅଭିନବ ମଧୁର ସମ୍ପର୍କ ।

 

ପରିପୂର୍ଣ୍ଣ ଜୀବନର ସ୍ୱାଦ ଚାଖି ରାଗିଣୀ ଆହୁରି ସୁନ୍ଦର ଦିଶୁଥିବାବେଳେ ହଠାତ୍‌ ସେଦିନ ସିଭିକ୍‌ ସେଣ୍ଟରରୁ ମହିଳା ସମାଜର ସଭା ପରେ ଫେରୁଥିବାବେଳେ ରାସ୍ତାରେ ଦେଖା ହୋଇଗଲା ସଙ୍କଳ୍ପ ସହିତ । ଅତି ଅପ୍ରତ୍ୟାଶିତ ଏଇ ସାକ୍ଷାତ୍‌ । ନିଜ ଗାଡ଼ିରୁ ଓହ୍ଲାଇପଡ଼ି ତା’ ପାଖକୁ ଚାଲି ଆସି କହିଲା ସଙ୍କଳ୍ପ, ଆରେ ରାଗିଣୀ ଯେ... ! ପ୍ରାୟ ଆଠବର୍ଷ ପରେ ତାକୁ ଦେଖି ଆନନ୍ଦରେ କି ନୁହେଁ ବିସ୍ମୟରେ ଚମକି ପଡ଼ିଥିଲା ରାଗିଣୀ । ସଙ୍କଳ୍ପର ମୁହଁ ଉପରେ ସଦାବେଳର ସେଇ ସ୍ମିତ ହାସ୍ୟ ତା’ର ପଥ ଅବରୋଧ କରି ଅଟକାଇ ଦେଲା ତାକୁ । ସେ ରିକ୍‌ସାରୁ ବାଧ୍ୟହୋଇ ପଡ଼ି କହିଲା, ତମକୁ ଏଠାରେ ଦେଖିବି ବୋଲି କେବେ ଆଶା କରି ନ ଥିଲି ।

ସଂକଳ୍ପକୁ ଭୁଲିଯାଇଥିଲା ରାଗିଣୀ । ବାହା ହେବା ପରେ କୁମାରୀ ଜୀବନର ସବୁ ଅନୁଭୂତ ଏବଂ ଅଭୀପ୍‌ସାକୁ ମନର ଚାରି କୋଣରୁ ଗୋଟେଇ ନେଇ ଅନ୍ତସ୍ଥଳର କେଉଁ ଏକ ନିଭୃତ କୋଣରେ ରଖି ଦେଇ ନିଶ୍ଚିନ୍ତ ହୋଇଥିଲା ସେ । ସେଇ ସ୍ଥାନଟି ତା’ର ଏକାନ୍ତ ଗୋପନୀୟ, ବାଦ୍‌ ଦେଇ ପାରୁ ନ ଥିବା ଜୀବନର ଏକ ମଧୂର ରୋମାଞ୍ଚକର ଅଧ୍ୟାୟ ।

ସଂକଳ୍ପ ସହିତ କେଇପଦ କଥା କହି ସେଦିନ ଘରକୁ ଫେରି ଆସିବାବେଳେ କେଜାଣି କାହିଁକି ଝାଳେଇ ଯାଇଥିଲା ରାଗିଣୀ । ସେଇଦିନୁ ମନକୁ ପୁଣି ଶାସନ କରୁଛି, ମନେପଡ଼ୁଥିବା ପଛକଥାଗୁଡ଼ାକ ବେଳେ ବେଳେ ଅସ୍ଥିର କରିଛି ତାକୁ । କାଳେ ସେଇ ଗୋପନ କଥା ଜାଣିଗଲେ ତାକୁ ସନ୍ଦେହ କରିବ ସୀମାବଦ୍ଧ ସେଥିପାଇଁ ସେଦିନ ସଂକଳ୍ପ ସହିତ ତା’ର ସାକ୍ଷାତ୍‌ ସମ୍ପର୍କରେ ସେ ଅଦୌ କହି ନ ଥିଲା କିଛି ।

ସେ ଯେ କିଛି କରିଛି ତାହା ନୁହେଁ । କଲେଜରେ ପଢ଼ିବା ବେଳର କଥା । ସେତେବେଳେ ସଂକଳ୍ପ ଥାଏ କଲେଜ ଡ୍ରାମାଟିକ୍‌ ସୋସାଇଟିର ସେକ୍ରେଟାରୀ । ସେ ଭଲ ଅଭିନୟ କରିପାରେ ବୋଲି କେମିତି ଜାଣିଲା କେଜାଣି ସିଧା ଘରକୁ ଆସି ଅନୁମତି ମାଗିଲା ବାପାଙ୍କର । ବାପା ହୁଏତ ବୋଉକୁ ପଚାରି ହଁ କି ନା କିଛି ଗୋଟେ କହିଥାଆନ୍ତେ, କିନ୍ତୁ ସେ ଯେତେବେଳେ କହିଲା ଯେ ଅନୁମତି ନ ଦେଲେ ନାଟକ ମଞ୍ଚସ୍ଥ ହେବ ନାହିଁ ଏବଂ ଏହା ଶହ ଶହ ଛାତ୍ରଛାତ୍ରୀଙ୍କର ନୈରାଶ୍ୟର କାରଣ ହେବ ସେତେବେଳେ ଆଉ କାହା ସହିତ ପରାମର୍ଶ କରିବାର ଅବକାଶ ନ ପାଇ ବାପା ରାଜି ହୋଇଯାଇଥିଲେ । ରାଗଣୀ ସଂକଳ୍ପକୁ ଏକା ପାଇ କହିଥିଲା ସେଦିନ– ଯିଏ ନାଟକରେ ଅଭିନୟ କରିବ ତା’ର ବି କିଛି ମତାମତ ଥାଇପାରେ ଏହା ଭୁଲିଗଲ କେମିତି ଯେ ? ତା’ର ଉତ୍ତରରେ କହିଥିଲା ସଂକଳ୍ପ ସେ ଯେ ଅଭିନୟ କରିବ ଏହା ଧରି ନେଇଛନ୍ତି ସମସ୍ତେ ଏବଂ ସେହି କାରଣରୁ ତା’ର ବାପାଙ୍କର ଅନୁମତି ଆଣିବାର ଦାୟିତ୍ୱ ସେମାନେ ନ୍ୟସ୍ତ କରିଥିଲେ ତା’ ଉପରେ ।

କଲେଜର ନାଟକ ମଞ୍ଚସ୍ଥ ହୋଇଥିଲା ଅତି ସଫଳତା’ର ସହିତ । ମୁଖ୍ୟ ନାୟିକାର ଭୂମିକାରେ ଅବତୀର୍ଣ୍ଣ ହୋଇ ମନେରଖିବାଭଳି ଅଭିନୟ କରିଥିଲା ରାଗିଣୀ । ସେଦିନର କଥା ବିସ୍ମୃତ ହୋଇଯାଇଛି, ଆଜି ମନେପକେଇବାକୁ ଚେଷ୍ଟା କଲେବି ସହଜରେ ମନେପଡ଼େନି । କେବେ କେମିତି ମନେପଡ଼ିଲେ ଦୀର୍ଘଶ୍ୱାସଟିଏ ଛାଡ଼ି ପଛ କଥାକୁ ନିଜ ମନ ଭିତରେ ସାଇତି ରଖେ ରାଗିଣୀ ।

 

ସମୟ ଗୋଟିଏ ବିନ୍ଦୁରେ ସ୍ଥିରହୋଇ ରହିନାହିଁ । ଯେତେବେଳେ ମହାନଦୀରେ ଅକଳନ୍ତି ଜଳ ବି ପ୍ରବାହିତ ହୋଇଥିବ ବାଧା ପ୍ରତିବନ୍ଧକକୁ ଲଙ୍ଘନ କରି, ସେ ବି ନିଜର ପରିବାର ଓ ପରିବେଶ ଛାଡ଼ି ଆଉ ଗୋଟିଏ ପରିବାରର ମୁଖ୍ୟ ନାୟିକା ହୋଇଛି । କଅଣ ହରାଇଛି ରାଗିଣୀ ତାହା ଆଉ ହୁଏତ ମନପଡ଼ୁନି ସ୍ପଷ୍ଟ ଭାବରେ ବା ମନକୁ ବିଚଳିତ କରୁନି ଭାବିଲେ ସେ ସମ୍ପର୍କରେ; କିନ୍ତୁ ସେ ପାଇଛି ଅନେକ ଯାହା ଅପ୍ରତ୍ୟାଶିତ । ସେ ହୁଏତ ସେଥିପାଇଁ ଯୋଗ୍ୟା ନୁହେଁ । ଈଶ୍ୱରଙ୍କ ସୁଦୃଷ୍ଟି ବୋଧହୁଏ ଟିକେ ବେଶୀ ପଡ଼ିଚି ତା’ ଉପରେ । ରାଗିଣୀ ସେମିତି କିଛି ପୂଣ୍ୟ ଅର୍ଜନ କରିନାହିଁ ଯେ ଏତେ ସଫଳତା’ର ଅଧିକାରିଣୀ ହେବ । କିନ୍ତୁ ସଫଳତା ସହିତ ସୁଖ ଆସିଛି; ଆସିଛି ପ୍ରେମ, ପ୍ରଣୟ ଓ ଅନୁରାଗ । ସେ ଅତ୍ୟନ୍ତ ସୁଖୀ । ଅଭାବ ନାହିଁ; ବ୍ୟର୍ଥତା ନାହିଁ ।

 

ଆଜି ସେଇ ଅତୀତର କଥା ସ୍ମରଣକରି ମନ ଭିତରଟା ଟଣ୍‌ଟଣ୍‌ କରି ଉଠିଲା । ଅଭିନୟ କରିବାକୁ ଯାଇ ଗୋଟିଏ ଦିନର ଦୁର୍ବଳ ମୁହୂର୍ତ୍ତରେ ସେ କିପରି ସଂକଳ୍ପକୁ ଭଲପାଏ ବୋଲି କହିଥିଲା ଆଜି ତାହା ଭାବିଲେ ଲାଜ ଲାଗେ, ନିଜର ଅସାବଧାନତା ପାଇଁ ନିଜ ଉପରେ ବିରକ୍ତ ହୁଏ । କିନ୍ତୁ ସେଇ ଦିନର ଘଟଣା ସେହିଠାରେ ଶେଷ ହୋଇଥିଲା, ତା’ର ଅବଶେଷ ଯେ ଅକ୍ଷତ ଅନ୍ତସ୍ଥଳକୁ କ୍ଷତବିକ୍ଷତ କରି ନ ଥିଲା କିଏ କହିବ ଆଜି । ସେଦିନ ତ ସଂକଳ୍ପର ସ୍ପର୍ଶପାଇ ବିଜୁଳିପରି ଚହଟି ଉଠିଥିଲା ଆଲୋକ ଓ ଅନୁରାଗରେ, ଆଜି କିନ୍ତୁ ଭାବିଲାକ୍ଷଣି ଲଜ୍ଜାରେ କଚ୍ଛପପରି ଆତ୍ମଗୋପନ କରିବାକୁ ଇଚ୍ଛା ହେଉଛି ମନରେ ।

 

ଦୁଇପଦ ସରଳ ତରଳ କଥା । ଟିକେ ଛୁଆଁଛୁଇଁ–ବାସ୍‌ ଏତିକି । ଦେହଟା ଛୁଇଁଦେଲେ ଅଶୁଦ୍ଧ ହୋଇଯାଏନି । ମନରେ ଥରେ ଗାର ପଡ଼ିଲେ ତାହା ଅପବିତ୍ର ହୋଇଯାଏନି । ସେ ନିଜକୁ ଭସାଇ ଦେଇନି ଉଦ୍ଦାମ ଯୌବନର ସ୍ରୋତରେ, ବରଂ ନିଜକୁ ଶାସନ କରିଛି, ସଂଯମ ଓ ଶୃଙ୍ଖଳାର ଅର୍ଗଳ ପାରି ହେବାକୁ ଚେଷ୍ଟା ନ କରି ସଂସାରର ଆଉ ଏକ ରୋମାଞ୍ଚକର ଲୋଭନୀୟ ରୂପ ନେଇଛି ।

 

ତଥାପି କାହିଁକି ଯେ ସଂକଳ୍ପ ତାକୁ ଭୁଲି ପାରିନି ବୁଝିପାରୁନି ରାଗିଣୀ । ତା’ ଆଖିର ସେଇ ସର୍ବଗ୍ରାସୀ ଅଗ୍ନି ନିର୍ବାପିତ ନ ହୋଇ ବରଂ ଜଳୁଛି ଏପର୍ଯ୍ୟନ୍ତ । ସ୍ୱରରେ ଅନ୍ୟର ମନକୁ ଛୁଇଁବାର ସେଇ ଦୁର୍ବାର ବ୍ୟାକୁଳତା । ସାନିଧ୍ୟରେ ପରକୁ ଆପଣାର କରିବାର ଆକୁଳ ଆମନ୍ତ୍ରଣ ।

 

ଭାବିବାପାଇଁ ଇଚ୍ଛା ନ କରି ମଧ୍ୟ ସଂକଳ୍ପ ସମ୍ପର୍କରେ ଅନେକ ଭାବିଗଲାଣି ରାଗିଣୀ । ବନ୍ଧ ଭାଙ୍ଗି ପାଣି ବହିଯିବା ପରି ତା’ର ବାଧା ବା ବାରଣ ନ ମାନି କେତେକଥା, କେତେ ପାସୋରି ଯାଇଥିବା ଅନୁଭୂତି ଉତୁରି ଉଠୁଛି ମନ ଭିତରେ ।

 

ସଂକଳ୍ପ ଆଉ କେବେ ଦେଖାହେବ ବୋଲି ପଚାରିଥିଲା ସେଦିନ । ନିରୁତ୍ତର ରହିବାପାଇଁ ଇଚ୍ଛା କରି ବି ସେ ରହିପାରିଲା ନାହିଁ ଶେଷରେ । ଆପେ ଆପେ ଘର ଠିକଣାଟା ବାହାରିଗଲା ତୁଣ୍ଡରୁ । ସଂକଳ୍ପ ହସିଦେଇ କହିଥିଲା ଯେ ସେ ଆସିଲେ ଏକା ଆସିବ, ଭେଟିବ କିନ୍ତୁ ଦୁଇଜଣଙ୍କୁ ।

 

ସଂକଳ୍ପର ସେଇ ଘୋଷଣା ଶୁଣି ପ୍ରଥମରେ ହୁଏତ ଖୁସି ହୋଇଥିଲା ରାଗିଣୀ; କିନ୍ତୁ ପରେ ଶିହରି ଉଠିଥିଲା ଆଶଙ୍କାରେ । ସେ ତ ସାଧାରଣ ଅଚିହ୍ନା ଅପରିଚିତ ଲୋକ ପରି ଆସିବ ନାହିଁ, ଇତିହାସର ବିସ୍ମୃତ ଚରିତ୍ର ପରି ପୁଣିଥରେ ଉଭା ହେବ ବୀର ଦର୍ପରେ । ସେ ଖାଲି ହାତରେ ଫେରିଯିବାପାଇଁ ନ ଆସି ହାତ ପୂର୍ଣ୍ଣକରି ନବାପାଇଁ ଯଦି ହାତ ବଢ଼ାଏ ତାହେଲେ କେଉଁ ସାହସରେ ତାକୁ ଫେରାଇ ଦେଇପାରିବ ରାଗିଣୀ ? ଆଜି ସଂକଳ୍ପର ଆସିବାର ଦିନ । ଜାଣି ଜାଣି ସେ ନ କହିଥିଲେ ମଧ୍ୟ ତାକୁ ସଂଧ୍ୟା ସାତଟାରେ ଆସିବାପାଇଁ ସମୟ ଦେଇଥିଲା ରାଗିଣୀ । ପରେ କିନ୍ତୁ ଏଥିପାଇଁ ଅନୁତାପ କରିଥିଲା ସେ । ସଂକଳ୍ପକୁ ନିମନ୍ତ୍ରଣ ନ କରିଥିଲେ ଚଳିଥାଆନ୍ତା ।

 

ସୀମାବଦ୍ଧ ବି ରେଭେନ୍‌ସା କଲେଜର ଛାତ୍ର ଯଦିବା ସେମାନେ ପଢ଼ିବାବେଳକୁ ପଢ଼ା ଶେଷ କରି କଲେଜରୁ ବାହାରିଯାଇଥିଲା ସେ । ସେତେବେଳେ ସହରରେ ତାକୁ ଆଉ ସଂକଳ୍ପକୁ ନେଇ ଯେଉଁ ଗୁଞ୍ଜରଣ ଉଠିଥିଲା, ନାଟକ ଅଭିନୀତ ହେବା ପରେ ଉଭୟଙ୍କର ଫଟୋ ଯେପରି ଲଗାଲଗି ହୋଇ ଖବରକାଗଜରେ ପ୍ରକାଶ ପାଇଥିଲା ତାହା ଦେଖି ଅନେକ ଈର୍ଷା କରିଥିଲେ, କେହି କେହି ବି ତାକୁ ସାବଧାନ କରାଇଦେଇ କହିଥିଲେ ଯେ, ଯେତିକି ହେଲା ସେତିକି, ଆଉ ନୁହେଁ । ନାଟକର ବିଷୟବସ୍ତୁ ନାଟକର ଜୀବନର ଅଲିଭା କାହାଣୀ ହୋଇ ନ ପାରେ । କିନ୍ତୁ ସେତେବେଳକୁ ସେ ରୋମାଞ୍ଚକର ଏକ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିସାରିଥିଲା, ସଂକଳ୍ପ ସମ୍ପର୍କରେ ଭାବିବାକୁ ତାକୁ ସୁଖ ଲାଗୁଥିଲା । ସେଦିନର କଥା ସବୁ ମନେପଡ଼ୁଛି ଆଜି । ଭଲ ହେଲା ସେ ରକ୍ଷାପାଇ ଯାଇଛି; ନ ହେଲେ ଯଦି କେଉଁ ଏ ଦୁର୍ବଳ ମୁହୂର୍ତ୍ତରେ ପାଦ ଖସିଯାଇଥାଆନ୍ତା ସେ ସ୍ତ୍ରୀ ହେବାର, ଜନନୀ ହେବାର ଏତେ ନିର୍ମଳ ଗୌରବ ପାଇ ନ ଥାନ୍ତା ଆଜି-

 

କିନ୍ତୁ ସଂକଳ୍ପ କେଉଁ ଗୁଣରେ ନ୍ୟୂନ ସୀମାବଦ୍ଧଠାରୁ ? ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ ସ୍ୱତନ୍ତ୍ର । ଜଣେ ଅନ୍ୟଜଣକଠାରୁ ଭିନ୍ନ । ରୂପ, ଗୁଣ, ଚରିତ୍ର ଏବଂ ଆକୃତିରେ ପୃଥିବୀର ପ୍ରତ୍ୟେକ ଲୋକ ଅନ୍ୟମାନଙ୍କଠାରୁ ଭିନ୍ନ । ସଂକଳ୍ପଠାରୁ ସୀମାବଦ୍ଧର ସ୍ୱତନ୍ତ୍ରତା ସହଜରେ ଆଖିରେ ପଡ଼େ । ସୀମାବଦ୍ଧର ସମର୍ପଣ ଭାବ ଯେପରି ସଂକଳ୍ପ ପାଖରେ ନାହିଁ ସଂକଳ୍ପର ପଜେସିଭ୍‌ନେସ୍‌ ମଧ୍ୟ ସୀମାବଦ୍ଧ ପାଖରେ ନାହିଁ । ରାଗିଣୀ ଯେତେବେଳେ ଯାହା ଚାହିଁଛି ଦେଇଛି ସୀମାବଦ୍ଧ । ସେଇ ଅତୀତ ଦିନର ରୋମାଞ୍ଚକର କାହାଣୀ ସତ କି ମିଛ ଦିନେହେଲେ ପଚାରି ନାହିଁ । ରାଗିଣୀ ତାକୁ ଯେତିକି ଦେଇଛି ସେତିକିରେ ସନ୍ତୁଷ୍ଟ ସେ । ବରଂ ସେ କହେ ଯେ ଦବାନବାର ଏଇ ସଂସାରରେ କିଏ ବେଶୀ ଦେଲା ଆଉ କିଏ କମ ଦେଲା ତାହା ସୁଖର ମାପକାଠି ନୁହେଁ, ବରଂ ଯାହାର ଯାହା ଅଛି ସେତକ ଅକୃପଣ ଭାବରେ ଆଗ୍ରହ ସହକାରେ ଦେଲା କି ନାହିଁ ତାହାହିଁ ସୁଖର, ବୁଝାମଣାର ମାପକାଠି । ତାହାହିଁ ସଫଳ ପାରିବାରିକ ଜୀବନର ଚାବିକାଠି ।

 

ସଂକଳ୍ପ ହୁଏତ ଯେକୌଣସି ମୁହୂର୍ତ୍ତରେ ପହଞ୍ଚି ଯାଇପାରେ । ଏତେବେଳକୁ ଅଫିସରୁ ଫେରି ଆସିଥାଏ ସୀମାବଦ୍ଧ । ଅଫିସରୁ ଫେରି ଜଳଖିଆ ଓ ଚା’ ଖାଇ ସେ ପୁଣି କ୍ଳବକୁ ଯାଏ ଟେନିସ୍‌ ଖେଳିବାପାଇଁ । କ୍ଳବରୁ ଫେରେ ରାତି ଆଠଟା ପରେ । ଘଡ଼ିକୁ ଚାହିଁଲା ରାଗିଣୀ । ଛଅଟା ବାଜିସାରି ସାତଟା ଆଡ଼କୁ କଣ୍ଟା ଆଗେଇ ଚାଲିଛି । ସୀମାବଦ୍ଧ ଫେରିବାରେ ଆଉ ଟିକେ ବିଳମ୍ୱ କଲେ ହୁଏତ ଦୁହେଁ ଏକା ସାଙ୍ଗରେ ବା ପାଖାପାଖି ପହଞ୍ଚିବାର ସମ୍ଭାବନା ଅଛି । ଏ ସମ୍ପର୍କରେ ଯେତିକି ଭାବିଲା ରାଗିଣୀ ସେତିକି ଉତ୍କଣ୍ଠା ବଢ଼ିଲା ମନ ଭିତରେ । ସଂକଳ୍ପକୁ ନିମନ୍ତ୍ରଣ କରି ସେ ହୁଏତ ଭୁଲ କରିଛି । ଏଇ ସାମାନ୍ୟ ଭୁଲରୁ ଯଦି ସୀମାବଦ୍ଧ ସହିତ ଗଢ଼ିଉଠିଥିବା ସମ୍ପର୍କ, ବିଶ୍ୱାସର ସେତୁବଦ୍ଧ ଭାଙ୍ଗିଯାଏ ବା ସେଥିରେ ଫାଟ ଧରେ ! ରାଗିଣୀ ନିଜ ଭିତରେ ନିଜେ ମ୍ରିୟମାଣ ହେବାକୁ ଲାଗିଲା, ସଂକଳ୍ପକୁ ସଙ୍ଖୋଳିବାର ସାହସ ଟିକକ ଆପେ ଆପେ ମଉଳି ଯିବାରେ ଲାଗିଲା ।

 

କିନ୍ତୁ ସୀମାବଦ୍ଧ ପହଞ୍ଚି ଯାଇ ପରିବେଶକୁ ସହଜ କରିଦେଲା । ରାଗିଣୀର ମୁହଁକୁ ଚାହିଁଦେଇ ସେ ତା’ର ହାତ ଉପରେ ହାତ ରଖି କହିଲା–କଅଣ ହୋଇଛି...ଇମିତି ଗମ୍ଭୀର ହୋଇ ରହିଛ ଯେ...? ରାଗିଣୀ ଧରା ନ ପଡ଼ିବାପାଇଁ ମିଛ କହିଲା–ନା ନା, ତୁମ ଆଖିକୁ ସେମିତି ଦିଶୁଥିବି... ମୁଁ କିନ୍ତୁ ଠିକ୍‌ ସଦାବେଳେ ଯେମିତି ଥାଏ ସେମିତି...ନିଶ୍ଚିନ୍ତ ଆଉ ନିଶ୍ଚିତ ।

 

ସୀମାବଦ୍ଧ ଚା’ ଜଳଖିଆ ଖାଇ ପୋଷାକ ବଦଳାଇ ସ୍ତ୍ରୀକୁ ଟିକେ ଆଦର କରି ବାହାରିଗଲାବେଳେ କହିଗଲା ଯେ ଫେରିବାକୁ ହୁଏତ ଡେରି ହୋଇପାରେ । କ୍ଳବରେ ପ୍ରତିଯୋଗିତା ଅଛି ଗୋଟେ–ସେଥିରେ ତାକୁ ଖେଳିବାକୁ ହେବ ।

 

ହଠାତ୍‌ ଛାତି ଭିତରଟା ହାଲୁକା ଲାଗିଲା ପରି ଅନୁଭବ କଲା ରାଗିଣୀ । ସ୍ୱାମୀକୁ ବିଦାୟ ଦେଇ ଘଡ଼ିକୁ ଚାହିଁବା କ୍ଷଣି ସାତଟା ବାଜୁଥିବାର ଦୃଷ୍ଟିରେ ପଡ଼ିଲା ତା’ର ।

ସମୟାନୁବର୍ତ୍ତିତା ରକ୍ଷା କରି ଠିକ୍‌ ସାତଟାରେ ପହଞ୍ଚିଗଲା ସଂକଳ୍ପ । ଗାଡ଼ିଟାକୁ ରାସ୍ତା କଡ଼ରେ ପାର୍କ କରି ଫାଟକ ଖୋଲି ପଶି ଆସିବାବେଳକୁ ତାକୁ ସଙ୍ଖୋଳି ନବାପାଇଁ ଦ୍ୱାର ଖୋଲି ଛିଡ଼ାହେଲା ରାଗିଣୀ । ଟିକେ ସମୟ ପାଇ ଏ ଭିତରେ ସେ ଲୁଗାଟା ବଦଳାଇ ନେଇଛି, ଦାମୀ ସେଣ୍ଟ୍‌ ଟିକେ ବୋଳି ଦେଇଛି ଶାଢ଼ି ଏବଂ ବ୍ଲାଉଜ ଉପରେ ।

ତା’ ହାତକୁ ଏକ ଗୁଚ୍ଛ ଗୋଲାପ ବଢ଼ାଇଦେଇ କହିଲା ସଂକଳ୍ପ–ତମେ ଆଦୌ ବଦଳିନ ରାଗିଣୀ... ଯେପରି ଦେଖିଥିଲି କଲେଜ ଛାଡ଼ିବାବେଳେ ଆଜି ବି ଠିକ୍‌ ସେହିପରି ଦିଶୁଛ... ଚମତ୍କାର... ସମୟକୁ ଗୋଟିଏ ବିନ୍ଦୁରେ ବାନ୍ଧି ରଖିବାର ସୂତ୍ରଟି ମୋତେ ବି ଟିକେ କୁହନ୍ତ କି ?

ରାଗିଣୀ ଲଜ୍ଜାରେ ଲାଲ ପଡ଼ିଗଲା, ସହସା କିଛି ଉତ୍ତର ଦେଇ ପାରିଲା ନାହିଁ । ସେ କେବଳ ଅପଲକ ନୟନରେ ଅନେଇ ଥିଲା ସଂକଳ୍ପ ଆଡ଼କୁ...ଠିକ୍‌ ଆଗପରି...କଥା ଭାଷାର ଢଙ୍ଗ ଆଦୌ ବଦଳି ନାହିଁ ସଂକଳ୍ପର । ଗୋରା ଲମ୍ବା ଚେହେରା ।

ଚୁପ ହୋଇ ବସି ରହିଲ ଯେ ? ...କହିଲା ସଂକଳ୍ପ ।

ରାଗିଣୀ ନିଜକୁ ସଜାଡ଼ି ନେଇ ମିନିଟିକ ପାଇଁ ଭିତରକୁ ଯାଇ କଫି କରିବାପାଇଁ ପାଣି ବସେଇ ଦେଇ ଆସିଲା । ଜଳଖିଆ ଆଗରୁ ତିଆରି କରିଛି ।

ତାକୁ ଫେରି ଆସିବାର ଦେଖି କହିଲା ସଂକଳ୍ପ, ତାଙ୍କୁ ଦେଖୁନାହିଁ ଯେ... ଘରେ ନାହାନ୍ତି-?

–କ୍ଳବକୁ ଯାଇଛନ୍ତି । ପୁଅ ତ ପବ୍ଲିକ୍‌ ସ୍କୁଲରେ ।

–ଘରେ ତା’ହେଲେ ଖାଲି ମିଆଁ ବିବି... ବେଶ୍‌ ମଜା କରୁଥିବ ତ !

ହଁ, ବେଶ୍‌ ସୁଖରେ ଅଛି ରାଗିଣୀ । ସୀମାବଦ୍ଧ ଯାହା ରୋଜଗାର କରେ ଘରଖର୍ଚ୍ଚ ପାଇଁ ଯଥେଷ୍ଟ । କିଛି ଉଦ୍‌ବୃତ୍ତ ବି ରହେ । ପଚିଶ ହଜାର ଟଙ୍କାର ଗୋଟେ ଫିକ୍‌ସଡ଼ ଡିପୋଜିଟ୍‌ କରିଛି ରାଗିଣୀ ନାମରେ । ଆଉ ବର୍ଷକ ପରେ ପଚାଶ ହଜାର ହୋଇଯିବ । ମୂଳ ଓ ସୁଧ ମିଶି ଯେମିତି ହୁ ହୁ ହୋଇ ବଢ଼ୁଛି ବ୍ୟାଙ୍କରେ ସେହିପରି ସ୍ନେହ, ପ୍ରେମ, ବୁଝାମଣାର ଜମାଘର ବୃଦ୍ଧିପାଉଛି କେବଳ ।

 

ନୀରବରେ ବସି ରହିବା ଅଭଦ୍ରତା ହେବ । ଏତେଦିନ ପରେ ଦେଖାହେଉଛି ସଂକଳ୍ପ ସହିତ । ରାଗିଣୀକୁ କିଛି କହିବାକୁ ହେବ । କଅଣ କହିବ ରାଗିଣୀ ? କହିବାର ଯାହା ଥିଲା ସେତେବେଳେ ନିଃସଙ୍କୋଚରେ କହିଥିଲା ସଂକଳ୍ପକୁ । ଆଉ ଆଜି ? ଯାହା କହିବାର ଅଛି ତାହା ଶୁଣିବାର ଆଗ୍ରହ ହୁଏତ ନ ଥିବ ସଂକଳ୍ପର ।

 

ତଥାପି ଗ୍ରୀବା ହଲାଇ ରାଗିଣୀ କହିଲା–ତୁମକୁ ରାଉରକେଲାରେ ଦିନେ ଦେଖିବି ବୋଲି, ସ୍ୱପ୍ନରେ ବି ଭାବି ନ ଥିଲି ।

 

ତା ତୁଣ୍ଡରୁ କଥା ଛଡ଼ାଇ କହିଲା ସଂକଳ୍ପ–ସତ କୁହ ରାଗିଣୀ–ମୋତେ ଭୁଲିଯାଇନ... ମୋ ବିଷୟରେ ସ୍ୱପ୍ନ ଦେଖ ?

 

ବଡ଼ ଅଡ଼ୁଆରେ ପଡ଼ିଗଲା ରାଗିଣୀ । କଅଣ କହିବାକୁ ଯାଇ ଆଉ କଅଣ ଖସିଗଲା ତୁଣ୍ଡରୁ । ସେତକ ନ କହି ଆଉ କିଛି କହିଥିଲେ ଚଳିଥାଆନ୍ତା । ସଂକଳ୍ପ ବାଧ୍ୟ କରୁ ନ ଥିଲା କହିବାପାଇଁ । ସେଇ ପଥରୁ ନିଜକୁ ଗୋଟେଇ ଆଣିବାକୁ ଯାଇ କହିଲା ରାଗିଣୀ–ସ୍ୱପ୍ନ ତ ଅନେକ... କିନ୍ତୁ ସ୍ୱପ୍ନ ସତ୍ୟ ନୁହେଁ...ଏବେ ତୁମ ବିଷୟରେ କୁହ ମୁଁ ଶୁଣିବି... ଏଠାରେ କେବେଠୁ ରହିଲଣି...କଅଣ କରୁଛ... ଆଉ ସବୁ କିଏ ଅଛନ୍ତି ସାଙ୍ଗରେ...

 

ପୁଣି ସେଇ ସର୍ବଗ୍ରାସୀ ଦୃଷ୍ଟିରେ ଆପାଦମସ୍ତକ ନିରୀକ୍ଷଣ କରି କହିଲା ସଂକଳ୍ପ–ତୁମ କଥାରୁ ଜାଣିଛି ଯେ ତୁମେ ସ୍ୱପ୍ନ ଦେଖିବାକୁ ବି ଭୟ କରନାହିଁ ରାଗିଣୀ... କିନ୍ତୁ ସ୍ୱପ୍ନ ତ ସତ୍ୟ ନୁହେଁ, ହବାର ସମ୍ଭାବନା ମଧ୍ୟ ନାହିଁ କହିଲେ ଚଳେ । ଆଉ ମୋ ବିଷୟରେ କଅଣ ବା କହିବି ଯେ... ଏଇ ରାଉରକେଲା ମୋର କର୍ମସ୍ଥଳୀ । ଏଠାରେ ଇନ୍‌ସୁରାନ୍‌ସ କମ୍ପାନୀର ଡେଭଲପ୍‌ମେଣ୍ଟ ଅଫିସର । ଏଠାରେ ରହିଗଲିଣି ପାଞ୍ଚବର୍ଷ ହେବ । ତା’ ଆଗରୁ ଥିଲି ସୁନାବେଡ଼ାରେ । ବେଶ୍‌ ଭଲ ଲାଗୁଛି ଏଠାରେ...କେବଳ...ଏଥିରେ ସୁଖ ଅଛି କି ନାହିଁ କେଜାଣି କିନ୍ତୁ ବେଦନା ଅଛି ଅନେକ ।

 

ହଠାତ୍‌ ଭାବପ୍ରବଣ ହୋଇପଡ଼ିଲା ସଂକଳ୍ପ । ନାଟକରେ ଅଭିନୟ କଲାବେଳେ ବି ହଠାତ୍‌ ଇମିତି ଭାବପ୍ରବଣ ହୋଇ ଡାଇଲଗ୍‌ କହୁଥିଲା ସେ । ସେତେବେଳେ ଅଧିକ ବାସ୍ତବ, ଅଧିକ ପ୍ରାଣସ୍ପର୍ଶୀ ହେଉଥିଲା ତା’ର ଅଭିନୟ । କିନ୍ତୁ ରିହର୍ସାଲ୍‌ ପରେ ବାହାରକୁ ଆସିଲେ ମୁହଁ ଉପରେ ଏକ ଅବୋଧ୍ୟ ହସ ଖେଳାଇ ସଂକଳ୍ପ ଯାହା କହୁଥିଲା ଏବେବି ଭୁଲି ଯାଇନି ରାଗିଣୀ । ନାଟକର ଅଭିନୟ ଆଉ ବାସ୍ତବ ଜୀବନର ଅଭିନୟ ଦୁଇଟି ଭିନ୍ନ ସମୟ । ନାଟକର ଚରିତ୍ର ଯେପରି ବାସ୍ତବତାଠାରୁ ବହୁ ଦୂରରେ, ରକ୍ତମାଂସର ନାୟକ ସେହିପରି ନାଟକର ନାୟକଠାରୁ ଅନେକ ଦୂରରେ । ଜଣକର ଆଉ ଜଣକ ସହିତ ଭେଟ ହୁଏନି କେବେ ।

 

କିନ୍ତୁ ଆଜି ବୋଧହୁଏ ଅସମ୍ଭବ ସମ୍ଭବ ହୋଇଛି । ରାଗିଣୀ ସହିତ ଭେଟ ହୋଇଛି ସଂକଳ୍ପର । ଅପ୍ରତ୍ୟାଶିତ ହେଲେ ମଧ୍ୟ ସତ୍ୟ । ସତ୍ୟ ଏହିପରି ଅପ୍ରତ୍ୟାଶିତ ଭାବରେ ମୁହାଁମୁହିଁ ଛିଡ଼ାହୁଏ ମଣିଷର ।

 

ଜଳଖିଆ ଆଣି ଟେବୁଲ ଉପରେ ଢାଙ୍କି ରଖିଲା ରାଗିଣୀ । ତାପରେ ଟି ପଟ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ରଖିଲା ଟେବୁଲ ଉପରେ । ଜାଣି ଜାଣି ଚାକର ଟୋକାକୁ ପଠେଇ ଦେଇଥିଲା ସିନେମା ଦେଖିବାପାଇଁ–ସଂକଳ୍ପ ସହିତ ତା’ର ସାକ୍ଷାତ୍‍ ସମୟରେ ତୃତୀୟ ବ୍ୟକ୍ତି ପାଖରେ ନ ରହିବା ଭଲ । ସେ ନିଜେ ସିନା ନିଜ ଉପରୁ ବିଶ୍ୱାସ କରାଇନାହିଁ, କିନ୍ତୁ ଯଦି ସଂକଳ୍ପର ଉପସ୍ଥିତିରେ ଚହଲି ଯାଏ ସେଇ ବିଶ୍ୱାସ... । ନିଜକୁ ଦୃଢ଼ କରିବାକୁ କାଲିଠାରୁ ଚେଷ୍ଟା କରୁଛି ରାଗିଣୀ । ଭାରସାମ୍ୟ ନ ହରାଇବା ଲାଗି ମାପିଚୁପି କଥା କହୁଛି, ହସୁଛି । ତଥାପି ଦୂରତ୍ୱ ହ୍ରାସ ପାଇବାରେ ଲାଗିଛି । ସଂକଳ୍ପ ସହିତ ଯଥେଷ୍ଟ ବ୍ୟବଧାନ ରକ୍ଷାକରି ସେ ବସିଥିଲେ ମଧ୍ୟ ସେ ଯେପରି କ୍ରମଶଃ ତାହାରି ଆଡ଼କୁ ମାଡ଼ିଆସୁଛି ।

 

ରାଗିଣୀ କଥାର ମୋଡ଼ ବଦଳାଇବାପାଇଁ କହିଲା–ଜୀବନବୀମାର ବିକଳ୍ପ ନାହିଁ ସଂକଳ୍ପ... ସୁଖର ମଧ୍ୟ ବିକଳ୍ପ ନାହିଁ... ନିଅ ଜଳଖିଆ ଖାଅ... ସାମାନ୍ୟ କିଛି କରିଛି... ତୁମର ପସନ୍ଦ ହେବ କି ନାହିଁ କେଜାଣି...

 

ମାଂସ ଚପ୍‌ ଖାଇବାକୁ ଭଲପାଏ ସଂକଳ୍ପ । ସେଥିରୁ ଖଣ୍ଡେ ଖାଇସାରି ସେ କହିଲା–ତୁମେ କିଛି ଭୁଲିନ ଦେଖୁଛି...

 

ରାଗିଣୀର ମନେପଡ଼ିଲା ସବୁ । କଲେଜରେ ପଢ଼ିବା ସମୟରେ କ୍ଳାସ ସରିଲେ ମଝିରେ ମଝିରେ ଷ୍ଟେସନ ରେସ୍ତୋରାଁକୁ ତାକୁ ନେଇ ଯାଉଥିଲା ସଂକଳ୍ପ । କରିମ୍‌ ମିଆଁର ହାତ ତିଆରି ମାଂସ ଚପ୍‌ ଖାଇବାପାଇଁ ଅନେକ ଆସୁଥିଲେ ଷ୍ଟେସନ ରେସ୍ତୋରାଁକୁ । ସେଇଠାରେ ଦିନେ ନିରୋଳାରେ ବସି ଜଳଖିଆା ଖାଇବା ସମୟରେ ସଂକଳ୍ପ ଜୋର୍‌ କରି ତାକୁ ଖୁଆଇ ଦେଇଥିଲା ମାଂସ ଚପ୍‌ ଏବଂ ତା’ପରେ ଅବଶିଷ୍ଟାଂଶ ତା’ ପାଟି ଭିତରେ ଭର୍ତ୍ତି କରିଦବାପାଇଁ ଆଁ କରି ଚାହିଁଥିଲା ରାଗିଣୀକୁ । ଥରିଲା ହାତରେ ନିଜର ଅଧାଖିଆ ମାଂସ ଚପ୍‌କୁ ସଂକଳ୍ପର ମୁହଁ ଭିତରେ ଭର୍ତ୍ତି କରିଦବାବେଳେ ସେ ମୁହଁ ବନ୍ଦକରି ଦବାରୁ ଦାନ୍ତ ମଝିରେ ଅଟକିଯାଇଥିଲା ରାଗିଣୀର ତିନୋଟି ଅଙ୍ଗୁଳି । ଦାନ୍ତର ଦାଗ ବସି ଯାଇଥିଲା ଅଙ୍ଗୁଳି ଉପରେ ।

 

ମାଂସ ଚପ୍‌ କରି ନ ଥିଲେ ଚଳିଥାଆନ୍ତା । ରାଗିଣୀ ଯେତିକି ନିଜକୁ ଗୋଟେଇ ନବାକୁ ଇଚ୍ଛା କରୁଛି ସେତିକି ଖୋଲି ହୋଇଯାଉଛି ସେ । ସଂକଳ୍ପ ମାଂସ ଚପ୍‌ ଖାଇବାପାଇଁ ବରାଦ କରି ନ ଥିଲା, କିନ୍ତୁ ମାଂସ ଚପ୍‌ ଦେଇ ଅତୀତକୁ କେବଳ ଆଉଥରେ ସ୍ମରଣ କରାଇଦେଲା ରାଗିଣୀ ।

 

ରାଗିଣୀ ସବୁ ଭୁଲି ଯାଇଥିଲା । କିନ୍ତୁ ସଂକଳ୍ପ ସହିତ ସାକ୍ଷାତ୍‍ ହେବା ପରେ ପୁଣି ସବୁ ମନେପଡ଼ୁଛି ।

 

ସେ କପ୍‌ରେ ଚା’ ଓ ଦୁଧ ଢାଳି ଚିନି ଦବାବେଳେ କହିଲା–ଏକ ନା ଦୁଇ...

 

–ଏକ ନଉଥିଲି ଆଜି କିନ୍ତୁ ଦୁଇ ଦିଅ ।

 

–ହଠାତ୍‌ ବେଶୀ ମିଠା ଖାଇବାପାଇଁ ଇଚ୍ଛା ହେଲା କାହିଁକି ?

 

–ମୋ ଭାଗ ଆଉ ତୁମ ଭାଗ ମିଶି ଦୁଇ ହେଲାନି... ତୁମେ ତ ମୋଟା ହୋଇଯିବ ବୋଲି ଆଦୌ ଚିନି ଖାଅନି ପଢ଼ିବା ସମୟରୁ ।

 

ସେ ଖାଲି ଅତୀତକୁ ମନେରଖିନି, ସଂକଳ୍ପ ବି ଭୁଲିଯାଇନି କିଛି । ସେ ଚିନି ଖାଏନି, ରକ୍ତ ଗୋଲାପ ଭଲପାଏ ସେ... କିଛି ଭୁଲିନି ସଂକଳ୍ପ । ତାକୁ ବି ହୁଏତ ଭୁଲି ନ ଥିବ ।

 

ସବୁ ଗୋଳମାଳ ହୋଇଯାଉଛି ରାଗିଣୀର । ପଦେ ପଦେ ସେ କେବଳ ଅତୀତକୁ ଆବିଷ୍କାର କରି ଚାଲିଛି ।

 

ରାଗିଣୀ ହାତରୁ ଚା କପ୍‌ ନେବାବେଳେ ତା’ର ଅଙ୍ଗୁଳି ଉପରେ ସଂକଳ୍ପର ଅଙ୍ଗୁଳି ରହିଗଲା ମୁହୂର୍ତ୍ତେ । ହେ ଭଗବାନ୍‌ ! ବସ୍ତ୍ର ଦାନ କରି ଦ୍ରୌପଦୀର ଲଜ୍ଜା ନିବାରଣ କରିଥିଲ ପ୍ରଭୋ-! –ମନେ ମନେ ପ୍ରାର୍ଥନା କଲା ରାଗିଣୀ ।

 

ସଂକଳ୍ପ ଚା’ରେ ଚୁମୁକ୍‌ ଦେଇ କହିଲା–ଗୋଟେ ନୂଆ ବିଷୟ ମୁଁ କିନ୍ତୁ ଲକ୍ଷ୍ୟ କରୁଛି ରାଗିଣୀ । ଆଗେ ତୁମେ ଅନ୍ୟମନସ୍କ ହେଉ ନ ଥିଲ; ଏବେ କିନ୍ତୁ ଦେଖୁଛି ବାରମ୍ୱାର ଅନ୍ୟମନସ୍କ ହୋଇପଡ଼ୁଛି... କଅଣ କହିବ କହିବ ହୋଇ କହିପାରୁନ...ସତ କୁହ କଅଣ ହୋଇଛି !

 

ରାଗିଣୀର ମଥା ଉପରେ ଗୋଟିକ ପରେ ଗୋଟିଏ ପାହାଡ଼ ଲଦି ହୋଇଯାଉଛି । ଭାରି ଭାରି ଲାଗୁଛି ମୁଣ୍ଡ । ଝାଳେଇ ଯାଉଛି ଶରୀର । ବେଶ୍‌ ଭଲରେ ଥିଲା ସେ–ହଠାତ କାହିଁକି ଯେ ସବୁ ଗୋଳମାଳ ହୋଇଗଲା । କାହାକୁ ଦୋଷ ଦବନି ରାଗିଣୀ । ସଂକଳ୍ପର ଦୋଷ ନାହିଁ–ସେ ଡାକି ନ ଥିଲେ ଆସି ନ ଥାନ୍ତା ସଂକଳ୍ପ । ଆଉ ତା’ ସହିତ ଦୀର୍ଘଦିନର ବ୍ୟବଧାନ ପରେ ଦେଖାହେବା ବେଳେ ସେ ଯଦି ତାକୁ ଡାକି ନ ଥାନ୍ତା ଘରକୁ ଅକ୍ଷମଣୀୟ ଅସୌଜନ୍ୟତା ହୋଇଥାଆନ୍ତା ନିଶ୍ଚୟ । କିନ୍ତୁ ସୀମାବଦ୍ଧକୁ ନ କହି ସେ ବୋଧହୁଏ ଭୁଲ କଲା । ସୀମାବଦ୍ଧକୁ କହିଥିଲେ ସେ କ୍ଲବ୍‌ ନ ଯାଇ ଘରେ ରହିଥାଆନ୍ତା । ଆଉ ଗଲେ ବି ଏତେ ଆଶଙ୍କା ଅସ୍ଥିର କରୁ ନ ଥାନ୍ତା ତାକୁ । ହଠାତ୍‌ ଯଦି ଫେରିଆସି ସଂକଳ୍ପକୁ ତାହାରି ପାଖରେ ନିଜ ଘରେ ଆବିଷ୍କାର କରେ ସେତେବେଳେ କଅଣ ଭାବିବ ସେ... ଏଇ ଭାବନାରେ ବିଷ ଅଛି, ବିଶ୍ୱାସ ବି ଅଛି । ଏତେ ଦିନର ବିଶ୍ୱାସ ଯଦି ସାମାନ୍ୟ ବିଷର ଦାଉରେ ଭାଙ୍ଗିରୁଜି ଯାଏ... ସୀମାବଦ୍ଧ ଯଦି ଅବିଶ୍ୱାସ କରିବାକୁ ଆରମ୍ଭ କରେ ?

 

ସତ କହି ପାରିଲାନି ରାଗିଣୀ । ସେ ଚା କପ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଟ୍ରେ ଉପରେ ରଖିବାବେଳେ କହିଲା–ସବୁ କଥା ସବୁବେଳେ କହି ହୁଏନା ସଂକଳ୍ପ । ଏ ଯାଏ ଫେରିଲେନି ସେ । ହୁଏତ ତୁମ ସହିତ ଆଜି ଆଉ ଦେଖାହେବନି...।

 

ରାଗିଣୀ ମନରେ ଦ୍ୱନ୍ଦ୍ୱ ଘନୀଭୂତ ହବାକୁ ଲାଗିଛି । ସୀମାବଦ୍ଧକୁ ନ କହି ସଂକଳ୍ପକୁ ଡାକିବା ଠିକ୍‌ ହୋଇନାହିଁ ବୁଝିପାରୁଛି ସେ । କିନ୍ତୁ ନାଚାର ହୋଇ ଯେ ଏହା ସେ କରିଛି ସେଥିରେ ତିଳେହେଲେ ସନ୍ଦେହ ନାହିଁ ମନରେ । ସାତବର୍ଷର ଦାମ୍ପତ୍ୟ ଜୀବନର ସୁଖକୁ ସନ୍ଦେହ ଭିତରକୁ ଟାଣି ନବାକୁ ଚାହେଁନା ରାଗିଣୀ । ପୁରୁଷ ସଦାବେଳେ ସନ୍ଦେହୀ । ସଂକଳ୍ପ ସହିତ ତା’ର ସମ୍ପର୍କ ବିଷୟ ସେ ହୁଏତ ଭୁଲିପାରିନି । କଲେଜ ପଢ଼ା ପରେ ସେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବ ଭାବି ସେ ହୁଏତ ଅଯଥା ସନ୍ଦେହ ସୃଷ୍ଟି ନ କରିବାପାଇଁ କେବେହେଲେ ଏ ବିଷୟ ଉତ୍‌ଥାପନ କରିନାହିଁ-। ଖବରକାଗଜ ପୃଷ୍ଠାରେ ସଂକଳ୍ପ ଓ ତା’ର ଫଟୋ ଏକତ୍ର ପ୍ରକାଶ ପାଇ ସେତେବେଳେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଥିଲା । ଏବେବି ସେହି ଫଟୋ ବାକ୍‌ସ ତଳେ ସାଇତି ରଖିଛି ରାଗିଣୀ-। ସେତେବେଳେ ସେ ଦୁହିଁଙ୍କୁ ସଂକଳ୍ପ ରାଗିଣୀ ଯୋଡ଼ି ବୋଲି ବନ୍ଧୁମାନେ କେତେ ପରିହାସ କରୁଥିଲେ । କେତେଜଣ ଦୁଷ୍ଟ ପିଲା ସେମାନଙ୍କୁ ନିନ୍ଦିତ କରିବାଲାଗି କଲେଜର କାନ୍ଥ ଓ ପାଚେରିରେ ଲେଖି ଦେଇଥିଲେ ରାଗିଣୀ + ସଂକଳ୍ପ । ଏ ସବୁ ଯେ କିଛି ଜାଣି ନ ଥିବ ସୀମାବଦ୍ଧ ସେପରି ନୁହେଁ । ରାଗିଣୀ ଯେପରି ଅତୀତକୁ ଭୁଲିଯାଇ ବର୍ତ୍ତମାନକୁ ବଞ୍ଚିବାର ଆଧାର କରିଛି ସେ ବି ହୁଏତ ସେହିପରି କରିଥିବ । ଯେଉଁ ଅତୀତ ଜୀବନ୍ତ ନୁହେଁ ତାହା ଭୂତ ହୋଇ ଭୟ ଦେଖାଇପାରେ; କିନ୍ତୁ ପ୍ରକୃତ ଯୁଦ୍ଧ କରିବାପାଇଁ ଯେ ସକ୍ଷମ ନୁହେଁ–ଏହା କିଏ ନ ଜାଣେ ?

 

ସଂକଳ୍ପ ହାତ ଘଡ଼ିକୁ ଚାହିଁଲା । ସମୟ ସାଢ଼େ ଆଠଟା । ଏତେବେଳକୁ ଫେରିଆସେ ସୀମାବଦ୍ଧ । ହୁଏତ ଫେରୁଥିବ ଏତେବେଳକୁ । ସଂକଳ୍ପକୁ ଚାଲିଯିବାପାଇଁ କହିପାରୁନି ରାଗିଣୀ, ସେ ନିଜେ ଚାଲିଯାଆନ୍ତା କି...

 

ରାଗିଣୀକୁ ତରତର ହୋଇ ଭିତର ବାହାର ହେବାର ଦେଖି କହିଲା ସଂକଳ୍ପ, ଆଜି ଅନେକ ସମୟ ନଷ୍ଟ କଲି ତୁମର...

 

କିନ୍ତୁ ଅଭଦ୍ରାମି ହେଉଥିବାର ଦେଖି ସହସା କହିପକେଇଲା ରାଗିଣୀ, ନା, ନା... ବରଂ ତମେ ଆସିଥିବାରୁ ମୁଁ ଅନେକ ଖୁସି । କିନ୍ତୁ ଗୋଟିଏ କଥା ଏଯାଏ କୁହା ହେଲାନି ସଂକଳ୍ପ... ।

 

–ଡେରି ନ କରି କହି ପକାଅ । ମୁଁ ତ ଶୁଣିବାପାଇଁ ଅପେକ୍ଷା କରି ବସିଛି...

 

–ତମେ ବାହା ହୋଇନ କାହିଁକି ? ଇମିତି ଏକୁଟିଆ ରହିବାର କିଛି ମାନେ ହୁଏନା ।

 

ସଂକଳ୍ପ ସେଇ ସର୍ବଗ୍ରାସୀ ଦୃଷ୍ଟିରେ କେଇ ମୁହୂର୍ତ୍ତ ଚାହିଁବା ପରେ ଧୀରେ ଧୀରେ କହିଲା–ଭଲ ନ ପାଇ ବାହାହୋଇ ସଂସାର କରାଯାଇପାରେ; କିନ୍ତୁ ସୁଖୀ ହେବା ସମ୍ଭବ ନୁହେଁ । ମୁଁ ଛଳନା କରି ବଞ୍ଚିବାକୁ ଭଲପାଏନି ରାଗିଣୀ ।

ଚମକିପଡ଼ିଲା ରାଗିଣୀ । ସଂକଳ୍ପର କଣ୍ଠରେ ଛାତ୍ର ଜୀବନର ସ୍ୱର । ପ୍ରେମ କରିବାର ଆଦ୍ୟ ଅଧ୍ୟାୟ ତା’ ପାଖରେ ଏବେବି ତା’ହେଲେ ଜୀବନ୍ତ ହୋଇ ରହିଛି । କିନ୍ତୁ ରାଗିଣୀ କଅଣ କରିପାରିବ ଆଉ ? ସେ ନାଚାର । ତା’ ପାଖରେ ଦବାପାଇଁ କିଛି ନାହିଁ...

ଦୀର୍ଘନିଶ୍ୱାସ ଛାଡ଼ି ଅନ୍ୟଆଡ଼କୁ ମୁହଁ ଫେରାଇଲା ରାଗିଣୀ ।

ସଂକଳ୍ପ ତୁଣ୍ଡରୁ ହଠାତ୍‌ ଖସିଗଲା ପଦେ କଥା–ତୁମେ ସୁଖୀ ତ ରାଗିଣୀ ?

ରାଗିଣୀ ନିଜ ଭିତରର କୋହକୁ ଚାପି ରଖିବାପାଇଁ ଛଳନା କରି ଭିତରକୁ ଚାଲିଗଲା ଟିକେ ।

ଆଉ ଠିକ୍‌ସେଇ ମୁହୂର୍ତ୍ତରେ କଲିଂ ବେଲ୍‌ ଟିପିଲା କିଏ ।

ସଦର ଦରଜା ଭିତରୁ ବନ୍ଦ କରି ଦେଇଥିଲା ରାଗିଣୀ ।

ସେଇ ବାଲକୋନି ଉପରୁ ନଇଁପଡ଼ିବା ସଙ୍ଗେ ସଙ୍ଗେ ସୀମାବଦ୍ଧ ଆଖିରେ ପଡ଼ିଲା ।

ଛାତି ଭିତରଟା ଧଡ଼୍‌ ଧଡ଼୍‌ କରିଉଠିଲା । ଚାଲୁଥିବା ଟ୍ରେନ୍‌ର ଚକ ପରି ଛାତିତଳର ସ୍ପନ୍ଦନ ବଢ଼ୁଛି କ୍ରମଶଃ । କଅଣ କରିବ କିଛି ଠିକ୍‌ କରି ନ ପାରି ସଂକଳ୍ପକୁ ହଠାତ୍‌ ଟାଣିଆଣି ଖାଲିପଡ଼ିଥିବା ପୁଅର କୋଠରିରେ ବସେଇ ଦେଇ କହିଲା–ଏଇଠି ଟିକେ ଚୁପ୍‌କରି ବସିରୁହ ସଂକଳ୍ପ... ମୋତେ ରକ୍ଷା କର ।

ସ୍ତବ୍‌ଧ ସଂକଳ୍ପ କିଛି କହିବା ପୂର୍ବରୁ ବାହାରୁ ଦରଜା ବନ୍ଦ କରି ରାଗିଣୀ ଚାଲିଗଲା ତଳକୁ ସଦର ଦରଜା ଖୋଲିବାପାଇଁ ।

ସୀମାବଦ୍ଧ ଭିତରକୁ ପଶି ଆସି କହିଲା–କ୍ଲବ୍‌ରେ ଡିନର ଅଛି... ମୁଁ ଚେଞ୍ଜ କରିବାପାଇଁ ଚାଲିଆସିଲି... ଝାଳରେ ଜୁଡ଼ୁବୁଡ଼ୁ ହେଉଛି ଦେହ... ଏଇନେ ପୁଣି ଚାଲିଯିବି...ଫେରୁ ଫେରୁ ରାତି ହେବ ନିଶ୍ଚୟ...

ରାଗିଣୀ ସ୍ତବ୍‌ଧ ହୋଇ ଯାଇଥାଏ ସେତେବେଳକୁ ।

ତା ମୁହଁକୁ ଚାହିଁ କହିଲା ସୀମାବଦ୍ଧ–କଅଣ କରୁଥିଲ କି ଏଡ଼େ ଝାଳେଇ ଯାଇଛ ଯେ...

–ନା...ଇମିତି...ଅସ୍ପଷ୍ଟ ଭାବରେ କହିଲା ରାଗିଣୀ ।

ସୀମାବଦ୍ଧ ସ୍ନାନସାରି ଲୁଗା ବଦଳାଇଲା । ତା’ର ଚପଲ ହଳକ ପୁଅର କୋଠରିରେ ରହିଯାଇଛି ବୋଧହୁଏ, କିନ୍ତୁ ଆଗେଇଯାଇ ପୁଣି ପଛେଇ ଆସି କହିଲା ସେ–ତାଲା କାହିଁକି ପଡ଼ିଛି...ଖୋଲ ଖୋଲ... ମୋର ଚପଲ ହଳକ ରହିଯାଇଛି କୋଠରି ଭିତରେ...

ରାଗିଣୀର ମଥାଟା ହଠାତ୍‌ ବୁଲିଗଲା । ସେ ସମ୍ଭାଳି ନ ପାରି ପଡ଼ିଗଲା ତଳେ ।

ଉତ୍କଣ୍ଠାରେ ତାକୁ କୋଳ ଉପରକୁ ତୋଳିନେଇ କହିଲା ସୀମାବଦ୍ଧ...ରାଗିଣୀ... କଅଣ ହୋଇଛି ରାଗିଣୀ...କୁହ...କୁହ...

Image

 

ସମୁଦ୍ରର ଶୋକ

 

ଶୁକ୍ରାର ଆଖି ଦୁଇଟା ସେଇ ଗୋଟେ ଜାଗାରେ ସ୍ଥିର ହୋଇ ଅଟକି ଯାଏ । ସେଇଠି ତା’ର ପୃଥିବୀ । ସେଇଠି ତା’ ଜୀବନର ସବୁ ଆଶା ଓ କାମନା । ତା’ପରେ ଆଉ କିଛି ଅଛି କି ନାହିଁ ସେ ଜାଣିବାକୁ କେବେ ହେଲେ ଚେଷ୍ଟା କରିନାହିଁ । ଦରକାର ମଧ୍ୟ ନାହିଁ । ଶୁକ୍ରା କେବଳ ସଞ୍ଜୁକୁ ଦେଖେ । ତାହାର ଚାରିପାଖରେ ବୁଲିଆସି ତାକୁ ଛାତି ଉପରକୁ ଆଉଜାଇ ତା’ର ଦୁଇ ବଳିଷ୍ଠ ବାହୁତଳେ ନିଷ୍‌ପେଷିତ କରି କହେ–ତୋ ପାଇଁ ମୁଁ ସବୁ କରିବାରେ ସଞ୍ଜୁ... ବାଘ ସହିତ ଲଢ଼ିପାରେ... ମରଣ ସହିତ ଯୁଝିପାରେ... ତୁ ମୋର...ଆଉ ମୁଁ ତୋର... ଏଇ ଆମର ପୃଥିବୀ...ସମଜଞ୍ଜାଳ ପରି ସବୁଜ ।

 

ସଞ୍ଜୁ କହେ–ମୁଁ ତୋତେ ନିର୍ବୁଦ୍ଧିଆ ମରଦ ବୋଲି ଭାବିଥିଲିରେ ଶୁକ୍ରା । ତୁ କିନ୍ତୁ ସିଆଣା ପୁରୁଷ ପରି କଥା କହୁଚୁ ।

 

ଶୁକ୍ରା ଏ ଭିତରେ ଆଉ ମଫସଲ ହୋଇ ରହିନାହିଁ । ମଫସଲର ଧୂଳି ମଳି ତା’ ଦେହରୁ ଝଡ଼ିଗଲାଣି । ସେ ସହରକୁ ଯାଇ ପାଞ୍ଚଥର ଫେରି ଆସିଲାଣି । ସେଠାରେ ବାବୁମାନଙ୍କର ଚାଲିଚଳଣି ଦେଖି କିଛି ଶିଖି ଆସିଛି । ସେଇ ସହରର ବାବୁଆଣୀମାନଙ୍କୁ ଦେଖି ସେ ପ୍ଲାସ୍‌ଟିକର ନାଲିଚୁଡ଼ି କେତେଟା ନେଇ ଆସିଥିଲା ସଞ୍ଜୁ ପାଇଁ । ସଞ୍ଜୁ ହାତକୁ ନାଲିଚୁଡ଼ି ବେଶ୍‌ ମାନିଛି । କାଚ ଚୁଡ଼ି ବି ଆଣିବାକୁ ମନ ହେଉଥିଲା ଶୁକ୍ରାର, କିନ୍ତୁ ଯିଏ କାଠକାଟେ, ପତ୍ର ତୋଳେ ଆଉ ଦରକାର ପଡ଼ିଲେ ଭାଲୁ ସହିତ ଯୁଦ୍ଧ କରେ, ତା’ ହାତରେ କାଚ ଚୁଡ଼ି କେତେଦିନ କଟିବ ଯେ ! ବାବୁଆଣୀମାନେ ସିନା ନିଜେ କାମ ନ କରି ଅଳସ ଭାଙ୍ଗନ୍ତି ସ୍ୱାମୀ ପାଖରେ; ଆଦିବାସୀ ତ ଅଳସ ଭାଙ୍ଗେ ପ୍ରତି ମୁହୂର୍ତ୍ତରେ, ଅଏସ କରେ ବି ପ୍ରତି ମୁହୂର୍ତ୍ତରେ । ସଞ୍ଜୁର ମୁଣ୍ଡରେ ସିନ୍ଦୂର ଘଷିବାଦିନୁ ସେ ଯେ ଜଣେ ଖାସ୍‌ ମରଦ ଏଇ କଥାଟା ମନକୁ ଆବୋରି ରଖିଛି । ଏତେ ସାହସ କୋଉଠୁ ଆସିଲା ଭାବିଲେ ଶୁକ୍ରା ନିଜେ ଅବାକ୍‌ ହୋଇଯାଏ । ସହରର ଲୋକମାନଙ୍କର ସାହସ ନାହିଁ ବୋଲି ଅନେକ କଥା କହନ୍ତି, ଆଉ କାମ କରନ୍ତି କମ୍‌ । ମାଟିବିରୂଡ଼ା କି ଧଣ୍ଡସାପ ଗୋଟେ ଦେଖିଲେ ଛାନିଆ ହୁଅନ୍ତି । ବୁଲା ଷଣ୍ଢ ଶିଙ୍ଗ ଟେକିଲେ ଆଶ୍ରାଟିକେ ପାଇଁ ନିରାପଦ ଜାଗାକୁ ଦଉଡ଼ନ୍ତି । ନିଜର ଇଜ୍ଜତ ରକ୍ଷା କରି ନ ପାରି ପୋଲିସ ଡାକନ୍ତି ।

 

ତା’ ମୁହଁରୁ ବାବୁମାନଙ୍କର କଥା ଶୁଣେ ସଞ୍ଜୁ । ସହରର ଅନେକ କଥା ଶୁଣି ତା ଆଖି ଦୁଇଟି ବିସ୍ଫାରିତ ହୋଇଯାଏ । ମାଇକିନିଆମାନେ ପରସ୍ତ ପରସ୍ତ ପୋଷାକ ଭିତରେ ଦେହ ଢାଙ୍କନ୍ତି ସିନା; କିନ୍ତୁ ସୁସ୍ଥ ସବଳ ସୁନ୍ଦର ପୁରୁଷଟିଏ ଦେଖିଲେ ଆଖି ମାରନ୍ତି । ସେଦିନର କଥା ଆଜିବି ମନେଅଛି ଶୁକ୍ରାର । ସଞ୍ଜୁର ସମବୟସୀ ଯୁବତୀ ଝିଅଟିଏ ହାତରେ ବହି ଧରି କୁଆଡ଼େ ଯାଉଥିଲା । ଆଉ ଠିକ୍‌ ଛକ ପାଖରେ ସାଇକେଲ୍‌ ଚଢ଼ି ଯାଉଥିବା ଟୋକାକୁ ଦେଖି ଏମିତି ବାଗେଇ କରି ଆଖି ମାରିଲା ଯେ ସାଇକେଲ ଧରି ଟୋକା ବି ତା’ ପିଛା ଧରିଲା । ସେମାନେ ସିମିତି କୁଆଡ଼େ ଯାଇଥାଆନ୍ତେ କେଜାଣି, ହଠାତ୍‌ ସାମ୍ନା ଆଡ଼ୁ ଆଉ କାହାକୁ ଆସୁଥିବାର ଦେଖି ତରତର ହୋଇ ବାଟଭାଙ୍ଗି ଦୁହେଁ ଭିନ୍ନ ଭିନ୍ନ ବାଟରେ ଚାଲିଗଲେ । ସେମାନଙ୍କୁ ଦେଖି ସେଦିନ ହସିଥିଲା ଶୁକ୍ରା । ଟୋକାଟା ମାଇଚିଆ । ନ ହେଲେ ଝିଅ ମୁଣ୍ଡରେ ସିନ୍ଦୂର ଘଷି ଟେକି ନେଇପାରି ଥାଆନ୍ତା । ଝିଅର ମନ କନ କନ ହଉଛି ସିନା; କିନ୍ତୁ ସାହସ ନାହିଁ ମରଦକୁ ଧରି ପଳେଇବାକୁ । ସଞ୍ଜୁ କିନ୍ତୁ ସାହସୀ । ଯୋଉଦିନ ସେ ତାକୁ ଭଲପାଏ ବୋଲି କହିଥିଲା ସେହିଦିନ ସନ୍ଧ୍ୟାରେ ବିଲରୁ ଫେରିବାବେଳେ ସଞ୍ଜୁ ତାକୁ କହିଥିଲା ଯେ ଖାଲି ତୁଣ୍ଡର କଥାରେ ପେଟ ପୂରେନାରେ ଶୁକୁରା । ଯଦି ଏତେ ଭଲପାଉ ମୋତେ ଜବରଦସ୍ତ ଧରି ପଳାଉନୁ କାହିଁକି ? ତୁ ମରଦ ନା ମାଇଚିଆ ? ଶୁକ୍ରାର ରକ୍ତ ତାତି ଉଠିଥିଲା ସେଦିନ । ସେ ଯେ ମାଇଚିଆ ନୁହେଁ ମରଦ ଏଇକଥା ପ୍ରମାଣ କରିବା ଲାଗି ଆଗଦିନ ସକାଳେ ବିଲକୁ ଯିବାବେଳେ ସଞ୍ଜୁ ମୁଣ୍ଡରେ ସିନ୍ଦୂର ଘଷି ତାକୁ ଧରିନେଇ ପଳେଇ ଗଲା ବଣ ଭିତରକୁ । ସଞ୍ଜୁର ବାପ ମା’ ଭାଇ ସବୁ ଶୁଣି ଆଉ ପାଞ୍ଚଜଣ ଗାଁ ଲୋକଙ୍କୁ ଧରି ସେମାନଙ୍କର ପିଛା କଲେ । ଶୁକ୍ରା କିନ୍ତୁ ଡରି ନ ଯାଇ ବୀର ପରି ବଣ ଭିତରୁ ବାହାରି ଆସି କହିଲା–ସଞ୍ଜୁ ମୋର, ତାକୁ ମୁଁ ବାହାହେବି... । ଜିଦ୍‌ଜାଦ୍‌ ତର୍କବିତର୍କ ହେଲା । ତାକୁ ଦୁଇପାନ ଦେଲେବି ସେମାନେ । ସେମାନେ ସାତଜଣ–ଆଉ ସେ ଏକା । କିନ୍ତୁ କଥା ଆଉ ବେଶୀ ନ ବଢ଼େଇ ସଞ୍ଜୁ ଗୋଟେ ଫାର୍ସା ଧରି ସମସ୍ତଙ୍କ ଆଗରେ ଉଭା ହୋଇ କହିଲା–ଛାଡ଼...ଛାଡ଼ ତାକୁ–ସେ ମୋର ମରଦ–ମୁଁ ତାକୁ ବିଭା ହେବି । ସେଇଦିନୁ ସେ ମରଦ ସଞ୍ଜୁ ସ୍ତ୍ରୀ । ଗୋଟେ ଚାଳି ତଳେ ଏକତ୍ର ରହନ୍ତି ଦୁହେଁ । ଗୋଟିଏ ଝରଣାର ପାଣି ପିଅନ୍ତି, ଆଉ ଗୋଟେ ଧୂନି ପାଖରେ ବସି ନିଆଁ ପୁଆଁନ୍ତି । ଶୁକ୍ରାକୁ ଛାଡ଼ି ସଞ୍ଜୁ ଦିନେ ବି ରହିପାରେନି । ଆଉ ସଞ୍ଜୁ ଶୁକ୍ରାର ସିମିଳିପାଳ ପରି ସୁନ୍ଦର ସମୃଦ୍ଧ ସବୁଜ ପୃଥିବୀ-। ଠିକ୍‌ ସିମିଳିପାଳ ପରି ସଞ୍ଜୁ ତା’ ପାଖରେ ଛିଡ଼ା ହେଲେ ଫୁଲର ବାସ୍ନା ନାକରେ ବାଜେ, ତା’ ସହିତ ହାତ ଲାଗିଲେ ଶୀତଳ ପବନ ରୋମାଞ୍ଚ ସୃଷ୍ଟି କରେ ଦେହରେ-

 

ସଞ୍ଜୁଟା କିନ୍ତୁ ହୁଣ୍ଡୀ ରହିଗଲା । ସେ ଯେତେ ଡାକିଲେ ବି ସ୍ୱାମୀ ସହିତ ସହରକୁ ଗଲା ନାହିଁ । ସହରର ବାବୁମାନଙ୍କୁ ତା’ର ବଡ଼ ଭୟ । ସେମାନେ କୁଆଡ଼େ ବାଘଠାରୁ ବି ବେଶୀ ହିଂସ୍ର । ଶୁକ୍ରା କହେ ତୁ ତ ସହରକୁ ଯାଇନୁ ସଞ୍ଜୁ, କିମିତି ଜାଣିଲୁ ସେମାନଙ୍କ ଚରିତ୍ର ? ଫଳ ନ ଖାଇ ଖଟା କି ମିଠା କଣ ଜାଣି ହୁଏ ? ସଞ୍ଜୁ କୁହେ–ମଣିଷଖିଆ ବାଘ କଥା କିମିତି ଆଗେ ଆଗେ ମୁହଁରୁ ମୁହଁକୁ ଚହଲି ଯାଏରେ ଶୁକ୍ରା । ଗୋଟେ କି ଦୁଇଟା ମଣିଷର ରକ୍ତ ଖାଇଥିବ କି ନାହିଁ କଥାଟା ନଈନାଳ, ପାହାଡ଼ ପର୍ବତ ପାର ହୋଇ ପ୍ରସରିଯାଏ ଚତୁର୍ଦ୍ଦିଗରେ । ଫୁଲର ମହକ ସିନା ବେଶୀ ଦୂର ଯାଇପାରେ ନାଇଁ ଖବର କିନ୍ତୁ ଉଡ଼ିବୁଲେ । ତା’ର ପର ଅଛି । ଚଢ଼େଇପରି ଉଡ଼େ ଯେ ଗୋଟେ ଜାଗାରୁ ଆଉ ଗୋଟାକୁ...

 

ଶୁକୁରା କିନ୍ତୁ ସହରକୁ ଯାଏ । ସହରରେ କାମ ଧନ୍ଦା ମିଳେ । ମଜୁରି ବି ବେଶି ମିଳେ ସେଠାରେ, ଆଉ ସହରୀ ଲୋକଙ୍କ ମୁହଁର କଥା ଶିଖି, ସେମାନଙ୍କ ଚାଲିଚଳଣ ଦେଖି ସେ ବି ଦିନେ ଯେ ସଭ୍ୟ ହୋଇଯିବ ଏଇ ଭରସା ଅଛି ଶୁକ୍ରାର । ସେଥିପାଇଁ ତ ସେ ପ୍ଲାଷ୍ଟିକ ଚୁଡ଼ି କିଣେ, ପାନିଆ କିଣେ...ଫୁଲୁରି ତେଲ ଆଉ ସାବୁନ କିଣେ ।

 

ଠିକାଦାର ବାବୁଟା ଭଲଲୋକ । ତାକୁ ତ ବଚନ ଦେଇଛି ଗୋଟେ ଚକମକି ଆଲୁଅ ଆଉ ଗୋଟେ ସାଇକଲ ଦବ । ସାଇକଲ ଚଢ଼ା ଏ ଭିତରେ ଶିଖିଗଲାଣି ଶୁକ୍ରା । ସାଇକଲ ଖଣ୍ଡେ ହେଲେ ପାଞ୍ଚ କୋଶ ପ୍ରତିଦିନ ପାଦରେ ଚାଲିବାକୁ ପଡ଼ିବ ନାହିଁ । ସେ ସାଇକଲ ଉପରେ ବସି ପ୍ୟାଡ଼େଲ ଘୂରେଇଲେ ଚକ ଗଡ଼ିବ ସଞ୍ଜୁର ଉଚ୍ଛୁଳା ହସ ପରି । ସେ ପ୍ରଥମ ସାଇକଲ ଦେଖି ସ୍ତବ୍‌ଧ ହୋଇ ଛିଡ଼ାହୋଇ ପଡ଼ିଥିଲା । ଚକ ଦୁଇଟାକୁ ବଲବଲ କରି ଅନୋଉଥିଲା । ଏବେ ସାଇକଲ ଦେଖିଲେ ତାକୁ ହସ ମାଡ଼େ । ଜିପ୍‌ଗାଡ଼ି ବି ଦେଖିସାରିଲାଣି । ଗୋଟାଏ ଗାଡ଼ି ଦଶଟା ଲୋକଙ୍କୁ ଧରି ଆଖି ପିଛୁଳାକେ ଅଦୃଶ୍ୟ ହୋଇଯାଏ । କିନ୍ତୁ ସେଇ ପେଡ଼ା ତେଲର ଗନ୍ଧ ତାକୁ ଆଦୌ ଭଲ ଲାଗେନି । ଛି ଛି–ସୁରୁଚ ଫୁଲ କି ଶାଳ ଫୁଲର ବାସ୍ନା କେଡ଼େ ମଧୁର । ଆଉ ମହୁଲ ଗଛରେ ଫୁଲ ଫୁଟିଲେ ଖାଲି ମଣିଷ ନୁହନ୍ତି–ବଣର ଭାଲୁ ବି ପଳେଇ ଆସେ ମହୁଲ ଫୁଲ ଖାଇବାପାଇଁ ।

 

ସଞ୍ଜୁକୁ ଠିକାଦାର କଥା କହିଛି ଶୁକ୍ରା–ସଞ୍ଜୁ କିନ୍ତୁ ପସନ୍ଦ କରିନି । ବରଂ ସେ କହିଛି ତାକୁ–ପରର ଧନ ନେଇ କେହି ଧନୀ ହେଇନିରେ ଶୁକୁରା । ନିଜର ବାହୁବଳରେ ଯାହା ଅର୍ଜୁ ସେତକ ଆମକୁ ଯଥେଷ୍ଟ । ଝାଳନାଳ ହୋଇ ଯାହା ମଜୁରି ମିଳେ ସେତକ ଆମର ସମ୍ପଦ । ସୁଖ ତ ସହରରେ ନାଇଁରେ ଶୁକୁରା–ସୁଖ ଫୁଲ ହୋଇ ଫୁଟୁଛି, ଫଳ ହୋଇ ଫଳୁଛି ।

 

ସଞ୍ଜୁ ମୁହଁରୁ ନୂଆ ନୂଆ କଥା ଶୁଣି ଉଲୁସିଉଠେ ଶୁକ୍ରା । ବାହାହବା ପରେ ସଞ୍ଜୁର ମୁହଁ ଫୁଟିଛି । ବାହାପାଣି ପାଇ ଦେହର ରଙ୍ଗ ବଦଳିଛି ।

 

ଶୁକ୍ରାର ବି ଇଚ୍ଛା ହୁଏ ସଞ୍ଜୁକୁ ନେଇ ସେ ସହରକୁ ଯାଆନ୍ତା, ମୋଟରଗାଡ଼ିରେ ତାକୁ ବସାନ୍ତା ଆଉ ଦୋକାନର କାଠ ବେଞ୍ଚ ଉପରେ ଦୁହେଁ ପାଖାପାଖି ବସି ବରା ଗୁଲୁଗୁଲା ଖାଆନ୍ତେ-। ଠିକାଦାର ବାବୁ ଭଲ ଲୋକ । କେତେଥର ତାକୁ କହିଲେଣି ସଞ୍ଜୁକୁ ନେଇ ଆସିବାପାଇଁ । କିନ୍ତୁ ଯାହାର ବାହା ତା’ର ମନେନାହିଁ । ସଞ୍ଜୁ ଶୁଣି ବି ନ ଶୁଣିବା ପରି ରହିଛି । ସେଦିନ ଜିଗର କଲାରୁ କହିଲା, ତୁ ଯାଉଛୁ ଯା...ମନାନାହିଁ... ମୁଁ ତିର୍ଲା...ମୋତେ ଦଶ ଜଣଙ୍କ ଆଗରେ ଠିଆ ନ କରେଇଲେ ତୋର ଭାତ ହଜମ ହେଉନି କିରେ ଶୁକୁରା ! ଶୁକ୍ରା ତାକୁ କହେ, ଠିକାଦାର କିନ୍ତୁ ବଡ଼ଲୋକ ସଞ୍ଜୁ । ସାଇକେଲ ଦେଇଛି । ତୋତେ ପଛରେ ବସେଇ ନେଇ ଯିବାକୁ କହିଛି । ସଞ୍ଜୁ କିନ୍ତୁ ମୁହଁ ଫୁଲାଏ । ତା’ କଥା ଠିକାଦାରକୁ କାହିଁକି କହିଲା ବୋଲି ରୁଷେ । ଶୁକ୍ରା ନିରୀହ ପରି କହେ–ତୋ ନାମ ତା’ ତୁଣ୍ଡରେ ଲାଗି ରହିଛି ସଞ୍ଜୁ । ଶୁଣିବା ଦିନୁ ସଞ୍ଜୁ ସଞ୍ଜୁ ହଉଛି । ତୋତେ ପଛରେ ବସେଇ ନେଇ ଯିବା ଲାଗି ସାଇକେଲ ଖଣ୍ଡେ ଦେଇଛି । ଅନ୍ଧାରରେ ତୋ ମୁହଁ ଦେଖିବାପାଇଁ ଚକମକି ଆଲୁଅ ଗୋଟେ ଦେଇଛି । ଏତେ ଜିନିଷ କିଏ କାହାକୁ ଦିଏରେ ସଞ୍ଜୁ...

 

ସଞ୍ଜୁଟା କିନ୍ତୁ ବେଳେ ବେଳେ ହୁଣ୍ଡୀପରି ହୁଏ । ସଞ୍ଜୁ ଶୁଣି କଡ଼ ଲେଉଟାଇ ଦୀର୍ଘ ନିଶ୍ୱାସମାରି ମନକୁ ମନ କୁହେ–ହାତର ପାଞ୍ଚ କେହି ଛାଡ଼େନି...ଆଉ ଯିଏ ଛାଡ଼େ ସିଏ ଦୁଃଖ ପାଏ-

 

ସଞ୍ଜୁଟା ଦିନକୁ ଦିନ ଅନ୍ୟ ପ୍ରକାର ହୋଇଯାଉଛି । ହାଣ୍ଡିଆ ଆଉ ଖାଏନି । ଶୁକ୍ରା ହାଣ୍ଡିଆ ଖାଇଲେ ତା’ ଆଗରେ ଛିଡ଼ା ହୋଇ ତାକୁ କୁହେ–ହାଣ୍ଡିଆ ନ ଖାଇ କେହି ମରିଯାଇ ନାହିଁ-। ବରଂ ଯିଏ ହାଣ୍ଡିଆ ନ ଖାଏ, ସେ ସୁଖରେ ରହେ । ତୋର ଯୁଆନ ବଅସର ନିଶା ହାଣ୍ଡିଆଠାରୁ ଢେର୍‌ ବେଶୀ, ଛାଡ଼ି ଦେ...ଆଉ ଖାଆନା କହୁଛି ।

 

ଶୁକୁରା ଛାଡ଼ିବି ଛାଡ଼ିବି କହେ; କିନ୍ତୁ ଛାଡ଼ିପାରେନି । ସଞ୍ଜୁ ଅଭିମାନ କରି କହେ ମୋତେ ତୁ ଆଉ ଭଲ ପାଉନୁରେ ଶୁକୁରା । ସହରକୁ ଯାଇ ତୋର ଚାଲିଚଳଣି ବଦଳି ଗଲାଣି । ତୋ ତୁଣ୍ଡର ଭାଷା ମୋ ପାଖରେ ଅବୁଝା ରହିଯାଉଛି । ତୁ ବଦଳି ଗଲୁଣିରେ ଶୁକୁରା । ଆଉ କୋଉ ମାଇପ ବୋଲରେ ପଡ଼ିଛୁ କି ନାହିଁ କିଏ ଜାଣେ ।

 

ଶୁକ୍ରା ତା’ର ଗାଲ ଚିପିଦେଇ କୁହେ, ଦରକାର ପଡ଼ିଲେ ମୁଁ ସମସ୍ତଙ୍କୁ ଛାଡ଼ି ଦେଇପାରେ... ହାଣ୍ଡିଆ ବି–କିନ୍ତୁ ତୋତେ ଛାଡ଼ିବି ନାଇଁରେ ସଞ୍ଜୁ । ତୋ ମୁଣ୍ଡରେ ସିନ୍ଦୂର ଘଷି ତୋତେ ଘରକୁ ଆଣିଥିଲି ତୋ ପାଖରେ ରହିବାପାଇଁ–ଅନ୍ୟ ପିଲାମାନଙ୍କ କଥା ଆଉ କହନା ମୋତେ–କାହାର ମୁହଁ ଏଡ଼େ ସୁନ୍ଦର କହିଲୁ ?

 

ସଞ୍ଜୁ ଆତ୍ମସମର୍ପଣ କରେ । ହାରିଯାଏ ସ୍ୱାମୀ ପାଖରେ । ଶୁକ୍ରାର ଚୌଡ଼ା ଛାତି ଉପରେ ମିଶିଯାଇ କୁହେ–ତୁ ବଡ଼ ସୁନ୍ଦରରେ ।

 

ଶୁକ୍ରାର ଗର୍ବ ହୁଏ ମନରେ । ବର୍ଷା ଦିନରେ ଝରଣା ଯେପରି ଫୁଲେ ସିମିତି ତା’ର ମନ କୁଣ୍ଢେମୋଟ ହୋଇ କେବଳ ଉଡ଼ିବୁଲେ, ବଣ ବିଲ ପାରିହୋଇ ପାହାଡ଼ ପର୍ବତ ଅତିକ୍ରମ କରି କେବଳ ମାଡ଼ିଯାଏ ଆଗକୁ ଆଉ ଆଗକୁ । ସେ କଅଣ ଖୋଜେ ସେ ନିଜେ ବି ଜାଣିପାରେ ନାହିଁ । ସବୁ ପାଇବାକୁ ଯାଇ କିଛି ନ ପାଇ ପୁଣି ଫେରିଆସେ ନିଜ ଇଲାକାକୁ–ସଞ୍ଜୁ ପାଖକୁ । ସେଇ ତା’ର ପିଲା । ସେ ତା’ର ପୃଥିବୀ । ତାହାରି ଚାରି ପାଖରେ ସେ ମେରି ଖୁଣ୍ଟରେ ବନ୍ଧା ହୋଇଥିବା ବଳଦ ପରି ଘୂରିବ । ତାକୁ ନିଜର କଥା କହିବ, ଗୀତ ଶୁଣେଇବ । ଆଉ ଦିନେ ତାହାରି ମୁହଁକୁ ସ୍ମରଣକରି ବାଘ ସାଙ୍ଗରେ ବି ଲଢ଼ିବାକୁ ସାହସ ପାଇବ ।

 

ସହରରେ ରାତି ହୁଏନି । ସୂର୍ଯ୍ୟ ଡୁବିବା ପରେ ବି ଆଲୁଅ ଥାଏ ସେଠାରେ । ରାସ୍ତା ଉପରେ ଧୂଳି ଉଡ଼େଇ ଛାତି ଫୁଲୁକାଇ ମୋଟରଗାଡ଼ି ଚାଲିଯାଏ । ବୟସର ରଙ୍ଗ ଦେହରେ ନ ଥିଲେ ବି ଦେଖେଇ ହବା ଲାଗି ବାବୁଆଣୀମାନେ ଓଠରେ ରଙ୍ଗ ବୋଳନ୍ତି । ସଞ୍ଜୁ ବି ଇମିତି ଓଠରେ ରଙ୍ଗ ବୋଳନ୍ତା କି ? ସେ ବି ଇମିତି ନାଲି କି ସବୁଜ ଶାଢ଼ି ଖଣ୍ଡେ ପିନ୍ଧି ବଜାରକୁ ବୁଲି ଆସନ୍ତା କି ! ସଞ୍ଜୁର ତିଆରିକରା ରୂପ ନୁହେଁ, ଯାହା ଅଛି ତା ଦେହରେ ସେତକ ଦେଖି ବାବୁମାନଙ୍କର ଆଖି ଖୋସି ହୋଇଯାଆନ୍ତା ।

 

ସହରକୁ ବେଶୀ ଯିବାକୁ ମନାକରୁଛି ସଞ୍ଜୁ । କି ଦରକାର ସେଠାକୁ ଯିବାରେ ? ଯୋଉମାନେ ସହରକୁ ଯାଇନାହାନ୍ତି ସେମାନଙ୍କ ସଂସାର ତ ଅଚଳ ହୋଇନାହିଁ । ସହରର ଲୋକଗୁଡ଼ା ଧୂର୍ତ୍ତ, ଚତୁର । ମନ୍ତ୍ର ଜାଣନ୍ତି । କେଳା ସାପକୁ ଖେଳେଇବା ପରି ପ୍ରଥମେ ଖେଳାନ୍ତି ମଫସଲର ଲୋକଙ୍କୁ । ଆଉ ତା’ପରେ ବୋଲ ମନେଇ ରଖି ନିଅନ୍ତି ପାଖରେ । କାଳେ ଯଦି ଶୁକ୍ରା ବାବୁର ବୋଲ କରିବା ସକାଶେ ସହରରେ ରହିଯାଏ କଅଣ କରିବ ତା’ହେଲେ ସଞ୍ଜୁ ? ସଞ୍ଜ ହବା ପରେ ଏକାବେଳେ ଏକାକିନୀ ହୋଇଯିବ । ଦିନର ଆଲୁଅରେ ସେ କାହାକୁ ଖାତିର କରେ ନାହିଁ, କିନ୍ତୁ ରାତିର ଅନ୍ଧାରରେ ଯେ ବାଘ ଭାଲୁକୁ ନ ଡରୁଥିଲେ ବି ଡାହାଣୀ ଚିରିଗୁଣୀକୁ ଭୟ କରେ । ଅଶରୀରୀମାନେ ବୁଲନ୍ତି ସେତେବେଳେ । ଛାତି ଉପରେ ଛେପ ନେଣ୍ଡାଏ ପକେଇ ଛାତି କିଳେ, ଆଉ ସେଇ ଗୀତ ଗୁଣ୍‌ଗୁଣ୍‌ କରେ–ଦେବୀରେ ଦୂରୁଗା ।

 

ଠିକାଦାର କାମିକା ଲୋକଙ୍କୁ ଭଲ ପାଏ । ସେମାନଙ୍କୁ ନେଇ କାମ ସହଜ ହୁଏ । ଶୁକ୍ରା ଗାଆଁରେ ରହୁଥିବାରୁ ସୂର୍ଯ୍ୟାସ୍ତ ପରେ ତାକୁ ଆଉ ପାଏନି ଠିକାଦାର । ସେଥିପାଇଁ ରାତିରେ ମଜୁରିଆ ବସ୍ତିରେ ବିଶ୍ୱାସୀ ଲୋକ ରହନ୍ତିନି କେହି । ଆଜିକାଲି ଲୋକଙ୍କୁ ବିଶ୍ୱାସ ନାହିଁ । ଠିକାଦାରର କଥା ଶୁଣିବା ଲାଗି ଅନେକ ଅଛନ୍ତି । କାଳେ ରାତିରେ ଏକାଠି ବସି ମେଳି କରିବେ ସେଥିପାଇଁ ସତର୍କ ହେଲା ଠିକାଦାର । ସରକାର ମଜୁରି ବଢ଼େଇ ଚାଲିଛି । ବଣ ମୂଲକରୁ ଆସି ସହରରେ ରହିବାକୁ ଶୁକ୍ରା ସମ୍ମତ ହେଲା ଶେଷରେ । କିନ୍ତୁ ଗୋଟିଏ ସର୍ତ୍ତରେ-ସନ୍ଧ୍ୟା ପରେ ସଞ୍ଜୁ ରାଜି ନ ହେଲେ ସେ ତାକୁ ଏକା ଛାଡ଼ି ବାହାରକୁ ବାହାରିବ ନାହିଁ ।

 

ଶୁକ୍ରାର ବୋକାମି ପାଇଁ ତାକୁ ଅନେକ ଶୋଧିଲା ସଞ୍ଜୁ । କିନ୍ତୁ ମରଦ କଥା ଦେଇ ଯାଇଛି । ନିଜ କଥା ନିଜେ ନ ରଖିଲେ ନିଜର ପକେଇ ଥିବା ଛେପକୁ ନିଜେ ଖାଇବାପରି । ସଞ୍ଜୁ ଜିନିଷପତ୍ର ସଜକରି ଶୁକ୍ରା ସାଙ୍ଗରେ ସହରକୁ ଚାଲିଆସିବାବେଳେ ଫେରି ଫେରି ବଣ ମୂଲକକୁ ଦେଖିଥିଲା । ନଦୀର ପାଣିରେ ଗୋଡ଼ ମୁହଁ ହାତ ଭଲକରି ଧୋଇଲା ଏବଂ ମହୁଲ ଗଛର ଗୋଟେ ଡାଳ ନୁଆଁଇ ଆଣି ଛାତିରେ ଗାଲରେ ଛୁଆଁଇ ଛାଡ଼ିଦେଲା ।

 

ମହୁଲ ଗଛକୁ ଭଲପାଏ ସଞ୍ଜୁ । ବଣର ଫୁଲ, ଫଳ, ପତ୍ର ସବୁକୁ ଭଲ ପାଏ । ଠିକାଦାର କହିଲା, ଏଇଠି ରହିଯା, ଅସୁବିଧା ହବନି । ପାଣି ଅଛି, ଆଲୁଅ ଅଛି । ପାଣି କଳରୁ ପାଣି ଝରିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଅନେଇଲା ସଞ୍ଜୁ । ଆହୁରି ଆଶ୍ଚର୍ଯ୍ୟ ହୋଇ ଆଖି ଖୋଲିଦେଲା, ସଞ୍ଜ ହବାରୁ ବୋତାମ ଟିପି ଯେତେବେଳେ ଶୁକ୍ରା ଆଲୁଅ ଲଗେଇଲା।

 

ତା’ର ଆଶ୍ଚର୍ଯ୍ୟ ଚକିତ ଟଣା ଟଣା ଭୂରୁ ଉପରେ ହାତ ବୁଲାଇଆଣି କହିଲା ଶୁକ୍ରା–ଭଲ ଲାଗୁନି ତୋତେ ?

 

ସଞ୍ଜୁ କହିଲା–ହଁ ।

 

ଶୁକ୍ରା କହିଲା–ଏଠାରେ ରାତିକୁ ଦିନ କରି ହୁଏ । ଡାହାଣୀ କି ଚିରୁଗୁଣୀ ଡରରେ ଏଠାକୁ କେହି ଆସନ୍ତିନି । ତୁ ନିଧଡ଼କ ହୋଇ ରହିବୁ ।

 

ସଞ୍ଜୁ ସତକୁସତ ପ୍ରଶଂସା କଲା ଶୁକ୍ରାକୁ । ତାହାରି ସୁଖ ସୁବିଧା ଲାଗି ତାକୁ ସହରକୁ ନେଇଆସିଛି । ଶୁକ୍ରାର ସ୍ୱାର୍ଥ ନୁହେଁ, ତାହାରି ସୁଖ ସ୍ୱାର୍ଥକୁ ବେଶୀ ଖାତିର କରେ ସେ ।

 

ଶୁକ୍ରାର କାମ ବଢ଼ିଛି । ସେ ସମୟ ପାଇନି ଠିକାଦାର ଦେଇଥିବା ସବୁ କାମ ସାରିବାପାଇଁ । ଦିନ ମଜୁରିଆମାନଙ୍କ ଭିତରେ ଫୁସ୍‌ଫାସ୍‌ ଚାଲିଛି । ମଜୁରି ନ ବଢ଼େଇଲେ ସେମାନେ କାମ କରିବେ ନାହିଁ ବୋଲି ଧମକ ଦେଲେଣି । ଶୁକୁରାର ଚଳିବାକୁ ଅସୁବିଧା ହୋଇପାରେ ବୋଲି ତା’ର ମଜୁରି ବଢ଼ାଇ ଦେଇଛି ଠିକାଦାର । ସଞ୍ଜୁକୁ ବୈଠକଖାନା ଝଡ଼ା ପୋଛା, ମୋଟର ଗାଡ଼ି ଧୂଆ ପୋଛାର ଦାୟିତ୍ୱ ଦେଇଛି ସେ । ଦିନେ ଦିନେ ରାତିରେ ଶୁକ୍ରା ବସ୍ତିକୁ ଗଲେ ତାକୁ ଡାକି କହେ ଠିକାଦାର, ସିନେମା ଦେଖିଲୁ ସଞ୍ଜୁ ? କିମିତି ଲାଗିଲା ? ସଞ୍ଜୁ କହେ–ଛି ଛି ବାବୁ–ସୁନ୍ଦରୀ ଟୋକୀମାନଙ୍କର ସରମ ନାହିଁ... ଦେହରୁ ଲୁଗା ଖୋଲି ଦେଇ ନାଚନ୍ତି–ଛି ଛି !

 

‘‘ସେମାନଙ୍କୁ ଅନେକ ପଇସା ମିଳେ ସଞ୍ଜୁ, ଅନେକ ସୁଖ’’–କହେ ଠିକାଦାର ।

 

‘‘ପୋଡ଼ିଯାଉ ସେ ପଇସା ଆଉ ସୁଖ । ଦେହ ବିକି ଚଳିବା ଆଗରୁ ପୋଡ଼ି ହୋଇ ମରିବା ଭଲ ।’’ ଠିକାଦାରର ଆଖି ଦୁଇଟା ଦପ୍‌କରି ଜଳିଉଠେ ବଣବିଲେଇର ଆଖିପରି । ଠିକାଦାର ତା’ ପାଖକୁ ଲାଗି ଆସି କହେ–ଟିକେ ପିଇବୁ ସଞ୍ଜୁ ?

 

ସଞ୍ଜୁ ଘୁଞ୍ଚିଯାଇ ଉତ୍ତର ଦିଏ–ମଦ ମଣିଷକୁ ପଶୁ କରିଦିଏ ବାବୁ ।

 

ଠିକାଦାର ଦିନେ ସଞ୍ଜୁକୁ କହିଲା, ‘‘ମେମ୍‌ସାହେବ ଆସି ରହିବ କୋଣାର୍କରେ । ତା’ ପାଖରେ ତ ପୁରୁଷ କେହି ରହିବେ ନାହିଁ, ତୁ ଗଲେ ବଡ଼ ଭଲହୁଅନ୍ତା ସଞ୍ଜୁ ।’’

 

ସଞ୍ଜୁ ରାଜି ହୋଇଗଲା । ଶୁକ୍ରା କାମରୁ ଫେରି କହିଲା, ‘‘ଠିକାଦାର ଭଲ ଲୋକରେ ସଞ୍ଜୁ । ଆମେ ଗରିବ ହେଲେବି ଆମ କଥା ଭାବେ । ଆମକୁ ବୁଦ୍ଧି ବତାଏ ।’’

 

ସଞ୍ଜୁକୁ କହିଦେଇ ପଠେଇଦେଲାବେଳେ ଶୁକ୍ରା କହିଲା–ମନ ହେଉଛି ତୋ ସାଙ୍ଗରେ ଯିବାପାଇଁ । କିନ୍ତୁ କେତେ କାମ ପଡ଼ିଛି ଏଠାରେ । ଡରିବୁ ନାହିଁ ନୂଆ ଜାଗାରେ । ମେମ୍‌ସାହେବର ମନ ଜଗି ଚଳିବୁ । ଅସୁବିଧା ହବ ନାହିଁ ।

 

ସଞ୍ଜୁ କହିଲା ‘‘ମୁଁ ସିନା ଏକା ଏକା ଯାଉଛିରେ ଶୁକୁରା, କିନ୍ତୁ ମନଟା ପଡ଼ି ରହିବ ଏଇଠି । ତୋତେ ଓଳିଏ ନ ଦେଖିଲେ ମୋ ମନ ଆଉଟ ପାଉଟ ହୁଏ ଯେ...’’

 

ସଞ୍ଜୁ ଗାଡ଼ିରେ ବସି ଚାଲିଗଲା । ଶୁକୁରାର ମନରେ ଗର୍ବ ହେଲା ଯେ ତା’ ସ୍ତ୍ରୀ ବି ଗାଡ଼ିରେ ବସିଲା । ଗାଡ଼ିରେ ଯିଏ ସିଏ ବସନ୍ତି ନାହିଁ–ଗରିବଗୁରୁବାଙ୍କ କଥା ଛାଡ଼ । ଠିକାଦାର ବାବୁ ଭଲ ଲୋକ ହୋଇ ନ ଥିଲେ ବସେଇ ନ ଥାନ୍ତା । ଠାକୁର ତା’ର ବଡ଼ତି କରୁ । ଆହୁରି ବେଶୀ ଲୋକଙ୍କର ମାଲିକ ହଉ ଠିକାଦାର ।

 

ଶୁକ୍ରାର ସନ୍ଧ୍ୟାଗୁଡ଼ା ଆଉ ବଣର କିଟିକିଟିଆ ଅନ୍ଧାର ଭିତରେ କଲବଲ ହୁଅନ୍ତି ନାହିଁ । ସନ୍ଧ୍ୟା ହେଲେ ରାସ୍ତା କଡ଼ରେ, ଠିକାଦାରର ଘର ଭିତରେ ଆଲୁଅ ଜଳେ । ତା’ପରେ ନିଜ କୋଠରି ଭିତରେ ଆଲୁଅ ଜାଳି ତା‘ପରେ ଦିଆସିଲି ଜାଳି ବତିରେ ନିଆଁ ଧରେଇ ମନକୁ ମନ କୁହେ, ହାଣ୍ଡିଆ ଟିକେ ଖାଇଲେ ଭଲ ଲାଗନ୍ତା... କିନ୍ତୁ ତା’ପରେ ଜିଭ ବାହାର କରି କୁହେ ନିଜକୁ...ନା, ନା, ନା । ରାଣ ପକେଇଛି ସଞ୍ଜୁ–ସେ ଆଉ ହାଣ୍ଡିଆ ଖାଇବ ନାହିଁ ।

 

ଶୁକ୍ରା ହାତରେ କିଛି ପଇସା ଠୁଳ କଲାଣି । ସେତକ ନାଲିକସ୍ତା ଖଣ୍ଡକ ପାଇଁ ଯଥେଷ୍ଟ-। ନାଲିକସ୍ତା ସଞ୍ଜୁ ଦେହକୁ ବେଶ୍‌ ମାନେ । ସେ ଆହୁରି ସୁନ୍ଦର ଦେଖାଯାଏ । ତାକୁ ଚାହିଁ ସେ ରାସ୍ତାରେ ଯିବାବେଳେ ଲୋକ ଘଡ଼ିଏ ଛିଡ଼ାହୋଇ ଅନାଏ ମୁହଁକୁ ।

 

ତିନିଦିନ ଜାଗାରେ ପାଞ୍ଚଦିନ ଗଲା; କିନ୍ତୁ ସଞ୍ଜୁ ଫେରିଲା ନାହିଁ । ଶୁକ୍ରାର ଦୁଃଖ ହେଲା ମନରେ । ଠିକାଦାର ବାବୁକୁ ପଚାରିବ ବୋଲି ଠିକ୍‌ କଲେ ବି ତାକୁ ପାଖରେ ପାଇଲା ନାହିଁ ପଚାରିବାକୁ । ଏଇ କେତେଦିନ ହେବ ସେ ବି ଚାଲିଯାଇଛି ବାହାରକୁ । ସେ କେତେବେଳେ ଫେରିବ ଠିକଣା ରହେନି ।

 

କିନ୍ତୁ ଆଉ ସହ୍ୟ କରି ନ ପାରି ସେଦିନ ବାହାରି ପଡ଼ିଲା ଶୁକ୍ରା । କୋଣାର୍କ ଦେଖିନି ସେ-। ନାଲିକସ୍ତା କିଣିବା ଲାଗି ଯାହା ଠୁଳ କରିଥିଲା ହାତରେ ସେତକ ନେଇ ବାହାରି ପଡ଼ିଲା ବସ୍‌ରେ-। କୋଣାର୍କରେ ପହଞ୍ଚିଲା ବେଳକୁ ବେଳ ରତ ରତ । ଏତେଗୁଡ଼ିଏ ଘର । କେଉଁଠି ଅଛି ମେମ୍‌ସାହେବ ? କୋଉ ବଙ୍ଗଳାରେ ? ପ୍ରତି ଦୁଆରେ ଛିଡ଼ା ହୋଇ ପଚାରିଲା ଶୁକ୍ରା । ତା’ ମୁହଁକୁ, ଭଲକରି ଅନାଇ ଜଣେ ଦୁଇଜଣ ହସିଲେ । ଆଉ କେତେଜଣ ଅବଜ୍ଞା କରି କହିଲେ–ଯା, ଯା... ମେମ୍‌ସାହେବ ସମୁଦ୍ର ପାଖରେ ଅଛି ।

 

ସମୁଦ୍ର କୂଳକୁ ଗଲା ଶୁକ୍ରା । ସମୁଦ୍ର କୂଳଟି ସେତେବେଳକୁ ନିର୍ଜନ ହୋଇ ଆସୁଥାଏ । ସନ୍ଧ୍ୟା ହୋଇସାରିଥାଏ କେତେବେଳୁ । ହାତରେ ଗୋଟେ ଚକମକି ଆଲୁଅ ।

 

ସମୁଦ୍ର ଆଉ କେବେ ଦେଖି ନ ଥିଲା ଶୁକ୍ରା । ସମୁଦ୍ରକୁ ଚାହିଁ ସେ ସ୍ଥିର ହୋଇ ରହିଗଲା କିଛି ସମୟ । ଏହା ତା’ର କଳ୍ପନାର ବାହାରେ । ଏତେ ପାଣି । ଏତେ ଗର୍ଜନ । ହାତରେ ଆଞ୍ଜୁଳାଏ ପାଣି ଉଠେଇ ନେଇ ମୁହଁରେ ଦେଇ ଥୁ’କରି ଫିଙ୍ଗି ଦେଲା ସେ । ଲୁଣିଆ । ଏତେ ପାଣି; କିନ୍ତୁ ଶୋଷ ମରିବ ନାହିଁ । ଅବାକ୍‌ ହୋଇଗଲା ଶୁକ୍ରା । ତାକୁ ଭୟ ଲାଗିଲା ପାଖକୁ ଯିବାପାଇଁ । ବଣ ପର୍ବତ ନଈ ନାଳକୁ ସେ କେବେ ଭୟ କରିନି; କିନ୍ତୁ ସମୁଦ୍ରକୁ ଦେଖି ସେ ଆଗେଇ ଯାଇ ପୁଣି ପାଞ୍ଚ ହାତ ପଛକୁ ଚାଲି ଆସିଲା । ସମୁଦ୍ର ଫୁଲି ଭାଙ୍ଗି ପଡ଼ି ଦଉଡ଼ି ଆସିଲାବେଳେ ସେ ଚିତ୍କାର କଲା–ମୁଁ କିଛି କରିନି...ମୁଁ ନିର୍ଦ୍ଦୋଷ...ମୋତେ ଛାଡ଼ିଦେ...

 

ଦଉଡ଼ି ଦଉଡ଼ି ପଳେଇ ଯାଉଥିଲା ଶୁକ୍ରା । କିନ୍ତୁ ସମୁଦ୍ରର କାନ୍ଦ ଶୁଣି ଅଟକିଗଲା । ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲା । ସମୁଦ୍ର ଗର୍ଜୁ ନାହିଁ ରାଗରେ–କାନ୍ଦୁଛି । କାହିଁକି କାନ୍ଦୁଛି ? ତା’ର ଦୁଃଖ କଅଣ ? ଚତୁର୍ଦ୍ଦିଗରେ ଏତେ ବିସ୍ତୃତି ମଧ୍ୟରେ ଅଭାବ କଅଣ ?

 

ଶୁକ୍ରାକୁ ଲାଗିଲା ଯେପରି ସମୁଦ୍ର କାନ୍ଦୁନି ଯେ ସଞ୍ଜୁ କାନ୍ଦୁଛି । ସଞ୍ଜୁ ବାହୁନି ବାହୁନି କାନ୍ଦୁଛି କାହିଁକି ? ତା’ର ଦୁଃଖ କଅଣ ? ବାବୁ ତାକୁ କିଛି କହିଲା ? କଷ୍ଟ ଦେଲା ?

 

ସଞ୍ଜୁ ଦୁଃଖ କଷ୍ଟ ସବୁ ସହିପାରେ–କିନ୍ତୁ କଥା ସହିପାରେନି । ଟିକେ କିଛି କହିଦେଲେ ଆଖି ଛଳ ଛଳ କରି ମୁହଁ ତଳକୁ କରି ଛିଡ଼ା ହୁଏ ଯେ ତାକୁ ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣିବାକୁ ସମୟ ଲାଗେ । ହୁଏତ ଠିକାଦାର ବାବୁ କିଛି କହିଛି, ନୋହିଲେ ମେମ୍‌ସାହେବ... ବିଷଣ୍ଣ ହୋଇଗଲା ଶୁକ୍ରାର ମନ ।

 

ଆଉ ସମୁଦ୍ର ପାଖରେ ଛିଡ଼ା ନ ହୋଇ ସେ ଚାଲିଲା ସେଇ ବଙ୍ଗଳା ଆଡ଼କୁ ବଙ୍ଗଳା ଚାରିପାଖରେ ପାଚେରି । ହତା ଭିତରେ ତାଳ, ନଡ଼ିଆ, ଦେବଦାରୁ ଗଛ । କାହାର ଏଇ ବଙ୍ଗଳା ? ଚାଲିଯାଉଥିବା ରାସ୍ତାର ଲୋକଟି କହିଦେଲା–ସରକାରୀ ଡାକବଙ୍ଗଳା । ସରକାରକୁ ଦେଖିନି–ଶୁକ୍ରା, ନାମ ଶୁଣିଛି । ବଡ଼ ଲୋକ । ସମ୍ପଦ ଓ ପ୍ରତିପତ୍ତିଶାଳୀ । ଅନେକ କ୍ଷମତା । ପୁଲିସ୍‍ ବାବୁ ତାହାରି ହାତରେ । ଫାଟକ ଫାଖରେ ଛିଡ଼ାହୋଇ ସରକାରକୁ ନମସ୍କାର କଲା ଶୁକ୍ରା ।

 

ଏଠାକୁ ସଞ୍ଜୁ ଆସିବ କାହିଁକି ଆଉ କୋଉଠି ଥିବ ହୁଏତ ।

 

ଫେରିଯାଉଥିଲା ଶୁକ୍ରା । କିନ୍ତୁ ହଠାତ୍‌ ଝରକା ପାଖରେ ସଞ୍ଜୁ ପରି କାହାର ମୁହଁ ଦେଖି ଛିଡ଼ା ହୋଇପଡ଼ିଲା । ଛାତି ଭିତରଟା ଚାଉଁକରି ଉଠିଲା ।

 

ସନ୍ଧ୍ୟା ହୋଇନି ଏଯାଏ । ଦିନର ଆଲୁଅ ନରମ ହୋଇ ଆସିଲେ ବି ବିଛେଇ ହୋଇ ପଡ଼ିଚି ଚତୁର୍ଦ୍ଦିଗରେ । ରାତି ହୋଇ ନ ଥିଲେ ବି ସଞ୍ଜୁପରି ଝିଅଟିକୁ ପୁରୁଷ ଜଣେ ଆଉଜାଇ ନେଲା ଛାତି ଉପରେ । ଆଖି ବନ୍ଦ କଲା ଶୁକ୍ରା । ସହର ଲୋକଗୁଡ଼ା ଏତେ ଛତରା... ଦିନ ବେଳଟାରେ...-

 

ଶୁକ୍ରାକୁ ସେଠାରେ ସ୍ଥାଣୁ ପରି ଛିଡ଼ା ହୋଇ ବଙ୍ଗଳା ଆଡ଼କୁ ଅନେଇ ଥିବାର ଦେଖି ଖାକୀ ପୋଷାକ ପିନ୍ଧିଥିବା ଜଣେ ଲୋକ କହିଲା–ଏଇଟା ସରକାରୀ ବଙ୍ଗଳା...ବଡ଼ ସାହେବ ଅଛନ୍ତି–ମେମ୍‌ସାହେବ ଅଛନ୍ତି ।

 

ମେମ୍‌ସାହେବ ନାମ ଶୁଣି ଚମକିପଡ଼ିଲା ଶୁକ୍ରା । ସଞ୍ଜୁ ଏଇଠି ଅଛି ତା’ହେଲେ । ସେଇ ଝରକା ପାଖରେ ଯିଏ ଛିଡ଼ାହୋଇଥିଲା ତାକୁ ଭଲକରି ନିରେଖିଲା ଶୁକ୍ରା ।

 

ଲୋକଟା ଠିକାଦାର ବାବୁଙ୍କ ପରି ଦିଶୁଛି । ଆଉ ସେଇ ସ୍ତ୍ରୀଲୋକଟି କିଏ ? ମେମ୍‌ସାହେବ ତ ଇମିତି ନୁହେଁ... ସଞ୍ଜୁପରି ମୁହଁ... ସେ ନୁହଁ ତ ? ତଳିପାରୁ ତାଳୁ ପର୍ଯ୍ୟନ୍ତ ଥରି ଉଠିଲା ଶୁକ୍ରା ।

 

Image

 

ଈଶ୍ୱରଙ୍କୁ ଖୋଜିବା ବାଟରେ

 

ହେତୁ ହେଲାଦିନୁ ଈଶ୍ୱରଙ୍କୁ ଖୋଜୁଚି ମୁଁ । ତାଙ୍କୁ ଦେଖିବାପାଇଁ ଅନେକ ଚେଷ୍ଟା କରିଚି-। କିନ୍ତୁ ସବୁ ନିଷ୍ଫଳ ହୋଇଚି; ତାଙ୍କ ସହିତ ସାକ୍ଷାତ୍‍ ହୋଇନି । ମନ୍ଦିରକୁ ଯାଇଚି ଅନେକ ଥର । ଭିଡ଼ ଠେଲି ପ୍ରବଳ ଉତ୍ସାହରେ ଆଗରେ ଯାଇ ଛିଡ଼ାହୋଇଚି ଏଇ ଆଶାରେ ଯେ ଈଶ୍ୱର ବାହାରିବା କ୍ଷଣି ତାଙ୍କର ଦୃଷ୍ଟି ମୋ ଉପରେ ପଡ଼ିବ, ଆଉ ମୁଁ ତାଙ୍କର ହାତ ଦୁଇଟି ଧରି ପକେଇ କହିବି ମୋର ଅକୁହା କଥା । ତାଙ୍କ ମୁହଁରୁ ପଦେ କଥା ଶୁଣି କୃତକୃତ୍ୟ ହୋଇଯିବି । ମୋ ମା’ ମୋ ମନର କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ମୋତେ ବାୟା ବୋଲି କହୁଥିଲା । ସେ ବିଗ୍ରହଙ୍କ ପାଦତଳେ ମଥା ନୂଆଁଇ କେତେଥର କହିବାର ଶୁଣିଚି ମୁଁ–ସେ ବାଳୁତ, ତା’ର ଅପ୍ରାଧ ମାର୍ଜନା କର, ଯାହା ଦଣ୍ଡ ଦବାର କଥା ମୋତେ ଦିଅ । ବାୟାଟା କିଛି ଜାଣେନାହିଁ ।

 

ଦିନେ ଈଶ୍ୱରଙ୍କ ସହିତ ସାକ୍ଷାତ୍‍ କରେଇ ଦବାପାଇଁ ମୋତେ ନେଇଯାଇଥିଲେ ମୋ’ରି ଶିକ୍ଷକ । ଗଣେଶ ପୂଜା ହେଉଥାଏ ସ୍କୁଲରେ । ପୁଷ୍ପାଞ୍ଜଳି ଦେଇ ସମସ୍ତେ ଚାଲିଯାଇ ଥାଆନ୍ତି, ସେତେବେଳକୁ ସେ ଏବଂ ମୁଁ ଥାଉଁ କେବଳ । ସେ ମୋ କାନ ପାଖରେ ଧୀରେ ଧୀରେ କହିଲେ–ଦେଖିଲୁ ? ମୁଁ ସଂଶୟ ବୋଳା ଆଖିରେ ତାଙ୍କ ମୁହଁକୁ ଚାହିଁ କହିଲି–ଇଏତ ଗଣେଶଙ୍କ ମୂର୍ତ୍ତି । ସାର୍‌ କହିଲେ ଇଏ ବି ଈଶ୍ୱର, ମନ୍ଦିରରେ ଯେଉଁ ଶିବଙ୍କୁ ଦେଖୁ ସେ ବି ଈଶ୍ୱର...ଆଉ ରାମ, କୃଷ୍ଣ ବି ଈଶ୍ୱର । ମୁଁ ବୁଝି ନ ପାରି କହିଲି–ଏତେ ଈଶ୍ୱର ଅଥଚ କେହି କଥା କହୁନାହାନ୍ତି କାହିଁକି... ପ୍ରାର୍ଥନା କଲେ କି ଡାକିଲେ ଶୁଣନ୍ତିନି କାହିଁକି...ସେଦିନ ଯେ ଆମ କ୍ଳାସର ଜିତୁ ମରିଗଲା, ତାକୁ ଭଲକରି ଦବାଲାଗି ଏତେ ଏତେ ଅନୁରୋଧ କଲେବି କାହିଁ ସେ ତ ଶୁଣିଲେ ନାହିଁ ! କଅଣ ଦୋଷ କରିଥିଲା ସେ ? ତା’ପରି ଭଲପିଲା ଆଉ କେହି ନାହାନ୍ତି ଆମ ଭିତରେ ।

 

ଆଜି ମୋର ସ୍ପଷ୍ଟ ମନେପଡ଼ୁଚି ଯେ ସେଦିନ ସାର୍‌ ମୋ ମନକୁ ପାଇଲାଭଳି କୌଣସି ଉତ୍ତର ଦେଇପାରି ନ ଥିଲେ । ମୋ ମା’ପରି ସେ ବି ବାରମ୍ୱାର ଏଇ ଗୋଟିଏ କଥା କହିଥିଲେ ଯେ–ପ୍ରଶ୍ନ ନ ପଚାରି ତାଙ୍କୁ ମାନିଗଲେ ସେ ଦୟାକରନ୍ତି । ଯୋଗୀଋଷିମାନେ କେତେ ତପସ୍ୟା କରି ବି ତାଙ୍କର ଦର୍ଶନ ପାଇନାହାଁନ୍ତି, ଆଉ ଯେଉଁ କେତେ ଜଣ ଦର୍ଶନ ପାଇଚନ୍ତି ସେମାନଙ୍କର ସଂଖ୍ୟା ଏତେ କମ୍‌ ଏବଂ ସାଧନା ଏତେ ବେଶୀ ଯେ ବଡ଼ ହେଲେ ମୁଁ ଜାଣିପାରିବି । କିନ୍ତୁ ଈଶ୍ୱର ଅଛନ୍ତି । ସେ ନ ଥିଲେ ସଂସାର ନ ଥାନ୍ତା, ସୂର୍ଯ୍ୟ ଚନ୍ଦ୍ର ନଥାନ୍ତେ, ମଣିଷ ପଶୁ ପକ୍ଷୀ କେହି ନ ଥାନ୍ତେ ।

 

ଇଏ ସବୁ ଶୁଣିବା କଥା; କିନ୍ତୁ ପ୍ରମାଣଯୋଗ୍ୟ ନୁହେଁ । ମୁଁ ପ୍ରମାଣ ଚାହେଁ । ମନ୍ଦିରକୁ ଯାଇ ମାର୍ବଲ ଚଟାଣ ଉପରେ ବସି ପୁଷ୍ପ ଚନ୍ଦନ ଶୋଭିତ ବିଗ୍ରହଙ୍କୁ ବହୁବାର ଦେଖିଚି, ଫଟୋକୁ ଚାହିଁ ଛିଡ଼ାହୋଇଚି ଜିଜ୍ଞାସୁ ନେତ୍ରରେ; କିନ୍ତୁ ମୋ ମନ ଶାନ୍ତ ହୋଇନି, ମୋ ପ୍ରଶ୍ନର ଉତ୍ତର ଶୁଣିନାହିଁ । ମୋ ମନର ଦ୍ୱନ୍ଦ୍ୱ ସମାଧାନ ନ ହୋଇ ରହିଯାଇଚି । ମୁଁ ବ୍ୟାକୁଳ ହୋଇ ଡାକିଚି ତାଙ୍କୁ, ଅସ୍ଥିର ହୋଇ ଖୋଜିଚି ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ଏବଂ ଗିର୍ଜାରେ । ତାଙ୍କର ବିଭୂତି ବିଞ୍ଚିହୋଇ ପଡ଼ିଚି ସର୍ବତ୍ର; କିନ୍ତୁ ତାଙ୍କୁ ସ୍ୱଶରୀରରେ ଦେଖିନି କେବେ ।

 

ସେଥିପାଇଁ ଖୋଜୁଚି, କାଳେ ଯଦି ଦେଖା ହୋଇଯାଏ । ନିଜର ଉଆସ ଭିତରେ ଅତି ସୁନ୍ଦର ମନ୍ଦିରଟିଏ ତୋଳି ସେଥିରେ ରାମ ସୀତାଙ୍କର ମାର୍ବଲମୂର୍ତ୍ତି ସ୍ଥାପନ କରିଛନ୍ତି ମୁକୁନ୍ଦ ସାହୁ । ଅଚଳାଚଳ ସମ୍ପତ୍ତି ତାଙ୍କର । ସେଥିରୁ ସାମାନ୍ୟ କିଛି ଖର୍ଚ୍ଚ କରି ଠାକୁରଙ୍କ ପୂଜାର୍ଚ୍ଚନା ପାଇଁ ସ୍ଥାୟୀ ବ୍ୟବସ୍ଥା କରିଛନ୍ତି । ଲୋକେ ଧନ୍ୟ ଧନ୍ୟ କରନ୍ତି ମୁକୁନ୍ଦ ସାହୁଙ୍କୁ । ଅକ୍ଷୟ କୀର୍ତ୍ତିର ଅଧିକାରୀ ସେ-। ଈଶ୍ୱରଙ୍କ କୃପାରୁ ଅଚଳାଚଳ ଧନ ସମ୍ପଦ ଉପାର୍ଜନ କରିଚନ୍ତି ସେ । ଶହେ ବର୍ଷ ମୁକ୍ତ ହସ୍ତରେ ଦାନ ବିତରଣ କଲେ ବି ତାହା ଶେଷ ହେବନାହିଁ । ଅଥଚ ସେଇ ମୁକୁନ୍ଦ ସାହୁଙ୍କର ସେବା କରୁଥିବା ପହଲି ନାଏକ ପଇସା ଅଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଶେଷରେ ଅନ୍ଧ ହୋଇଗଲା । ମାଛିକୁ ମ କହୁ ନ ଥିବା ନିରୀହ ସରଳ ଶ୍ରୀପତି ସାର୍‌ ଝିଅକୁ ବିବାହ ଦେଇ ନ ପାରି ଶେଷରେ ପାଗଳ ହୋଇଗଲେ ।

 

ସେମାନଙ୍କର ଦୋଷ କଅଣ ? ତା’ର ପ୍ରତିକାର କଅଣ ? କିଏ ଶୁଣିବ ସେମାନଙ୍କର ଗୁହାରି ? କିଏ ସାନ୍ତ୍ୱନା ଦବ ସେମାନଙ୍କୁ ?

 

ଦେଖାହେଲେ ଏଇ ପ୍ରଶ୍ନ ସହିତ ମୁଁ ଆହୁରି ଅନେକ ପ୍ରଶ୍ନ ପଚାରନ୍ତି ତାଙ୍କୁ । ସେ ତ ସବୁ ପ୍ରଶ୍ନର ଉପରେ, ପୁଣି ସବୁ ପ୍ରଶ୍ନର ଉତ୍ତର ବି ଅଛି ତାଙ୍କରି ପାଖରେ । ମୁଁ ଅବିଶ୍ୱାସ କରୁନି ତାଙ୍କୁ । ମା’ କହିଚି କେତେ ଥର–ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର । ମୁଁ ବିଶ୍ୱାସ କରୁଚି ଯେ ସେ ଅଛନ୍ତି; କିନ୍ତୁ ପ୍ରମାଣ ପାଇ ନ ଥିବାରୁ ଈଶ୍ୱରଙ୍କ ବିଶ୍ୱାସଯୋଗ୍ୟତା କମିବାରେ ଲାଗିଚି । ମୁଁ ସ୍ଥିରହୋଇ ବସି ନ ପାରି ତାଙ୍କୁ ଖୋଜିବାପାଇଁ ବାହାରିଚି । କେତେ ଖୋଜିଲିଣି ସେଇଦିନୁ । ଅସ୍ଥିର ଅଶାନ୍ତ ଚିତ୍ତରେ ଭ୍ରମିଲିଣି କେତେ ସ୍ଥାନ; କିନ୍ତୁ ସଫଳ ହୋଇନି, ବରଂ ମୋର ସବୁ ଆଶା, ଉତ୍ସାହ ମଉଳି ଆସିଚି । ମୁଁ ଲୁଚି ଲୁଚି କାନ୍ଦିଚି, ତାଙ୍କୁ ଗାଳି ଦେଇଛି । କେତେବେଳେ ବି ଅଳି ଅର୍ଦ୍ଦଳି କରିଚି; କିନ୍ତୁ କାହିଁ, ସେ ତ ସେଇ ପ୍ରହେଳିକା ହୋଇ ରହି ଯାଇଛନ୍ତି । ଥରୁଟିଏ ଦେଖାଦେଇ ଗୋଟିଏ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି । ସେ ପରା କରୁଣାର ଆଧାର, ଅନ୍ତର୍ଯାମୀ...।

 

କେ ଜା ଣି...।

 

ମୁଁ ଖୋଜୁଚି । କେତେ ନଗର, କେତେ ଜନପଦ ବୁଲିଆସି ସାରିଲିଣି; କିନ୍ତୁ ଈଶ୍ୱରଙ୍କ ସହିତ ସାକ୍ଷାତ୍‍ ହେଲାନି । ସେ ବି ହୁଏତ ଲୁଚି ଲୁଚି ବୁଲୁଚନ୍ତି, ମୋତେ ଦୂରରୁ ଦେଖି ବାଟଭାଙ୍ଗି ଅନ୍ୟତ୍ର ଚାଲିଯାଉଚନ୍ତି କି ଲୁଚିଯାଉଚନ୍ତି କେଉଁଠି । ମୋର ସକଳ ଚେଷ୍ଟା ବ୍ୟର୍ଥ ହୋଇଛି ।

 

ଈଶ୍ୱର କେଉଁଠି ରହନ୍ତି ? କେହି କେହି କହନ୍ତି ଯେ ସେ ସର୍ବତ୍ର । ସେ ସୂର୍ଯ୍ୟ ହୋଇ ଆଲୋକ ଦାନ କରନ୍ତି, ବାୟୁହୋଇ ବହନ୍ତି, ବର୍ଷାହୋଇ ସହସ୍ରଧାରରେ ବର୍ଷନ୍ତି, ଫୁଲହୋଇ ଫୁଟନ୍ତି, ଶସ୍ୟ ହୋଇ ଫଳନ୍ତି । ଏ ସଂସାର ତାଙ୍କର । ସେ କର୍ତ୍ତା ।

 

ବିଶ୍ୱାସ କରିବାକୁ ଇଚ୍ଛାହୁଏ । ଜଣେ ତା’ହେଲେ ଅଛି ଯିଏ କି ସଙ୍କଟ ପଡ଼ିଲେ ପିଠିରେ ପଡ଼ିବେ । କର୍ତ୍ତାହୋଇ ରକ୍ଷା କରିବ । ପିଠି ଆଉଁସି ଦେଇ ଭରସା ଦେବ । କିନ୍ତୁ ଥରଟିଏ ପ୍ରମାଣ ଦରକାର । ଥରଟିଏ ମାତ୍ର । ମୁଁ ତାଙ୍କ ସହିତ ଥରେ ମୁହାଁମୁହିଁ ହେଲେ ସନ୍ଦେହ ମୋଚନ ହୋଇଯିବ-। ବିଶ୍ୱାସ ଅଟଳ ହୋଇଯିବ । ମନ ସ୍ଥିରହେବ । ସେଥିପାଇଁ ଖୋଜୁଚି । ବ୍ୟାକୁଳହୋଇ ତାଙ୍କୁ ଖୋଜୁଚି । ଥରେ ଦେଖା ପାଇଲେ ଅବଶିଷ୍ଟ ଜୀବନ ତାଙ୍କରି ପାଦ ତଳେ କଟେଇ ଦେବି । ତାଙ୍କରି ସେବା କରିବି ଯାହାକଲେ ସେ ସୁଖୀ ହେବେ କେବଳ ସେତିକି କରିବି ।

 

ହେ ଈଶ୍ୱର ଦେଖାଦିଅ ! ଥରୁଟିଏ, କେବଳ ଥରୁଟିଏ ମାତ୍ର ।

 

ଗେରୁଆ ଲୁଗା ପିନ୍ଧି ଯେଉଁ ସନ୍ନ୍ୟାସୀ ଡାକନ୍ତି ତାଙ୍କ ଡାକ ହୁଏତ ସେ ଶୁଣୁଥିବେ । ହୁଏତ କୌଣସି ନିର୍ଜନ ଗୁମ୍ଫା ଭିତରେ ବସି ତାଙ୍କୁ ଡାକିଲେ ସେ ଶୁଣିବେ ।

 

ମୁଁ କୌଣସି ଗୋଟେ ପନ୍ଥା ଅବଲମ୍ୱନ କରିବାପାଇଁ ବାହାରି ପଡ଼ିଲି । ଯେପରି ହେଉ ତାଙ୍କ ସହିତ ସାକ୍ଷାତ୍‍ କରିବାକୁ ହେବ । ତାଙ୍କୁ ନ ଦେଖିବା ପର୍ଯ୍ୟନ୍ତ କୌଣସି କାମନରେ ମନ ଲାଗୁନାହିଁ; ଅସ୍ଥିର ଚିତ୍ତ ସ୍ଥିର ହେଉନାହିଁ, ଅବିଶ୍ୱାସୀ ମନଟା ସମ୍ପୂର୍ଣ୍ଣ ବିଶ୍ୱାସ କରି ନିର୍ଭର ହୋଇ ରହିପାରୁନି ।

ମୁଁ ବାହାରିପଡ଼ିଲି । ବାପା, ମା’, ଗୁରୁଜନମାନେ ଆଶୀର୍ବାଦ କଲେ । କନିଷ୍ଠ ଓ ସାଙ୍ଗମାନେ ଶୁଭକାମନା ଜଣାଇଲେ । ଜଣେ କେହି କହିଲା ଯେ ଈଶ୍ୱରଙ୍କ ସହିତ ଦେଖାହେଲେ ମୁଁ କୁଆଡ଼େ ରାମକୃଷ୍ଣ ପରମହଂସ କି ଯୋଗୀ ଅରବିନ୍ଦଙ୍କ ପରି ହୋଇଯିବି, ଆଉ ସେମାନଙ୍କ ଭିତରକୁ ଫେରି ଆସିବି ନାହିଁ, ସେମାନେ ମୋ ପାଖକୁ ଆସିବେ । ମୁଁ ହସିଲି ମନେ ମନେ ।

ବରଷେ ହେବ ବୁଲୁଚି । କେତେ ଗାଁ ସହର ବଜାର ବୁଲି ସାରିଲିଣି । ମନ୍ଦିର ମସ୍‌ଜିଦ୍‌ ମଧ୍ୟ ବୁଲିଆସିଲିଣି; କିନ୍ତୁ କାହିଁ ଈଶ୍ୱରଙ୍କ ସହିତ ସାକ୍ଷାତ୍‍ ହୋଇନାହିଁ । ମଠମାନଙ୍କୁ ମଧ୍ୟ ଯାଇଛି । ସେଠାରେ ମଧ୍ୟ ତାଙ୍କୁ ଦେଖିନାହିଁ । ମନ ସ୍ଥିରକରି ଶେଷରେ ପାହାଡ଼ ପର୍ବତ ଭିତରେ ଖୋଜିଲି । ଗୁମ୍ଫାଭିତରେ ଅନୁସନ୍ଧାନ କଲି । କିନ୍ତୁ ସେଠାରେ ବି ନିରାଶ ହେଲି । ସବୁଆଡ଼ୁ ହତାଶ ହୋଇ ଫେରି ଆସିଲି ପୁରୁଷୋତ୍ତମ କ୍ଷେତ୍ରକୁ । ପ୍ରତିଦିନ ପ୍ରାତଃକୃତ୍ୟ ଶେଷକରି ଜଗନ୍ନାଥଙ୍କ ଚରଣତଳେ ମୁଣ୍ଡିଆମାରି ବାହାରି ପଡ଼ୁଥାଏ ପଦଯାତ୍ରାରେ । ପ୍ରତିଦିନ ଭିନ୍ନ ଭିନ୍ନ ରାସ୍ତାରେ–କାଳେ ଯଦି ସେ ଲୁଚି ଛପି ବସିଥିବେ କେଉଁ ଗଛମୂଳରେ କି ଭଙ୍ଗା ଦେଉଳ ଆଗରେ । ସେଦିନ ତିନି ଠାକୁରଙ୍କ ଦର୍ଶନ କରି ବେଢ଼ା ଭିତରୁ ବାହାରିବାବେଳେ କାହିଁକି କେଜାଣି ମନ ହେଲା ଲୋକନାଥଙ୍କ ପାଖକୁ ଯିବାପାଇଁ । ଭାଗବତ କହିଚନ୍ତି ଯେ, ମନ ମୋହରି ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ । ମନ ଯାହା କହୁଚି ସେତକ ଆଗ କରିପକାଏ, ତା’ପରେ ଦେଖିବା ।

ସହର ପାରହବା ପରେ ଲୋକନାଥଙ୍କ ମନ୍ଦିର । ରାସ୍ତାଟା ଅପ୍ରଶସ୍ତ ଏବଂ ଅସନା । ଠାଏ ଠାଏ ମଇଳା । ସେଇ ସଂକୀର୍ଣ୍ଣ ପଥଦେଇ ଆଗେଇ ଚାଲିଥାଆନ୍ତି ସହସ୍ର ଲୋକ । ଆଜି ଶିବରାତ୍ରି । ବ୍ରତ ରକ୍ଷାକରିବା ପାଇଁ ଚାଲିଥାଆନ୍ତି ଆର୍ତ୍ତ ଅର୍ଥାର୍ଥୀ, ଜିଜ୍ଞାସୁ ଭକ୍ତମାନେ । ରାସ୍ତାରେ ପ୍ରବଳ ଭିଡ଼ । ଗାଡ଼ି, ରିକ୍‌ସା, ସାଇକେଲ ସଂଖ୍ୟାତୀତ । ସୁଅ ଛୁଟିଚି ଗୋଟିଏ ଆଡ଼ୁ । ସମସ୍ତେ ଚାଲିଚନ୍ତି ସେଇ ଗୋଟେ ଦିଗକୁ–ଲୋକନାଥଙ୍କ ପାଖକୁ ।

ଠିକ୍‌ ମୋହରି ଆଗରେ ଅଟକିଗଲା କଳାରଙ୍ଗର ଗାଡ଼ିଟିଏ । ଚଳମାନ ଗାଡ଼ିଟି ଅଚଳ ହୋଇଗଲା ଯାନ୍ତ୍ରିକ ଗଣ୍ଡଗୋଳ ଯୋଗୁଁ । ଡ୍ରାଇଭର ଅନେକ ଚେଷ୍ଟାକରି ହତାଶ ହେଲା । ମୁଁ ଛିଡ଼ାହୋଇ ଦେଖୁଥାଏ । ଈଶ୍ୱର ଦଗାଦିଆ ବୋଲି ଭକ୍ତମାନେ ଅଭିମାନରେ କହନ୍ତି । ଆମ ସମସ୍ତଙ୍କୁ ଦଗାଦେଇ କାଳେ ଯଦି ସେ ଗାଡ଼ିରେ ବସି ଚାଲି ଯାଉଥିବେ... କିଏ କହିପାରିବ ?

ଗାଡ଼ି ଅଚଳ ହୋଇପଡ଼ିଲା, କିନ୍ତୁ ଗାଡ଼ି ଭିତରେ ବସିଥିବା ଆରୋହୀମାନେ ଅବତରଣ କଲେନାହିଁ । ସନ୍ଦେହ ଘନୀଭୂତ ହେଲା ମୋ ମନରେ । ଏଇଠି ହୁଏତ ବସିଥିବେ ଭକ୍ତବତ୍ସଳ ନରହରି । ଅଶେଷ ତାଙ୍କର ମାୟା...

ଡ୍ରାଇଭର୍‌ ଅନୁନୟ କଲା । ଟିକେ ହାତ ଲଗେଇ ଦେଲେ ଗାଡ଼ି ଗଡ଼ିଯିବ । ବାଟରେ ପଡ଼ିରହିଲେ ସମସ୍ତଙ୍କର ଅସୁବିଧା । ମୁଁ ପ୍ରଥମେ ଆଗେଇ ଆସିଲି । ମୋତେ ଦେଖି ଆଉ ତିନି ଚାରିଜଣ ବି ଆସିଲେ । ତଥାପି ଗାଡ଼ିଭିତରୁ ସେମାନେ ଓହ୍ଲାଇଲେ ନାହିଁ ।

ଡ୍ରାଇଭର କହୁଥାଏ ସେମାନେ ବସିଥାଆନ୍ତୁ ଭିତରେ । ଚାଲିବାର ଅଭ୍ୟାସ ନାହିଁ । ପୂଣ୍ୟ କରିବାକୁ ଆସିଚନ୍ତି ଯେତେବେଳେ ଏଇ ଅସନା ରାସ୍ତାରେ ଚାଲି ନିଜକୁ ଅଶୁଦ୍ଧ ଅପବିତ୍ର କରିବେ କାହିଁକି ? ସ୍ନାନସାରି ପୂଜାର୍ଚ୍ଚନା କରି ପାଣି ଟୋପାଏ ବି ନ ପିଇ ବାହାରିଚନ୍ତି ଘରୁ । ଲୋକନାଥଙ୍କୁ ଦର୍ଶନ କରି ତାଙ୍କର ଚରଣାମୃତ ପାନ କଲାପରେ ଆଉ ସବୁ । ଆହା, ଭକ୍ତ ଶିରୋମଣି ହୋଇଥିବେ ନିଶ୍ଚୟ । ମୁଁ ଅସାମାନ୍ୟ ନିଷ୍ଠାର ପରିଚୟ ପାଇ ମନକୁମନ କହିଲି– ଠିକ୍‌ ଅଛି, ଭଗବାନଙ୍କ ସହିତ ଦେଖା ନ ହେଉ ତାଙ୍କ ଭକ୍ତ ସହିତ ଦେଖା ହୋଇଯିବ–ଏହା କଅଣ କମ୍‌ ଭାଗ୍ୟର କଥା ?

 

ଆମେ ଗାଡ଼ିକୁ ପଛରୁ ପେଲିଲୁ । ସମବେତ ପ୍ରଚେଷ୍ଟା ଫଳରେ ଅଚଳ ଗାଡ଼ି ସଚଳ ହେଲା । ଟିକେ ଆଗରେ ଗାଡ଼ି ରହିଯିବା କ୍ଷଣି ଦଉଡ଼ି ଆସିଲେ ପଣ୍ଡାମାନେ ।

 

ଅନେକ କଷ୍ଟକରି ସପରିବାର ଓହ୍ଲେଇଲେ ଲଛମୀ ଦାସ ତ୍ରିଭୂବନ ଦାସ । ସମସ୍ତେ ପୃଥୁଳକାୟ । ଅତ୍ୟଧିକ ମେଦବୃଦ୍ଧି ଜନିତ ଅସହାୟତା ଅଙ୍ଗପ୍ରତ୍ୟଙ୍ଗରେ ।

 

ଭିକାରି ପଞ୍ଝାଏ ହାତ ପାତିଲେ ଆସି–ପୂଣ୍ୟ ଦିନରେ ଆମ ହାତରେ କିଛି ପଡ଼ୁ ଆଜ୍ଞା । ଲୋକନାଥ ମଙ୍ଗଳ କରିବେ... ଆହୁରି ବଢ଼ତି ହେବ...ଶହେକୋଡ଼ିଏ ବରଷ ବଞ୍ଚିବେ...

 

ଲଛମୀ ଦାସ ତ୍ରିଭୂବନ ଦାସଙ୍କର ଗୋଟିଏ ଲକ୍ଷ୍ୟ–ସେ ସିଧା ଯିବେ ଲୋକନାଥଙ୍କ ପାଖକୁ, ତା’ ପୂର୍ବର ବାଧା ପ୍ରତିବନ୍ଧକ ଅବାଞ୍ଛିତ । ଥୁକୁଲ ଥାକୁଲ ପାଦରେ ହଲି ଦୋହଲି ଆଗେଇଗଲେ ସେ । ତାଙ୍କ ପଛେ ପଛେ ପରିବାର । ଲମ୍ୱି ଆସିଥିବା ହାତଗୁଡ଼ାକ ପଛରେ ପଡ଼ିରହିଲା ।

 

ହଠାତ୍‌ କାହାର ଚିତ୍କାର ଶୁଣି ରହିଗଲି ମୁଁ । ଅନ୍ଧ ଏବଂ ଅକ୍ଷମ ପୁରୁଷଟିଏ ବସିଛି ରାସ୍ତା ମଝିରେ । ଗୋଟିଏ ପାଖରୁ ଅନ୍ୟ ପାଖକୁ ଯିବାବାଟରେ ଅଟକି ଯାଇଛି । କାଳେ ତାକୁ ମାଡ଼ିମକଚି ଲୋକେ ଚାଲିଯିବେ ବୋଲି ଗୋଟିଏ ରାହା ଲଗେଇଚି... ମୁଁ ଅନ୍ଧ ଅକ୍ଷମ ଆଜ୍ଞା...ଟିକେ ଯଦି ହାତ ବଢ଼େଇ ଦିଅନ୍ତେ...

 

ତା’ଆଗରେ ନେଣ୍ଡାଏ ଛେପ ପକାଇ ଲଛମୀ ଦାସ ତ୍ରିଭୂବନ ଦାସ ଚାଲିଗଲାବେଳେ କହିଲେ–ଏତେ ଟିକସ ନିଏ ସରକାର...ତଥାପି ପୁଲିସ୍‍ ନିଷ୍କ୍ରିୟ...ଅଫିସରମାନେ ବି ଦର୍ଶକ...କାମ କେହି କରନ୍ତିନି... ନ ହେଲେ ଏଇ ଅନ୍ଧଟା ରାସ୍ତା ମାଡ଼ି ବସିଥାଆନ୍ତା...

 

ମୁଁ ସେଇ ଅନ୍ଧକୁ ସେପାଖକୁ ନେଇଗଲି । ତା’ ତୁଣ୍ଡରୁ ବର୍ଷୁଥାଏ କୃତଜ୍ଞତା’ର ଆଶୀର୍ବାଦ–ଜଗନ୍ନାଥେ ତୁମକୁ ସୁଖୀ କରନ୍ତୁ ବାବା...କୋଟି ପରମାୟୁ ଦିଅନ୍ତୁ...

 

ଲଛମୀ ଦାସ ତ୍ରିଭୂବନ ଦାସ ସେତେବେଳକୁ ଅଦୃଶ୍ୟ ହୋଇଗଲେଣି ମନ୍ଦିର ବେଢ଼ାଭିତରେ । ମନ୍ଦିର ଭିତରେ ପ୍ରବଳ ଭିଡ଼ । ବାହାରେ ଛିଡ଼ା ହୋଇଗଲି ଟିକେ । ପଙ୍ଗୁ ହୋଇଯାଇଥିବା କୁଷ୍ଠ ରୋଗୀଟିଏ ଆସି ନ ପାରି ଦୂରରୁ ରଡ଼ି ଛାଡ଼ିଚି–ଗୋଡ଼ ନାହିଁ ଚାଲିବାକୁ–ହାତ ନାହିଁ ମାଗିବାକୁ...କିନ୍ତୁ ପେଟ ଖଣ୍ଡକ ଅଛି...ଆଖିଯୋଡ଼ିକ ଦେଖୁଚି ସବୁ...ଟିକେ ଦୟାହେଉ ଆଜ୍ଞା...

 

ମୁଁ ତାକୁ ବୋହିଆଣି କୁଷ୍ଠରୋଗୀମାନଙ୍କ ଧାଡ଼ିରେ ବସେଇ ଦେଲି । ସେ କାନ୍ଦି ପକେଇ କହିଲା–ତୁମେ ମଣିଷ ନୁହଁ ବାବୁ...ନର ଦେହରେ ନାରାୟଣ । ପାପର ଫଳ ଭୋଗୁଚି ମୁଁ-। ଦିନେ ମୁଁ ବି ସକ୍ଷମ ଥିଲି...ମୋ ନାମ ଶୁଣି ବାଘ ବକୁରୀ ଏକା ଘାଟରୁ ପାଣି ପିଉଥିଲେ ।

 

ଅନେକ କୁଷ୍ଠରୋଗୀ ସେତେବେଳକୁ ରଡ଼ି ଛାଡ଼ୁଥାଆନ୍ତି ଚାରି ଦିଗରୁ...ଆମ ଆଡ଼କୁ ଆଡ଼ନୟନ ଟିକେ ପଡ଼ୁ ଆଜ୍ଞା...ନର ଦେହରେ ନାରାୟଣ ଆପଣ...ଆମ କଥା ଶୁଣା ହେଉ... ଆମକୁ ଉଦ୍ଧାର କରନ୍ତୁ ।

 

ବିଜୁଳିପରି ଗୋଟାଏ ଅନୁଭୂତି ଶିହରଣ ଖେଳିଗଲା ମୋର ଚେତନାରେ । ହାୟ ହାୟ, ଏଇଠି ଈଶ୍ୱର ଏତେ ପାଖରେ ଥିବାବେଳେ ମୁଁ ବରଷ ବରଷ ଧରି ଖୋଜିଚି ତାଙ୍କୁ ! ହଠାତ୍‌ ମୁଁ ଚିତ୍କାର କରିଉଠିଲି–ପାଇଛି, ମୁଁ ପାଇଛି ତାଙ୍କୁ ବହୁ ବର୍ଷ ପରେ ଈଶ୍ୱରଙ୍କ ଦର୍ଶନ ପାଇଛି...ମୁଁ ଧନ୍ୟ–ମୋ ଜୀବନ ଧନ୍ୟ ।

Image

 

ସତ୍କାର

 

ଆଜି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ । ଜୟନ୍ତ ସକାଳୁ ଉଠି ବଗିଚାକୁ ଗଲା ଏବଂ ଗୋଟେ ଅଧାଫୁଟା ରକ୍ତ ଗୋଲାପ ତୋଳିଆଣି ଇତିଶ୍ରୀ ଗଭାରେ ଖୋସି ଦେଲା । ଇତିଶ୍ରୀ ସେତେବେଳକୁ ଗାଧୋଇ ସାରିଥିଲା ଏବଂ ସେଇ ଅବସରରେ ସେ ନଇଁପଡ଼ି ଜୟନ୍ତକୁ ପ୍ରଣାମ କରିବା ପୂର୍ବରୁ ଜୟନ୍ତ ତାକୁ ଛାତି ଉପରକୁ ଆଉଜାଇ ନେଇ ଚୁମାଟିଏ ଦେଲା । ଇତିଶ୍ରୀ ଜଳିଉଠିଲା ମହମବତିର ପ୍ରଥମ ଆଲୁଅ ପରି ।

 

ଜୟନ୍ତ ଏବଂ ଇତିଶ୍ରୀ ରେଜେଷ୍ଟ୍ରି କରି ବାହା ହୋଇଥିଲେ ଗତବର୍ଷ ଠିକ୍‌ ଏଇ ଅକ୍ଟୋବର ଏକରେ । ଆଜି କ୍ୟାଲେଣ୍ଡରର ପୃଷ୍ଠା ଓଲଟାଇବାବେଳେ ଅକ୍ଟୋବର ଏକ ଚାରିପାଖରେ ଦିଆଯାଇଥିବା ଲାଲ ବୃତ୍ତଟି ଆଖିରେ ପଡ଼ିଲା ଜୟନ୍ତର । ସେଇ ତାରିଖଟାକୁ ସ୍ମରଣ କରେଇ ଦବାପାଇଁ ତା’ ଚାରିପାଖରେ ଲାଲ ବୃତ୍ତଟିଏ ଆଙ୍କି ଦେଇଥିଲା ଇତିଶ୍ରୀ ।

 

ଜୟନ୍ତର ଗୋଟି ଗୋଟି କରି ସବୁ ମନେପଡ଼ୁଛି ଆଜି । ଇତିଶ୍ରୀକୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ା ବି ମନେପଡ଼ୁଛି । କିନ୍ତୁ ଜୟନ୍ତ ଗୋଟିକୁ ଛାଡ଼ି ଆଉ କୌଣସି ପ୍ରତିଶ୍ରୁତି ପୂର୍ଣ୍ଣ କରିପାରିନାହିଁ । ତଥାପି ଇତିଶ୍ରୀର ତିଳେହେଲେ ଶୋଚନା କି ଦୁଃଖ ନାହିଁ । ବରଂ ସେ କହେ ଯେ ପ୍ରତିଶ୍ରୁତିଗୁଡ଼ା ପୁରୁଣା ଲୁଗାପରି ବାକ୍‌ସ ଭିତରେ ସାଇତା ହୋଇ ରହିଥାଉ, ଦରକାରବେଳେ ମନେପକେଇବା । ଜୟନ୍ତ ଯେ ସବୁ ଭୁଲିଯାଇଛି ତାହା ନୁହେଁ; କିନ୍ତୁ ସେ ସବୁ ମନେପଡ଼ିଗଲେ ତା ନିଜ ଉପରୁ ବିଶ୍ୱାସଯୋଗ୍ୟତାଟି ହ୍ରାସପାଏ ।

 

ଆଜି ଏଇ ସୁନ୍ଦର ସ୍ମରଣୀୟ ସକାଳରେ ଫୁଲର ପ୍ରତ୍ୟେକ ପାଖୁଡ଼ାରୁ ଝରୁଥିଲା ବାସ୍ତବତା’ର ବାସ୍ନା । ଗତବର୍ଷ ଠିକ୍‌ ଏଇଦିନ କିନ୍ତୁ ସେ ପ୍ରତ୍ୟେକ ଫୁଲରୁ ପାଇଥିଲା ଆଉ ଏକ ଅନାସ୍ୱାଦିତ ବାସ୍ନା ଯାହା ତାକୁ ସ୍ୱପ୍ନ ଦେଇଥିଲା ରାତିରେ ଏବଂ ଆଶା ଦେଉଥିଲା ଦିନରେ । ସେଇ ବାସ୍ନାଟା କେବେ କେଉଁ ଗୁପ୍ତ ପଥରେ ଅଦୃଶ୍ୟ ହୋଇଗଲା ତାହା ଜାଣିବାବେଳକୁ ବର୍ଷଟିଏ ତ ପୂରିଯାଇଛି । ସେଇ ବାସ୍ନା ପଛରେ ବ୍ୟାକୁଳ ହୋଇ ଦଉଡ଼ିଛି ଜୟନ୍ତ, କିନ୍ତୁ ଫେରିଆସିଛି ବାଟରୁ ନିରାଶ ହୋଇ ।

 

ଇତିଶ୍ରୀ ଆଜି ବି ନିବେଦିତା ପରି ସକାଳ ଫୁଲର ନିଷ୍କଳଙ୍କ ପବିତ୍ରତା ନେଇ ଛିଡ଼ାହୋଇଛି ତା’ ଆଗରେ । ମୁହଁରେ ସେଇ ହସ ଯାହା କେବେ ପୁରୁଣା ହୁଏନି । ତା’ ମୁହଁର ଏଇ ହସ ଜୟ କରିଥିଲା ଜୟନ୍ତର ମନକୁ–ଯାହାକୁ କହନ୍ତି ପ୍ରଥମ ସାକ୍ଷାତ୍‍ରେ ପ୍ରେମ । ହୃଦୟ ଭିତରେ ସେଇ ଆଲୋଡ଼ନର ପ୍ରଥମ ଶଦ୍ଦଲିପି ଯେତେବେଳେ ସେ ଉଚ୍ଚାରଣ କଲା; ସେତେବେଳକୁ ତା’ର ସ୍ପଷ୍ଟ ପ୍ରତିଧ୍ୱନି ସେ ଶୁଣିଲା ଇତିଶ୍ରୀ ମୁହଁରୁ । ଦୁହେଁ ସମସ୍ତଙ୍କ ଆଦେଶ, ଉପଦେଶକୁ ଅବଜ୍ଞା କରି ବାହା ହୋଇଗଲେ ।

 

ଦୁଇ ପରିବାର ମଧ୍ୟରେ ପାଚେରି ଉଠିଲା । କଥାଭାଷା ବନ୍ଦ ହୋଇଗଲା । ନୂଆ ହୋଇ ବଦଳି ହୋଇ ଆସି ସେଇ ସାହିରେ ଘରଭଡ଼ା ନେଇ ରହିଥିବା ଇତିଶ୍ରୀର ବାପା ଅଜୟବାବୁ ଝିଅକୁ ଚିରଦିନ ପାଇଁ ମନରୁ ପୋଛିଦେଇ କହିଲେ ଯେ ଇତିଶ୍ରୀ ଆଉ ତାଙ୍କର ଝିଅ ନୁହେଁ–ସେ ମରିଯାଇଛି । ଯୋଉ ଇତିଶ୍ରୀ ବଞ୍ଚିଛି ସହରର ଆଉ ଗୋଟେ ସାହିରେ ସେ ଅନ୍ୟ କେହି–ତା’ ସହିତ ତାଙ୍କର ପରିଚୟ ନାହିଁ କି ସମ୍ପର୍କ ନାହିଁ ।

 

ଜୟନ୍ତର ବାପା ଆଉ ଟିକେ ବେଶୀ ଆଗେଇଥିଲେ ଏ ବିଷୟରେ । ସେ ଜୀବନ୍ତ ପୁତ୍ରର ଶ୍ରାଦ୍ଧ ମଧ୍ୟ କରି କୁଳର କଳଙ୍କ ମୋଚନ କରିଥିଲେ ।

 

ସବୁକଥା ଆଜି ମନେପଡ଼ୁଛି ଜୟନ୍ତର । ଆପଣାର ଲୋକ ପର ହୋଇଯାଇଥିବାର ମର୍ମାନ୍ତକ କାହାଣୀ ଏବେ ବି ମହାନଦୀର ଶୁଖିଲା ବାଲିପରି ପଡ଼ିରହିଛି ସର୍ବତ୍ର ।

 

ଇତିଶ୍ରୀକୁ ବିବାହର ପ୍ରଥମ ବାର୍ଷିକୀ ଦିନ ଗୋଟିଏ ମୁଦି ଓ ହଳେ କାନଫୁଲ ଦବାଲାଗି ବଡ଼ ଇଚ୍ଛା ଥିଲା ଜୟନ୍ତର । ବାହାଘର ଆଗରୁ ବା ବାହାଘରଦିନ ସେ ବା ମୁଦି ବା କାନଫୁଲ ସେ ଦେଇପାରିନି । ସେଇଦିନୁ ନିଜର ଅସାମର୍ଥ୍ୟ ତାକୁ ପୀଡ଼ନ କରୁଛି । ସେ ବହୁ ଚେଷ୍ଟାକରି ବି ଇତିଶ୍ରୀର ଅଙ୍ଗୁଳିରେ ସେମାନଙ୍କର ପ୍ରେମର ସ୍ମାରକୀ ଭାବରେ ମୁଦିଟିଏ ପିନ୍ଧାଇ ଦେଇପାରିନାହିଁ-। ଇତିଶ୍ରୀର ଖାଲି ଆଙ୍ଗୁଳି ସଦାବେଳେ ତା’ର ଦୃଷ୍ଟି ଆକର୍ଷଣ କରିଛି । ଏକ ବସ୍ତ୍ରରେ ସେ ବାପଘରୁ ବାହାରିଆସିଥିଲା । ସେ ଏବେ ବ୍ୟବହାର କରୁଥିବା ଲୁଗାପଟା ସବୁ କିଣି ଦେଇଥିଲା ଜୟନ୍ତ । ତା’ର ବନ୍ଧୁମାନେ ବି ଉପହାର ଦେଇଥିଲେ କିଛି । କିନ୍ତୁ ଜୟନ୍ତର ଅବସ୍ଥା ସେପରି ସ୍ୱଚ୍ଛଳ ନ ଥିଲା ଯେ ସେ ଚାହିଁବାକ୍ଷଣି ସବୁ କରି ପକେଇବ । ଭାଗ୍ୟକୁ ଚାକିରିଟି ଥିଲା ହାତରେ, ନ ହେଲେ ବାରଦୁଆର ଶୁଣ୍ଢିପିଣ୍ଡା ହଉଥାଆନ୍ତା । କିନ୍ତୁ କିରାଣି ଚାକିରିର ଆୟ ତ ସଂସାର ଚଳେଇବାକୁ ନିଅଣ୍ଟ ହୁଏ । କାନଫୁଲ ବା ମୁଦି କିଣି ସ୍ତ୍ରୀକୁ ଦବାର ସୁଯୋଗ ନାହିଁ । ତଥାପି ଜୟନ୍ତ ଭୁଲିପାରେନି-। ଭାବପ୍ରବଣ ହୋଇ କେତେକଥା କହିଛି ଇତିଶ୍ରୀକୁ । କେତେ ପ୍ରତିଶ୍ରୁତି ଦେଇଛି–କିନ୍ତୁ ଗୋଟାକୁ ଛାଡ଼ି ଅନ୍ୟ ଗୋଟିଏ ହେଲେ ପୂର୍ଣ୍ଣ କରିପାରି ନାହିଁ । କେବଳ ପ୍ରେମ ଦେବାରେ କାର୍ପଣ୍ୟ କରିନାହିଁ-। କୁଣ୍ଠା କରିନି ଭଲପାଇବାରେ । ଭଲପାଇବାକୁ ବଞ୍ଚେଇ ରଖିବାପାଇଁ ତା’ର ଅଦେୟ କିଛି ନାହିଁ । ସେଥିପାଇଁ ସେ ସବୁକିଛି ତ୍ୟାଗ କରିପାରେ ।

 

ଆଜି ବିବାହର ପ୍ରଥମ ବାର୍ଷିକୀ । ତା ହାତକୁ ଚା’ କପେ ବଢ଼େଇଦେଲା ଇତିଶ୍ରୀ । ତା’ ହାତର ଚା’ ବି ତା’ ହସପରି ସୁଆଦିଆ । ଇତିଶ୍ରୀକୁ ପାଖରେ ବସେଇ କହିଲା ସେ କଅଣ ମାଗିବ ମାଗ–ଆଜି ମୁଁ ରାମକୃଷ୍ଣ ପରମହଂସ ପରି କଳ୍ପତରୁ–ଯାହା ଇଚ୍ଛାକରିବ ପାଇବ ।

 

ଇତିଶ୍ରୀ ଆହୁରି ମଧୁର କରି ହସିଲା ଟିକେ ଏବଂ କହିଲା–ତୁମେ ତ ସବୁ ଦେଇଛ ମୋତେ–ଆଉ ମାଗିବାକୁ କିଛି ବାକିଥିଲେ ତ ମାଗିବି !

 

ତଥାପି ଜିଦ୍‌ କଲା ଜୟନ୍ତ । ଇତିଶ୍ରୀ ତା’ ମୁହଁ ପାଖକୁ ମୁହଁ ନେଇ ଅପେକ୍ଷା କଲା ସକାଳର ନରମ ଆଲୁଅ ପରି ଚୁମାଟିଏ ନବ ବୋଲି । ଜୟନ୍ତ ତାକୁ ଖାଲି ଆନନ୍ଦ ଦେଇନି ଆଲୋକ ବି ଦେଇଛି । ତା ଜୀବନର ସବୁ ଅନ୍ଧାର ବାଟ ଛାଡ଼ି ପଳେଇ ଯାଇଛି ଯିମିତି ପ୍ରତ୍ୟୁଷ ଆଗରେ ପଛଘୁଞ୍ଚା ଦେଇ ପଳେଇଯାଏ ଅନ୍ଧାର ।

 

ଇତିଶ୍ରୀ କହିଲା–ଆଜି ସନ୍ଧ୍ୟାକୁ ମୋର ବନ୍ଧୁମାନଙ୍କୁ ଡାକିଛି । ଚାରି ପାଞ୍ଚଜଣ ଆସିବେ-। ତୁମେ ବି କେତେକଙ୍କୁ ଡାକିପାର । ଯାହା ଅଛି ଭାଗ କରି ଖାଇବା ।

 

ଜୟନ୍ତ କହିଲା–ଆଠ ଦଶ ଜଣଙ୍କୁ ଖୁଆଇବାକୁ ଶହେ-ଦେଢ଼ଶହ ଲାଗିଯିବ । ଖାଲି ରୋଟି ଡାଲ୍‌ମା ତ ବାଢ଼ିଦେଇ ହେବନି ସେମାନଙ୍କୁ । ମୁଁ ମାଛ, ପରିବା, ମିଠା ସବୁ ଆଣିଦେବି–ତୁମେ ମେନୁ ପ୍ରସ୍ତୁତ କର ।

 

ଦୁହେଁ ବସିଗଲେ ମେନୁ ପ୍ରସ୍ତୁତ କରିବାପାଇଁ । ଜୟନ୍ତ ଇତିଶ୍ରୀ ଉପରେ ଏହାର ଦାୟିତ୍ୱ ଦେଇଥିଲା । କିନ୍ତୁ ଅନ୍ୟ କୌଣସି କାମ ଯେପରି ଇତିଶ୍ରୀ ଏକା କରେ ନାହିଁ ଏଇ କାମ ବି ଏକା ନ କରି ଜୟନ୍ତକୁ ପାଖରେ ବସେଇ ଡିକ୍ଟେସନ ଦେଲା । ଜୟନ୍ତ ଲେଖିବାକୁ ଲାଗିଲା । ମଇଦା ଅଟା ମିଶେଇ ଖାସ୍ତାପୁରି, ଆଳୁଦମ୍‌, ମାଛ କାଲିଆ, ଖଜୁର ଖଟା, ପାପଁଡ଼, ଖିରି ଆଉ ସାଲାଡ଼ । ମିଠା ପାନ । ଜୟନ୍ତ କହିଲା–ମୁଁ ଆଉ ଗୋଟେ ଆଇଟମ୍‌ ଯୋଡ଼ିବାକୁ ଚାହେଁ । ଦହିବରା ନ ହେଲେ ମୋ ପେଟ ଖାଲି ରହିଯାଏ । ଇତିଶ୍ରୀ କହିଲା–ଏଇ ଦହିବରା ଖାଇ ଆମର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

 

ଜୟନ୍ତ ଥଳି ଦୁଇଟା ଧରି ବାହାରିଗଲା ଘରୁ । ସେ କିନ୍ତୁ ଭୁଲିଯାଇଥିଲା ଯେ ଇତିଶ୍ରୀ ଯେଉଁ ପାର୍ଟି ଆୟୋଜନ କରୁଛି ସେଥିପାଇଁ ଦେଢ଼ଶହରୁ କମ୍‌ ଟଙ୍କା ଲାଗିବ ନାହିଁ । ଖାଲି ଖାଇବାଛଡ଼ା ଆଉକିଛି ସେ ଇତିଶ୍ରୀପାଇଁ କରିବ । ତାକୁ ଚମକେଇ ଦବା ଭଳି ଉପହାରଟିଏ ଦବ-। ସେଥିପାଇଁ ବି କିଛି ଟଙ୍କା ଦରକାର । ଚାରି ପାଞ୍ଚ ଶହ ଟଙ୍କା ନ ହେଲେ ଯେ କିଛି ହୋଇପାରିବ ନାହିଁ । ଏହା ଜାଣିବା ପରେ ତା’ର ପାଦର ଗତି ଶିଥିଳ ହୋଇ ଆସିଲା ଏବଂ ସେ ବଜାରକୁ ନ ଯାଇ ବ୍ୟାଙ୍କକୁ ଗଲା ।

 

ବ୍ୟାଙ୍କରେ ପ୍ରକାଶ କାମ କରେ । ତା’ ସହିତ ଜୟନ୍ତର ବନ୍ଧୁତା ବାଲ୍ୟକାଳରୁ । ପ୍ରକାଶର ସହାୟତାରେ ସେ ପାଞ୍ଚଶହ ଟଙ୍କା ଲୋନ୍‌ ପାଇଗଲା । ପ୍ରକାଶ ନିଜ ନାମରେ ବ୍ୟାଙ୍କରୁ ଲୋନ ନେଇ ବନ୍ଧୁକୁ ଦେଲା ଏବଂ ତାକୁ ସନ୍ଧ୍ୟାରେ ତା’ ଘରକୁ ଆସିବାକୁ ନିମନ୍ତ୍ରଣ କରି ଜୟନ୍ତ ବଜାର ଆଡ଼କୁ ଚାଲିଲା । ଏତେ ବେଳକୁ ସେ ମୋଟାମୋଟି ଅଙ୍କଟିଏ କଷି ସାରିଥାଏ ମନରେ । ପ୍ରତିମାସ ଦରମାରୁ ପଚାଶ କରି କାଟିଲେ ଦଶମାସ ଲାଗିବ ପରିଶୋଧ କରିବାକୁ । ଆଉ ଦୁଇମାସ ଦେଲେ ସୁଧ ବି ପରିଶୋଧ ହୋଇଯିବ । ପ୍ରକାଶ ତା’ର ମର୍ଯ୍ୟାଦା ରକ୍ଷା କରି ନ ଥିଲେ ସେ ଯେ ଏତେ ବଡ଼ ଶୁଭ ଦିନରେ ଖାଲି ହାତରେ ଇତିଶ୍ରୀ ଆଗରେ ଠିଆ ହୋଇଥାଆନ୍ତା ଏଥିରେ ସନ୍ଦେହ ନାହିଁ ।

 

ଦେଢ଼ଶହ ଟଙ୍କା ଖାଦ୍ୟପେୟ ପାଇଁ ରଖିଦେଇ ସାଢ଼େ ତିନିଶହ ଟଙ୍କା ପକେଟରେ ରଖିଲା–ସେଥିରେ ଇତିଶ୍ରୀ ପାଇଁ ଉପହାରଟିଏ କିଣିବ–ଯେଉଁ ଉପହାର ପାଇ ଖାଲି ସେ ଖୁସି ହେବ ନାହିଁ ଆନନ୍ଦରେ ଚମକି ପଡ଼ିବ, ଯିମିତି ବର୍ଷିବା ଆଗରୁ ବିଜୁଳି ଚମକେ ମେଘରେ ।

 

ଜୟନ୍ତ ବଜାର ଜିନିଷ ରଖିଦେଇ ଘର ସଜେଇବା କାମରେ ଇତିଶ୍ରୀକୁ ସାହାଯ୍ୟ କଲା-। ଦୁଇ ବଖରା ଘରକୁ ଝାଡ଼ିଝୁଡ଼ି ସଫା କଲେ ଦୁହେଁ । ଟେବୁଲ କ୍ଲଥଟାକୁ ବଦଳେଇ ବାକ୍‌ସ ଭିତରୁ ସଫା ଟେବୁଲ କ୍ଲଥଟିଏ ବାହାର କରି ବିଛେଇ ଦେଲା । ଇତିଶ୍ରୀ ଟେବୁଲ ଉପରେ ଫୁଲଦାନୀରୁ ବାସି ଫୁଲ ଫିଙ୍ଗିଦେଇ ବଜାରରୁ କିଣି ଆଣିଥିବା ଏକ ଗୁଚ୍ଛଫୁଟନ୍ତ ରଜନୀଗନ୍ଧା ରଖିଦେଲା ଫୁଲଦାନୀରେ । ଇତିଶ୍ରୀ ତା’ର ଓ ଜୟନ୍ତର ଯୁଗଳ ଫଟୋକୁ ଭଲ ଭାବରେ ପୋଛିଦେଇ ଟେବୁଲ ଉପରେ ରଖିଲା ଏବଂ ସଂଧ୍ୟାବେଳେ ଯେଉଁ ଫୁଲମାଳଟି ଫଟୋ ଉପରେ ଲମ୍ୱେଇ ଦବ ତାହା ଗୁନ୍ଥିସାରି ଓଦାକନା ତଳେ ସଜାଡ଼ି ରଖିଲା । ଝରକାର ପର୍ଦ୍ଦା କନାଟା ଚିରିଯାଇଥିଲା ବୋଲି ଗୋଟେ ପୂରୁଣା ଶାଢ଼ିକୁ ଦୁଇଭାଗ କରି ପର୍ଦ୍ଦା କାମ ଚଳେଇନେଲା ଏବଂ ଶିବରଂଜନୀ ଧୂପକାଠି ଦୁଇଟି ଲଗେଇ ଦେଲା ଫଟୋ ପାଖରେ । ମହମହ ବାସନାରେ ପୂରିଉଠିଲା ଘର ।

 

ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ ପରେ ଜୟନ୍ତ ବାହାରିଗଲା ବଜାରକୁ । ଉପହାର ଏବଂ ମିଠାପାନ ଏଯାଏ ଆସିନାହିଁ । ଯିବା ଆଗରୁ ତାକୁ ବାରମ୍ୱାର ତାଗିଦ କରିଦେଲା ଇତିଶ୍ରୀ–ପାଞ୍ଚଟା ସୁଦ୍ଧା ନ ଫେରିଲେ ସବୁ ଗୋଳମାଳ ହୋଇଯିବ । ସେ ଏକା ସମ୍ଭାଳି ପାରିବ ନାହିଁ । ଘର ବାହାର ଦୁଇଜଣ ମିଳିମିଶି ଦେଖିବେ । ଜୟନ୍ତ ତାକୁ ନିଶ୍ଚିନ୍ତ ହେବାକୁ କହି ବାହାରିପଡ଼ିଲା ଏବଂ ପାଦରେ ଚାଲିଚାଲି ଗଲେ ବେଶୀ ସମୟ ଲାଗିପାରେ ବୋଲି ରିକ୍‌ସାଟିଏ ନେଲା ।

 

ଆଗେ ଅଳଙ୍କାର ଦୋକାନକୁ ଯିବ । ଅଳଙ୍କାର ଦୋକାନଗୁଡ଼ା ସବୁ ସେଇ ପୁରୁଣା ଟାଉନରେ । ରିକ୍‌ସା ଚାଲିଲା ସେଇ ଦିଗକୁ । ଲେଭଲ କ୍ରସିଂରେ କିଛି ସମୟ ଅଟକି ରହିବା ସମୟରେ ଜୟନ୍ତ ଦୁଃଖସୁଖ ହେଲା ରିକ୍‌ସାବାଲା ସହିତ ।

 

ଗୋବିନ୍ଦର ଏଇ ସହରକୁ ଆସିବା ଦଶବରଷ ହୋଇଗଲା । ଏଇ ଦଶବର୍ଷ ରିକ୍‌ସା ଟାଣି ସଂସାର ଚଳଉଛି ସେ । ରିକ୍‌ସା ତା ନିଜର ନୁହେଁ, ଭଡ଼ାରେ ଚଳାଏ ।

 

ଖର୍ଚ୍ଚ ଯାଇ ଦିନକୁ ସାତ ଆଠ ଟଙ୍କା ରୋଜଗାର କରେ ଗୋବିନ୍ଦ । ଟାଉନ୍‌ ବସ୍‌ ପଡ଼ିବା ପରେ ରିକ୍‌ସା ଚଢ଼ାଳିଙ୍କ ସଂଖ୍ୟା କମିଛି । ଆଠଅଣା ବସଭଡ଼ା ନ ଦେଇ ଦୁଇଟଙ୍କା ରିକ୍‌ସାଭଡ଼ା ଦେବାକୁ ରାଜି ହୁଅନ୍ତିନି ଯାତ୍ରୀମାନେ । ଆୟ କ୍ରମଶଃ କମିଆସୁଛି ।

 

ତା’ର ପରିବାର ସମ୍ପର୍କରେ ତାକୁ ଆଉ କିଛି ପଚାରିଲା ଜୟନ୍ତ । ଗୋବିନ୍ଦ ଉତ୍ତର ଦେବା ଆଗରୁ ଫାଟକ ଖୋଲିଗଲା ଏବଂ ଗୋବିନ୍ଦ ରିକ୍‌ସା ଉପରେ ଚଢ଼ି ବସି ପ୍ୟାଡ଼େଲ ମାରିଲା-

 

ଏଇ ଫାଟକ ଖୋଲିବା ପରି ଯଦି ଜୀବନର ପ୍ରଧାନ ଫାଟକରେ ପଡ଼ିଥିବା ଅର୍ଗଳଟା ଖୋଲିଯାଆନ୍ତା ତା’ହେଲେ ଆଉ ବ୍ରେକ୍‌କଷି ଛିଡ଼ା ହେବାର ଆବଶ୍ୟକତା ରହନ୍ତା ନାହିଁ । ନୀଳବତି ଜଳି ଉଠନ୍ତା ଆଖି ଆଗରେ । ତାପରେ ଗଡ଼ିଯାଆନ୍ତା ଗାଡ଼ି । ଆଉ ଅଟକିଯାଆନ୍ତା ନାହିଁ ମଣିଷ । ରେଳଲାଇନ୍‌ ଉପରେ ଗଣି ହେଉଥିବା ଅଳ୍ପ କେତୋଟି ଫାଟକ ଏବଂ ଅର୍ଗଳ ଅଛି; କିନ୍ତୁ ମଣିଷ ଆଗରେ ଶହଶହ ଅର୍ଗଳ ଏବଂ ବନ୍ଦ ଫାଟକ ।

 

ଇତିଶ୍ରୀକୁ ବାହାହୋଇ ସେ ଠିକ୍‌ କରିଛି ବୋଲି ଭାବେ ଜୟନ୍ତ । ବହୁ ଦୁଃଖ ସେ ସହିଲାଣି ଏ ଭିତରେ । ଆହୁରି କେତେ କଷ୍ଟ ସହିବାକୁ ବାକିଅଛି କିଏ ଜାଣେ । କିନ୍ତୁ ସେ ଇତିଶ୍ରୀକୁ ବାହା ହୋଇ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଛି ବୋଲି ତା’ ଉପରେ ଦୋଷ ଲଦି ଦିଏନି କି ନିଜ ଭାଗ୍ୟକୁ ଦୋଷ ଦିଏନି ଜୟନ୍ତ । ଯେ କୌଣସି ଜିନିଷ ପାଇବାକୁ ହେଲେ ମୂଲ୍ୟ ଦବାକୁ ହୁଏ–ଭଲ ପାଇବାର ମୂଲ୍ୟ ଆହୁରି ବେଶୀ । ଏଠାରେ ଖାଲି ଦିଆନିଆ ହୁଏ ନାହିଁ, ଅନେକ ତ୍ୟାଗ କରିବାକୁ ପଡ଼େ । ସେଇ ମୂଲ୍ୟ ଅବଶ୍ୟ ଦେଉଛି ଜୟନ୍ତ । ଆଉ ଇତିଶ୍ରୀ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ । କାରଣ ଇତିଶ୍ରୀ ଭିତରେ ସେ ନିଜକୁ ଆବିଷ୍କାର କରେ । ତାହାରି ଭିତରେ ସେ ଅନୁଭବ କରେ ନୂତନ ଜୀବନର ସ୍ପନ୍ଦନ ।

 

ଯିଏ ଜୀବନରେ ଭଲପାଇବାର ସୁଆଦ ଚାଖିନାହିଁ, ସିଏ ବର୍ଷା ଦେଖିନ ଥିବା ମରୁଭୂମି ପରି । ସେଠାରେ ଏକଟଣା ଦୀର୍ଘଶ୍ୱାସର ବିସ୍ତୃତି । ବିନ୍ଦୁଏ ଜଳ ନ ଥିବା ଧୁ ଧୁ ମରୀଚିକା ।

 

ଜୟନ୍ତ ଭାଗ୍ୟବାନ୍‌ । ଇତିଶ୍ରୀ ଖାଲି ସ୍ତ୍ରୀ ନୁହେଁ, ସହଧର୍ମିଣୀ ଏବଂ ସାଥି ମଧ୍ୟ । ସେ ତା’ର ସୁଖ ଓ ଦୁଃଖରୁ ଭାଗନିଏ ଏବଂ ଯେତେବେଳେ ଦୁନିଆର ଚାପ ସହି ନ ପାରି ଅଣନିଶ୍ୱାସ ହୋଇଯାଏ ସେ, ଇତିଶ୍ରୀ କାନ୍ଧ ଦେଖାଏ କିଛି ବୋଝ ବୋହିବାପାଇଁ । ଏଇ କେତେଦିନ ହେବ ସେ ଲଗେଇଛି ତା’ ସାଙ୍ଗରେ ଚାକିରିଟିଏ ଖୋଜିବାପାଇଁ । ସେ ବି କିଛି କରିବ । ଘରେ ବସିବସି କେବଳ ଅଳସ ଭାଙ୍ଗି ଦେହରେ ମେଦ ବଢ଼ାଇବ ନାହିଁ । ସେ ବି ଭାବୁଥିଲା ଯେ ଇତିଶ୍ରୀକୁ ଚାକିରିଟିଏ ମିଳିଗଲେ ସଂସାର ଚଳେଇବା ଆହୁରି ସୁଗମ ହୁଅନ୍ତା । କିନ୍ତୁ ଚାକିରିଟିଏ ସହଜରେ ମିଳେ ନାହିଁ ।

 

ପାଞ୍ଚଟା ସୁଦ୍ଧା ଫେରିବା କଥା । ଜୟନ୍ତ କଥାଦେଇ ଆସିଛି । ଅଳଙ୍କାର ଦୋକାନରେ ଭିଡ଼ ନ ଥିଲା ସେପରି । ତଥାପି ଦୋକାନୀ କହିଲା ଯେ ନୂଆଟିଏ ଗଢ଼ିବାପାଇଁ ସମୟ ଲାଗିବ । ଜୟନ୍ତ ନିଜ ହାତର ମୁଦିକୁ ବାହାରକରି ଦେଲା ଦୋକାନୀକୁ । କେତେଦିନୁ ପିନ୍ଧୁଥିବାରୁ ଘସି ହୋଇଗଲାଣି । ସେ ବି.ଏ. ପାସ୍‍ କରିବା ଦିନ ମାମୁଁ ତାକୁ ଉପହାର ଦେଇଥିଲେ ଏଇ ମୁଦିଟା । ସେଇ ମାମୁଁ ଆଉ ତା ମୁହଁକୁ ବି ଚାହାଁନ୍ତିନି ସେ ଅବାଧ୍ୟ ହୋଇ ଇତିଶ୍ରୀକୁ ବାହା ହୋଇଥିବାରୁ । ହଠାତ୍‌ ଯେପରି ଜୟନ୍ତର ମନେହେଲା ଯେ ସେଇ ମୁଦିଟି ତା’ ଅଙ୍ଗୁଳିରେ ରହି ତାକୁ ପୀଡ଼ା ଦେଉଥିଲା ଆଜିଯାଏ । ମୁଦି ଏବଂ କିଛି ଟଙ୍କା ବିନିମୟରେ ଯଦି ସେ ନୂଆ କାନଫୁଲ ହଳେ ବା ମୁଦିଟିଏ ନେଇ ଇତିଶ୍ରୀକୁ ଉପହାର ଦିଏ ପ୍ରଥମ ବିବାହ ବାର୍ଷିକୀରେ ଇତିଶ୍ରୀ ଆନନ୍ଦରେ ଚମକି ପଡ଼ିବ ନିଶ୍ଚୟ ।

 

ଅନେକଗୁଡ଼ିଏ ମୁଦି ଦେଖାଇଲା ଦୋକାନୀ । କୌଣସିଟି ମନୋନୀତ ହେଲାନି ଜୟନ୍ତର । କାନଫୁଲ କି ଆଉ କଅଣ ପିନ୍ଧିଲେ ଆହୁରି ସୁନ୍ଦର ଦିଶିବ ଭାବିବାକ୍ଷଣି ତା’ର କାନ ଯୋଡ଼ିକ ମନେପଡ଼ିଲା ଜୟନ୍ତର । କାନଫୁଲ ଦୁଇଟି ବେଶ୍‌ ମାନିବ ତାକୁ । ଜୟନ୍ତ କାନଫୁଲ ବାଛିବାରେ ଲାଗିଲା ।

 

ନୂଆ ଡିଜାଇନର ହଳେ କାନଫୁଲ ଦେଖାଇ କହିଲା ଦୋକାନୀ–ମୁଦି ଆଉ ସାଢ଼େ ଚାରିଶହ ଟଙ୍କା ଦେଇ ନେଇଯାଇ ପାର ଏ ହଳକୁ । ଜୟନ୍ତ ପକେଟ ଅଣ୍ଡାଳିଲା । ବ୍ୟାଙ୍କରୁ ଆଣିଥିବା ଟଙ୍କାରୁ ଏବେବି ଉଦ୍‌ବୃତ୍ତ ଅଛି ତିନିଶହ ପଚାଶ ଟଙ୍କା । ଦରମା ଟଙ୍କାଟା ଏଯାଏ ଖର୍ଚ୍ଚ ନ ହୋଇ ପଡ଼ିଛି ପକେଟରେ, ଅବଶ୍ୟ ପୂରା ମାସଟା ପଡ଼ିଛି ଆଗରେ । ଆଜି ଏକ ତାରିଖ, ଏତକ ସାରିଦେଲେ ଅଭାବ ଲାଗିରହିବ ମାସ ଶେଷ ପର୍ଯ୍ୟନ୍ତ । ତଥାପି କାନଫୁଲ ଯୋଡ଼ିକ ନବାପାଇଁ ସିଦ୍ଧାନ୍ତ କଲା ଜୟନ୍ତ ।

 

କାନଫୁଲକୁ ଘଷିମାଜି ପଥର ବସାଇବା ଲାଗି କିଛି ସମୟ ନେଲା ଦୋକାନୀ ।

 

ଗୋବିନ୍ଦକୁ ଏଯାଏ ଛାଡ଼ିନି ଜୟନ୍ତ । ଶୀଘ୍ର ଫେରିଯିବାର କଥା । ସେଇ ରିକ୍‌ସାବାଲା ପାଖରେ ଥିଲେ ଅନ୍ତତଃ ତାକୁ ସମୟ ସମ୍ପର୍କରେ ସ୍ମରଣ କରାଇ ଦେଉଥିବ । ଦୁଇଥର ଏ ଭିତରେ ଡାକିଗଲାଣି ଗୋବିନ୍ଦ । ବେଳ ଗଡ଼ିଗଲାଣି । ଉତ୍ତର ଦିଗରେ ମେଘ ଉଠିଛି ।

 

ସେଇ ଅବସରରେ ମିଠାପାନ ପନ୍ଦର ଖଣ୍ଡ ବନେଇବା ଲାଗି ପାନ ଦୋକାନୀକୁ କହିଲା ଜୟନ୍ତ । ମନ୍ଦିର ଆଡ଼କୁ ସୁଅ ଛୁଟିଛି ଲୋକଙ୍କର । କଅଣ ପର୍ବଟିଏ ଅଛି ଆଜି । ବାର ମାସରେ ତେର ପର୍ବ । ପର୍ବପର୍ବାଣି ମାନୁ ମାନୁ ସମୟ ସରିଯାଏ, ସଞ୍ଚୟ ବି ସରିଯାଏ ଓଡ଼ିଆର । ଋଣ କରି ଘିଅ ଖାଇବା ନୀତି ଚାର୍ବାକ୍‌ ଶୁଣାଇବା ଦିନରୁ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଅଛନ୍ତି ଜମ୍ୱୁଦ୍ୱୀପରେ ଉତ୍କଳଖଣ୍ଡର ଅଧିବାସୀମାନେ ।

 

ଗୋବିନ୍ଦ ଅସ୍ଥିର ହେଲାଣି । ତାକୁ ଛାଡ଼ିଦେଇଥିଲେ ସେ ଆଉ କୌଣସି ସବାରି ନେଇ ଏତେବେଳକୁ ଚାଲିଯାଆନ୍ତାଣି । ଏଇନେ ତା’ର ପ୍ରାପ୍ୟଠାରୁ କିଛି ବେଶୀ ନ ନେଲେ ବଜର ବଜର କରିବ । ରିକ୍‌ସାବାଲାଙ୍କ ସାଙ୍ଗରେ ଦର ଛିଡ଼େଇବା ଲାଗି ଯୁକ୍ତିତର୍କ କରିବାକୁ ଆଦୌ ପସନ୍ଦ କରେନି ଜୟନ୍ତ । ପକେଟରେ ପଇସା ନ ଥିଲେ ରିକ୍‌ସା ଚଢ଼ିବ କାହିଁକି ? ସାଇକେଲଟା ଅଚଳ ହୋଇପଡ଼ିଛି ସପ୍ତାହେ ହେଲା, ମରାମତି କରିବାକୁ ପଚାଶ ଟଙ୍କା ଲାଗିଯିବ । ଚେନ୍‌ ଓ ଟାୟାର ଗୋଟିକୁ ଛାଡ଼ି ବେଲ୍‌ଟାକୁ ବି ବଦଳାଇବାକୁ ପଡ଼ିବ । ଅଏଲିଂ ଅନେକ ଦିନରୁ ହୋଇନି । ସମୟ ସୁବିଧା କରି ସାଇକେଲ ସଜାଡ଼ିବା କାମ କରିବ ଜୟନ୍ତ । ହାତରୁ ପଇସା ଖର୍ଚ୍ଚ ହୋଇଗଲେ ଧାର କରିବା ସହଜ ହୋଇପାରେ; କିନ୍ତୁ ମିଳିବା ସହଜ ନୁହେଁ ।

 

ରିକ୍‌ସାବାଲା ପୁଣି ଆସି ତାଗିଦ୍‌ କଲା ଜୟନ୍ତକୁ । ଜୟନ୍ତ ବିରକ୍ତ ହେଲା । ସେ ତ ଭଡ଼ା ଦବ, ପୋଲାରେ ଆସିନି । ଡିଟେନସନ ଚାର୍ଯ ବି ଦବ । ଆଜି ଦିନଟା ସୁଖର । ଏଇ ସ୍ମରଣୀୟ ଦିନଟିକୁ ମଧୁର ଜୀବନ୍ତ କରିବାକୁ ଚାହେଁ । ଜୟନ୍ତ କାନଫୁଲ ଦୁଇଟି ଇତିଶ୍ରୀକୁ ଉପହାର ଦେଇ ତା ଓଠରେ ଚୁମାଟିଏ ଦେଇ କହିବ–କେତେ ସୁନ୍ଦର ଦିଶୁଛ ସତରେ ! କାନଫୁଲ ହଳକ ପାଇଁ ବୋଧହୁଏ ଅପେକ୍ଷା କରୁଥିଲ ଏଯାଏ । ଯାହା ଲାଗି ଯିଏନା...

 

ଯାହାଲାଗି ଯିଏ । ଏଇ କଥାଟି ଇତିଶ୍ରୀ କେତେଥର କହିଛି ତାକୁ । ଜୟନ୍ତକୁ ଇତିଶ୍ରୀ ପାଇଁ ଜନ୍ମ ଦେଇଛନ୍ତି ଭଗବାନ । ଜଣକ ଲାଗି ଆଉ ଜଣେ । ଗୋଟିଏ ପୁରୁଷ ପାଇଁ ଗୋଟିଏ ସ୍ତ୍ରୀ-। ଇତିଶ୍ରୀ ଠିକ୍‌ ଜୟନ୍ତ ପାଇଁ–ଯେପରି ନଳ ଓ ଦମୟନ୍ତୀ, ଧୃତରାଷ୍ଟ୍ର ଓ ଗାନ୍ଧାରୀ । ସୁଖ ଦୁଃଖର ସାଥୀ ଦୁଇଜଣ ।

 

ଜୟନ୍ତର ଦିନଗୁଡ଼ା ଫୁର୍ତ୍ତିରେ କଟିଯାଏ–ସାଂସାରିକ ଅଭାବବୋଧ ବାଧେ ନାହିଁ ।

 

ଗୋବିନ୍ଦ ଅଥୟ ହେଲାଣି । ଉତ୍ତର ଦିଗରୁ କଳାହାଣ୍ଡିଆ ମେଘ ପଶ୍ଚିମ ଆକାଶକୁ ବି ଘୋଟିଗଲାଣି । ବରଷିବ ବରଷିବ ହେଉଛି ।

 

ଗୋବିନ୍ଦ ଦୁଇହାତ ଯୋଡ଼ି ଅନୁନୟ କଲା ଜୟନ୍ତକୁ–ଆସ ବାବୁ ଆସ–ମେଘ ବରଷିବ ବରଷିବ ହେଲାଣି । ଟିକେ ପବନ ପାଇଁ ଅପେକ୍ଷା କରୁଛି । ପବନ ବହିଲେ ଆକାଶରୁ ଝରିପଡ଼ିବ ମୂଷଳ ଧାର ।

 

ତା’ ମୁହଁକୁ ଅନେଇ ଶଙ୍କିଗଲା ଜୟନ୍ତ । ଏଇ ଅଳ୍ପ ସମୟ ମଧ୍ୟରେ ଗୋବିନ୍ଦର ମୁହଁରୁ ବାକିତକ ଦୀପ୍ତି କିଏ ଯେପରି ଶୋଷି ନେଇଛି । ସେ ଆହୁରି ବିଷଣ୍ଣ, ଆହୁରି ବିବ୍ରତ ଦିଶୁଛି ।

 

ଏଇ ଶୁଭଦିନଟାରେ ବିଷଣ୍ଣ, ଭାବଟି ଆଉ ବରଦାସ୍ତ ହଉନି ଜୟନ୍ତର । ବଡ଼ ବିଚିତ୍ର ଏଇ ରିକ୍‌ସାବାଲା । ଭଡ଼ା ନ ଛିଡ଼େଇ ସେ ଆସିନାହିଁ । ଡେରି ଅବଶ୍ୟ ହେଲାଣି । ଛଅଟା ବାଜିବ-। କିନ୍ତୁ କଅଣ କରିବ ସେ । ରିକ୍‌ସାବାଲାକୁ ସନ୍ତୁଷ୍ଟ କରିବା ଲାଗି ଖାଲିହାତରେ ଫେରଯିବ-? ମନ୍ଦିର ଆଡ଼ୁ ଆଚାର୍ଯ୍ୟ ବିହାରକୁ ଯିବାପାଇଁ ରିକ୍‌ସା ମିଳିବ ନାହିଁ । ସେଥିପାଇଁ ତାକୁ ଛାଡ଼ି ବି ପାରୁନି ଜୟନ୍ତ । ସେ ପୁଣି ଗୋବିନ୍ଦ ମୁହଁକୁ ଚାହିଁଲା ଏବଂ ତାକୁ ଆଉ ଟିକେ ଅପେକ୍ଷା କରିବାକୁ କହି ଦୋକାନୀକୁ ତାଗିଦ୍‌ କଲା ।

 

ଭଲ କାର୍ଯ୍ୟଟିଏ କଲେ ବହୁ ବିଘ୍ନର ସମ୍ମୁଖୀନ ହବାକୁ ହୁଏ । ଆଜି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ । ଆଜି ଦିନଟି ଆଉ ଫେରିବ ନାହିଁ ପ୍ରଥମ ବର୍ଷର ବାର୍ଷିକୀ ହୋଇ । ତାହା ହେବ ଦ୍ୱିତୀୟ, ତୃତୀୟ, ଚତୁର୍ଥ ବର୍ଷର । ପ୍ରଥମ ବାର୍ଷିକୀର ସ୍ୱାଦ ଅନୁପମ । ଏହା ସେମାନଙ୍କର ଦୀର୍ଘ ଯାତ୍ରାପଥର ପ୍ରଥମ ମାଇଲ ଖମ୍ୱ ।

 

ଗୋବିନ୍ଦ ଆଉ ସମ୍ଭାଳି ନ ପାରି ଜୟନ୍ତର ହାତଯୋଡ଼ିକ ଧରି ପକେଇ ଆକୁଳ ହୋଇ କହିଲା–ଆଉ ଡେରି କରନା ବାବୁ...ମୋର ବଡ଼ ଅସୁବିଧା...

 

ତା’ ଗାଲରେ ଚଟକଣାଏ କଷିଦବାପାଇଁ ଇଚ୍ଛା ହେଉଥିଲା ଜୟନ୍ତର । ଦୋକାନୀ ଆଉ ଦଶମିନିଟ୍‌ ସମୟ ନେଇଛି । ଏଇ ଦଶମିନିଟ୍‌ ଦଶଯୁଗ ପରି ତାକୁ ଲାଗୁଛି ଯେପରି । ସେ ବି ଜଲ୍‌ଦି ଫେରିବା କଥା । ସେ ବି କଣ୍ଟକରି ଆସିଛି । ତା କଥା ଆଦୌ ନ ଭାବି କେବଳ ନିଜର ସୁବିଧା କଥା ଭାବୁଥିବାରୁ ରିକ୍‌ସାବାଲା ଉପରେ ରାଗହେଲା ଜୟନ୍ତର।

 

ଏଇ ଲୋକଗୁଡ଼ା ସବୁକାଳରେ ଏହିପରି । ନିଜର ସମୟ, ନିଜର ସୁବିଧା ପ୍ରତି ବେଶୀ ନଜର । ସୁଖ ସୁବିଧା ସମ୍ପର୍କରେ ଅତ୍ୟଧିକ ସଚେତନ । ଏଥିଲାଗି ସମାଜରେ ଏତେ ଦୁଃଖ, ଏତେ ଦୁର୍ଦ୍ଦଶା । ସାମାଜିକତା ବଢ଼ୁନାହିଁ । ବୁଝାମଣା ବଢ଼ୁନାହିଁ । ସହଯୋଗ ବଢ଼ୁନାହିଁ । କେବଳ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ, ଦାବି ଓ ପ୍ରତିବାଦ ।

 

ରିକ୍‌ସାବାଲାକୁ ଲମ୍ୱା ଭାଷଣଟିଏ ଦବାକୁ ଇଚ୍ଛା ହେଲା ଜୟନ୍ତର । ସମୟ ଜ୍ଞାନ ଯେ ତା’ର ବି ଅଛି ଏଇ କଥାଟା ଦୋହରାଇବାପାଇଁ ମନ ହେଉଥିଲା । କିନ୍ତୁ ନିଜକୁ ସେଥିରୁ ନିବୃତ୍ତ କରି ସେ ତରତର ହେଲା ଯିବାଲାଗି ।

 

କିନ୍ତୁ ତାକୁ ଆଉ ସମୟ ନଦେଇ କାନ୍ଦି ପକେଇ କହିଲା ରିକ୍‌ସାବାଲା–ଆଉ ଉଛୁର କରନି ବାବୁ... ମେଘ ମାଡ଼ିଆସୁଛି... ବର୍ଷାହେଲେ ମୁଁ କଅଣ କରିବି ଯେ...ବାସିମଡ଼ା ପଡ଼ିରହିବ ଘରେ...ଆଜି ବି ସତ୍କାର କରିପାରିବି ନାହିଁ...

 

ଜୟନ୍ତ ଶୁଣି ନ ପାରିବା ପରି ନିଶ୍ଚୟ ହବାପାଇଁ କହିଲା–କଅଣ ପଡ଼ିରହିବ ? ଆଖିର ଲୁହରେ ମୁହଁ ଭସେଇ କହିଲା ରିକ୍‌ସାବାଲା–ପାହାନ୍ତାରେ ମୋ ସ୍ତ୍ରୀର କାଳ ହୋଇଯାଇଛି ବାବୁ । ଅନେକ ଭୋଗିଲା, ସାଧ୍ୟମତେ ଚେଷ୍ଟା କରିଥିଲି, କିନ୍ତୁ ଭଗବାନ ଶୁଣିଲେ ନାହିଁ । ନେଇଗଲେ ତାକୁ । ମରିବାଆଗରୁ କହିଯାଇଥିଲା ନୂଆ ତିଆରି ହୋଇଥିବା ଇଲେକ୍ଟ୍ରିକ୍‌ ଚୂଲାରେ ଦାହ କରିବାପାଇଁ । ସକାଳୁ ଏଯାଏ କେତେ ଦଉଡ଼ିଲିଣି ବାବୁ । ଷାଠିଏ ଟଙ୍କା ଯୋଗାଡ଼ କରିପାରିନି । ଇଲେକ୍ଟ୍ରିକ୍‌ ଚୂଲାରେ ନ ହେଲା ନାହିଁ, ଶବ ସତ୍କାର ତ କୌଣସି ପ୍ରକାରେ କରିବାକୁ ହବ ବାବୁ । ବରଷା ଆସିଗଲେ ବାସି ମଡ଼ା ପଡ଼ି ରହିବ ଘରେ... ।

 

ସ୍ତବ୍‌ଧ ହୋଇ ଶୁଣୁଥିଲା ଜୟନ୍ତ । ତା’ର ପାଦ ତଳେ ଭୂମିକମ୍ପ ହେଉଥିଲା । ଆଜିପରା ସୁନ୍ଦର ଦିନରେ ମରିଗଲା ଗୋବିନ୍ଦର ସ୍ତ୍ରୀ । ବାସି ଶବ ପଡ଼ିଛି ଘରେ । ପଇସା ଅଭାବରୁ ଏଯାଏ ସତ୍କାର କରିପାରିନି ।

 

ଇତିଶ୍ରୀର ମୁହଁଟି ମନେପଡ଼ିଲା । ଏଥର ବି ଆଉ କଥା ରକ୍ଷା କରି ପାରିଲା ନାହିଁ ଜୟନ୍ତ । କିନ୍ତୁ ଇତିଶ୍ରୀ ତାକୁ ଯେପରି ଏଇ କାମ ଆଗ କରିବାପାଇଁ କହୁଥିଲା । ଜୟନ୍ତର ଆଖି ଯୋଡ଼ିକ ଆପେ ଆପେ କେତେବେଳେ ଓଦା ହୋଇ ଆସିଛି । ସେ ରିକ୍‌ସାବାଲାର କାନ୍ଧ ଉପରେ ହାତ ରଖି କହିଲା–ଚାଲ ଗୋବିନ୍ଦ ଚାଲ...। ଦୋକାନୀ ପଛରୁ କହୁଥିଲା–କାମ ସରିଲାଣି ବାବୁ...ନେଇଯାଅ ।

 

ତା କଥାକୁ କର୍ଣ୍ଣପାତ ନ କରି କହୁଥିଲା ଜୟନ୍ତ–ମୋ ହାତରେ ଯଥେଷ୍ଟ ପଇସା ଅଛି ଗୋବିନ୍ଦ...ଚାଲ ଜଲ୍‌ଦି ଚାଲ ଘରକୁ...ମୁଁ ବି ଯିବି ତୁମ ସାଙ୍ଗରେ...ଏକା ଏକା ତ ଶବ ସତ୍କାର କରାଯାଏନି !

Image

 

ପରିବର୍ତ୍ତନ

 

ଦିନେଶ ଆଉ ମୁଁ ସହପାଠୀ ଥିଲୁ । ଆମ ଦୁହିଁଙ୍କ ଭିତରେ ଏପରି ଏକ ଆତ୍ମୀୟତା ଓ ବନ୍ଧୁତ୍ୱ ଗଢ଼ି ଉଠିଥିଲା ଯେ ତାହା ଅନେକଙ୍କର ଈର୍ଷାର କାରଣ ହୋଇଥିଲା । କିନ୍ତୁ ଆମେ ଅନ୍ୟମାନଙ୍କର ଈର୍ଷା ବା ପରିହାସକୁ ଖାତିର ନ କରି ଏହି ନିର୍ମଳ ବନ୍ଧୁତ୍ୱକୁ ରକ୍ଷା କରିବାପାଇଁ ପ୍ରତିଜ୍ଞା କରିଥିଲୁ ।

 

ଅନେକ ଦିନ ତଳର କଥା । ଆଜି ସବୁ ଗୋଟି ଗୋଟି କରି ମନେପଡ଼ୁଛି । ଅଥଚ ପଢ଼ା ଛାଡ଼ିବା ପରେ ଆମେ ଅଲଗା ହୋଇଯାଇଛୁ, ଆମ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିବା ବନ୍ଧୁତ୍ୱ ବି ସକ୍ରିୟ ହୋଇ ରହିନାହିଁ । ମୁଁ ତାକୁ ଅନେକ ଖୋଜିଛି କିନ୍ତୁ ପାଇନାହିଁ । ଭାରତୀୟ ପ୍ରଶାସନିକ ସର୍ଭିସରେ ଯୋଗଦେବା ପରେ ତା’ କଥା ଅନେକଥର ସ୍ମରଣ କରିଛି । ମୋର ଏହି ଆନନ୍ଦ ସମୟରେ ସେ ପାଖରେ ରହି ସେଥିରୁ ଅଂଶ ଗ୍ରହଣ କରିପାରିଲା ନାହିଁ ବୋଲି ମନ କଷ୍ଟ ବି ହୋଇଛି । କିନ୍ତୁ ମନର କଥା ମନରେ ମରିଛି ସିନା, ଆଉ କିଛି ହୋଇନି କିମ୍ୱା ଦିନେଶର ଦେଖାପାଇନି । ସେ ବି ଆଇ.ଏ.ଏସ୍‌. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାର ଖବର ମୁଁ ପଢ଼ିଛି କାଗଜରେ । କିନ୍ତୁ ମୁଁ ଜଏନ୍‌ କରିବାର ଠିକ୍‌ ବର୍ଷକ ପରେ, ମୋଠାରୁ ଗୋଟେ ବ୍ୟାଚ୍‌ ଜୁନିଅର । ତାକୁ ଅଭିନନ୍ଦନ ଜଣାଇ ତା’ ଗାଁ ଠିକଣାରେ ଟେଲିଗ୍ରାମ କରିଥିଲି ଏବଂ ଚିଠିଟିଏ ବି ଲେଖିଥିଲି; କିନ୍ତୁ ଟେଲିଗ୍ରାମଟା ସେ ପାଇଲା କି ନାହିଁ ନ ଜାଣି ପାରିଲେ ବି ଚିଠି ଖଣ୍ଡକ ଯେ ପାଇନାହିଁ ଏହା ତିନିବର୍ଷ ପରେ ଜାଣିଲି–ଯେତେବେଳେ ହେଡ଼୍‌ ଲେଟର ଅଫିସରୁ ରିଡାଇରେକ୍‌ଟ ହୋଇ ସବା ଶେଷରେ ମୋ ଠିକଣାକୁ ସେଇ ଚିଠି ଫେରିଆସିଲା । ମୁଁ ଆସାମ କ୍ୟାଡ଼ର ପାଇଥିଲି । ସେ ଓଡ଼ିଶାରେ ରହିଥିବ ବୋଧହୁଏ, କାରଣ ଓଡ଼ିଶାରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଦିନେଶ ସର୍ବୋଚ ସ୍ଥାନ ଅଧିକାର କରିଥିଲା ।

 

ଏଇ ସେଦିନ ପରି ଲାଗୁଛି । ଦିନେଶ ଓ ମୁଁ ବି.ଜେ.ବି. କଲେଜ ହଷ୍ଟେଲର ପାଞ୍ଚନମ୍ୱର କୋଠରିରେ ଚାରିବର୍ଷ ଏକତ୍ର ଥିଲୁ । ଏହି ଚାରିବର୍ଷର ସବୁ ସୁଖଦୁଃଖ ସମାନଭାବରେ ବାଣ୍ଟିକୁଣ୍ଟି ନେଇଛୁ–ବେଶୀ ନୁହେଁ କି କମ୍‌ ନୁହେଁ । ଦିନେଶର ଭଲ ଅଙ୍କ ହୁଏନାହିଁ ବୋଲି ମୁଁ ତାକୁ ଅଙ୍କରେ ସାହାଯ୍ୟ କରିଛି ଏବଂ ମୁଁ କେମିଷ୍ଟ୍ରିରେ ଦୁର୍ବଳ ବୋଲି ସେ ରାତି ରାତି ଅନିଦ୍ରା ରହି ମୋତେ ସାହାଯ୍ୟ କରିଛି । ଆଜି ପଛକଥା ସବୁ ମନେପଡ଼ୁଛି । ସାଙ୍ଗ ହୋଇ ପଢ଼ିବା ସମୟଟି ଥିଲା ଆମ ଜୀବନର ସୁବର୍ଣ୍ଣଯୁଗ । ସାଙ୍ଗମାନଙ୍କ ମେଳରେ ସମୟ କିପରି ସରିଯାଉଥିଲା ଜାଣି ବି ହେଉ ନ ଥିଲା । ପ୍ରାଚୁର୍ଯ୍ୟରେ ମୁଁ ବଢ଼ିଥିଲେ ବି ସେ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିଲା । ଦିନେଶର ବାପାଙ୍କ ଅବସ୍ଥା ବିଶେଷ ସ୍ୱଚ୍ଛଳ ନ ଥିଲା । ସେ ମାଇନର ସ୍କୁଲରେ ଥିଲେ ଶିକ୍ଷକ । ମାସକୁ ମାସ ଯାହା ପାଏ ସେ କାଟିକୁଟି ଚଳିଯାଏ । ବେଳେବେଳେ ଧାର ନିଏ ମୋଠୁ–କିନ୍ତୁ ଫେରେଇ ନିଏ ନାହିଁ ମୁଁ । ବରଂ ତାକୁ କହିଛି ଯେ–ସବୁ ସୁଧ ମୂଳ ବଢ଼ୁଥାଉ, ତୁ ନିଜେ ରୋଜଗାର କଲେ ଶୁଝିଦବୁ-। ଦିନେଶ ଦାନ ନବାର ପକ୍ଷପାତୀ ନ ଥିଲା କେବେ । ସେ କେତେଥର ମୋତେ କହିଛି ଯେ ଦାନ ବା ଅନୁଗ୍ରହ ସମ୍ପର୍କକୁ ବଢ଼ାଏ ନାହିଁ ବରଂ ନଷ୍ଟ କରେ । ମୁଁ ବି ତାକୁ ବାଧ୍ୟ କରି ନାହିଁ । ଆମ ଭିତରେ ଗୋଟିଏ ଅଲିଖିତ ଚୁକ୍ତି ହୋଇଥିଲା ଯେ ଜଣେ ଆଉ ଜଣକର ଅଭାବରୁ ଭାଗ ନବ ଆଉ ଯେଉଁଠାରେ ଟଙ୍କା ପଇସାର ବିନିମୟ ସମ୍ଭବ ନୁହେଁ, ସେଠାରେ ନିଜର ସମବେଦନା ନେଇ ପାଖରେ ଛିଡ଼ା ହେବ, କାନ୍ଧରେ ହାତ ରଖିବ । ମୋ ବାପାଙ୍କର ଆର୍ଥିକ ସ୍ୱଚ୍ଛଳତା ଭଲଥିଲା–ସେଥିପାଇଁ ମୁଁ ଯାହା ପାଉଥିଲି ମୋ ଖର୍ଚ୍ଚ ଚଳିଯାଇ କିଛି ବଳକା ବି ରହୁଥିଲା-। ବଦଖର୍ଚ୍ଚ ନ କରି ସେଇ ପଇସା ରଖୁଥିଲି ମୁଁ । ସେଥିରୁ ନିହାତି ବାଧ୍ୟ ନ ହେଲେ ଦିନେଶ ସିନା ଧାର ନିଏନି, କିନ୍ତୁ ମା ଯେଉଁ ଚୂଡ଼ା, ନଡ଼ିଆ, କଦଳୀ କି ପିଠା ପଠାନ୍ତି, ସେଥିରେ ତା’ର ଅଧେ ଭାଗ । ମା’ ତାକୁ କହିଥିଲେ ଯେ ତୁ ଦିନେଶ ପାଖରୁ ନ ନେ, ମୋ ହାତ ମାଆର ହାତ, ମୁଁ ଯାହା ପଠେଇବି ଦୁହେଁ ଭାଗ କରି ଖାଇବ । ମାଆଙ୍କ କଥାକୁ ଟାଳି ନ ଥିଲା ଦିନେଶ ।

 

ସେତେବେଳେ ଦେଶର ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ନୂଆ ଉତ୍ସାହ, ନୂଆ ଉନ୍ମାଦନା । ଦେଶ ସ୍ୱାଧୀନ ହେବାର ଦଶବର୍ଷ ପୂରି ନ ଥାଏ । ସମସ୍ତଙ୍କ ଆଖିରେ ସ୍ୱପ୍ନ । ସମସ୍ତଙ୍କର କେତେ କଳ୍ପନା ଜଳ୍ପନା । ସାଙ୍ଗମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ । କିଏ ଇଞ୍ଜିନିୟର ତ ଆଉ କିଏ ଡାକ୍ତର ହବାପାଇଁ ରାତି ଅନିଦ୍ରା ହୋଇ ପାଠ ପଢ଼େ । ଆମେ ବି କିଛି ଗୋଟେ ହବାପାଇଁ ପଢ଼ୁଥିଲୁ । ଛାତ୍ରସୁଲଭ କଳ୍ପନା ବିଳାସ ଆମକୁ ମଜେଇ ରଖୁଥିଲା ସଦାବେଳେ । ଦିନେ ଉତ୍କଳମଣିଙ୍କୁ ତାଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ କଲେଜ ପ୍ରାଙ୍ଗଣରେ ହୋଇଥିବା ସଭାରୁ ଫେରୁଥିବାବେଳେ କଲେଜ ହତାର ପଶ୍ଚିମ କୋଣରେ କୃଷ୍ଣଚୂଡ଼ା ଗଛ ମୂଳରେ ଛାଇ ଅନ୍ଧାରିଆ ଜାଗାରେ ହଠାତ୍‌ ମୁଁ ଭାବାବେଗରେ ତା’ ହାତ ଦୁଇଟିକୁ ମୋ ହାତ ମୁଠା ଭିତରେ ଜାବୁଡ଼ି ଧରି କହିଲି ଶୁଣିଲୁ ତ ସବୁ–ଆଚାର୍ଯ୍ୟ ମହାଶୟ ଯାହା କହିଲେ ତାହା ଆମେ ଯଦି ନ କରୁ ନର୍କରେ ପଡ଼ିବା । ପାଠ ପଢ଼ି ଚାକରି ନ କରି ଦେଶର ସେବା କରିବାପାଇଁ ସେମାନେ ଶପଥ ନେଇଥିଲେ । ଗୋଦାବରୀଶ ନୀଳକଣ୍ଠ ଉତ୍କଳମଣିଙ୍କ ପରି ସେତେବେଳର ପାଠୁଆ ପିଲା । ସେମାନେ ସୁଖରେ ରହିବାଲାଗି ଚାକିରି କରିଥିଲେ ଡାଇରେକ୍ଟର କି କମିଶନର ପର୍ଯ୍ୟନ୍ତ ଉଠିଥାଆନ୍ତେ । କିନ୍ତୁ ସେମାନେ ଚାକିରି ନ କରି ମାଷ୍ଟର ହେଲେ ପଞ୍ଚସ୍ତରି ଟଙ୍କା ବେତନରେ । ଆମେ କଅଣ କରିବା ତୁ କହ ?

 

ଦିନେଶ ସ୍ୱରରେ ସେତେବେଳେ କିନ୍ତୁ ଆବେଗର ଲେଶମାତ୍ର ନ ଦେଖି ମୁଁ କିମିତି ବିଚଳିତ ହୋଇପଡ଼ିଥିଲି । ସେ ମୋତେ ସେଦିନ ଯାହା କହିଥିଲା ଏବେବି ପାସୋରି ଯାଇନି ମନରୁ । ଦିନେଶ ମୋତେ କୁଣ୍ଢେଇ ପକେଇ କହିଲା ଯେ ଦେଶସେବା ଏଡ଼େ ସହଜ କଥା ନୁହେଁରେ ଅମୂଲ୍ୟ । ମାଡ଼ ଗାଳି ସହିବାକୁ ହେବ । ଜେଲ୍‌ ଯିବାକୁ ହେବ । ଭୋକ ଉପାସରେ ରହିବାକୁ ହେବ । ନିଜର କାମ ଛାଡ଼ି ଲୋକଙ୍କ କାମ କରିବାକୁ ଏଷ୍ଟାବ୍ଲିସମେଣ୍ଟ୍‌ ବିରୁଦ୍ଧରେ ଲଢ଼ିବାକୁ ହେବ । କେତେ ସହଜରେ କହିଦେଇ ହୁଏ ଏଇ କଥା ଯେ ଆମେ ପାଠପଢ଼ି ଚାକିରି କରିବା ନାଇଁ, ଦେଶର ସେବା କରିବା । କହିବା କଥାଟା ଯେଡ଼େ ସହଜ କରିବା କାମଟି ତା’ଠାରୁ ଅନେକ କଠିନ । ଏସବୁ କଥାରେ ଭାବପ୍ରବଣତା ସାଜେ ନାହିଁ । ତୁ ପରା ଅଙ୍କରେ ପାରଙ୍ଗମ–ହିସାବ ନିକାଶ କର । ଅଙ୍କ କଷି ଦେଖ । ଯାହା ଭଲ ବୋଲି ଭାବିବା ସେଇ କଥା କରିବା । ଖାଲି ଏତିକି ମନେରଖିବା ଯେ କୁଳର କଳଙ୍କ ହେବା ନାହିଁ, ଅନ୍ୟ ପ୍ରତି ଅନ୍ୟାୟ କରିବା ନାହିଁ । କାହା ପ୍ରତି ଅନ୍ୟାୟ ହବାର ଦେଖିଲେ ସାଧ୍ୟାନୁସାରେ ପ୍ରତିକାର କରିବା । ନୀତିକୁ ରକ୍ଷା କରିବାପାଇଁ ସାଲିସ ନ କରି ସଂଗ୍ରାମ କରିବା । ଏହା ଚାକିରି କରି ଯଦି କରିବା ସମ୍ଭବ ତା’ହେଲେ ଚାକିରି ନ କରିବା କାହିଁକି ! ଆଉ ଯଦି ଚାକିରି ଏହି ନୀତି ପାଳନ କରିବାରେ ଅନ୍ତରାୟ ସୃଷ୍ଟି କରିବ ତା’ହେଲେ ଚାକିରି କରିବା ନାଇଁ । ବୁଝି ବିଚାରି କାର୍ଯ୍ୟକଲେ ପ୍ରମୋଦ ନ ପଡ଼ଇ ଭଲେ ।

 

ସେଦିନ ଯାହା କହିଥିଲା ଦିନେଶ, ଗୋଟେ ଲମ୍ୱା ଭାଷଣପରି ଲାଗିଥିଲା ମୋତେ । କିନ୍ତୁ ତା’ର ବାସ୍ତବ ବୁଦ୍ଧି ଥିଲା, ଏବେବି ହୁଏତ ଥିବ । ଆହୁରି ପ୍ରଖର ବି ହୋଇଥିବ ସେଇ ବୁଦ୍ଧି । ବାସ୍ତବ ବୁଦ୍ଧି ନ ଥିଲେ କେହି ବଡ଼ ହୋଇପାରେ ନାହିଁ, ଯେଉଁଠି ଅଛି ସେଇଠି ରହିଯାଏ ଆଦିରୁ ଶେଷକାଳ ପର୍ଯ୍ୟନ୍ତ ।

 

ମୁଁ କିନ୍ତୁ ଆଚାର୍ଯ୍ୟଙ୍କ କଥା ଭୁଲି ନ ଥିଲି । ଆଉ ପନ୍ଦର କୋଡ଼ିଏ ଦିନ ପରେ ତାକୁ ସ୍ମରଣ କରାଇ ଦେଇଥିଲି ସେଇ କଥା । ଆଉ ଏ ଭିତରେ ସେ ମତ ପରିବର୍ତ୍ତନ କରିଛି କି ନାହିଁ ତାହା ମଧ୍ୟ ଜାଣିବାକୁ ଚାହିଁଥିଲି । ସେ କିଛି ନ ଜାଣିବା ପରି ରହିଗଲା । ତା’ପରେ ମୁଁ ସେଇ ପ୍ରଶ୍ନର ପୁନରାବୃତ୍ତି କରି ତାକୁ ବାଧ୍ୟକଲାରୁ ସେ କହିଲା–ଆମେ ଅନ୍ତରଙ୍ଗ ବନ୍ଧୁ । ତୁ ଯାହା କହିବୁ ମୁଁ ମାନିବି, ମୁଁ ଯାହା କହିବି ତୁ ମାନିବୁ । ତୁ ଯେତେବେଳେ ଏହି କଥା କହୁଛୁ ମୁଁ ରାଜି... କିନ୍ତୁ ପାଠପଢ଼ା ଆଗ ଶେଷ ହେଉ, ତାପରେ ସିଦ୍ଧାନ୍ତ କରିବାର ବେଳ ଆସିବ ।

 

ମୁଁ ତାକୁ ସେଦିନ କୁଣ୍ଢେଇ ପକେଇଥିଲି ଆନନ୍ଦରେ । ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ କେତେ ଯୋଜନା କରିଥିଲୁ, କେତେ ସ୍ୱପ୍ନ ଦେଖିଥିଲୁ । ଆମେ ଅନେକ ସୁଖରେ ଅଛୁ । ଆମକୁ ଦିନକୁ ଦି’ଓଳି ଖାଇବାକୁ ମିଳୁଛି, ସକାଳେ ସନ୍ଧ୍ୟାରେ ଜଳଖିଆ ମିଳୁଛି, ପିନ୍ଧିବାକୁ ଲୁଗା ଆଉ ରହିବାକୁ ଘର ଅଛି । କିନ୍ତୁ ଆମ ସାଙ୍ଗରେ ଆମରି ଗାଁରେ ବଢ଼ିଥିବା ଅନେକ ପିଲା ଏବେବି ଅଧା ନଙ୍ଗଳା, ନିରକ୍ଷର ଆଉ ନୁଖୁରା । ଦିନେଶ ସବୁବେଳେ ଗୋଟେ କଥା କହେ–ତାହା ହେଉଛି ଏହି ଯେ ଆମେ ଖାଲି ନିଜ ପାଇଁ ଜନ୍ମି ନାହୁଁ । ଅନ୍ୟପାଇଁ ବି ଆମର କିଛି କରିବାର ଅଛି । ପରିବାରର ଦାବିକୁ ଉଡ଼େଇ ଦେଇ ହବ ତ ? ମା’ ବାପାଙ୍କର ପ୍ରତ୍ୟାଶାକୁ ଭାଙ୍ଗିଦେଇ ହବ ତ ? ଦୁହେଁ ସେଥିପାଇଁ ଏ କଥା ବି ସ୍ଥିର କରିଥିଲୁ ଯେ ଯାହା କରିବା ବିଚାର ବିମର୍ଷ କରି କହିବା, ଘର କଥା ମନେପକେଇ କରିବା । ସମାଜ କଥା ବି ମନରେ ରହିବ ।

 

ଇମିତି ସ୍ୱପ୍ନ ଦେଖୁ ଦେଖୁ ଚାରୋଟି ବର୍ଷ କଟିଗଲା । ଆମେ ପରୀକ୍ଷାରେ ଭଲ ବି କଲୁ-। ତା’ପରେ ଏମ୍‌.ଏସ୍‌ସି. ପଢ଼ିବାପାଇଁ ମୁଁ ଗଲି ଦିଲ୍ଲୀ, ସେ ରହିଗଲା କଟକରେ । ସମ୍ପର୍କ କିନ୍ତୁ ସେହିପରି ରହିଲା । ଛୁଟିରେ ସେ ଆସି ଆମ ଘରେ ରହୁଥିଲା । ମୁଁ ବି ଥରେ ଅଧେ ଯାଇଛି ତାଙ୍କ ଘରକୁ । ମୁଁ ତାକୁ ମୋ କଥା କହେ, ଆଉ ସେ ମୋତେ କହେ ତା’ କଥା । ପାଠପଢ଼ା ସରିଲେ ପୁଣି ଏକତ୍ର ହୋଇ ସଂକଳ୍ପ କରିବା–କାହାପାଇଁ କାମ କରିବା–ନିଜ ପାଇଁ ନା ଦେଶ ପାଇଁ ?

 

ଏମ୍‌.ଏସ୍‌ସି. ପ୍ରଥମ ଶ୍ରେଣୀରେ ପାସ୍‌ କଲୁ ଦୁହେଁ । ମୁଁ ଦିଲ୍ଲୀରେ ରହିଗଲି ଆଇ.ଏ.ଏସ୍‌. ପରୀକ୍ଷା ଦବାପାଇଁ । ତାକୁ ବି ଲେଖିଲି ଚୁପ୍‌ ହୋଇ ବସି ପରୀକ୍ଷା ଦବାପାଇଁ । ମୋର ଯୁକ୍ତିଥିଲା ଯେ ଚାକିରି କରି ବି ଲୋକଙ୍କର ସେବା କରିହୁଏ ବୋଲି ବାପା ଲେଖିଛନ୍ତି । ଦେଶସେବା କାହାର ଏକଚାଟିଆ ବ୍ରତ ନୁହେଁ, ସେଥିରେ ସମସ୍ତଙ୍କର ଅଧିକାର । ଯଦି ଚାକିରି କରି ବି ଲୋକଙ୍କର ସେବା କରିହୁଏ ତା’ହେଲେ ବରଂ ସେଇ କାମଟି କରିବା ଭଲ, ଦେବାଳିଆ ପରି ଯତ୍ରତତ୍ର ଘୂରିବୁଲିବା ଠିକ୍‌ ନୁହେଁ । ଦେଶସେବାର ବିଭିନ୍ନ ଦିଗ ଅଛି । ଆମପାଇଁ ସର୍ବୋତ୍ତମ ପନ୍ଥା ହେଉଛି ଚାକିରି । ଭଲ ଅଫିସର୍‌ ଦରକାର ଦେଶ ଶାସନ କରିବାପାଇଁ ।

 

ଏଇ ଚିଠି ଲେଖିବାପରେ ତା’ ପାଖରୁ ଆଉ ଚିଠି ପାଇନାହିଁ । ସେ ବୋଧହୁଏ ଅଭିମାନ କରି ଚିଠି ଲେଖୁନି ବୋଲି ମୋର ଧାରଣା ହୋଇଥିଲା । ସେଇ ଅଭିମାନ ଯେ ଏତେ ଦୀର୍ଘ ଏହା ମୋତେ ଜଣା ନ ଥିଲା ସେତେବେଳେ । ତା’ର ନୀରବତା ଦେଖି ଆଗେ ମୁଁ ଭୟ କରୁଥିଲି-। ସେଇ ନୀରବତାରେ ଏପରି ଏକ ନିର୍ଲିପ୍ତତା ଥାଏ ଯେ ମୋତେ ଲାଗେ ଯେ ମୁଁ ଯେପରି ଅଚିହ୍ନା ବ୍ୟକ୍ତିଟିଏ...ସେ ମୋତେ ଚିହ୍ନିପାରୁନି...ଦୁହିଙ୍କ ମଝିରେ ବରଫର ପାହାଡ଼ ଠିଆହୋଇଛି । ତେବେ ଗୋଟେ କଥା ସ୍ମରଣ କରି ମୁଁ ନିଜକୁ ସାନ୍ତ୍ୱନା ଦେଉଥାଏ । ସେ କହିଥିଲା ଯେ–ଯଦି ମୁଁ ନୀରବ ରହେ, ଉତ୍ତର ନଦିଏ ତା’ହେଲେ ଭୁଲ ବୁଝିବୁ ନାହିଁ ବରଂ ଜାଣିବୁ ଯେ ମୁଁ ମାନସିକ ସଙ୍କଟରେ ପଡ଼ିଛି–ସିଦ୍ଧାନ୍ତ କରିପାରୁନାହିଁ ।

 

ଦୁହେଁ ଏକା ସାଙ୍ଗରେ ପରୀକ୍ଷା ଦବାଲାଗି ନିଷ୍ପତ୍ତି ନେଇଥିଲୁ । କିନ୍ତୁ ଦିନେଶ ଦିଲ୍ଲୀ ଆସିପାରିବ ନାହିଁ ଜାଣି ମୁଁ ଭୁବନେଶ୍ୱର ଆସି ମଧ୍ୟ ତାକୁ ଆଉ ଠାବ କରିପାରିଲି ନାହିଁ । ତା’ ଗାଁକୁ ଚିଠି ଦେଲି; କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ । ପରେ ଖବର ପାଇଲି ଯେ ସେ କୁଆଡ଼େ ଋଷିକେଶ ଚାଲିଯାଇଛି କୋଉ ବାବାଜି ସାଙ୍ଗରେ । ହଠାତ୍‌ କିପରି ଦିନେଶ ବାବାଜି ମହାରାଜାଙ୍କ ଚେଲା ହେଲା ତାହା ମୁଁ ଆଦୌ ବୁଝିପାରିଲି ନାହିଁ । ସଂସାର ବୈରାଗୀ ହେବାର ପିଲା ନୁହେଁ ସେ, ବରଂ ସଂସାର ପ୍ରତି ତା’ର ଆସକ୍ତି ଥିଲା ବେଶି । କିନ୍ତୁ ସବୁ ବିସ୍ମୟ ଭଗବାନ ସାଇତି ରଖିଥାଆନ୍ତି ମଣିଷ ପାଇଁ । ଦିନେ ସେ ବାବାଜି ହୋଇଯାଇପାରେ ଏହା ଆଶଙ୍କା କରି ମୁଁ ତା’ ପିଛା ଆଉ ପଡ଼ିଲି ନାହିଁ । ଏକା ଏକା ପରୀକ୍ଷା ଦେଲି ଏବଂ ପ୍ରଥମ ଚାନ୍‌ସରେ ପାସ୍‌କଲି ବି । ଆଇ.ଏ.ଏସ୍‌. ଚାକିରି ଖଣ୍ଡକ ପାଇବା ପରେ ମର୍ତ୍ତ୍ୟରୁ ସ୍ୱର୍ଗକୁ ନିଶୁଣି ପଡ଼ିବାପରି ଲାଗିଲା ମୋତେ । ଆଗରେ ଆଉ କିଛି ବାଧା ପ୍ରତିବନ୍ଧକ ରହିବ ନାହିଁ । ବନ୍ୟା ମଡ଼କ ବାତ୍ୟା ଦୁର୍ଭିକ୍ଷ ଭିତରେ ରହି ବି ପଦ୍ମପତ୍ର ଉପରେ ଢଳ ଢଳ ଜଳ ବିନ୍ଦୁପରି ମୁଁ ନିର୍ଲିପ୍ତ ହୋଇ ସବୁ ସମସ୍ୟାର ବିଚାର କରିବି, ସମାଧାନର ସୂତ୍ର ଖୋଜିବି, ଆଉ ଶାମ ଦାମ ଦଣ୍ଡ ନୀତି ପ୍ରୟୋଗ କରି ଶାସନ କଳକୁ ଚଳେଇବି । ମନଟା ବେଶ୍‌ ଖୁସି ହେଲା । ବଡ଼ଘରେ ବାହା ହେଲି । ଲକ୍ଷାଧିକ ଟଙ୍କା ଯୌତକୁ ମିଳିଲା । ଆସାମ କ୍ୟାଡ୍‌ରରୁ କହିବୋଲି ଓଡ଼ିଶାକୁ ବଦଳି ହୋଇ ଆସିଲି । କଲେକ୍ଟର ଓ କମିଶନର ହେଲି, ସରକାରୀ ଗାଡ଼ି ଚଢ଼ି ତେରଟି ଜିଲ୍ଲା ଗସ୍ତ ବି କଲି । ସିଭିଲ ଲିଷ୍ଟ ଦେଖିଲି, କିନ୍ତୁ ଦିନେଶ ପାତ୍ର ସହିତ ମୋର ଭେଟ ହେଲା ନାହିଁ କି ତା’ ବିଷୟରେ ଉପରମହଲର ବନ୍ଧୁମାନେ ସଠିକ୍‌ କିଛି କହିପାରିଲେ ନାହିଁ । ସେ ନିଖୋଜ ମଣିଷପରି କ୍ରମଶଃ ଅଜ୍ଞାତ ହୋଇ ରହିଲା ।

 

ସେଇଦିନୁ କେତେ ବର୍ଷ ଅତୀତ ହୋଇଗଲାଣି । ମୁଁ ଏବେ କମିଶନର ହୋଇ ଓଡ଼ିଶାର ଚତୁର୍ଦ୍ଦିଗ ବୁଲୁଛି ବୀରଦର୍ପରେ । ରାଜଧାନୀରେ ମୋର କୋଠା ତିଆରି ହୋଇଛି, କଟକର ଲିଙ୍କ୍‌ରୋଡ଼ର ଅରୁଣୋଦୟ ପଛରେ ପ୍ଲଟଟିଏ କିଣିଛି । ଗାଡ଼ି, ଭିଡିଓ, ଟେଲିଭିଜନ ତ ସାଧାରଣ ସାମଗ୍ରୀ ହୋଇଗଲାଣି । ମୋ ଦୁଇପୁଅ ଦାର୍ଜିଲିଂର ପବ୍ଲିକ୍‌ ସ୍କୁଲରେ ପଢ଼ନ୍ତି । ଝିଅ ସରକାରୀ ବୃତ୍ତି ପାଇ ଜର୍ମାନୀ ଯାଇଛି ଉଚ୍ଚଶିକ୍ଷା ପାଇଁ । ମୋର ପଦପଦବୀ ସହିତ ପ୍ରତିଷ୍ଠା ବି ବଢ଼ିଛି । ମୁଁ ସାଇନ୍‌ସ ସୋସାଇଟିର ଚେଆରମ୍ୟାନ, ସାହିତ୍ୟ ସଂସଦର ପ୍ରେସିଡ଼େଣ୍ଟ୍‌, ଚାରୁକଳା ସୋସାଇଟିର ପ୍ରଧାନ ପୃଷ୍ଠପୋଷକ, ମୁକ୍ତଭୋଗୀ ସମାଜର ପରାମର୍ଶଦାତା । ମୋହରି ଆଜ୍ଞାରେ ଚଳପ୍ରଚଳ ହୁଅନ୍ତି ଶତସହସ୍ର ଲୋକ । ଯାହାକୁ କହନ୍ତି–ମୋହରି ଆଜ୍ଞାରେ ପର୍ବତ ଜଳେ ଭାସଇ ସୋଲ ମତ । ମୋ ନାମ କହିଲେ ପଞ୍ଚତା’ରକା ହୋଟେଲର ଦରବାନ୍‌ ସଲାମ କରେ ।

 

ମୁଁ ଆଉ ପିଲାଦିନ କଥାସବୁ ଭୁଲିଗଲିଣି–କିନ୍ତୁ ଦିନେଶକୁ ଭୁଲିପାରିନି । ସେ ତଣ୍ଟି ପାଖରେ କଣ୍ଟା ପରି ଅଟକି ଯାଇଛି । ସବୁ ନୀରବ ନିଶ୍ଚଳ ହୋଇଗଲେ ସେ ମନେପଡ଼େ । ଆଜିକୁ ସେ ବି କମିଶନର କି ସେକ୍ରେଟାରୀ ହୋଇଥିବ । ଏ ରାଜ୍ୟର କ୍ୟାଡ଼୍‌ରକୁ ସେ ଆସି ବି ପୁଣି ଚାଲିଯାଇଥିଲା ବର୍ଷକ ପରେ ସ୍ୱେଚ୍ଛାରେ । ତା’ପରେ ଆଉ କେହି ଜାଣନ୍ତିନି ତା’ ସମ୍ପର୍କରେ । କେନ୍ଦ୍ରରେ ଥିଲା କିଛିଦିନ, ସେଠାରୁ ବିଦେଶ ଯାଇଥିଲା ଏବଂ ସେଠାରୁ ପୁଣି ଫେରି ଆସିଥିଲା ଦିଲ୍ଲୀ । ମୁଁ ଚେଷ୍ଟା କରିଛି, କିନ୍ତୁ ଏଇ ସତର ଅଠର ବର୍ଷର ବ୍ୟବଧାନକୁ ଦୂରକରି ସମ୍ପର୍କ ସ୍ଥାପନ କରିପାରିନାହିଁ ।

 

ଅତୀତର ପ୍ରତିଜ୍ଞା କଥା ମନେପଡ଼େ । ଛାତ୍ରଜୀବନର ପିଲାଳିଆମି କଥା ମନେପଡ଼ିଲେ ହସ ଲାଗେ । ଦେଶ ସେବା କରିବାପାଇଁ ବାହାରିଥିଲୁ ଆମେ । ଚାକିରି କରିବୁ ନାହିଁ ବୋଲି ମୁଁ ଶପଥ ନବାକୁ କହିଥିଲି ଦିନେଶକୁ । ସେ ରାଜି ବି ହୋଇଥିଲା; କିନ୍ତୁ ଯଦି ପ୍ରକୃତରେ ପଞ୍ଚସଖା ପରି ଚାକିରି ନ କରି ମାଷ୍ଟର ହୋଇଥାଆନ୍ତୁ ତା’ହେଲେ ଏଇ କୋଠା, ଜମି, ଗାଡ଼ି କିଛି ହୋଇ ନ ଥାନ୍ତା । ଚାନ୍ଦାକରି ଚଳୁଥାଆନ୍ତୁ । ପାଦରେ ଚାଲି ଚାଲି ପାଦ ଘସି ହୋଇ ଯାଆନ୍ତାଣି । ଏଡ଼େ ସୁନ୍ଦରୀ ସ୍ତ୍ରୀ ଭାଗ୍ୟରେ ଜୁଟି ନ ଥାନ୍ତା କି ବେଳେବେଳେ ମନ ନ ମାନିଲେ କ୍ଲବ୍‌ର ନେପଥ୍ୟରେ ବନ୍ଧୁ ପତ୍ନୀ କିମ୍ୱା ଗେଷ୍ଟ ଆର୍ଟିଷ୍ଟଙ୍କ ସାନ୍ନିଧ୍ୟଲାଭ ହେଉ ନ ଥାନ୍ତା । ଜୀବନ ବେଶ୍‌ ସୁଖରେ ବିତିଯାଉଛି । ସୂର୍ଯ୍ୟଙ୍କପରି ମୋର ବି ଅଶ୍ୱଯୋଚା ରଥ ରହିଛି ।

 

ଦିନେଶ ମୋ’ଠାରୁ ବେଶୀ ବାସ୍ତବବାଦୀ । ମୁଁ ସ୍ୱପ୍ନରେ ଭାସୁଥିବାବେଳେ ସେ ସତକୁସତ ସମ୍ପୂର୍ଣ୍ଣ ମାଟିର ମଣିଷ ପରି କଥା କହୁଥିଲା । ଆଜି ତା’ ସାଙ୍ଗରେ ଦେଖାହେଲେ ଅତୀତକୁ ରୋମନ୍ଥନ କରିବାର ସୁଯୋଗ ମିଳନ୍ତା । ସେ ନିଶ୍ଚୟ ମୋର ଅବସ୍ଥା ଦେଖି କାନ୍ଧରେ ହାତ ରଖି କହନ୍ତା–ସେଦିନର କଥା ମନେପଡ଼ୁଛି ବନ୍ଧୁ...ସ୍ୱପ୍ନ ଆଉ ବାସ୍ତବ, କାର୍ଯ୍ୟ ଆଉ କଳ୍ପନା ଏକ ନୁହେଁ–ଅନେକ ତଫାତ୍‌ ଦୁଇଟି ମଧ୍ୟରେ । ଗୋଟିଏ ରାତି ବି ତ ଆଉ ଗୋଟିଏ ଦିନ–ଗୋଟିଏ ମାଟି ତ ଆଉ ଗୋଟିଏ ଆକାଶ । ଭଲ ହେଲା ତା ସହିତ ଆଉ ଦେଖା ହେଉନାହିଁ । ଲଜ୍ଜାର ଅନ୍ତ ରହନ୍ତା ନାହିଁ ଯଦି ସେ ମୋତେ ପୂର୍ବ ସଂକଳ୍ପ କଥା ସ୍ମରଣ କରେଇ ଦିଅନ୍ତା । ଆଚାର୍ଯ୍ୟ ହରିହର ବି ନାହାଁନ୍ତି । ଯିଏ ଯାହାର ବାଟ କାଟି ଚାଲିଗଲେଣି । ବକ୍ତୃତା ଶୁଣି ଉଦ୍‌ବୁଦ୍ଧ ହୋଇ ଆଖିରୁ ଲୁହ ଗଡ଼େଇବା ଏକ ପ୍ରକାର ଏବଂ ଘରଦ୍ୱାର ଛାଡ଼ି ବାବାଜି ହୋଇ କି ଗାନ୍ଧି ମହାରାଜଙ୍କ ଶିଷ୍ୟ ହୋଇ ବୁଲିବା ଭିନ୍ନ ପ୍ରକାର । ମୁଁ କମିଶନର ହେଲି ବୋଲି ଯେ ଦୁଃଖୀଦରିଦ୍ରଙ୍କ ପ୍ରତି ମୋର ସହାନୁଭୂତି ନାହିଁ, ଏହା କିଏ କହିବ । ବରଂ ଗତ ବନ୍ୟା ଓ ବାତ୍ୟା ସମୟରେ ଜୀବନକୁ ବିପନ୍ନ କରି ମୁଁ ହେଲିକେପ୍‌ଟରରେ ବସି ଆକାଶ ମାର୍ଗରୁ ଦୁର୍ଗତମାନଙ୍କର ଅବସ୍ଥା ପର୍ଯ୍ୟବେକ୍ଷଣ କରିଛି ଏବଂ ନିଜେ ଖାଦ୍ୟପୁଡ଼ିଆ ପକେଇବାରେ ସାହାଯ୍ୟ କରିଛି ଏବଂ ସର୍କିଟ ହାଉସ୍‌ରେ ସଭାକରି ବନ୍ୟାଞ୍ଚଳରେ ଭାସିଯାଉଥିବା ଲୋକ ଓ ଗୋରୁଗାଈମାନଙ୍କ ପ୍ରତି ଦୁଃଖ ପ୍ରକାଶ କରିଛି । ଦେଶର ଉନ୍ନତି ହେଉଛି । ଦାରିଦ୍ର୍ୟର ସୀମାରେଖା ତଳେ ଯେଉଁମାନେ ଥିଲେ ସେମାନେ ଉପରକୁ ଉଠିଲେଣି, ଆହୁରି ବି ଉଠିବେ । ଦିନେଶ ବି ଉଠିଛି । ସେ ବି ଆଇ.ଏ.ଏସ୍‌. ପାଇ ଆହୁରି ବାସ୍ତବ ହୋଇଥିବ ଏବଂ ଆଉ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଫାଳେ ଧୋତି ପିନ୍ଧି ଆଉ ଫାଳକ ଶୁଖେଇବା ଲାଗି ଜିଦ୍‌ କରିବାକୁ ସୁଯୋଗ ପାଉ ନ ଥିବ ।

 

ସଂସାର ଏହିପରି । ନିରାଟ ନିଷ୍ଠୁର ବାସ୍ତବତା, ଠିକ୍‌ କଙ୍କରିତ ଭୂମି ପରି । ବୈଶାଖର ଟାଣ ଖରା ପରି ଆଉ ମାଘ ମାସର ଶୀତ ପରି ।

 

ଦିନେଶ ସାଙ୍ଗରେ ଥରେ ଦେଖାହୁଅନ୍ତା କି ! ମୁଁ ତାକୁ ସ୍ୱସ୍ତି ହୋଟେଲରେ କକ୍‌ଲେଟକୁ ନିମନ୍ତ୍ରଣ କରନ୍ତି ଆଉ ଅତୀତର ସେଇ ହାସ୍ୟାସ୍ପଦ ସଂକଳ୍ପଗୁଡ଼ାକୁ ସ୍ମରଣ କରାଇଦେଇ ତୃତୀୟ ପେଗ୍‌ର ହୁଇସ୍କି ପରି ପେଟ ଭିତରେ ଫେନିଳ ହୋଇଉଠନ୍ତି । ସେ ବି ଆଉ କାହିଁ ଯାଉଥିବ । ଝିଅମାନଙ୍କୁ ସେ ଲଜ୍ଜାରେ ଚାହିଁ ପାରୁ ନ ଥିଲା । ଆଉ ଏବେ ସେମାନଙ୍କ କାନ୍ଧରେ ହାତ ପକେଇ ଫାଜିଲାମି କରୁଥିବ ନିଶ୍ଚୟ ।

 

ଅନେକ କଥା କହିବାର ଅଛି । କାଲିପରି ଲାଗୁଛି । ସେଇ ସମ୍ପର୍କ, ସେଇ ବନ୍ଧୁତ୍ୱ ପାଇଁ ମନଟା ବେଳେବେଳେ ଅଥୟ ହେଉଛି ।

 

ସମ୍ୱଲପୁର ଜିଲ୍ଲାର ପାଇକମାଳ, କଳାହାଣ୍ଡି ଜିଲ୍ଲର ନୂଆପଡ଼ା ଅଞ୍ଚଳରେ ଅନାବୃଷ୍ଟି ହେତୁ ଯେଉଁ ଅସ୍ୱାଭାବିକ ଅବସ୍ଥା ଦେଖାଦେଇଛି ତା’ର ପ୍ରତିକାର କରିବା ଓ ଦୁଃସ୍ଥ ଲୋକମାନଙ୍କ ମଧ୍ୟରେ ରିଲିଫ୍‌ ବଣ୍ଟନର ସୁବ୍ୟବସ୍ଥା କରିବାପାଇଁ ମୋତେ ସ୍ୱତନ୍ତ୍ର ଅଫିସର ଭାବରେ ନିଯୁକ୍ତ କରାଯାଇଛି । କେତେକ ସ୍ଥାନରେ ଭୋକିଲା ଲୋକଙ୍କର ପଟୁଆର ବାହାରିବାର ଦୁଃସମ୍ୱାଦ ମଧ୍ୟ ପହଞ୍ଚିଛି ମୋ ପାଖରେ । ଲୋକଗୁଡ଼ାକ ପାଜି । ସବୁଥିରେ ରାଜନୀତି । ଅଫିସରଙ୍କ ବିରୁଦ୍ଧରେ ଅଯୌକ୍ତିକ ଅପ୍ରମାଣିତ ଅଭିଯୋଗ । ସେମାନଙ୍କୁ ଥଣ୍ଡା କରିବାକୁ ହେବ । ଏକା ମାଘରେ ଶୀତ ଯାଏନି । ଏଇ ସଙ୍କଟ ସମୟଟା କଟିଯାଉ–ନେତାଗିରି କରୁଥିବା ଲୋକଙ୍କୁ ଠିକ୍‌ ପାନେ ଚଖେଇ ଦେବି ଯେ ଜୀବନରେ ଆଉ କେବେ ଭୁଲିବେ ନାହିଁ ।

 

ଗୋଟେ ଗାଆଁରେ ଗୋଟିଏ ଅନ୍ତର୍ଜାତୀୟ ସଂସ୍ଥାପକ୍ଷରୁ ଭୋଜନ କେନ୍ଦ୍ର ଖୋଲାଯାଇ ଶିଶୁ, ବୃଦ୍ଧ, ପ୍ରସୂତୀମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଥାଏ । ସରକାରଙ୍କ ପକ୍ଷରୁ ବି ଅନୁରୂପ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଆସିଥାଏ ଉପରୁ । ପୋଲା ଖାଇବା ଲାଗି ଧାଡ଼ି ବାନ୍ଧୁଛନ୍ତି ଯେ, ସକାଳୁ ସଞ୍ଜ ପର୍ଯ୍ୟନ୍ତ ଦେଲେ ବି ସରିବ ନାହିଁ । ଏ ଦେଶଟା ଭିକାରି ହୋଇଗଲାଣି-। ମଧୁ ବାରିଷ୍ଟର, ଗୋପବନ୍ଧୁଙ୍କ ସ୍ୱାଭିମାନୀ ଓଡ଼ିଆ ଜାତିର ମୃତ୍ୟୁ ଘଟି ସାରିଲାଣି ।

 

ଗୋଟିଏ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିପ୍‌ରେ ପୁଲିସ୍‌ ଫୋର୍ସ ସାଙ୍ଗରେ ନେଇ ଚାଲିଲି । ଭୋକିଲା ଲୋକଙ୍କୁ ବିଶ୍ୱାସ ନାହିଁ–ପାଗଳ କୁକୁର ପରି ।

 

ପାଇକମାଳର ଗାଁଟିଏ । ଥକ୍‌କାପଲ୍ଲୀ । ସେଇ ଥକ୍‌କାପଲ୍ଲୀରେ ପହଞ୍ଚିବାବେଳକୁ ବେଳ ରତ ରତ । ମୁଁ ବି ଥକିଯାଇଥିଲି । ସେଇଠି ଅନ୍ତର୍ଜାତୀୟ ସେବା ସଂସ୍ଥାର ଅଫିସ୍‌ ।

 

ଇସ୍‌ ! ସେ ଲୋକଗୁଡ଼ା କେଡ଼େ ଦରିଦ୍ର ! ସମସ୍ତଙ୍କ ଆଖିରେ ରାଶି ରାଶି ଅବସାଦ-। ପେଟ ପଶିଯାଇଛି । ଦେହରୁ ଧୂଳି ଝଡ଼ିପଡ଼ୁଛି । କଂକାଳର ଶୋଭାଯାତ୍ରା ଲାଗିରହିଛି । ମୋତେ ଦେଖି ଦଉଡ଼ି ଆସିଲେ ମୋ ଆଡ଼କୁ । କାଳେ ମୋତେ ଦଳି ଚକଟି ପକେଇବେ ଏଇ ଭୟରେ ପୁଲିସ୍‍ ସେମାନଙ୍କୁ ଠେଲିନେଇ ଦୂରରେ ରଖିଲା । ଭି.ଆଇ.ପି. ବ୍ୟବଧାନରେ ।

 

ମୁଁ କହିଲି–ଏଡ଼େ ଛାନିଆ ହେଉଛ କାହିଁକି ! ମୁଁ ତ ନିଜେ ଆସିଛି ହାରିଗୁହାରି ଶୁଣିବାପାଇଁ । ଯାହାର ଯାହା ବକ୍ତବ୍ୟ ଅଛି ଜଣକ ପରେ ଜଣେ କହିଯାଅ ।

 

ଜଣେ ଲୋକ ସାମ୍ନାକୁ ଆସି କହିଲା–ନା ସେମାନଙ୍କର ବକ୍ତବ୍ୟ କିଛି ନାହିଁ... ସେମାନଙ୍କ ପାଇଁ କଅଣ ବ୍ୟବସ୍ଥା ହୋଇଛି ସେହି କଥା କେବଳ ଜାଣିବାପାଇଁ ଚାହାଁନ୍ତି । ଆମ ହାତରେ ଯାହା ଥିଲା ସରିଗଲାଣି । ଆହୁରି ଚୂଡ଼ା, ଚାଉଳ ସଙ୍ଗେ ସଙ୍ଗେ ନ ପହଞ୍ଚିଲେ ସେମାନଙ୍କ ମଧ୍ୟରୁ ନିଶ୍ଚିତ ଭାବରେ କେତେକ ଶିଶୁ ଓ ବୃଦ୍ଧ ମରିଯିବେ... ।

 

ଚିହ୍ନା ଚିହ୍ନା ସ୍ୱର । ସେତେବେଳକୁ ସନ୍ଧ୍ୟା ହୋଇଆସିଲାଣି । ମୁଁ ପୁଲିସ୍‌ ଇନ୍‌ସ୍‌ପେକ୍ଟରଙ୍କୁ କହିଲି–ସେଇ ଲୋକଟାକୁ ମୋ ସାମ୍ନାକୁ ଆଣିବାପାଇଁ ।

 

ନେତା ସାଜିଛି ସେ । ତାକୁ ଚିହ୍ନି ରଖିବା ଭଲ । ରିଲିଫ ସାମଗ୍ରୀରୁ ସେଇ ଭାଗ ନେବ ଆଗେ ।

 

ସେଇ ଲୋକଟ ମୋ ଆଗରେ ଛିଡ଼ାହେବା ବେଳରୁ ବିସ୍ମୟର ସୀମା ରହିଲା ନାହିଁ ମୋର । ମୁଁ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲି, ସେ କିନ୍ତୁ ନିରୁତ୍ତାପ କଣ୍ଠରେ ମାଟିର ମଣିଷପରି ବାସ୍ତବବାଦୀ ସ୍ୱରରେ କହିଲା–ଭଲହେଲା ଭାଇ ତମ ସାଙ୍ଗରେ ଦେଖା ହୋଇଗଲା । ଟିକେ ସାହାଯ୍ୟ କର । ମୁଁ ଆଉ ଏକା ପାରୁନାହିଁ ।

 

ମୋ ତଣ୍ଟିପାଖରେ କଣ୍ଟାପରି କଅଣ ଗୋଟେ ଅଟକି ଯାଇଥିଲା । ତଥାପି ଅନେକ କଷ୍ଟରେ କହିଲି–ତୁମେ ?

 

ଦିନେଶ କହିଲା–ଦଶବର୍ଷ ଚାକିରି କରି ଯେଉଁ ପାପକଲି ତା’ର ପ୍ରାୟଶ୍ଚିତ୍ତ କରିବାପାଇଁ ଚାକିରି ଛାଡ଼ି ଏବେ ଏଇ କାମ କରୁଛି । ଏଠାରେ ସାତବର୍ଷ ହୋଇଗଲା । କିଏ ଜାଣେ କିଛି କରିଛି କି ନାହିଁ...

 

ଅନ୍ଧାର ଘନୀଭୂତ ହେଉଥିଲା । ଇନ୍‌ସ୍‌ପେକ୍ଟର ପେଟ୍ରୋମାକ୍‌ସ ଆଣିବାରୁ ମୁଁ ଗର୍ଜିଉଠି କହିଲି–ଗେଟ୍‌ ଆଉଟ୍‌ ଗେଟ୍‌ ଆଉଟ୍‌ !

Image

 

Unknown

କର୍‌ଫ୍ୟୁ

 

ସହରକୁ ଏଇ ପ୍ରଥମ ଯାତ୍ରା ସଦାନନ୍ଦର । ସହର ବିଷୟରେ ଅନେକ କଥା ଶୁଣିଛି, ବହିରେ ପଢ଼ିଛି; କିନ୍ତୁ ସହର କେବେ ଦେଖିନାହିଁ । ସହରର ପାଣି ପବନ ଭିନ୍ନ ପ୍ରକାରର । ଗାଆଁର ବୋହୂ ଭୂଆସୁଣୀ ସହରକୁ ଗଲେ ହଜିଯିବା ଭୟରେ ହାତ ଧରାଧରି ହୋଇ ଚାଲନ୍ତି । ସୁଲେଖା ତାକୁ ବାରମ୍ୱାର ତାଗିଦ୍‌ କରିଦେଇ ସେଇକଥା କହିଥିଲା–ଏକା ଏକା ଚାଲିବ ନାହିଁ–ଉପରକୁ ମୁହଁ କରି ଚାଲିବ ନାହିଁ । ତଳକୁ ମୁହଁ କରି ବି ନୁହେଁ । ଚାରିଆଡ଼କୁ ଦୃଷ୍ଟି ଦବ । ସାମ୍ନାକୁ ଚାହିଁବ । ସଦାନନ୍ଦ ସୁଲେଖାକୁ କେତେଥର କହିଛି ଯେ ସେ ଏକା ସିନା ଘରୁ ବାହାରୁଛି ସହରରେ ପହଞ୍ଚିବାବେଳକୁ ସାଙ୍ଗସାଥୀ ଜୁଟିଯିବେ । ଏତେ ମଣିଷ ହାଉଯାଉ ଖାଉଛନ୍ତି ସେଠାରେ–ନିଶ୍ଚୟ କେହି ନା କେହି ମିଳିଯିବେ । ପଧାନ ଘର ବଡ଼ପୁଅ କଚେରୀରେ କାମ କରେ । ତା’ର ଠିକଣାଟି ଲେଖିଦେଇଛନ୍ତି ପଧାନେ । ମାଷ୍ଟରଙ୍କ ପୁଅ ପୁଲିସ୍‌ ବିଭାଗରେ କାମକରେ । ସେ ନିଜେ ପୁଲିସ୍‌ ନ ହେଲେ କଅଣ ହେବ, ତାହାରି ଆଜ୍ଞାରେ ପର୍ବତ ଜଳେ ଭାସଇ ସୋଲମତ । ଏଣୁ ଡର କାହାକୁ ଭୟ କାହାକୁ ପୁଲିସ୍‌ ମଉସା ଚଉବାହାକୁ । ସୁଲେଖା ତଥାପି କହିଲା ସାବଧାନ ହବାପାଇଁ–ସତର୍କ ରହିବା ଭଲ–ହୁସିଆର ହେଲେ ଲାଭ ଛଡ଼ା କ୍ଷତି ନାହିଁ ।

 

ସଦାନନ୍ଦ ଗଣ୍ଠିଲି ଧରି ବାହାରି ପଡ଼ିଲାବେଳକୁ ସୂର୍ଯ୍ୟ ଦେବତା ହସି ହସି ନୂଆ ହୋଇ ଗୁରୁଣ୍ଡୁଥିବା ଶିଶୁପରି ବସିପଡ଼ିଲେ ରଥଉପରେ ।

 

ଏଇ ପୃଥିବୀ କେଡ଼େ ସୁନ୍ଦର ! ଚାରିଆଡ଼େ ଜୀବନର ପଟୁଆର । ଏତେ ଦୁଃଖ କଷ୍ଟ ସତ୍ତ୍ୱେ ବି ଜୀବନର ସୁଆଦ ଏତେ ବେଶି ଯେ ମଣିଷ କଣ୍ଟା ମାଡ଼ି, କାଦୁଅ ଚକଟି, ଲହୁ ଲୁହାଣ ହୋଇ ବି ବଞ୍ଚିବାକୁ ଚାହେଁ । ସଦାନନ୍ଦ ବି ରହିଯାଇଛି ଗାଆଁରେ । ମାଆର କୋଳଲଗା ହୋଇ ରହିବାର ସୁଖ ଗାଆଁରେ ମିଳେ । ଥରେ ଗୋହିରି ଭିତରେ ବୁଲିଆସି ପଧାନ ଘର ପୋଖରୀରେ ପହଁରି ଆସିଲେ ଦେହ ଭିତରେ ଭିଡ଼ି ମୋଡ଼ି ହେଉଥିବା ଅଳସୁଆମି ଖସିପଡ଼େ ଦେହର ମଳି ପରି-। ଆଜି ସଦାନନ୍ଦ ଗାଁ ଭୂଇଁ ଛାଡ଼ି, ସ୍ତ୍ରୀର ସୋହାଗକୁ ପଛରେ ପକେଇ ବାହାରିଛି ସହରକୁ ନ୍ୟାୟ ପାଇବା ଆଶାରେ । ସେଇଠି ଅଦାଲତ ଅଛି । ହାକିମ ଅଛନ୍ତି । ହୁକୁମ ଆସେ ସେଇଠୁ ।

 

କଥାରେ କହନ୍ତି–ଗାଆଁରେ ଭଗବାନ ଭରସା, ଆଉ ସହରରେ ଭରସା ପୁଲିସ୍‌ । ନାଲି ପଗଡ଼ି କୋଉଦିନୁ ବଦଳି ଗଲାଣି । ସବୁଜ ପଗଡ଼ି ପିନ୍ଧି ପୁଲିସ୍‍ ହୁକୁମ୍‌ ଜାରି କରେ ଆଜିକାଲି । ପୁଲିସ୍‌ ଉପରେ ଅଗାଧ ବିଶ୍ୱାସ ସଦାନନ୍ଦର । ବିପଦ-ଆପଦ ଚିରକାଳ ରହିଥିବ । ଚୋର ତସ୍କର ବି ଚିରକାଳ ରହିଥିବେ । କିନ୍ତୁ ମଣିଷ ପୁଲିସ୍‌ଠାରୁ ଅଭୟ ପାଉଥିବାଯାଏ ଶଙ୍କି ଯିବନି । ସେଇ ପୁଲିସ୍‌ ପାଖରେ ଛିଡ଼ାହେଲେ ତା’ ମହାଜନକୁ ତଣ୍ଟିଆ ଦେଇ ବାହାର କରିଦେବ ଜମିରୁ ।

 

ଆଉ ବାଘ ଭାଲୁକୁ ଡରୁନି ମଣିଷ । ବଣ ତ ଖାଲି ହୋଇଗଲାଣି । ଅଜଗର କି ଅହିରାଜ ଆଉ ଦେଖିବାକୁ ମିଳୁନାହାନ୍ତି । ବଣ ଭିତରଟା ଫାଙ୍କା ଦିଶୁଛି । ବାଘ ଭାଲୁ ବଣରେ ଥିବାବେଳେ ବି ଡରୁ ନ ଥିଲେ ସଦାନନ୍ଦର ବାପ ଗୋସେଇଁ ବାପା । ସଦାନନ୍ଦ ପିଲା ହୋଇଥାଏ ସେତେବେଳେ । ସ୍କୁଲକୁ ଯାଉଥାଏ । ତା’ ବାପ ତାକୁ ଯାହା କହିଥିଲା ଏଯାଏ ସ୍ମରଣ ଅଛି–ବାଘ ଭାଲୁକ ଡରିବୁନିରେ ପୁଅ ! ତୋ ବାଟରେ ତୁ ଯିବୁ ଆଉ ତାଙ୍କ ବାଟରେ ସିଏ ଯିବେ । ତୁ ନ ଲାଗିଲେ ସେମାନେ ଲାଗିବେ ନାହିଁ, ଲୁଚି ଛପି ତୋ ଗଳା ଟିପିବେ ନାହିଁ । କିନ୍ତୁ ମଣିଷକୁ ସାବଧାନ ! ତୋ ପାଖେ ପାଖେ ଚାଲିଥିବା ଲୋକଟି ହଠାତ୍‌ କେତେବେଳେ ତୋ ବେକ କି ଛାତିରେ ଛୁରି ବସେଇଦବ ତାହା କେହି କହିପାରିବ ନାହିଁ । ଠିକ୍‌ ସେମିତି କଲା ମହାଜନ । ଚକ୍ରାନ୍ତ କରି ଜମି ମାଡ଼ିବସିଛି । ସଦାନନ୍ଦ ଜାଣିବାବେଳକୁ ଡେରି ହୋଇଗଲାଣି ।

 

ବାପର କଥା ସତ ହେବା ନିଜ ଆଖିରେ ଦେଖୁଛି ସଦାନନ୍ଦ । ମଣିଷ ଭାଇ ନ ହୋଇ ଭଗାରି ହେଉଛି । ତା’ର ପୈତୃକ ଜମି ଦୁଇମାଣ ଜୋର୍‌ଜବରଦସ୍ତ ମହାଜନ ଚଷି ନେଇ ନ ଥିଲେ ଆଜି ପୂର୍ବପୁରୁଷଙ୍କ ଭିଟାମାଟି ଛାଡ଼ି ସେ ଯାଆନ୍ତାନି ଚାକିରି କରିବାକୁ ସହରକୁ । କେତେ ସପନ ଦେଖିଥିଲା ଯୁଆନ ବଅସରେ: ଜମି ଉଠିଆ କରିବ–ଫସଲ କାଟିବ ସୁଲେଖା ସାଙ୍ଗରେ । ଖଳାରେ ବେଙ୍ଗଳା ପକେଇ ଗୀତ ବୋଲିବ । ଏତେ ସପନକୁ ରାତି ହେଲାନି । ସପନ ମଖା ରାତିଗୁଡ଼ାକ ସକାଳର କୁହୁଡ଼ି ପରି ଉଭେଇଗଲା ଦିନରେ । ଆଜି ସହରକୁ ଯାଉଥିବାବେଳେ ଆହୁରି ଅନେକ କଥା ମନେପଡ଼ିଲା ସଦାନନ୍ଦର । କିନ୍ତୁ ମନଟା କଇଁଛ ପରି ବେକ ଗୋଟେଇ ପଶିଛି ଯେ ଯେତେ ତାଗିଦ୍‌ କଲେ ବି ବାହାରୁନି ଖୋଳପା ଭିତରୁ ।

 

ହାଟରେ ଅନେକ ଲୋକଙ୍କ ସହିତ ଭେଟ ହୁଏ । ସେଇ ହାଟରୁ ଶୁଣିବା କଥା ପୁଣି ସ୍ମରଣ କଲା ସଦାନନ୍ଦ । ଲୁଗା ବେପାରୀ ଗରାଖ ଆଡ଼କୁ ନାଲି ଶାଢ଼ିଟାକୁ ଫିଙ୍ଗିଦେଇ କୁହେ–ଆଖି ପୂରେଇ ଦେଖିନିଅ, ମନ ପୂରେଇ ପରଖିନିଅ । ଇଏ ତନ୍ତିବୁଣା ନାଲିକସ୍ତା ନୁହେଁ ଯେ ପାଣିରେ ପଡ଼ିଲାକ୍ଷଣି ରଙ୍ଗ ଛାଡ଼ିଯିବ । ଇଏ ନାଲିପାନ ବିବି ପରି ଖାଣ୍ଟି ନାଲି ନାଇଲେନ । ପିଚା ଛିଡ଼ିଯିବ କିନ୍ତୁ ଶାଢ଼ି ଛିଡ଼ିବ ନାହିଁ । ଯଉବନ ଥିଲେ ସିନା ଏଇ ଶାଢ଼ି ପିନ୍ଧିବେ ଯୁବତୀଏ, ଯାହାର ଦେହଟା ପଟା ପରି ସମତଳ ସିଏ ଶାଢ଼ି ନ ପିନ୍ଧି ଆଉ କିଛି ପିନ୍ଧୁ । ସଦାନନ୍ଦ ସେଇ କଥାଗୁଡ଼ା କହିଲାରୁ ସୁଲେଖା ମୁହଁ ମୋଡ଼ି କହିଲା–ଏପରି ଅସନା କଥାଗୁରା ହାଟରେ ହାଙ୍କୁଛି ଦୋକାନୀ ! ଲୋକଟା ଭଦ୍ରଲୋକ ନୁହେଁମ, ବଜାରୀ ହୋଇଥିବ । ସଦାନନ୍ଦ ତାକୁ ବୁଝେଇ ଦେଇଥିଲା ସେଦିନ । ସହରରେ ଶିକ୍ଷିତ ହୋଇ ଆସିଛି ଦୋକାନୀ । ସହରର ଆଦବ କାଇଦା ଜାଣେ ସେ । ହେଇଥିବ ଅବା ସହରର ମାଇପିଙ୍କ ଦେହ ପଟା ପରି ସମତୁଲ, କିନ୍ତୁ ଗାଁର ପିଲାମାନେ ଭିନ୍ନ ପ୍ରକାର ।

 

ସେଇ ଗାଆଁର ମଧୁର ସମ୍ପର୍କ ପଡ଼ିରହିଲା ପଛରେ । ସଦାନନ୍ଦ ଜଲ୍‌ଦି ଜଲ୍‌ଦି ବାଟ ଚାଲୁଥିଲା । ସକାଳର ପାସେଞ୍ଜର ଗାଡ଼ିଟାରେ ବସିଲେ ଦଶଟା ବାଜିବାବେଳକୁ ସେ ପହଞ୍ଚିଯିବ କଟକରେ । ଫେରିବାକୁ ଦୁଇ ତିନିଦିନ ଲାଗିବ । କିଛି ଗୋଟେ ଫଏସଲା ନ ଶୁଣି ତ ସେ ଖାଲି ହାତରେ ଫେରିବନି !

 

ଏଇ କଟକ ସହରରେ ରାଜୁତି କରୁଥିଲେ କାଠଯୋଡ଼ି ପଥର ବନ୍ଧ ବାନ୍ଧି ଯଶବାନା ଉଡ଼େଇଥିବା ଯଯାତି କେଶରୀ । ସେ ଗଲେଣି କେତେକାଳ ହେଲା; କିନ୍ତୁ ମୂର୍ତ୍ତି ରହିଛି ଏଯାଏ । ଆଜିକାଲି ଇମିତି ବନ୍ଧ ବାନ୍ଧୁଛନ୍ତି ଯେ ଗୋଟେ ବଢ଼ି ଆସିଲେ ଧୋଇ ହୋଇଯାଉଛି । ଶହ ଶହ ବର୍ଷର ଖରା ବର୍ଷା ଖାଇ ନିଖୁଣ ଭାବରେ ପଡ଼ି ରହିଥିବା ପଥର ବନ୍ଧକୁ ନିଶ୍ଚେ ଦେଖିବ ସଦାନନ୍ଦ ଏବଂ ଏଇ ଦେଶର ଚୋର ତସ୍କର ଗଣ୍ଠିକଟା ତଣ୍ଟିକଟାମାନଙ୍କ କବଳରୁ ସାଧାରଣ ଦୁର୍ବଳ ଲୋକଙ୍କୁ ରକ୍ଷା କରୁଥିବା ପୁଲିସ୍‍ ବାବୁଙ୍କୁ ବି । ସେ ଦେଖିନାଇଁ ଏପରି ନୁହେଁ, ବରଂ ହାଟରେ କେତେଥର ଦେଖିଛି । ଦୂରରେ ଛିଡ଼ାହୋଇ ହୁକୁମଜାରୀ କରୁଥିବା ପୁଲିସ୍‍କୁ ଦେଖି ସେ ଜୁହାର କରିଛି ।

 

ଜଗତର ଭାରକୁ ବାସୁକୀ ବୋହିବା ପରି ଦେଶର ଭାରକୁ ପୁଲିସ୍‍ ବୋହିଛି କାନ୍ଧରେ । ଆଇନ୍‌କାନୁନ ନୀତିନିୟମ ରକ୍ଷା ନ କଲେ ଦେଶ ଉଜୁଡ଼ିଯିବ ବୋଲି ଗାଁ ସଭାରେ କେତେଥର ବଡ଼ ବଡ଼ ଲୋକ କହିବାର ଶୁଣିଛି ସେ । ପୁଲିସ୍‍ ସତର୍କ ପ୍ରହରୀ ପରି ଜଗିଛି ନିୟମ ଓ ଶୃଙ୍ଖଳାକୁ । ନିଜର ଲୋଭକୁ ଜାକି ପରର ଲୋଭକୁ ରଦ୍ଦ କରୁଛି । ନିଜେ ଅହିଂସା ରହି ହିଂସା କରୁଥିବା ଲୋକଙ୍କୁ ଦଣ୍ଡ ଦେଉଛି । ସଦାନନ୍ଦ ପୁଲିସ୍ ହୋଇଥାଆନ୍ତା କି–ରାତାରାତି ନ ଶୋଇ ଖାଲି ଚୋର ଧରନ୍ତା, ଆଇନ୍‌ ଭାଙ୍ଗୁଥିବା ଲୋକଗୁଡ଼ାଙ୍କୁ ଶାସନ କରନ୍ତା ଆଉ ତା’ପରି ଜମି ହରେଇଥିବା ଲୋକଙ୍କୁ ଦମ୍ଭ ଦିଅନ୍ତା । ହାତକଡ଼ି ପକାନ୍ତା ଦୁର୍ବଳକୁ କଷଣ ଦେଉଥିବା ଲୋକର ହାତରେ ।

 

ସଦାନନ୍ଦ ଗାଡ଼ିକୁ ଉଠିଯାଇ ଜଣେ ସହଯାତ୍ରୀ ସହିତ ଚିହ୍ନାପରିଚୟ କଲା । ସେ ବି କଟକ ଯାଉଥିଲା । ତା’ ସହିତ ଶହେ ସରିକି ଲୋକ ଯାଉଥିଲେ କଟକ ସହରକୁ । ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ କଳାକନା–ତାଙ୍କ ପାର୍ଟିର ସଙ୍କେତ । କଟକର ବାଲିଯାତ୍ରା ପଡ଼ିଆରେ ସଭା ହେବ । କଲେଜ ଛକରୁ ହାଇକୋର୍ଟ ପର୍ଯ୍ୟନ୍ତ ପଟୁଆର ଯିବ । ସଦାନନ୍ଦ ଅବାକ୍‌ ହୋଇଗଲା ତା’ର କଥା ଶୁଣି । ସେ ସଦାନନ୍ଦକୁ ସହଯୋଗ କରିବାକୁ ଅନୁରୋଧ କଲା । ଏ ସୁଯୋଗ ଆଉ ଆସିବ ନାହିଁ । ଗାଁ ଗଣ୍ଡା ଛାଡ଼ି ସମସ୍ତେ ଆସୁଛନ୍ତି କଟକ । ଦେଶର ଚାରିଆଡ଼େ କେବଳ ଗୋଟିଏ ଧ୍ୱନି ଶୁଣାଯାଉଛି–କଟକ ଚାଲ, କଟକ ଚାଲ ।

 

ଭଲ ସମୟରେ ଆସିଛି ସଦାନନ୍ଦ । କଥାଭାଷାବେଳେ ଜାଣିଲା ଯେ ସେମାନେ ଟିକଟ୍‌ ନ କରି ଗାଡ଼ିରେ ବସିଛନ୍ତି–ଦକା ନାହିଁ କି ଶଙ୍କା ନାହିଁ । ଧନ୍ୟ କହିବ ସେମାନଙ୍କୁ । ସରକାରର ଖଜଣା ନ ଦବା ସହିତ ଟିକଟ୍‌ ନ କରି ଗାଡ଼ିରେ ବସିବା ମଧ୍ୟ ସମାନ । ନା, ସେ ସେମାନଙ୍କ ସହିତ ସାଙ୍ଗ ହୋଇପାରିବ ନାହିଁ । ତା’ ବାପ ତାକୁ ପିଲାଦିନୁ ଗୋଟିଏ ମନ୍ତ୍ର ଦେଇଥିଲା, ଏବେବି ତାହା ପାଳନ କରୁଛି ସଦାନନ୍ଦ–ସେ ଆଇନ ଭାଙ୍ଗିବ ନାହିଁ, ଟିକସ ଦେବ ଆଉ ହାକିମର ହୁକୁମ ଅମାନ୍ୟ କରିବ ନାହିଁ ।

 

କଟକ ଷ୍ଟେସନରେ ଗାଡ଼ି ପହଞ୍ଚିବାବେଳକୁ ଦଶଟା ବାଜିଯାଇଥିଲା ।

 

ତରତର ହୋଇ ଡବାରୁ ଓହ୍ଲେଇ ପଡ଼ିଲାବେଳେ କଦଳୀ ଚୋପା ଉପରେ ମାଡ଼ି ଦେବାରୁ ଗୋଡ଼ ଖସିଗଲା । ତାଳୁ ଛେଚି ହୋଇ ଯାଇଥାଆନ୍ତା ସିମେଣ୍ଟ ଚଟାଣ ଉପରେ, ଅଳ୍ପକେ ରକ୍ଷାପାଇଗଲା ସଦାନନ୍ଦ । ସହରୀ ଲୋକଗୁଡ଼ାକ କଦଳୀ ଖାଇ କଦଳୀ ଚୋପା ଚାଲିବା ରାସ୍ତାରେ ପକାନ୍ତି, ଏହା ସେ ଆଦୌ ବିଶ୍ୱାସ କରି ନ ପାରି ପାଖରେ ପଇସା ମାଗୁଥିବା ଭିକାରିଟାକୁ ଗାଳିଦେଲା । ଏ କାମ ତାହାରି ବୋଲି ତାକୁ ଧମକେଇଲା ।

 

ସଦାନନ୍ଦ ଗଣ୍ଠିଲିଟିକୁ ଭଲକରି କାଖତଳେ ଜାକିଲା ଏବଂ ଚାରିଆଡ଼ୁ ଆଖି ବୁଲେଇ ଆଣିଲା । ପ୍ଲାଟ୍‌ଫର୍ମରେ ଲୋକାରଣ୍ୟ–ଥାଳି ମାରିଦେଲେ ଥାଳି ଚାଲିଯିବ, ଘୋ ଘୋ ଶବ୍ଦରେ କମ୍ପୁଥାଏ ଷ୍ଟେସନ । ବୁଲାବିକାଳୀମାନଙ୍କର ପାଟିକରି ଡାକିବାର ଢଙ୍ଗ ବେଶ୍‌ ସୁନ୍ଦର ଶୁଣାଯାଉଥାଏ କାନକୁ । ଦଣ୍ଡେ ଛିଡ଼ାହୋଇ ଶୁଣିଲା ସଦାନନ୍ଦ । ଚେନାଚୁର ଗରମ ବାବୁ ବଡ଼େ ମଜାଦାର... କହି କହି ଆଗେଇ ଯାଉଥିବା ପିଲା ହାତରୁ ସେ କୋଡ଼ିଏ ପଇସାର ଚେନାଚୁର୍‌ କିଣିଲା । ସୁଲେଖାର କଥା ମାନି ସେ ବାଟରେ କିଛି କିଣିନାହିଁ କି ଅଜଣା ଲୋକ ହାତରୁ ପାନ କି ବିଡ଼ି ଖାଇନାହିଁ–କିଏ ଜାଣେ କେହି ହୁଏତ ବିଷ ଖୁଆଇ ସର୍ବସ୍ୱ ଅପହରଣ କରିନେବ । ରେଳ ଗାଡ଼ିରେ ଜୀବନ ବା ଯାତ୍ରା କୌଣସିଟି ନିରାପଦ ନୁହେଁ ବୋଲି ମଧୁ ମାଷ୍ଟ୍ରେ କହିଥିଲେ । ତାଙ୍କ ସ୍ତ୍ରୀ ଓ ପୁଅ ବାପଘରୁ ଫେରୁଥିବାବେଳେ ଅଜଣାଲୋକ ହାତରୁ ଚା’ ଜଳଖିଆ ଖାଇ ଗଡ଼ମଧୁପୁରରେ ଶୋଇଥିଲେ ଯେ ଉଠିଲାବେଳକୁ ଗାଡ଼ି ପହଞ୍ଚିଥିଲା ଭଦ୍ରକରେ । ପୁଲିସ୍‌ଥିଲା ବୋଲି ନୋହିଲେ ଇଜ୍ଜତ ଟିକକ ବି ଯାଇଥାଆନ୍ତା ।

 

ଏଇ ସହରକୁ ତା’ ହେଲେ ଜଗିଛି ପୁଲିସ୍‌ । ଶତ୍ରୁଭୟ ନାହିଁ, ଚୋର ତସ୍କରଙ୍କ ଉତ୍ପାତ ନାହିଁ, ଆଇନ୍‌ ଭାଙ୍ଗୁଥିବା ଲୋକଗୁଡ଼ାକୁ ଏକାବେଳେ ସାବାଡ଼୍‌ କରିଦେଇଛି । ପୁଲିସ୍‌କୁ ଆଉଥରେ ମନେ ମନେ ଦଣ୍ଡବତ କଲା ସଦାନନ୍ଦ । ଏଇ ପୁଲିସ୍‍ କଳିକାଳର କୃଷ୍ଣ । ଦ୍ରୌପଦୀର ପୁଣି ବସ୍ତ୍ରହରଣ ହେଲେ ଆଜି ଏଇ ପୁଲିସ୍‌ ରକ୍ଷା କରିବ ।

 

କଟକ ସହରରେ ପାଦ ପକେଇ ଛାତିରେ ଦମ୍ଭ ଆସିଲା ସଦାନନ୍ଦର ।

 

ସୁଲେଖା ହୁଣ୍ଡୀଟିଏ । ନୋହିଲେ ତାକୁ ଖାଲି ସାବଧାନ ନ କରି ଆଉ ଭଲକଥା କିଛି କହିଥାଆନ୍ତା । କଚେରି କାମ ଦିନକରେ ତ ଶେଷ ହବନି । ମହାଜନ ବେଆଇନ ଭାବରେ ଦଖଲ କରି ନେଇଥିବା ଜମି ଦୁଇମାଣ ତାକୁ ଫେରେଇ ଦେବାପାଇଁ ସେ ଗୁହାରି କରିବ ଜଜ୍‌ସାହେବଙ୍କ ଅଦାଲତରେ । ସେ ଧର୍ମାବତାର । ଦୋଷୀକୁ ଦଣ୍ଡ ନିର୍ଦ୍ଦୋଷକୁ ଭରସା ଦିଅନ୍ତି କାଳେ କାଳେ । ଅଦାଲତରେ ତୁଣ୍ଡର ଭାଷା ଚଳେନି ବୋଲି ତାକୁ ମୋହରିର ପାଖକୁ ଯିବାକୁ ପଡ଼ିବ । ସିଏ ବି ବସନ୍ତି କଚେରି ହତା’ର ବରଗଛ ମୂଳେ । ସବୁ ଟିପି ଆଣିଥିଲା ସଦାନନ୍ଦ ।

 

ଅନ୍ୟାୟ ବିରୁଦ୍ଧରେ ଏଇ ତା’ର ପ୍ରଥମ ଲଢ଼େଇ । ସେ ଅନ୍ୟାୟ କରିବନାହିଁ କି କାହାର ଅନ୍ୟାୟ ସହିବ ନାହିଁ । ସାମାନ୍ୟ ମୁଣ୍ଡ ସଦାନନ୍ଦର । ତା’ ମୁଣ୍ଡକୁ ରକ୍ଷା କରିବେ ଜଗନ୍ନାଥ ଆଉ ବଳିଆରଭୂଜ ବୋଲାଉଥିବା ଅଦାଲତ ଆଉ ପୁଲିସ୍‌ବାଲା ।

 

କଟକ ସହରର ରାସ୍ତା ଆହୁରି ଚଉଡ଼ା ହେଇଥିବ ଏହା ଆଶା କରିଥିଲା ସେ । ଦୁଇକଡ଼ରେ ନର୍ଦ୍ଦମା କାଦୁଅ ପଙ୍କ ଠୁଳ ନ ହୋଇ ସାରି ସାରି ଫୁଲ ଓ ଫଳଗଛ ଥିବ ଏହା ଆଶା କରିଥିଲା ସେ । କିନ୍ତୁ କଟକ ସହରକୁ ଯେତେ ଦେଖିଲା ତା’ କଳ୍ପନାର କଟକସହର ସହିତ ଏହାର ପାର୍ଥକ୍ୟ ସେତିକି ପରିସ୍ଫୁଟ ହେଲା ଆଖି ଆଗରେ । ଏତିକିବେଳେ ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା ଯେ ଯିଏ କରଫ୍ୟୁ ଅମାନ୍ୟ କରିବ ସେ ଆଇନ୍‌ ଆଖିରେ ଦୋଷୀ । ରାସ୍ତା ଛାଡ଼ି ସୁନାପିଲା ପରି ଘରକୁ ଫେର । କଲେଜଛକ ପାରିହବା ବେଳକୁ ତା’ ହାତକୁ ଝାଙ୍କିଦେଇ ଟୋକା ଜଣେ କହିଲା–ଆଜି ନିଜ କାମ ନ କରି ଦେଶ କାମ କର । ଏ ଶଳାଙ୍କୁ ଆମେ ଗାଦିରୁ ନ ନିକାଲିବା ଯାଏ ସତ୍ୟଯୁଗ ଆରମ୍ଭ ହବନି । ଏ ଅନ୍ୟାୟ ଆଦେଶ ଆମେ ମାନିବୁନାହିଁ । ସଭା ଶୋଭାଯାତ୍ରା କରିବା ଆମର ଜନ୍ମଗତ ଅଧିକାର ।

 

ସଦାନନ୍ଦ ଭେଳେକା ପରି ଚାହିଁଲା ସେଇ ଟୋକାର ମୁହଁକୁ । ସତ୍ୟଯୁଗ ତା’ହେଲେ ଅଟକି ରହିଛି ଏଇ ବାଟରେ କୋଉଠି ! ଏଇ ଟୋକାର କଥା ମାନି ଗାଦିରେ ବସିଥିବା ଲୋକଟାକୁ ତଡ଼ିଦେଲେ ସତ୍ୟଯୁଗ ନିର୍ଭୟରେ, ନିଶ୍ଚିନ୍ତରେ ଚାଲିଆସିବ ଫାଟକ ପାର୍‌ ହୋଇ କଟକ ସହରର ରାସ୍ତା ଉପରେ । କଲେଜ ଛକରୁ ଚାନ୍ଦିନୀଚୌକ ।

 

ଏତେବଡ଼ କାମ କରିବାକୁ ସଦାନନ୍ଦର ଭରସା ହେଲା ନାହିଁ । ସେ କଳିକାଳର ଲୋକ-। ସତ୍ୟଯୁଗ ଆସିବା ପଥରୁ ଯଦି ସେ ଗୋଡ଼ି ପଥର ଉଠାଇନେଇ ଆହୁରି ମସୃଣ କରିଦେଇପାରେ ତା’ହେଲେ ସତ୍ୟଯୁଗ ସହିତ ସତ୍ୟଯୁଗର ଅଧିବାସୀମାନେ ନିଷ୍କଣ୍ଟକ ହୋଇ ଏଇ ରାସ୍ତାରେ ଚାଲି ଆସିବେ ଖୁସିରେ । ସଦାନନ୍ଦକୁ ଭଲ ଲାଗୁଥିଲା ସେଇ ଟୋକାର କଥା ଶୁଣିବାପାଇଁ । ଖାସା ଲୋକଟିଏ–ତାକୁ ଦେଖିବାବେଳୁ ଅନର୍ଗଳ ବକି ଚାଲିଚି । ତୁଣ୍ଡକଥା ସରୁନାହିଁ-। ଇମିତି ସଦାନନ୍ଦ ବି କହିପାରୁ ଥାଆନ୍ତା କି... ସେ ଜଗନ୍ନାଥ ଦାସଙ୍କ ଭାଗବତ ଶୁଣାନ୍ତା ଗାଆଁବାଲାଙ୍କୁ, ସୁଲେଖାକୁ । ତା’ ବାପା କେତେ ମଧୁର କଣ୍ଠରେ ବୋଲୁଥିଲେ ଭାଗବତ । ସେଇ ଭାଗବତ ଶୁଣି ଶୁଣି ତା’ ମା’ ତାକୁ ଜନ୍ମ ଦେଇଥିଲା ବୋଲି ମା’ ମୁହଁରୁ ଶୁଣିଛି ସେ ।

 

ସଦାନନ୍ଦ ହାତରେ ଦୁଇଖଣ୍ଡ ଶୁଖିଲା ରୋଟି ଆଉ ଟିକେ ଗୁଡ଼ ଗୁଞ୍ଜିଦେଇ କହିଲା ସେଇ ଧନୁର୍ଦ୍ଧର–ଖାଇନିଅ । ଦିହରେ ବଳ ନ ଥିଲେ ଲଢ଼େଇ କରି ହୁଏନା । ଆଜି ରାମ ରାବଣ ଯୁଦ୍ଧ । ଆମେ ବାନରସେନା । ମରିବା ପଛେ ଛାଡ଼ିବା ନାଇଁ । କରଫ୍ୟୁ ଆମେ ମାନିବୁ ନାଇଁ । କଳା ଆଇନ୍‌ ମାନିବୁ ନାହିଁ ।

 

ସଦାନନ୍ଦ ଭଲକରି କିଛି ବୁଝିପାରୁ ନ ଥାଏ । ଅନେକ ଲୋକ ସେତେବେଳକୁ ଠୁଳ ହେଲେଣି କଲେଜଛକରେ । ଘୋଡ଼ା ଉପରେ ଚଢ଼ି ଆଗକୁ ହାତ ବଢ଼େଇଥିବା ମୂର୍ତ୍ତିର ଗଳାରେ ଫୁଲ ମାଳଟିଏ ଲମ୍ୱେଇ ଦେଲା ଜଣେ କେହି । ସମସ୍ତେ ଗଳା ଫଟେଇ ଧ୍ୱନି ଦେଲେ–ନେତାଜୀ କି ଜୟ... ବିପ୍ଳବ ଅମର ରହେ...

 

ନୂଆ ନୂଆ କଥା ନୂଆ ନୂଆ ଶବ୍ଦ କାନକୁ ସୁଆଦିଆ ଲାଗୁଥାଏ । ଦେହଟା ଉଲୁସି ଉଠୁଥାଏ ଉତ୍ସାହରେ । ବାନରସେନା ଯଦି ରାମରାଜ୍ୟ ଆଣିପାରିବ ତା’ହେଲେ ସେଠାରେ ସେ ନିଶ୍ଚୟ ସାହାଯ୍ୟ କରିବ । ସୁଲେଖା ତ କହିଛି ଯେ ଭଲକାମ କେହି କରୁଛି ବୋଲି ପୃଥିବୀ ଆତଯାତ ହେଉଛି–ଧର୍ମ ରହିଛି, ସତ୍ୟ ରହିଛି, ଆଉ ସୂର୍ଯ୍ୟ ଚନ୍ଦ୍ର ବି ଅଛନ୍ତି ।

 

ସେଇ ଟୋକା ସଦାନନ୍ଦର ସ୍ୱାସ୍ଥ୍ୟର ପ୍ରଶଂସା କଲା ଏବଂ କହିଲା ଯେ ଇମିତି ଲୋକର ପ୍ରୟୋଜନ ସବୁ କାଳରେ ଥାଏ । ଦାରୋଗା ଆସୁ କି ପୁଲିସ୍‌ ଆସୁ କାହାକୁ ଖାତିର ନାହିଁ ସେମାନଙ୍କର । ଏଇ ସମୟରେ ଗୋଟେ ଜିପ୍‌ଗାଡ଼ି ଚଢ଼ି ଦଳେ ଖାକି ପୋଷାକ ପିନ୍ଧା ପୁଲିସ୍‌ ସେଇବାଟେ ଯିବାବେଳେ ସେଠାରେ ଠୁଳ ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ସେମାନଙ୍କ ଉପରକୁ ଟେକାଟିଏ ଫୋପାଡ଼ି ଦେଲା । ଜିପ୍‌ପଛକୁ ଫେରି ଠିକ୍ ସେମାନେ ଛିଡ଼ା ହୋଇଥିବା ସ୍ଥାନ ପାଖରେ ଠିଆହେଲା ଆସି । ଦାରୋଗା ବାବୁ ଏବଂ ସାତଜଣ ପୁଲିସ୍‌ ଡେଇଁପଡ଼ି ମାଡ଼ି ଆସିଲେ ଲୋକମାନଙ୍କ ଆଡ଼କୁ । ଜଣକର ବନ୍ଧୁକ ଢିଅର ମାଡ଼ ଖାଇ ଖତେଇ ହେଉଥିବା ପିଲା ଜଣେ ବେଦନାରେ ଗୁମୁରି ଉଠିଲା ।
 

ପୁଲିସ୍‌କୁ ଏତେ ପାଖରେ ଆଉ କେବେ ଦେଖି ନ ଥିଲା ସଦାନନ୍ଦ । ସେ ଦୁଇପାଦ ପଛେଇଗଲା ଏବଂ ତା’ର ଚିହ୍ନା ଟୋକାକୁ କହିଲା–ଏମାନେ ପାଖରେ ଥିଲେ ଆମେ ନିରାପଦ । ତା’ ଆଖିକୁ କଟମଟ କରି ଅନେଇଲା ସେଇ ଟୋକା ଏବଂ ଗର୍ଜିଉଠି କହିଲା–ତୁ ଶଳା ପୁଲିସ୍‌ର ବୋକଚାବୁହା ହୋଇ ନ ଥିଲେ ଇମିତି କହନ୍ତୁ ।

 

ଏତିକିବେଳେ କେତେକ ଲୋକ ପୁଲିସ୍‌ବାଲାଙ୍କୁ ଘେରିଗଲେ ଏବଂ ଯୁକ୍ତିତର୍କ ଗାଳିଗୁଲଜ କରିବାକୁ ଲାଗିଲେ । ଯେଉଁ ପୁଲିସ୍‍ର ବନ୍ଧୁକ ଢିଅରେ ସେଇ ପିଲାଟି ଚିହିଁକି ଉଠିଥିଲା କଷ୍ଟରେ, ତା’ ପାଖରେ କ୍ଷମାପ୍ରାର୍ଥନା କରିବାକୁ କୁହାଗଲା ପୁଲିସ୍‍କୁ । କଥାବାର୍ତ୍ତା ଚାଲିଥିବାବେଳେ ହଠାତ୍‌ ସେମାନଙ୍କୁ ଲକ୍ଷ୍ୟ କରି ଇଟା ପଥର ମାଡ଼ ହବାକୁ ଲାଗିଲା ।

 

ସଦାନନ୍ଦ ବର୍ତ୍ତିଗଲା ଶେଷ ମୁହୂର୍ତ୍ତରେ ଏବଂ ପରିସ୍ଥିତି ଜଟିଳ ହେଉଥିବାର ଦେଖି ଭିଡ଼ ଭିତରୁ ବାହାରି ଆସିବାକୁ ଚେଷ୍ଟାକଲା । ଅଦାଲତ ଖୋଲି ସାରିବଣି ଏତେବେଳକୁ ଏବଂ ସେ ଯଦି ଠିକ୍‌ ସମୟରେ ନ ପହଞ୍ଚେ ମୋକଦ୍ଦମା ଦାଏର ହୋଇପାରିବ ନାହିଁ ଏବଂ ତାକୁ ନିରାଶ ହୋଇ ଫେରଯିବାକୁ ହେବ । ଅନ୍ୟାୟର ପ୍ରତିକାର ନିଜ ହାତରେ କରିବା ଲାଗି ଯଥେଷ୍ଟ ବଳ ତା ହାତରେ ଥିଲେ ମଧ୍ୟ ସେ ଆଇନର ଆଶ୍ରୟ ନେବାକୁ ନିଷ୍ପତ୍ତି କରିଥିଲା । ଧର୍ମ ଅଛି–ସରକାର ଅଛି–ତାକୁ ସେମାନେ ରକ୍ଷାକରିବେ ।

 

ଠିକ୍‌ ସେତିକିବେଳେ ତାକୁ ଯିବାକୁ ନ ଦେଇ ସେଇ ଟୋକା ରୋକି ନେଲା ଏବଂ ତା’ କାନ ପାଖକୁ ମୁହଁ ଆଣି ଫିସ୍‌ଫିସ୍‌ କରି ପଳେଇ ନ ଯାଇ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ କହିଲା-। ସଦାନନ୍ଦର ମନ ଅଦାଲତରେ ଥିଲା ଏବଂ ସେ ନ ଶୁଣିବାପରି କହିଲା ଯେ ଯଦି ଶୀଘ୍ର ଏଇ ଯନ୍ତା ଭିତରୁ ବାହାରି କଚେରିରେ ହାଜର ନ ହୁଏ ତା’ହେଲେ ତା’ର ଏତେ ଖର୍ଚ୍ଚାନ୍ତ ଓ ପରିଶ୍ରାନ୍ତ ହୋଇ ଆସିବା ବିଫଳ ହୋଇଯିବ ଏବଂ ମହାଜନକୁ ସେ କସ୍ମିନ୍‌କାଳେ ତା’ ଜମିରୁ ହଟାଇ ପାରିବ ନାହିଁ । ସେଇ ଟୋକା ତାଚ୍ଛଲ୍ୟ କଲା ପରି କହିଲା ଯେ କଚେରିକୁ ଯାଇ କୌଣସି ଲାଭ ହେବ ନାହିଁ, କାରଣ ସେ ପହଞ୍ଚିବାବେଳକୁ ଅଦାଲତ ବନ୍ଦ ହୋଇ ସାରିଥିବ । କଟକ ବନ୍ଦ ଦିନ କୋଉ ପିଲାର ସାଧ୍ୟ ନାହିଁ ଯେ ସେ କଚେରୀ କରିବ କି ଦୋକାନ ଖୋଲିବ । ସବୁ କାମ ବନ୍ଦ-। କଳ କାରଖାନା ବନ୍ଦ । ଯିବା ଆସିବା ଯାନବାହନ ସବୁ ବନ୍ଦ । ଚକା ବନ୍ଦ । ଅଦାଲତରେ ନୁହେଁ କି ଅଫିସରେ ନୁହେଁ, ବିଚ ଦାଣ୍ଡରେ ସବୁ ଫଏସଲା ହେବ । କରଫ୍ୟୁ ନ ଉଠିଲେ ବି ଆଇନ ମାନିବେ ନାହିଁ ସେମାନେ ।

 

ସଦାନନ୍ଦ ସବୁ ବନ୍ଦର ରହସ୍ୟ ବୁଝିପାରୁ ନ ଥାଏ । ପୁଲିସ୍‍ ଉପରେ ଟେକାପଥର ପଡ଼ିବାରୁ ସେମାନେ ବନ୍ଧୁକରୁ ଫାଙ୍କା ଆବାଜ କଲେ ଏବଂ କିଛି ଲୋକ ଭୟରେ ପଛଘୁଞ୍ଚା ଦେଇ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ । ଏହି ସମୟରେ ଆଉ ଦଳେ ପୁଲିସ୍‍ ପହଞ୍ଚିଯାଇ ଅବସ୍ଥାକୁ ଆୟତ୍ତ କରିବାପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କଲେ ଏବଂ ସେଇ ଗ୍ୟାସ ଲାଗି ଆଖି ପୋଡ଼ିବାରୁ କିଏ ଆଖି ଉପରେ ଓଦା କନା ଦେଲା ତ ଆଉ କେହି ଛତ୍ରଭଙ୍ଗ ଦେଇ ପଳାୟନ କଲା-। ଚାରିଆଡ଼େ ଧୂଆଁ ଦେଖି କେଉଁଆଡ଼କୁ ଯିବ ଠିକ୍‌ କରି ନ ପାରି ସଦାନନ୍ଦ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା । ସେତିକିବେଳେ ତା’ ହାତକୁ ଗୋଟେ ଗୋଲାକାର ବସ୍ତୁ ବଢ଼େଇ ଦେଲା ସେଇ ଟୋକା ଏବଂ ସେଇ ବଲ୍‌ପରି ବସ୍ତୁଟିକୁ ପୁଲିସ୍‍ ଆଡ଼କୁ ଫିଙ୍ଗିଦବାକୁ କହିଲା । ସଦାନନ୍ଦର ହାତରେ ସେଇ ଗୋଲାକାର ବସ୍ତୁଟିକୁ ଦେଖି ବୋଧହୁଏ ଇନିସ୍‌ପେକ୍‌ଟର ଜନତାକୁ ଛତ୍ରଭଙ୍ଗ ଦବାକୁ ବାଧ୍ୟ କରିବାପାଇଁ ଲାଠି ଚାର୍ଜର ହୁକୁମ ଦେଲେ । ସଦାନନ୍ଦ ପୁଲିସ୍‍ର ପରାକ୍ରମ ଦେଖି ଅବାକ୍‌ ହୋଇଗଲା ଏବଂ ପୁଲିସ୍‍ ଯେ ଶେଷରେ ଗଣ୍ଡଗୋଳ କରୁଥିବା ଏଇ ଟୋକାମାନଙ୍କ କବଳରୁ ତାକୁ ରକ୍ଷା କରି ଅଦାଲତରେ ପହଞ୍ଚାଇ ଦବ ଏଇ ବିଶ୍ୱାସରେ ସେଇ ବଲ୍‌ ଭଳି ବସ୍ତୁଟିକୁ ତଳେ ପକେଇ ଦେଇ ପୁଲିସ୍‍ର ସୁରକ୍ଷା ପାଇବା ଲାଗି ଭିଡ଼ ଠେଲି ଦଉଡ଼ି ପଳାଇବାବେଳେ ପ୍ରବଳ ଶବ୍ଦ କରି ସେଇ ହାତବୋମାଟି ଫାଟିଗଲା ଏବଂ ପାଖରେ ଯାହା ଯେଉଁଠି ଥିଲା ଛିନ୍ନଛତ୍ର ହୋଇ ପଡ଼ିଲା । କିଛି ଗୋଟେ ଭୟଙ୍କର ଘଟଣା ଘଟିଯାଇଥିବାର ଅନୁମାନ କରି ହାତ ଟେକି ଶରଣ ମାଗିବା ଉଦ୍ଦେଶ୍ୟରେ ପୁଲିସ୍‍ ଆଡ଼କୁ ସଦାନନ୍ଦ ଦୌଡ଼ିବାକୁ ଲାଗିଲା ଏବଂ ସେଇ ମୁହୂର୍ତ୍ତରେ କେହି ଜଣେ ଆଦେଶ ଦେଉଥିବାର ଶୁଣିଲା ସେ–ଫାୟାର...ଫାୟାର ।

 

କଅଣ ହେଲା କିଛି ବୁଝି ପାରୁ ନ ଥିଲା ସଦାନନ୍ଦ । କିନ୍ତୁ ଯନ୍ତ୍ରଣାରେ ଫାଟି ପଡ଼ୁଥିବା ବାମ ହାତକୁ ଛାତି ଉପରେ ଜାକି ରଖି ସେ ଚିତ୍କାର କରି ଉଠିଲା–ମୁଁ ନିର୍ଦ୍ଦୋଷ, ମତେ ରକ୍ଷାକର ବାବୁ...

 

ଠିକ୍‌ ସେତେବେଳକୁ କାହାର ଲାଠିମାଡ଼ ପଡ଼ିଲା ମୁଣ୍ଡ ଉପରେ । ସେ ରକ୍ତାକ୍ତ ହୋଇ ଭୂଇଁ ଉପରେ ଲୋଟିପଡ଼ିଲା । ସେଇ ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ସେ କହୁଥିଲା ଯେ–ଅନ୍ୟାୟ ସହିତ ସାଲିସ କରିବାକୁ ନୁହେଁ, ନ୍ୟାୟ ପାଇବା ଆଶାରେ ସେ ଆସିଛି ।

 

ସଦାନନ୍ଦର ସ୍ୱର ସେଇ କୋଳାହଳ ଭିତରେ ହଜିଗଲା ପବନରେ ଦୀର୍ଘଶ୍ୱାସ ମିଶିଯିବା ପରି ।

Image

 

କକ୍ଷଚ୍ୟୁତ

 

ଶୈଳ ଶ୍ରୀବାସ୍ତବଙ୍କ ନାମ ସମସ୍ତଙ୍କ ମୁହଁରୁ ଶୁଣି ସେହି ଭଦ୍ର ମହିଳାଙ୍କ ସମ୍ପର୍କରେ ଅଧିକ ଜାଣିବାଲାଗି ମୋ ମନରେ ମଧ୍ୟ ଅସୀମ ଆଗ୍ରହ ଜାତ ହେଲା । ମୁଁ ତାଙ୍କ ବିଷୟରେ ମୁଖରୋଚକ କଥା ଶୁଣି ଶୁଣି ମୋତେ ଲାଗିଲା ଯେପରି ତାଙ୍କୁ ମୁଁ ବହୁପୂର୍ବରୁ ଚିହ୍ନିଛି, ବହୁକାଳରୁ ଜାଣିଛି । ତାଙ୍କୁ କେବେ ନ ଦେଖି ମଧ୍ୟ ସେ ଯେ ମୋର ଅନେକ କାଳର ପରିଚିତ ଏୟା ମନେହେବାକୁ ଲାଗିଲା । ସେ ଆମ ସହରକୁ ଆସି ନ ଥିଲେ ଏହି ସହରର ନାଗରିକ ଜୀବନ ଯେପରି ଅପୂର୍ଣ୍ଣ ସେହିପରି ନିରସ ବୋଧ୍ୟ ହୋଇଥାଆନ୍ତା । ସେ ତିନିବର୍ଷ ହେବ ଆସିଲେଣି । ଏଇ ତିନିବର୍ଷ ତାଙ୍କ ସ୍ୱାମୀ ସୂତାକଳର ମ୍ୟାନେଜିଂ ଡିରେକ୍‌ଟର ଶୋଭନ ଶ୍ରୀବାସ୍ତବ ରହିଯାଇଛନ୍ତି । ଶୋଭନ ଶ୍ରୀବାସ୍ତବ ନର୍କକୁ ବା ସ୍ୱର୍ଗକୁ ଯାଆନ୍ତୁ ସେଥିରେ ମୋର କିଛି ଯାଏ ଆସେ ନାହିଁ, କିନ୍ତୁ ଶୈଳ ଶ୍ରୀବାସ୍ତବ ଏ ସହରରେ ଥିବାଯାଏ ମୁଁ ସ୍ୱର୍ଗସୁଖ ଅନୁଭବ କରୁଥିବି ଏହି ଧ୍ରୁବ ବିଶ୍ୱାସ ମୋର ହୋଇଯାଇଥିଲା ।

 

ବନ୍ଧୁମାନଙ୍କୁ ନ କହି ଶୈଳ ଶ୍ରୀବାସ୍ତବଙ୍କ ନିକଟତର ହେବାପାଇଁ ମୁଁ ବାଟ ଖୋଜି ବୁଲିଲି । ଭାସ୍କୋଡ଼ାଗାମାଙ୍କ ଭାରତ ଆବିଷ୍କାର କରିବାଠାରୁ ମୋର ତାଙ୍କୁ ଖୋଜିବାର କାହାଣୀ ଆହୁରି ରୋମାଞ୍ଚକର ଏବଂ ଆକର୍ଷଣୀୟ । ଶୈଳ ଶ୍ରୀବାସ୍ତବଙ୍କ ସହିତ ଏକା ସହରରେ ଅଧିବାସୀ ହୋଇ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ସ୍ୱଚକ୍ଷୁରେ ନ ଦେଖିଥିବାରୁ ଯେତିକି ମ୍ରିୟମାଣ ଓ ଅପୂର୍ଣ୍ଣତା ଅନୁଭବ କରୁଥାଏ, ତା’ଠାରୁ ବେଶି ମୋତେ ଏଥିପାଇଁ ବାଧୁଥାଏ ଯେ ମୁଁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର ଦୃଷ୍ଟିରେ ପଡ଼ିପାରିଲି ନାହିଁ ।

ତାଙ୍କୁ ଦେଖିବା ଏବଂ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ମୋର ଦୈନନ୍ଦିନ କାର୍ଯ୍ୟସୂଚୀରେ ଅଗ୍ରାଧିକାର ଲାଭ କଲା । ମୋ ସ୍ତ୍ରୀଙ୍କ ଶତ ଅନୁରୋଧ ଉପେକ୍ଷା କରି ମୁଁ ତାଙ୍କ ସହିତ ସିନେମା ବା ସଙ୍ଗୀତ ସମାରୋହକୁ ନ ଯାଇ ଏକା ଏକା ଗଲି, କାଳେ ଯଦି ଭେଟ ହୋଇଯାଏ ଏଇ ଆଶାରେ । ଶୈଳ ଶ୍ରୀବାସ୍ତବଙ୍କର ସଙ୍ଗୀତ ଓ ନୃତ୍ୟ ପ୍ରତି କେବଳ ଦୁର୍ବଳତା ନ ଥିଲା, ସିନେମା ପ୍ରତି ମଧ୍ୟ ତାଙ୍କର ଆକର୍ଷଣ ଥିଲା ପ୍ରବଳ । ସିନେମା ପ୍ରଡ଼୍ୟୁସର ଅଧର ପଟ୍ଟନାୟକ ମୋର ଘନିଷ୍ଠ ବନ୍ଧୁ । ତାଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରି ତାଙ୍କର ଆଗାମୀ ଚିତ୍ର ପାଇଁ ନାୟିକା ମନୋନୟନର ଭାର ମୋତେ ଦେବାଲାଗି ମୋର ସବିନୟ ନିବେଦନ ସେ କେବଳ ଗ୍ରହଣ କରିଗଲେ ତାହା ନୁହେଁ, କଲେଜ ଜୀବନର ସ୍ମୃତିଚାରଣ କରି ସେ ମୋତେ ମୁଖ୍ୟ ଭୂମିକାରେ ଅଭିନୟ କରିବାପାଇଁ ମଧ୍ୟ ପ୍ରସ୍ତାବ ଦେଲେ । ଚନ୍ଦ୍ରକୁ ମୋ ହାତମୁଠା ଭିତରେ ପାଇ ମୁଁ ନିଜର ବଢ଼ୁଥିବା ଉଚ୍ଚତା ସମ୍ପର୍କରେ ସଚେତନ ହେବାକୁ ଲାଗିଲି ।

ଘରେ ମୋର ଉପସ୍ଥିତିର ସମୟ କ୍ରମଶଃ ହ୍ରାସ ପାଇବାକୁ ଲାଗିଲା ଏବଂ ଯେଉଁ ବନ୍ଧୁମାନେ ମୋତେ ବାହାରେ ପ୍ରାୟ ଦେଖୁ ନ ଥିଲେ ସେମାନେ ମୋର ଗତିବିଧିରେ ପରବର୍ତ୍ତନ ଦେଖି ତାକୁ ସ୍ୱାଗତ କଲେ । ଏ ଭିତରେ ମୁଁ ସହରର ସବୁ କ୍ଲବର ସଭ୍ୟ ହୋଇସାରିଥାଏ । ରୋଟାରୀ କ୍ଳବ, ମହାନଦୀ କ୍ଲବ, ସଟର୍‌ଡ଼େ କ୍ଲବର ସଭ୍ୟ ହବା ଛଡ଼ା ଓଡ଼ିଶୀ ସଙ୍ଗୀତ ଏବଂ ନୃତ୍ୟ ପରିଷଦ, ସୂକ୍ଷ୍ମକଳା ସଂସଦ ଏବଂ କେବଳ ଉଚ୍ଚାଭିଳାଷୀମାନଙ୍କଦ୍ୱାରା ଗଠିତ ସୃଜନୀ ସଭାର ସଭ୍ୟପଦ ମଧ୍ୟ ହାସଲ କରି ସାରିଥାଏ । କହିବା ନିଷ୍ପ୍ରୟୋଜନ ଯେ ଶୈଳ ଶ୍ରୀବାସ୍ତବ ଏହି ସବୁ ଅନୁଷ୍ଠାନର ଜଣେ ସକ୍ରିୟ ସଭ୍ୟା ଏବଂ ଏକାଧିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅନ୍ୟତମ-। ଶୈଳ ଶ୍ରୀବାସ୍ତବଙ୍କ ପାଖରେ ପହଞ୍ଚିବାପାଇଁ ମୋତେ କିପରି ଷ୍ଟ୍ରାଟେଜି ଗ୍ରହଣ କରିବାକୁ ପଡ଼ିଲା ତାହା କେବଳ ବାଘ ଶିକାର କରୁଥିବା ବ୍ୟକ୍ତିହିଁ ବୁଝିପାରିବେ ।

ତଥାପି ଶୈଳ ଶ୍ରୀବାସ୍ତବ ଆକାଶକୁସୁମ ହୋଇ ରହିଗଲେ । ମରୁଭୂମିର ମରୀଚିକା ପରି ତୃଷ୍ଣା ଉଦ୍ରେକ କରି ପୁଣି କେଉଁଠାରେ ଅଦୃଶ୍ୟ ହୋଇଗଲେ । ତାଙ୍କୁ ଯେତିକି ଦୂରରେ ଦେଖିଲି ତାଙ୍କର ନିକଟତର ହବାର ଆକାଂକ୍ଷା ସେତିକି ପ୍ରବଳ ହବାକୁ ଲାଗିଲା । ଦିନେ ସଟର୍‌ ଡେ କ୍ଳବରେ ଡିନର ଖାଉଥିବାବେଳେ ଅଯାଚିତ ଭାବରେ ମୁଁ ତାଙ୍କ ଆଗରେ ଆବିର୍ଭାବ ହୋଇ ତାଙ୍କ ପ୍ଲେଟରେ ଆଉ ଖଣ୍ଡେ ଶାମି କବାବ୍‌ ରଖି ଦେଉଥିବାବେଳେ ଅତି ବିନମ୍ର ଭାବରେ ସେ ମୋତେ ଧନ୍ୟବାଦ ଦେଇ ଯେପରି ଟିକେ ଘୁଞ୍ଚିଗଲେ ତାହା ମୋତେ ବାଧା ନ ଦେଇ ବରଂ ଆହୁରି ଆଗକୁ ଟାଣିଲା । ସେ ସିନା ସେଇ କବାବ ଖାଇଲେ ନାହିଁ; କିନ୍ତୁ ମୁଁ ଖାଇସାରି ତାଙ୍କର ନିବିଡ଼ ସାନିଧ୍ୟ ଅନୁଭବ କଲି ।

ଯା’ହେଉ ଶୈଳ ଶ୍ରୀବାସ୍ତବଙ୍କ ସହିତ ମୋର ପରିଚୟ ହୋଇଗଲା ଏବଂ ତାଙ୍କ ମୋ ମଧ୍ୟରେ ଯେଉଁ ବ୍ୟବଧାନ ଥିଲା ତାହା ସେହି ମୁହୂର୍ତ୍ତରେ ଅନ୍ତର୍ଦ୍ଧାନ ହୋଇଗଲା । ଶାମି କବାବ ସିନା ସେ ଖାଇଲେ ନାହିଁ, କିନ୍ତୁ ଓ୍ୱାସ୍‌ବେସିନ ପାଖରେ ପହଞ୍ଚିବାବେଳକୁ ହଟ୍‌ଓ୍ୱାଟର ଟ୍ୟାପ୍‌ଟା ଖୋଲିଦେଇ ମୁଁ ଇମିତି ଭଙ୍ଗୀରେ ଛିଡ଼ାହୋଇ ପଡ଼ିଲି ଯେ ସେ ମୋତେ ଚାହିଁଦେଇ ମୁହଁ ଉପରେ ହସ ଖେଳାଇ କହିଲେ–ଥ୍ୟାଙ୍କ୍‌ ୟୁ..

 

ମୋ ପଛରେ ମୋର ବାଲ୍ୟବନ୍ଧୁ କୈଳାସ ଛିଡ଼ା ହୋଇଥିଲା । ଶୈଳ ହାତ ଧୋଇ ଚାଲିଯିବା ପରେ ସେ ମୋତେ ଅଭିନନ୍ଦନ ଜଣାଇଲାବେଳେ ତା’ର ଆଖିର ଦୃଷ୍ଟିରେ ପରାଜୟର କିପରି କରୁଣ ଭାବ ଫୁଟି ଉଠିଲା । ତାହା ଦେଖି ମୁଁ ବିଜୟ ଦର୍ପରେ ଆଗେଇଯାଇ ଶ୍ରୀମତୀ ଶ୍ରୀବାସ୍ତବଙ୍କୁ କହିଲି, ଆଇ ଏମ୍‌ ସୁରେଶ ସାମଲ...ଆଡ଼୍‌ଭୋକେଟ୍‌...
 

ସେ କହିଲେ–କ୍ଳବରେ ଲୋକଙ୍କର ଏତେ ଭିଡ଼ ଯେ ଦଣ୍ଡେ ନିରୋଳାରେ ବସି ଗପସପ କରିବା ଅସମ୍ଭବ । ବରଂ ଦିନେ ଘରକୁ ଆସନ୍ତୁ ସେଇଠି ବସି ଚା’ ପିଇବା ଆଉ ଗପ କରିବା ।

 

ସେଦିନ ମୁଁ ଏତେ ଉତ୍ସାହିତ ଓ ଉନ୍ମାଦିତ ହୋଇଥିଲି ଯେ ରାତିରେ ଆଉ ନିଦ ହେଲା ନାହିଁ । ଗୋଟିଏ ପରେ ଗୋଟିଏ ସିଗାରେଟ୍‌ ଶେଷ କରୁଥିବାର ଦେଖି ମୋ ସ୍ତ୍ରୀ ମୋତେ ପଚାରିଲେ–ରାତି ଦୁଇଟା ବାଜିବ...ତମକୁ ନିଦ ହଉନି ?

 

ଶୈଳ ଶ୍ରୀବାସ୍ତବଙ୍କ ପାଖରେ ଯେଉଁ ନିଦ ବଟିକା ଅଛି ସେଥିରୁ ଗୋଟେ ପାଖରେ ରଖିଲେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଭାବି ମୁଁ ଶେଷ ସିଗାରେଟ୍‌ର ଶେଷାଂଶକୁ ଆସଟ୍ରେ ଭିତରେ ପକେଇ କହିଲି–ତୁମ ପାଖରେ ତ ନିଦ ବଟିକା ନାହିଁ ଯେ ମୋତେ ଶୁଆଇ ପକାଇବ...ସେଇ ନିଦ ବଟିକା ଖୋଜୁଛି ମୁଁ... । ସେ କିଛି ନ ବୁଝିବା ପରି ନିଦବୋଳା ଅବୋଧ୍ୟ ଦୃଷ୍ଟିରେ ଥରେ ମୋ ମୁହଁକୁ ଅନାଇ ଚାଦରଟା ମୁହଁ ଉପରକୁ ଟାଣିନେଇ ଶୋଇପଡ଼ିବାର ଦେଖି ମୁଁ ସ୍ୱସ୍ତିରେ ନିଶ୍ୱାସ ମାରିଲି ।

 

ଶୈଳ ଶ୍ରୀବାସ୍ତବଙ୍କ ସହିତ ସାକ୍ଷାତ୍‍ର ସୁଯୋଗ ଅତି ଶୀଘ୍ର ଆସିଗଲା । ସେଦିନ ନିଉ ମାର୍କେଟରେ କଳାମନ୍ଦିରରେ ତାଙ୍କ ସହିତ ହଠାତ୍‌ ଦେଖା ହୋଇଗଲା । ମୁଁ ତାଙ୍କୁ ମୁହଁ ଖୋଲି କିଛି କହିବା ପୂର୍ବରୁ ସେ ମୁହଁ ଉପରେ ଭାଷାର ତରଙ୍ଗ ଖେଳାଇ କହିଲେ, ‘କାହିଁ ଆସିଲେନି ତ ? ବଜାରରେ ଛିଡ଼ାହୋଇ ତ ଆଉ କଥାଭାଷା କରି ହୁଏନି... ସମୟ କରି ଆସିବେ ନିଶ୍ଚୟ–ଆମ ଘରର ଠିକଣା ଜାଣନ୍ତି ତ ? ଏ ବାଇ ଉଆନ ମେନ୍‌ରୋଡ଼ ଉପରେ’–ମୋ ଉତ୍ତର ଶୁଣିବାକୁ ଅପେକ୍ଷା ନ କରି ନୃତ୍ୟ କଲାପରି ମୋ ଦୃଷ୍ଟିପଥରୁ ଅନ୍ତର ହୋଇଗଲେ ସେ । ମୁଁ ସେହି ସ୍ଥାନରେ ଅନେକ ସମୟ ଛିଡ଼ାହୋଇ ସେ ଛାଡ଼ିଯାଇଥିବା ଦାମୀ ସେଣ୍ଟର ବାସନା ବୋଳି ହେଉଥିଲି ଦେହରେ ।

 

ମୋ ସ୍ତ୍ରୀ କିମିତି ଜାଣିଲେ କେଜାଣି ଶୈଳଙ୍କ କଥା ଉଠେଇ କହିଲେ–ବାହା ନ ହୋଇ ବହୁରଙ୍ଗୀ ହେବାର ଦେଖିଛି, କିନ୍ତୁ ବାହାହବା ପରେ ଇମିତି ପୁରୁଷଙ୍କ ପଛରେ ଗୋଡ଼େଇବାର ନିଶା ଆଉ କେବେ କେହି ଦେଖିନି । ଛି, ଛି...। ମୋ ତଣ୍ଟିରେ ମାଂସ ଟୁକୁରାଟା ଅଟକିଗଲା । କିଛି ସମୟ ଲାଗିଲା ଗଳାଧଃକରଣ କରିବାପାଇଁ । ତା’ପରେ ଗ୍ଲାସରୁ ପାଣି ଦୁଇଢୋକ ପିଇ କହିଲି–କିନ୍ତୁ ଖାଲି ଖରାପ ଦିଗଟା ଦେଖୁଛ କାହିଁକି ? ତାଙ୍କର ଭଲଗୁଣି ବି ଅନେକ ଅଛି । ତା’ପରେ କାହାରି ସହିତ ବନ୍ଧୁତା କରିବା ପାପ ନୁହେଁ...

 

ସୁନୀତା ଫାଟିପଡ଼ି କହିଲେ–ସେଥିଲାଗି ସେଇ ପୂଣ୍ୟବତୀ ପଛରେ ଦଉଡ଼ିଛ ଏତେ । ବିଲେଇ ଲୁଚି ଲୁଚି ଦୁଧପିଏ–ସେ ଭାବେ ଆଉ କେହି ଜାଣନ୍ତିନି...କିନ୍ତୁ ଆଉ ବାକି ନାହିଁ ଜାଣିବାକୁ...ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି... ।

 

ମୁଁ ବୀରତ୍ୱର ସହିତ ପଛଘୁଞ୍ଚା ଦେବାକୁ ଶ୍ରେୟସ୍କର ମନେକଲି । ଏପରି କ୍ଷେତ୍ରରେ ନୀରବତାହିଁ ଶ୍ରେୟସ୍କର–ମୁଁ ତାହାହିଁ କଲି । ଜଣେ ନାରୀ ଆଉ ଜଣକୁ ଯେ ସହ୍ୟ କରିପାରେ ନାହିଁ ଏହା ଶାସ୍ତ୍ର କହିଛି, ମୁଁ ନୂତନ କରି ଆବିଷ୍କାର କରିନାହିଁ । ଚୁପ୍‌ ହୋଇ ସବୁ ଶୁଣିଲି ସିନା, ଶୈଳ ଶ୍ରୀବାସ୍ତବଙ୍କ ଅନୁପସ୍ଥିତିରେ ତାଙ୍କୁ ଡିଫେଣ୍ଡ୍‌ କରିବା ଲାଗି କିନ୍ତୁ ମୋର ଆଗ୍ରହାତିଶଯ୍ୟ ଅଯଥା ଅଶାନ୍ତି ସୃଷ୍ଟିର ଆଶଙ୍କାରେ ଦବିଗଲି । ମୁଁ ଜଲ୍‌ଦି ଜଲ୍‌ଦି ଖାଇସାରି ଉଠିପଡ଼ି କହିଲି–ସବୁ ଲୋକଙ୍କର ସବୁକଥା ଜାଣି ନ ପାରି ମନ୍ତବ୍ୟଦେଲେ ବିଚାର ଏକତରଫା ହୁଏ, ନ୍ୟାୟ ମିଳେ ନାହିଁ-

 

ସୁନୀତା ଏପରି ଭାବରେ ମୋ ମୁହଁକୁ ଚାହିଁରହିଲେ ଯେ, ମୁଁ ତାହା ସହ୍ୟ କରି ନ ପାରି ହାତ ଧୋଇବାପାଇଁ ଓ୍ୱାସ ବେସିନ୍‌ ପାଖକୁ ଚାଲିଗଲି । କେସ୍‌ଟା ପାଇଁ ଅଦାଲତକୁ ଯାଇ ଅର୍ଜେଣ୍ଟ ଆନୁଷଙ୍ଗିକ କାମ ଶେଷକରି ହଠାତ୍‌ ଯାଇ ପହଞ୍ଚିଗଲି ମିସେସ୍‌ ଶ୍ରୀବାସ୍ତବଙ୍କ ଘରେ । ବାଟ ଖୋଜିବାକୁ ପଡ଼ିଲା ନାହିଁ । ପ୍ରଧାନ ରାସ୍ତା ଉପରେ ପ୍ରଥମ ବଙ୍ଗଳାଟା ତାଙ୍କର । ସେ ବୋଧହୁଏ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ ! ମୋତେ ଦେଖି କହିଲେ ବାସ୍‌ ଭଲ କଲେ ଚାଲିଆସିଲେ । କିନ୍ତୁ କାମ କରିବାର ସମୟଟା ନଷ୍ଟ ହେଲା ଆପଣଙ୍କର । ଇଏ ଅତ୍ୟନ୍ତ ସମୟ ସଚେତନ । ଠିକ୍‌ ଦଶଟାରେ ଯିବେ ଆଉ ପାଞ୍ଚଟାରେ ଅଫିସ୍‌ ଛାଡ଼ିବେ । ତିନିଶହ ପଅଁଷଠି ଦିନ ଏକାପରି, ବ୍ୟତିକ୍ରମ ନାହିଁ ।

 

ଆମେ ଦୁହେଁ ମୁହାଁମୁହିଁ ବସିଲୁ । ନିଜ ହାତରେ ଚା’ ତିଆରି କରି ମୋ ହାତକୁ କପ୍‌ଟା ବଢ଼େଇ ଦେଇ କହିଲେ ଶୈଳ–ତୁମେ ପୁରୁଷମାନେ କାହିଁକି ଯେ ମନ ଭିତରର କଥା ମୁହଁଦେଇ କହିପାରନି ମୁଁ ଆଦୌ ବୁଝିପାରେନି । ମୋ ମନ ଭିତରେ କିଛି ଉଦୟ ହେଲାକ୍ଷଣି ମୁଁ କାହାକୁ ନ କହି ପକେଇଲେ ମୋର ଭାତ ହଜମ ହୁଏ ନାହିଁ ।

 

ମୁଁ ଅନେକଟା ସହଜ ହୋଇ କହିଲି–ମନର କଥା ସଦାବେଳେ ସହଜ ଭାବରେ କହିହୁଏ ନାହିଁ–ସେଥିପାଇଁ ତ ଏତେ ଜଟିଳତା ହୁଏ... ସମ୍ପର୍କ ଗଢ଼ିବାରେ ଏତେ ବିଳମ୍ୱ ହୁଏ ।

 

ଶୈଳ ଶ୍ରୀବାସ୍ତବ କହିଲେ–ତୁମେ ଘରକୁ ଆସି ଭଲ କଲ । ଘରକୁ ନ ଆସି ବାହାରେ ବାହାରେ ରହିଲେ ବନ୍ଧୁତ୍ୱ ହୁଏନାହିଁ । କିନ୍ତୁ ଘର ଭିତରଟା କନ୍‌ଜେଷ୍‌ଟେଡ଼...ଅନେକ ଆଖି ଅନେକ କାନ ନେଇ ଆମ କଥା ସମସ୍ତେ ଦେଖନ୍ତି ଆଉ ଶୁଣନ୍ତି ବୋଲି ସିରିଅସ୍‌ କିଛି କହି ହୁଏନି...ସେଥିପାଇଁ ଆଉ କାହିଁ ଯିବାକୁ ପଡ଼େ । ତୁମର ଯଦି ସମୟ ଥାଏ ଚାଲ ଯିବା ସ୍ୱସ୍ତିକୁ । ନୂଆ ହୋଇ ଖୋଲିଛି । ଲଞ୍ଚ୍‌ ସମୟ ତ ଆହୁରି ଘଣ୍ଟେ ବାକିଅଛି...ଯଥେଷ୍ଟ ସମୟ ହାତରେ ।

 

ମୁଁ ସକାଳେ ଲଞ୍ଚ୍‌ଖାଇ କୋର୍ଟକୁ ଯାଏ ଏ ବିଷୟ ଆଉ ନ କହି ହୋଟେଲରେ ନିରୋଳା ପରିବେଶରେ ତାଙ୍କ ସହିତ ଏକତ୍ର ହବାର ସୁଯୋଗ ହାତ ମୁଠାରେ ପାଇ ଉତ୍‌ଫୁଲ୍ଲିତ ହୋଇଉଠିଲି ।

 

ଶୈଳ ଶ୍ରୀବାସ୍ତବ ଠିକ୍‌ ଏହିପରି ଯାହା ଭଲଲାଗେ ମୁହଁ ଖୋଲି କହିଦିଅନ୍ତି । ମୁହଁ ବନ୍ଦକରି ନିଜ ଚିନ୍ତାରେ ନିଜେ ଘାରି ହୁଅନ୍ତିନାହିଁ । ସେଦିନ ସ୍ୱସ୍ତିରେ ଲଞ୍ଚ୍‌ ଖାଇଲୁ ଦୁହେଁ । ସେ କିନ୍ତୁ ମୋତେ ବିଲ୍‌ର ପେମେଣ୍ଟ କରିବାକୁ ଦେଲେ ନାହିଁ । ମୁଁ ଅସ୍ୱସ୍ତି ବୋଧ କରୁଥିବାର ଦେଖି ସେ କହିଲେ–ଯିଏ ହେଲେ ଜଣେ ଦବାକଥା, ମୁଁ ତୁମକୁ ଡାକିଥିଲି । ତୁମେ ଇମିତି ମ୍ରିୟମାଣ ହୋଇପଡ଼ୁଛ କାହିଁକି ?

 

ଶୈଳଙ୍କୁ ତାଙ୍କ ଘରେ ଛାଡ଼ି ମୁଁ ସିଧା ଘରକୁ ନ ଫେରି କିଛି ସମୟ ବାହାରେ କଟାଇ ସାତଟାବେଳକୁ ଫେରିଆସିଲି ।

 

ବନ୍ଧୁ ମହଲରେ ଶୈଳ ଶ୍ରୀବାସ୍ତବଙ୍କ ସହିତ ମୋର ସମ୍ପର୍କ ଆଲୋଚନାର ବିଷୟବସ୍ତୁ ହୋଇଗଲା । କେହି କେହି ମୋତେ ଗୋଟିଏ ନିଭୃତ ସ୍ଥାନକୁ ଡାକିନେଇ ଏ କଥା କହି ସତର୍କ କରିଦେଲେ ଯେ ଜାଣିଶୁଣି ନିଆଁରେ ହାତଦେଲେ ନିଆଁର କିଛି ହୁଏନାହିଁ, ନିଆଁରେ ହାତ ଭର୍ତ୍ତି କରୁଥିବା ଲୋକରହିଁ ହାତ ପୋଡ଼େ । ଶୈଳ ଶ୍ରୀବାସ୍ତବ ସହଜ ମହିଳା ନୁହଁନ୍ତି । ଏ ଯୁଗର ପାଞ୍ଚାଳୀ ସେ–ଏକାଧିକ ସ୍ୱାମୀ ତାଙ୍କର କାମ୍ୟ ।

 

ମହିଳାମାନଙ୍କ ମଧ୍ୟରେ ପରଶ୍ରୀକାତରତା ଥାଏ ବୋଲି ଏ ପର୍ଯ୍ୟନ୍ତ ବିଶ୍ୱାସ ଥିଲା ମୋର–କିନ୍ତୁ ପୁରୁଷମାନେ ଯେ ଆହୁରି ଅଧିକ ପରଶ୍ରୀକାତର ଏଇ ସତ୍ୟ ଉଦ୍‌ଘାଟନ କରିବାପରେ ମୁଁ ସବୁ ଗୋପନରେ କରିବା ଲାଗି ମନସ୍ଥ କଲି । ଆଖିରେ ନ ପଡ଼ିବା ଭଳି ସ୍ଥାନରେ ଯେଉଁ ବନ୍ଧୁତ୍ୱ ବୃଦ୍ଧି ହୁଏ ସେଥିରେ ଥାଏ ତାତ୍ପର୍ଯ୍ୟ ଓ ରୋମାଞ୍ଚ । ଶୈଳ ଶ୍ରୀବାସ୍ତବ ବି ବୋଧହୁଏ ସେୟା ପସନ୍ଦ କରୁଥିଲେ, ନୋହିଲେ ସେଦିନ ସେ ଆଦୌ କହି ନ ଥାନ୍ତେ ମୋତେ ତାଙ୍କ ସହିତ ଯିବାପାଇଁ । ସେ ବାପ ଘରକୁ ଯିବାର ଥିଲା । ତାଙ୍କ ସ୍ୱାମୀ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାଯୋଗୁଁ ଯାଇପାରୁ ନ ଥିଲେ । ସେଥିପାଇଁ ଶୈଳ ଫୋନ୍‌ କରି ଯେତେବେଳେ ମୋତେ କହିଲେ ରାସ୍ତାରେ ସଙ୍ଗୀ ହେବା ଲାଗି, ମୁଁ କେବଳ ଯେ ଏକା କଥାରେ ରାଜି ହୋଇଗଲି ତାହା ନୁହେଁ, ଏକ ଅପ୍ରତ୍ୟାଶିତ ମଧୁରତା ମୋର ସର୍ବାଙ୍ଗକୁ ଉଷ୍ମ କରିଦେଲା ।

 

ଭୁବନେଶ୍ୱରରୁ ପୁରୀ ଯିବାକୁ ଘଣ୍ଟାଏ କୋଡ଼ିଏ ମିନିଟ୍‌ରୁ ବେଶୀ ସମୟ ଲାଗେ ନାହିଁ । କିନ୍ତୁ ସେଦିନ ଆମେ କୋଣାର୍କ ହୋଇ ମେରାଇନ୍ ଡ୍ରାଇଭ୍‌ରେ ଯିବାରୁ ଦୁଇଘଣ୍ଟା ଲାଗିଲା । କୋଣାର୍କରେ ମନ୍ଦିରଗାତ୍ରରେ ସେହି ଅପେକ୍ଷମାଣା ନାରୀର କଥା ସ୍ମରଣ କରାଇଦେଇ ସେ କହିଲେ–ତା’ ଆଖିର ଭାଷା, ହୃଦୟର ବେଦନା ବୁଝିବାପାଇଁ ପୁରୁଷ କାହିଁ ଶୈବାଳ ? ଏଇ ଅପେକ୍ଷା କେବଳ ଦୀର୍ଘତର ନୁହେଁ ଚିରନ୍ତନ ହୋଇଯାଇଛି । ସମୟର ବେଳାଭୂମି ଉପରେ କେତେ ବ୍ୟାକୁଳତା, କେତେ ନିବେଦନ ମଥା କଚାଡ଼ି ନିଜର ଭାଷାକୁ ନିଜେ ଶୁଣିଛି କେବଳ–ଆଉ କେହି ତା’ କଥା ଶୁଣିନାହିଁ...ଆଉ କେହି ତାକୁ ବୁଝିନାହିଁ...ସେଥିପାଇଁ କାଳର ଅସୀମତାକୁ ସ୍ପର୍ଶ କରିଛି ଅପେକ୍ଷମାଣାର ସୀମା...ସେ ସୀମା ଡେଇଁ ଅସୀମ ଚିରନ୍ତନ ହୋଇଯାଇଛି ।

ଶୈଳ ଶ୍ରୀବାସ୍ତବଙ୍କ ଭିତରେ ଏତେ କବିତ୍ୱ, ଏତେ ଭାବନା, ଦର୍ଶନ ଥିଲା ବୋଲି ମୁଁ ଯଦି ଜାଣିଥାଆନ୍ତି ଆଗରୁ ଚଳଚ୍ଚିତ୍ରରେ ତାଙ୍କୁ ନାୟିକା କରିବାର ଯେଉଁ ବାସନା ଟିକକ ଦିନେ ଜାଗିଥିଲା ମନରେ, ତାହା ବାସ୍ତବରେ ରୂପାୟିତ ହୋଇପାରି ଥାଆନ୍ତା ଅନେକଦିନୁ । ଅଧର ପଟ୍ଟନାୟକ ହୁଏତ ଅପେକ୍ଷା କରିଥିବ ନୂଆ ନାୟିକାଟିଏ ଦେଖିବାପାଇଁ । ମୋତେ ସିନା ସେ ନାୟକ କରିବ ବୋଲି କଥା ଦେଇଛି, କିନ୍ତୁ ନାୟିକା ନିର୍ବାଚନ ଏ ଯାଏ ଶେଷ ହୋଇନାହିଁ । ଶୈଳଙ୍କୁ ମୁହଁଖୋଲି କହିବାଲାଗି ଇଚ୍ଛା ହେଲା । କିନ୍ତୁ କି ଆଶ୍ଚର୍ଯ୍ୟ–କିଛି କହିପାରିଲିନାହିଁ । ସେ ଅନ୍ତର୍ଯ୍ୟାମୀ ପରି କହିଲେ–କଅଣ କହିବ କହିବ ହେଉଛ, ଅଥଚ କହି ନ ପାରି କଷ୍ଟ ପାଉଚ । କହିଦିଅ, ମୁଁ ତ ଶୁଣିବାପାଇଁ ଅନନ୍ତ କାଳରୁ ଅପେକ୍ଷା କରୁଛି...। କହିବାଲାଗି ମୋତେ ସାହସ ସଞ୍ଚୟ କରୁଥିବାର ଦେଖି ସେ କହିଲେ, କହି ପକାଅ କହି ପକାଅ... ପେଟ ଭିତରେ କଥା ରଖି ନୀରବରେ ବସିରହିବା ବନ୍ଧୁର କାର୍ଯ୍ୟ ନୁହେଁ ।

ମୁଁ କିନ୍ତୁ କହିପାରିଲିନାହିଁ ।

ସେ କିନ୍ତୁ କହିଲେ–ମଣିଷ ଯାହା ଚାହେଁ ତାହା ପାଏ ନାହିଁ, କିମ୍ୱା ଯାହା ପାଏ ତାହା ଚାହେଁ ନାହିଁ । ଜୀବନଟା ତ ଖାଲି ଆକ୍‌ସିଡ଼େଣ୍ଟ ଏବଂ ଆଡ଼୍‌ଜଷ୍ଟମେଣ୍ଟରେ ପୂର୍ଣ୍ଣ । ତୁମେ ଯାହା ପାଇଛ ସେତକ କିନ୍ତୁ ହାତଛଡ଼ା କରନ୍ତି ଶୈବାଳ । ଯାହା ନ ପାଇଛ ତାହା ସବୁଦିନ ଯେ ସ୍ୱପ୍ନ ହୋଇ ନ ରହିବ କିଏ କହିବ ? ସ୍ୱପ୍ନ ଦେଖିବାକୁ ବି ଭଲଲାଗେ; କିନ୍ତୁ ସ୍ୱପ୍ନ ଦେଖି ତ ମଣିଷ ନିଜକୁ ସୁଖୀ କରିପାରେନାହିଁ ।

କିଛି ସମୟ ପରେ ରାମଚଣ୍ଡୀ ପାଖରେ ଗାଡ଼ି ଅଟକାଇ ତାଙ୍କୁ କହିଲି, ଏଇ ଜାଗାରୁ ପ୍ରଥମ ଆଉଟ୍‌ଡୋର–? ସୁଟିଂ ଆରମ୍ଭ ହେବ । ଗଳ୍ପର ପ୍ରଥମ ଦୃଶ୍ୟ ଏଇଠି ଆରମ୍ଭ ।

 

ଶୈଳ ଶ୍ରୀବାସ୍ତବ କହିଲେ–କୋଉ ଛବି କଥା କହୁଛ ? ତୁମେ ଚିତ୍ରଜଗତ ସହିତ ସମ୍ପୃକ୍ତ ଏକଥା ତ ଆଗରୁ ଜାଣି ନ ଥିଲି ।

 

ମୁଁ ଟିକେ ଉତ୍ସାହିତ ବୋଧକଲି । ଏଇ ସୁଯୋଗକୁ ହାତଛଡ଼ା କରିବା ବୋକାମି ହେବ ଭାବି ତାଙ୍କୁ କହିଲି–ଅଧର ପଟ୍ଟନାୟକଙ୍କର ନାମ ଶୁଣିଥିବ–‘ବାସିଫୁଲ’ର ପ୍ରଡ଼୍ୟୁସର । ସେ ମୋର ସହପାଠୀ ଏବଂ ଘନିଷ୍ଠ ବନ୍ଧୁ । ତା’ର ଦ୍ୱିତୀୟ ପିକ୍‌ଚର ‘ସଜଫୁଲ’ ପାଇଁ ନୂତନ ନାୟକ ଓ ନାୟିକା ଖୋଜୁଛି ସେ ।

 

ଶୈଳ ଶ୍ରୀବାସ୍ତବ କହିଲେ–ତୁମେ ଥାଉଁ ଥାଉଁ ସେ ଆଉ ଖୋଜୁଛନ୍ତି କାହାକୁ ? ଅଫର୍‌ ପାଇଲେ ତୁମେ ନିଶ୍ଚୟ ପ୍ରତ୍ୟାଖ୍ୟାନ କରିବନି ।

 

‘ସେଇ କଥାହିଁ ଭାବୁଛି’–ମୁଁ କହିଲି ।

 

ସେ କହିଲେ–ଏତେ ଭାବୁଛ କଅଣ–ଟେକ୍‌ ଇଟ୍‌ ଲାଇଟ୍‌ ସିନେମାରେ ଅଭିନୟ କରିବାର ଲୋଭ କିଏ ଛାଡ଼େ ?

 

‘କିନ୍ତୁ ତୁମେ ଯଦି ଅଫର୍‌ ପାଅ ରାଜିହବ ନାୟିକା ଭୂମିକାରେ ଅବତୀର୍ଣ୍ଣ ହବାପାଇଁ ? ତୁମେ ରାଜିହେଲେ ମୁଁ ବି ରାଜି ।’

 

‘ତୁମର ସର୍ତ୍ତ ଶୁଣିବାପରେ ମୁଁ ନାରାଜ ହେବି ଏକଥା କହିବି କିପରି ? କିନ୍ତୁ ମୋତେ ଭାବିବାକୁ ଦିଅ... ଅନେକ ସମୟ ଅଛି ହାତରେ ମନ ସ୍ଥିର କରିବାପାଇଁ ।’

 

ରାମଚଣ୍ଡୀ ଦର୍ଶନ କରିସାରି ପାଖ ଦୋକାନରୁ ଚା’ କପେ ପିଇ ଚାଲିଲୁ ପୁରୀ ଆଡ଼କୁ ।

 

ସନ୍ଧ୍ୟା ପୂର୍ବର ବେଳାଭୂମି ଉପରେ ସୁନେଲି କିରଣ ବିଛେଇ ହୋଇ ପଡ଼ିଥିଲା । ନୀଡ଼ ବାହୁଡ଼ା ପକ୍ଷୀ କେତୋଟି ଉଡ଼ି ଆସୁଥିଲେ ସମୁଦ୍ର ଉପରଦେଇ । ସମୟର ଢେଉକୁ ସମ୍ଭାଳି ନ ପାରି ହଠାତ୍‌ ଗାଡ଼ି ବନ୍ଦକରି ଶୈଳଙ୍କୁ ଜାବୁଡ଼ି ଧରି ତାଙ୍କ ମୁହଁ ଉପରେ ମୁହଁ ଲଗାଇବାକୁ ଯାଉଛି ସେ କହିଲେ–ଏତିକି ଆଗରୁ କହିପାରି ଥାଆନ୍ତ । ଆମେ ରୋମିଓ ଜୁଲିଏଟ୍‌ ନୋହୁଁ ଯେ ରାସ୍ତା ଉପରେ ରୋମାନ୍‌ସ କରିବୁ । ଘର ଅଛି, ହୋଟେଲ ଅଛି, ଆଇ.ବି. ଅଛି–ଆଜି ଏତିକିରେ ଥାଉ ।

 

ମୁଁ ଅନିଚ୍ଛାସତ୍ତ୍ୱେ ମୁହଁ ଉଠେଇଆଣି ପୁଣି ଗାଡ଼ି ଚଳାଇଲି ।

 

ତାଙ୍କୁ ତାଙ୍କ ବାପଘରେ ଓହ୍ଲାଇ ଦବାବେଳେ ସେ ଧନ୍ୟବାଦ ଦେଇ କହିଲେ–ସନ୍ଧ୍ୟା ହେଲାଣି... ବାପା ରାତିରେ ଫେରିବାକୁ ରାଜି ହେବେ କି ନାହିଁ କେଜାଣି...ଯଦି ଫେରିଯିବା ତୁମର ନିହାତି ଦରକାର ଏକା ଏକା ଯାଇପାର ।

 

ମୁଁ ରହିଯିବାପାଇଁ ପ୍ରସ୍ତୁତ ହୋଇ ଆସି ନ ଥିଲି । କିନ୍ତୁ ସମୟର ଦାବିକୁ ଗ୍ରହଣ କରିନେବା ଲାଗି ରହିଯିବାପାଇଁ ସ୍ଥିରକଲି ।

 

ଶୈଳ କିନ୍ତୁ ମୋ ସାଙ୍ଗରେ ନ ଫେରି ଭୋର୍‌ ଗାଡ଼ିରେ ଫେରିଗଲେ ଭୁବନେଶ୍ୱର । କୌଣସି ବିଶେଷ ଜରୁରୀ ବାର୍ତ୍ତା ପାଇ ଏକା ଏକା ମୁହଁ ଅନ୍ଧାରରୁ ସେ ବାହାରିଗଲେ ବୋଲି କହିଲେ ତାଙ୍କ ବାପା । ମୁଁ ଶିଥିଳ ମନଟାକୁ ବହନ କରି ଗାଡ଼ି ଚଳେଇଲି ରାଜଧାନୀ ଅଭିମୁଖରେ-

 

ତା’ପରେ ପ୍ରାୟ ସପ୍ତାହେ ହେବ ଆଉ ଶୈଳ ଶ୍ରୀବାସ୍ତବଙ୍କ ସହିତ ସାକ୍ଷାତ୍‍ କରିବାର ସୁଯୋଗ ହୋଇ ନ ଥିଲା ମୋର । ଗୋଟେ କେସ୍‌ନେଇ ମୋତେ କଟକ ଦଉଡ଼ିବାକୁ ପଡ଼ିଥିଲା ପ୍ରାୟ ପ୍ରତ୍ୟେକ ଦିନ । ତା’ପରେ ଘରର ସବୁ ଦାୟିତ୍ୱ ପଡ଼ିଥିଲା ମୋ ଉପରେ । ସେଦିନ ପୁରୀରୁ ଫେରିବାବେଳକୁ କଅଣ ଗୋଟେ ବିଶେଷ ଜରୁରୀ ଖବର ପାଇ ସୁନୀତା ଚାଲିଯାଇଥିଲା ବାପଘରକୁ । ଘରେ ମୁଁ ଏକାକୀ ।

 

ଆଜି ଶନିବାର । କଚେରି କାମ ଶୀଘ୍ର ଶେଷକରି ଘରକୁ ଫେରିଲି ଏହି ଆଶାରେ ଯେ ସନ୍ଧ୍ୟାଟା ଶୈଳଙ୍କ ସାଙ୍ଗରେ କଟେଇବି । ସ୍ୱସ୍ତିକୁ ଫୋନ୍‌ କରି ଗୋଟେ ରୁମ୍‌ ବି ରିଜର୍ଭ କଲି । ନିଜକୁ ସତେଜ କରିନବାପାଇଁ ଅପରାହ୍‌ଣରେ ଟିକେ ଶୋଇପଡ଼ିଛି–ଦ୍ୱାର ମୁହଁରେ ଠକ୍‌ଠକ୍‌ ଶବ୍ଦ ଶୁଣି କବାଟ ଖୋଲି ଦେଖେ ତ ଡାକପିଅନ ଅପେକ୍ଷା କରିଛି ।

 

ସେ ମୋ ହାତକୁ ଦୁଇଟା ଚିଠି ବଢ଼େଇଦେଇ ଦସ୍ତଖତ ନେଇ ଚାଲିଯିବା ପରେ ମୁଁ ଅଳସ ଭାଙ୍ଗି ପ୍ରଥମ ଚିଠିଟା ଖୋଲିଲି । ଏଇ କେତେଦିନ ଧରି ଯାହା ଆଶଙ୍କା କରିଥିଲି ତାହା ହୋଇଛି–ସୁନୀତା ଛାଡ଼ପତ୍ର ଚାହେଁ ।

 

ଅନ୍ୟ ଚିଠିଟା ଖୋଲିଲି । ବର୍ତ୍ତମାନ ମୋ ପାଦତଳୁ ମାଟି ଚହଲି ଯିବାପରି ଲାଗିଲା । ମୁଁ କାନ୍ଥ ଉପରେ ଆଉଜିପଡ଼ି ନିଜକୁ ସମ୍ଭାଳି ନେଲି । ସମୁଦ୍ରର ଢେଉ ଭଙ୍ଗା ଶବ୍ଦ ।

 

କିନ୍ତୁ ବିଶ୍ୱାସ କରି ପାରୁ ନ ଥିବାରୁ ସେହି ଚିଠିଟାକୁ ଆଉ ଥରେ ପଢ଼ିଲି । ଅଦାଲତର ମୋହର ଲାଗିଛି । ଅସୌଜନ୍ୟ ଆଚରଣ ଲାଗି ମୋ ନାମରେ ମାନହାନି ମୋକଦ୍ଦମା କରିଛନ୍ତି ଶ୍ରୀମତୀ ଶୈଳ ଶ୍ରୀବାସ୍ତବ । ତାଙ୍କ ଦେହରେ ହାତ ଦେଇଥିବାରୁ ଆଉଟ୍‌ରେଜିଙ୍ଗ୍‌ ଅଫ୍‌ ମଡ଼େଷ୍ଟି ପାଇଁ ଲକ୍ଷେ ଟଙ୍କା କ୍ଷତି ପୂରଣ ଦାବି କରିଛନ୍ତି ସେ ।

Image

 

ଦୃଷ୍ଟିକୋଣ

 

ସୁଧାକର ଗନ୍ତାୟତ ଚାଳିଶ ବର୍ଷ ଶିକ୍ଷକତା କରି ଅବସର ନବାଦିନ ଭାବିଥିଲେ ଯେ, ଏଥର ତାଙ୍କୁ ଘର ସଂସାର ବିଷୟ ବୁଝିବାପାଇଁ ସମୟ ମିଳିବ । ଏଇ ଚାଳିଶ ବର୍ଷ ଧରି ସେ ନିଜ କଥା ଭୁଲି ଅନ୍ୟମାନଙ୍କ କଥା ମନେପକାଉଥିଲେ । ତାଙ୍କ ପୁଅ ଶୁଭଙ୍କର ପରି ସବୁ ଛାତ୍ରଙ୍କୁ ବଡ଼ ଓ ସଫଳ ମଣିଷ ହେବାପାଇଁ ସେ ଅକୃପଣ ଭାବରେ କାର୍ଯ୍ୟ କରିଥିଲେ ଏବଂ ଦୀର୍ଘ ଚାଳିଶ ବର୍ଷର ଶିକ୍ଷକତା କରିବା ସମୟରେ କର୍ତ୍ତବ୍ୟରେ ସେ ଅବହେଳା କରିଥିବା କଥା କେହି କହି ନ ଥିଲେ । ତେଣୁ ମନରେ ଏକ ପରିପୂର୍ଣ୍ଣ ସନ୍ତୋଷ ଏବଂ ସତ କହିଲେ ନିଜ ସମ୍ପର୍କରେ ଏକ ଅହଂକାରବୋଧ ନେଇ ସେ ଯେଉଁମାନେ ସାତ ପୁରୁଷର ଭିଟାମାଟିକୁ ଫେରି ଆସିଲେ ସେଦିନ ଗାଆଁରେ ଶଙ୍ଖ ବଜେଇ ତାଙ୍କୁ କେହି ବାଟରୁ ପାଛୋଟି ଆଣି ନ ଥିଲା ସତ, କିନ୍ତୁ ଗାଁ ଲୋକେ ଖୁସି ହୋଇଥିଲେ ଯେ, ସୁଧାକର ନିଜର ପୁଲିସ୍‍ ସାହେବ ପୁଅ ପାଖରେ ନ ରହି ଗାଁକୁ ଅବଶେଷ ଜୀବନର କର୍ମକ୍ଷେତ୍ର ବୋଲି ବାଛିନେଇଛନ୍ତି । ଗାଁ’ବାଲା ଖୁସି ହେଲେ ବି ଶଙ୍କର ପୁରୋହିତ ଖୁସି ହୋଇ ନ ଥିଲେ । ସେ ଗାଁଆର ମୁରବି, ସବୁଠାରୁ ବେଶୀ ସମ୍ପଦଶାଳୀ ଓ ପାରଙ୍ଗମ । ତାଙ୍କର ପୁଅ ସହରରେ ମୁକ୍ତାର କାମ କଲାଦିନୁ ରାହୁ ଚନ୍ଦ୍ରକୁ ଗ୍ରାସ କଲାପରି ପାଖ ପଡ଼ୋଶୀଙ୍କର ଜମିଜମା, ପ୍ରଭାବ, ପ୍ରତିପତ୍ତି ସେ ଅନାୟାସରେ ଗ୍ରାସ କରିବାରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟରେ କେହି ବାଧାବିଘ୍ନ ସୃଷ୍ଟି କରିବାପାଇଁ ସାହସ କରିନାହାନ୍ତି । ସୁଧାକର ମାଷ୍ଟରଙ୍କ ପୁଅ ଶୁଭଙ୍କର ପୁଲିସ୍‍ ସାହେବ ହେବା ଦିନୁ ସେ ମାଷ୍ଟରଙ୍କୁ ଟିକେ ଖାତିର କଲାପରି ଜଣାପଡ଼ୁଥିଲା । ହଠାତ୍‌ ସେଦିନ ଅବସର ନେଇ ସୁଧାକର ମାଷ୍ଟର ଯେତେବେଳେ ଦୁଇଟି ଶଗଡ଼ରେ ଆସବାବ ବୋଝେଇ କରି ଆସି ଗାଆଁରେ ପହଞ୍ଚିଲେ, ଶଙ୍କର ପୁରୋହିତ ତାଙ୍କୁ ସଙ୍ଖୋଳିବାବେଳେ କହିଲେ–ଯାହାର ଉପାୟ ନାହିଁ ତାଙ୍କୁ ବାଧ୍ୟହୋଇ ଗାଆଁର ମଶାମାଛି ଡାଆଁସ, ଭୂତ ପ୍ରେତ ଚିରିଗୁଣୀ ଓ ଅଭାବ ଅସୁବିଧା ଅଜ୍ଞତା ଭିତରେ ରହିବାକୁ ପଡ଼ିବ । ପୁଲିସ୍‍ ସାହେବ ଯାହାର ପୁଅ ସେ କୋଉ ଦୁଃଖରେ ସହରର ସୁଖ ସୁବିଧା ଛାଡ଼ି ସଢ଼ିବ ଗାଆଁରେ ? ସୁଧାକର ମାଷ୍ଟର ତାଙ୍କ କଥା ଶୁଣି ମୁରୁକି ହସିଥିଲେ, ଉତ୍ତର ଦେଇ ନ ଥିଲେ ।

 

ପୈତୃକ ନଡ଼ା ଛପର ମାଟି ଘରଟି ଖରା, ବର୍ଷା, ଶୀତ, କାକର ସହି ଆଗପରି ଛିଡ଼ାହୋଇ ରହିଥିଲେ ବି ଶ୍ରୀହୀନ ଦିଶୁଥିଲା । ଆଉଥରେ ଛପର ନ କଲେ ନ ଚଳେ । ଘରକାନ୍ଥ ଓ ପିଣ୍ଡାରେ ଲିପାପୋଛା ନ କଲେ ଠାଏଠାଏ ମାଟି ଛାଡ଼ି ଶ୍ରୀହୀନ ଦିଶୁଥିବା ଘର ଆହୁରି କୁତ୍ସିତ ଦିଶିବ । ମରାମତି କରିବାକୁ ଏଯାଏଁ ସମୟ ପାଇ ନ ଥିଲେ ମାଷ୍ଟ୍ରେ । ଏବେ ତାଙ୍କ ହାତରେ ପ୍ରଚୁର ସମୟ, ବାକି କାମଗୁଡ଼ାକ ଆଉ ବଳେଇ ଯିବ ନାହିଁ ।

 

ମାଷ୍ଟର ଚାକିରିରେ ପେନସନ୍‌ ନାହିଁ; ସେଥିପାଇଁ ଯେଉଁ ଅଳ୍ପ କେତେ ଟଙ୍କା ପ୍ରୋଭିଡେଣ୍ଡ ଫଣ୍ଡ୍‌ ପାଇଥିଲେ ପୋଷ୍ଟ ଅଫିସରେ ରଖିଦେଲେ ସୁଧ ମୂଳ ମିଶି ବଢ଼ିବ ବୋଲି ପରାମର୍ଶ ଦେଇଥିଲେ ମାଷ୍ଟରାଣୀ; କିନ୍ତୁ ଏତେ ରାତିକୁ ସପନ ନିଅଣ୍ଟ ହବାପରି ଯାହା ସଞ୍ଚୟ କରି ପ୍ରୋଭିଡେଣ୍ଡ ଫଣ୍ଡ୍‌ ସୂତ୍ରରେ ପାଇଥିଲେ ତାହା ଯେ ଶୁଭର ପଢ଼ା ସମୟର କରଜ ପରିଶୋଧ କରିବାପାଇଁ ଯଥେଷ୍ଟ ନୁହେଁ ତାହା ମନେପକେଇ ସ୍ତ୍ରୀକୁ ସେ କହିଥିଲେ ଯେ, ଋଣ ପରିଶୋଧ ନ କରି ଟଙ୍କା ଜମାରଖିବା ମୂର୍ଖତା ଛଡ଼ା ଆଉ କିଛି ନୁହେଁ । ତା’ପରେ ସେ ଯାହା ଋଣ କରିଛନ୍ତି ସେତକ ହାତ ଉଧାର ନୁହେଁ ଯେ, ଆଜି, କାଲି, ପଅର ଦିନ ସୁବିଧାକରି ଶୁଝିବେ । ଘର ଡିହ ଖଣ୍ଡକ ବନ୍ଧକ ଦେଇ ସାତବର୍ଷ ତଳେ ଟଙ୍କା ଆଣିଥିଲେ ଶଙ୍କର ପୂରୋହିତଙ୍କ ପାଖରୁ । ତା’ ଆଗରୁ ପୈତୃକ ସମ୍ପତ୍ତି ଭାବରେ ଯେଉଁ ଦୁଇମାଣ ଚାଷଜମି ପାଇଥିଲେ କେନାଲ କୂଳରେ, କୋଡ଼ିଏ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ପୁଅର ଉଚ୍ଛଶିକ୍ଷାର ଖର୍ଚ୍ଚ ତୁଲାଇବାପାଇଁ । ଶୁଭଙ୍କରର ବାହାଘରବେଳେ ବି କିଛି ଖର୍ଚ୍ଚ ହୋଇଥିଲା । ଶିକ୍ଷକ ଚାକିରି କରି କୁଟୁମ୍ୱ ଯେ ପ୍ରତିପୋଷଣ କରିହୁଏ ନାହିଁ, ଏଇ ସରଳ ସତ୍ୟଟି ତାଙ୍କଠାରୁ ଆଉ କେହି ବେଶୀ ବୁଝିନାହିଁ । ମାସକୁ ଦରମା ତିନିଶହ । ଘରେ ବାପ, ମା’ ପୁଅ ବାଦ୍‌ଦେଇ ବିଧବା ଭଉଣୀ । ବିଚାରୀ ଏଡ଼େ ହୀନକପାଳୀ ଯେ ଦିନେ ସୁଖ ପାଇଲାନାହିଁ । ଏଇ ଗତ ମାର୍ଗଶିର ମାସ ଶୁକ୍ଳ ଦ୍ୱିତୀୟା ଦିନ ଚାଲିଗଲା ସଂସାର ଛାଡ଼ି । ତାଙ୍କ ଶ୍ରାଦ୍ଧ ସୁଧାକର ନିଜେ କରିଥିଲେ ।

 

ଘର ମରାମତି କରିସାରି ବାଡ଼ି ବଗିଚା ଠିକ୍‌ କଲାବେଳକୁ ହାତରେ ଥିବା ମୂଳ ପୁଞ୍ଜିରୁ ପାଞ୍ଚ ହଜାର ଖର୍ଚ୍ଚ ହୋଇଗଲା । କୂଅଟା ଜୀର୍ଣ୍ଣ ଅବସ୍ଥାରେ ଥିଲା, ତିଆରି କରିବାଲାଗି ପାଞ୍ଚଶହ ଚାଲିଗଲା । ବାକି ଉଦ୍‌ବୃତ୍ତ ଧନରୁ ଗାଆଁ ମୁଣ୍ଡରେ ଗାଆଁ ଲୋକଙ୍କ ସ୍ୱାର୍ଥ ଓ ଭଲମନ୍ଦ ଜଗି ପୂଜା ପାଉଥିବା ମା’ ମଙ୍ଗଳାଙ୍କ ମନ୍ଦିରରେ ଚୂନ ଦବାପାଇଁ ଏବଂ ଗାଆଁରେ ନୂଆହୋଇ ଖୋଲିଥିବା ସ୍କୁଲର ପୁସ୍ତକାଗାରପାଇଁ ଦୁଇଶହ ଟଙ୍କା ଦାନ କଲା ପରେ ହାତ ପ୍ରାୟ ଶୂନ୍ୟ ହୋଇଗଲା ।

 

ସୁଧାକର ମାଷ୍ଟର କିନ୍ତୁ ଯୁବକ ପରି ଲାଗିପଡ଼ିଲେ କାମରେ । ସୁଭଦ୍ରା ସ୍ୱାମୀଙ୍କୁ କହିଲେ–ପୁଅ ବୋହୂ ପାଖରେ ରହିଲେ କେତେ ଆରାମରେ ରହନ୍ତେ । ସକାଳ ସନ୍ଧ୍ୟା ସଲାମ ଠୁକନ୍ତେ ପୁଲିସ୍‍ବାଲା, କୋଉ ଦୁଃଖରେ ଗାଆଁରେ ସଢ଼ିବ, ଏତେଦିନ ଚାକିରି କଲି ଯେ ବୟସ ଚାଲିଗଲା ଜାଣିପାରିଲ ନାହିଁ । ଏବେ ଶେଷ ଜୀବନରେ ହେଲେ ଟିକେ ଭୋଗ କର।

 

ସୁଧାକର ମାଷ୍ଟର କିନ୍ତୁ ତାଙ୍କ କଥାରେ ରାଜିହେଲେ ନାହିଁ । ପୂଅବୋହୂର ସଂସାରରେ ହୁଏତ ସେମାନଙ୍କର ଖାଇବା ପିନ୍ଧିବାର ଅଭାବ ହୋଇ ନ ପାରେ; କିନ୍ତୁ ସେଠାରେ ଯେ ସୁଭଦ୍ରାଙ୍କ ଶାସନ ଚଳିବ ନାହିଁ କିମ୍ବା ତାଙ୍କ ବୋଲ କେହି ଶୁଣିବେ ନାହିଁ ଏଇ ନିରୋଳା ସତ୍ୟଟି ଦୀର୍ଘ ଚାଳିଶ ବର୍ଷର ଅଭିଜ୍ଞତାରୁ ସେ ଜାଣନ୍ତି । ଶୁଭ ଆଉ ପାଞ୍ଚଜଣଙ୍କ ପରି ନୁହେଁ, ଆଇ.ପି.ଏସ୍‌. ପାଇଲା ଦିନ ବାପା ମାଆଙ୍କ ପାଦରୁ ଧୂଳି ନେଇ ମୁଣ୍ଡରେ ମାରି କହିଥିଲା ଯେ,ଏଥର ଆଉ କୃଚ୍ଛ୍ର ସାଧନା କରିବାକୁ ପଡ଼ିବ ନାହିଁ ବାପା, ଚାକିରି ଛାଡ଼ି ମୋ ପାଖକୁ ଚାଲିଆସ, ଏତେଦିନ ଅଭାବରେ ସଢ଼ୁଥିଲ, ଏବେ ଟିକେ ସୁଖ କର । ପୁଅ କଥା ଶୁଣି ଚାକିରି ଛାଡ଼ି ତା’ପାଖକୁ ଚାଲିଯିବାପାଇଁ ଯେ ତାଙ୍କର ଇଚ୍ଛା ହୋଇ ନ ଥିଲା ତାହା ନୁହେଁ, କିନ୍ତୁ ସେ ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଶୁଭର ବାହାଘର ହୋଇଯାଇଥିଲା ସୁନ୍ଦରଗଡ଼ର ବିଶିଷ୍ଟ ଓକିଲ ପରମାନନ୍ଦ ମିଶ୍ରଙ୍କ କନ୍ୟା ଇତିଶ୍ରୀ ସହିତ-। ଇତିଶ୍ରୀ ଏମ୍‌.ଏ. ପାଶ୍‌ କରିଥିବା ଉଚ୍ଚଶିକ୍ଷିତା ବୋହୂ । ବାପା ମାଆଙ୍କର ଅଲିଅଳି କନ୍ୟା-। ଗାଁରେ ସେ ଚଳିପାରିବ ନାହିଁ ବୋଲି ପୁଅର ବାହାଘର ଗାଁରେ ନ କରି ସେ ପାଇଥିବା ସରକାରୀ ବଙ୍ଗଳାରେ କରିଥିଲେ ମାଷ୍ଟ୍ରେ । ପୁଅ ବୋହୂଙ୍କ ପାଖରେ ସେମାନେ ଆସି ରହିଲେ କାଳେ ସେମାନଙ୍କର ସୁଖ ସୁବିଧା ବ୍ୟାହତ ହୋଇପାରେ ସେଥିପାଇଁ ଆଜି ଯିବି କାଲି ଯିବି କହି ଶେଷପର୍ଯ୍ୟନ୍ତ ଚାକିରି ଛାଡ଼ି ପୁଅ ପାଖକୁ ଚାଲିଗଲେନି ସେ । ସୁଧାକର ଗନ୍ତାୟତ ବଡ଼ଲୋକ ନୁହଁନ୍ତି ସତ କିନ୍ତୁ ଲୋକ ଚରିତ୍ର ଦେଖି ଦେଖି ବଡ଼ଲୋକୀ କାରବାର ବିଷୟରେ ସମ୍ୟକ୍‌ ଜ୍ଞାନ ଅଛି ତାଙ୍କର । ତାଙ୍କ ସମୁଦୀ ପରମାନନ୍ଦ ବାବୁ ଆସିଲେ ସେ ଯିବାପର୍ଯ୍ୟନ୍ତ ଅର୍ଦ୍ଦଳିଠାରୁ ଇନିସ୍‌ପେକ୍‌ଟର ପର୍ଯ୍ୟନ୍ତ ସମସ୍ତେ କିପରି ବ୍ୟସ୍ତ ରହନ୍ତି ତାଙ୍କ ଚାହିଦା ପୂରଣ କରିବାପାଇଁ ସେ ସ୍ୱଚକ୍ଷୁରେ ଦେଖିଛନ୍ତି ସବୁ । ପୁଅର ବାପ ହୋଇ ସେ ଯେ ଅସମ୍ମାନ ପାଇଛନ୍ତି, ଏମନ୍ତ ନୁହେଁ; କିନ୍ତୁ ଦୁଇଟି ବ୍ୟବହାର ମଧ୍ୟରେ ଏତେ ଫରକ୍‌ ଯେ ତାହା ସହଜରେ ବାରିହୋଇପଡ଼େ ।

 

ଗାଆଁରେ ଆସି ରହିଲା ଦିନୁ ସୁଭଦ୍ରା ଲଗେଇଛନ୍ତି ତାଙ୍କ ସହିତ ପୁଅ ବୋହୂଙ୍କୁ ଥରେ ଆଣିବାପାଇଁ । ଯେତେହେଲେ ସାତ ପୁରୁଷର ପୂଣ୍ୟ ଭିଟାମାଟି, ଏଇଘର ଏନ୍ତୁଡ଼ିଶାଳରେ ଜନ୍ମିଥିଲା ଶୁଭଙ୍କର । ଏଇ ଘରର ଇତିହାସ ଓ କାହାଣୀ କିମ୍ୱଦନ୍ତୀ ସହିତ ଜଡ଼ିତ ସଂସ୍କାର, କୁସଂସ୍କାରର କେତେ ଅଭୁଲା କାହାଣୀ । ଆଉ ତାଙ୍କ ନାତି ଏଇ ଗାଆଁର ପୋଖରୀରେ ଏଯାଏ ଗାଧୋଇ ନାହିଁ, କଇଁଫୁଲ ତୋଳିଦବାପାଇଁ ଅଳି କରିବାଲାଗି ସୁଯୋଗ ପାଇନାହିଁ ।

 

ପୁଅ ବୋହୂ ନାତିକୁ ଯେ ଡାକିବାପାଇଁ ଇଚ୍ଛା ହୁଏନି ସୁଧାକର ମାଷ୍ଟରଙ୍କର ସେକଥା ନୁହେଁ, କିନ୍ତୁ ଏଇ ଗାଆଁକୁ ଏଯାଏ ବିଜୁଳି ଆଲୁଅ ଆସିନାହିଁ, ପାଣିକଳ ଲାଗିନାହିଁ । କାଳେ ଯଦି ଗାଆଁର ପରିବେଶ ସହି ନ ପାରି ପୁଅ ବେମାର ପଡ଼େ, ନାତିକୁ ଡିସେଣ୍ଟ୍ରି ହୁଏ । ସୁଭଦ୍ରାଙ୍କୁ ବୁଝେଇ ଦିଅନ୍ତି ସୁଧାକର ବାବୁ–ପରେ ସୁବିଧା ଦେଖି ଆସିବେ । ଆଗେ ସେମାନଙ୍କ ଚଳିବା ଭଳି କୋଠରିଟିଏ, ପାଇଖାନାଟିଏ ତିଆରି ହେଉ । ଉଚ୍ଚଶିକ୍ଷିତା ବଡ଼ ଘରର ଝିଅ, ଗାଧୋଇବାପାଇଁ ପୋଖରୀକି ତ ଯାଇ ପାରିବ ନାହିଁ । ସୁଭଦ୍ରା ଜିଦ୍‌ କରନ୍ତି ନାହିଁ, ବୁଝିଯାଆନ୍ତି । ତାଙ୍କର ଦୁନିଆଟା ଯେ ତାଙ୍କ ଅଜାଣତରେ ତାଙ୍କରି ଆଖି ଆଗରେ ଏତେ ବଦଳି ଗଲାଣି ତାହା ତାଙ୍କ ଆଖିରେ ଏ ଯାଏ ପଡ଼ି ବି ପଡ଼ିନି । ସେ ସେକାଳର ଲୋକ ହୋଇ ରହିଯାଇଛନ୍ତି । ଏକାଳର ମୋଟର ଗାଡ଼ି ସେକାଳର ଶଗଡ଼କୁ ପଛରେ ପକେଇ ଧୂଳି ଉଡ଼େଇ ଆଗକୁ ଚାଲିଯାଇଛି ।

 

ସେଦିନ ସନ୍ଧ୍ୟାବେଳେ ପିଣ୍ଡାରେ ବସି ସୁଭଦ୍ରାଙ୍କୁ ଭାଗବତ ପଢ଼ି ଶୁଣାଉଥିଲେ ସୁଧାକର ମାଷ୍ଟ୍ରେ । ତାଙ୍କର ପୂରୋହିତ ପହଞ୍ଚିଯାଇ କହିଲେ–ଏଇ ସଂସାରରୂପକ ବୈତରଣୀକୁ କେବଳ ତୁମପରି ଲୋକ ପାରିହୋଇ ପାରିବ ଭାଇନା । ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ବିଶ୍ୱାସଟି ଧର୍ମର ମୂଳକଥା । ଆମପରି ସଂସାରୀର ସମୟ କାହିଁ ତାଙ୍କ କଥା ଭାବିବାପାଇଁ । ଏଇ ଦେଖ, ପୂଜାରେ ବସିଥିଲି, ହଠାତ୍‌ ତୁମ କଥା ମନେପଡ଼ିଗଲା ଚାଲିଆସିଲି, ସାତବରଷ ହେଲା ହିସାବଟା ସେହିପରି କଷା ନ ହୋଇ ପଡ଼ିରହିଛି–କେତେ ହେବ କେଜାଣି । ଆଜି ଆମେ ଅଛୁ, କାଲିକୁ ନ ଥିବୁ । ପାପ ପୂଣ୍ୟର ଭାଗ ଆଉ କେହି ନେବେନାହିଁ ଭାଇନା, ତମ କାଗଜପତ୍ର ଦେଖିନିଅ, ମୁଁ ମରିବା ଆଗରୁ ଏ ଦାୟିତ୍ୱର ସମାଧାନ କରିଦିଅ ।

 

ସୁଧାକର ଭାଗବତକୁ ଯଥା ସ୍ଥାନରେ ରଖି ମୁଣ୍ଡିଆମାରି କହିଲେ–ମୁଁ ଭୁଲିଯାଇ ନ ଥିଲି ଯେ... ହେଲେ ଯାହା ଆଣିଥିଲି ସରିଆସିଲାଣି । ପୁଅକୁ ଲେଖିଚି, ସେ ପଠେଇଲା ପରେ ତୁମ ଟଙ୍କା ଶୁଝିଦେବି । କିଏ ଜାଣେ କାଳେ କୋଉଦିନ ମରିଯିବି । ତୁମ ଋଣ ପରିଶୋଧ ନ କରି ମରିଗଲେ ସ୍ୱର୍ଗରେ ଠାଇଁ ମିଳିବ ନାହିଁ ।

 

ସୁଭଦ୍ରା ଏ ଭିତରେ ଘର ଭିତରକୁ ଯାଇ ପାନ ଦି’ଖଣ୍ଡ ଭାଙ୍ଗି ଆଣି ପୂରୋହିତଙ୍କ ହାତକୁ ବଢ଼େଇଦେଇ କହିଲେ–ତୁମେ ବୟସରେ ସାନ, ଇଏ ବଡ଼ । ଅମଙ୍ଗଳ କଥାଗୁଡ଼ା ଦୁହେଁ ମୁହଁରେ ଧରୁଛ କାହିଁକି ? ଆଉ ତମ ଟଙ୍କା କଥା–ଯିମିତି ହେଲେ ଶୁଝିଦବାନି ! ପୁଅ ପଠେଇଲେ ହେଲା । ବୁଝୁଥିବ ତ ତମେ–ଯେତେ ବଡ଼ ବାଉଁଶ ସେତେ ବଡ଼ ପୋଲା...

 

ଶଙ୍କର ପୂରୋହିତ କିଛି ସମୟ ବସି ଆଳାପ ଆଲୋଚନା କରି ବାକିଥିବା ଋଣର ହିସାବଟା କହିଦେଇ ବାହରିଗଲେ ପାନପିକ ପକେଇ ।

 

ସୁଧାକର ମନକୁମନ ଅଙ୍କ କଷୁଥିଲେ–କିପରି ଓ କେତେଶୀଘ୍ର ତିନି ହଜାର ଟଙ୍କା ସାତ ହଜାର ହୋଇଗଲା । ତିନି ହଜାରରୁ ହଜାରେ ଟଙ୍କା ସେ ଦେଇଥିଲେ ଆଗେ । ତଥାପି ଦୁଇହଜାର କିପରି ଏଇ କେତୋଟି ବର୍ଷରେ ସାତ ହଜାର ହୋଇଗଲା ତାଙ୍କ ବୁଦ୍ଧିବିଦ୍ୟାକୁ କୁଳଉ ନ ଥିଲା । ମନେମନେ ଅଙ୍କ କଷି ମଝିରେ କୋଉଠି ବଣା ହୋଇଯାଉଥିଲେ ସୁଧାକର ମାଷ୍ଟ୍ରେ । ସେ ଛାତ୍ରାବସ୍ଥାରୁ ଶିଖିଥିବା ସୁଧକଷା ନିୟମ ଭାଙ୍ଗିଯାଇ ସବୁ ଭୁଲ୍‌ ହୋଇଯାଉଥିଲା ।

 

ଶଙ୍କର ପୂରୋହିତେ ଚାଲିଗଲା ପରେ ସୁଧାକର ଆଉ ଗୋଟିଏ ଚିଠି ଲେଖିଲେ ପୁଅ ପାଖକୁ । ଏଇ କେତେମାସ ହେବ ଶୁଭଙ୍କର ପ୍ରମୋସନ ପାଇ ପୁଲିସ୍‍ ସୁପରିଟେଣ୍ଡେଣ୍ଟ ହୋଇ ଯାଇଚି ବାରିପଦା । ନୂଆ ଜାଗାରେ ପୁଅକୁ ଗାଡ଼ିରେ ବସିଥିବାବେଳେ ଦେଖିନାହାନ୍ତି ଆଜିଯାଏ । ଆସିଷ୍ଟାଣ୍ଟ ଏସ୍‌.ପି. ତା’ପରେ ଆଡ଼ିସ୍‌ନାଲ ଏସ୍‌.ପି ଏବେ ପୂରା ଏସ୍‌.ପି. । କବିବର ରାଧାନାଥ ଲେଖିଥିଲେ ଯେ, ବିନା ମେଘେ ପୁଲିସ୍‍ କୁଳିସ ସୃଷ୍ଟି କରିପାରେ । ଆଉ କେହି ନିନ୍ଦୁକ ବି କହନ୍ତି ଯେ–ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି...। ତାଙ୍କ ପୁଅ ଯେ ଘୁଷ୍‌ ନବନାହିଁ, ନୀତି ନିୟମ ମାନି ଧର୍ମକୁ ଭୟକରି ଚଳିବ ଏଥିରେ ସନ୍ଦେହ ନ ଥିଲା ତାଙ୍କର । ତଥାପି ମନରେ ଶଙ୍କା ହୁଏ, କାଳ ଯେମିତି ବଦଳି ଯାଉଛି, ମଣିଷ ନିର୍ବଳ ହୋଇପଡ଼ୁଛି, ନିଜ ଆୟତ୍ତରେ ରହିପାରୁନି । ସର୍ବଗ୍ରାସୀ ଲୋଭ, ଅହଂକାର ସବାର ହୋଇ ବାଟ କଢ଼ାଉଛି ମଣିଷକୁ । ଲୋକେ ବଦଳିଯାଉଛନ୍ତି ରାତାରାତି । ନୀତି ନିୟମ ଭାଙ୍ଗିଯାଉଛି ।

 

ଭାଗବତକୁ ମଥାରେ ଛୁଆଁଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ସୁଧାକର–ପୁଅକୁ ସତ୍‌କର, ସତ୍ ପଥରେ ଚଳାଅ, ଶୁଦ୍ଧ ନିର୍ମଳ କର ।

 

ଡାକବାକ୍‌ସରେ ଚିଠି ପକେଇଦେଇ ଆସିଲାବେଳକୁ ସୁଭଦ୍ରାଙ୍କୁ ଶୂନ୍ୟକୁ ଉଦାସ ଦୃଷ୍ଟିରେ ଚାହିଁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ ସୁଧାକର । ଏପରି ଗଭୀର ଉଦାସ, ହାରିଯାଉଥିବା ମଣିଷର ଏମିତି ସଙ୍କୁଚିତ ରୂପ ସେ ଆଗେ କେବେ ଦେଖି ନ ଥିଲେ ଏତେ ନିକଟରେ ।

 

ସୁଭଦ୍ରାଙ୍କ ପିଠି ଉପରେ ହାତ ରଖି କହିଲେ ମାଷ୍ଟ୍ରେ–ଏଇନେ ପରା ଶୁଣୁଥିଲ ତାଙ୍କରି କଥା–କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ । ଆମେ ସାମାନ୍ୟ ମଣିଷ, ଆମର ଶକ୍ତି କାହିଁ ଯେ ଆମେ କହିବା ଏପରି କରିବା ସେପରି କରିବା । ସବୁ ତାଙ୍କରି । ତାଙ୍କର ଇଚ୍ଛା ହେଲେ ପଙ୍ଗୁ ଗିରି ଲଙ୍ଘେ, ମୂକ ବାଚାଳ ହୁଏ...ତାଙ୍କୁ ଡାକ, ସେ ନିଶ୍ଚୟ ଶୁଣିବେ ।

 

ସ୍ତ୍ରୀକୁ ଏପରି କହିବାବେଳେ ଉପଦେଶ ନା ସାହସ ଦେଉଥିଲେ ବୁଝିପାରିଲେ ନାହିଁ ସୁଧାକର । ତାଙ୍କ ନିଜର ସ୍ୱର ତାଙ୍କୁ ଅପରିଚିତ ମନେହେଉଥିଲା ।

 

ସୁଭଦ୍ରା ଆଖିର ଲୁହ ପଣତକାନିରେ ପୋଛି କହିଲେ–ସାତ ହଜାର ଋଣ । ଘର ସଜାଡ଼ିବାରେ ଟଙ୍କା ଖର୍ଚ୍ଚ କରି ନ ଦେଇ ଯଦି ଶୁଝିଥାଆନ୍ତ ଇମିତି ପ୍ରବଚନ ଶୁଣିବାକୁ ପଡ଼ି ନ ଥାନ୍ତା...ଏବେ କଅଣ ହବ ଯେ...

 

ସୁଧାକର ସ୍ତ୍ରୀକୁ ସାହସ ଦେଇ କହିଲେ–ଚିଠି ପାଇ ଶୁଭ ବସି ନ ଥିବ ନିଶ୍ଚିନ୍ତହୋଇ, କିଛିନା କିଛି ଉପାୟ କରୁଥିବ...ହୁଏତ ଦୁଇ ଚାରିଦିନ ଭିତରେ ଆଜିର ଚିଠି ପହଞ୍ଚିବା ପୂର୍ବରୁ ସେ ନିଜେ ଆସି ପହଞ୍ଚିଯିବ ବା ଟଙ୍କା ଆସିବ ।

 

ସୁଭଦ୍ରା ରୋଷେଇଘର ଆଡ଼କୁ ଚାଲିଗଲାବେଳେ କେବଳ ଏତିକି କହିଲେ–ତୁମ କଥା ସତ ହେଉ ।

 

ସୁଧାକର ମାଷ୍ଟ୍ରେ ଜୀବନଯାକ ଛାତ୍ରମାନଙ୍କୁ ଏଇ ଗୋଟିଏ କଥା ଶିଖେଇଚନ୍ତି–ସତ କୁହ, ସତ୍ୟାଶ୍ରୟୀ ହୁଅ । ସତ୍ୟହିଁ ଈଶ୍ୱର । କିନ୍ତୁ ଆଜିର ଦୁନିଆରେ ସତ୍ୟ ନୁହେଁ ମିଥ୍ୟାହିଁ ପ୍ରବଳ । ମିଥ୍ୟାର ରାଜତ୍ୱ । ଛାତ୍ରମାନଙ୍କୁ ସତ୍ୟାଶ୍ରୟୀ ହବାପାଇଁ ଉପଦେଶ ଦେଇଥିଲେ । ନିଜେ ସତ୍ୟାଚରଣ କରି ଆଜୀବନ ଦୁଃଖ କଷ୍ଟ ଭୋଗି ସତ୍ୟର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାପାଇଁ କୃଚ୍ଛ୍ର ସାଧନ କରିଥିଲେ । ଶୁଭଙ୍କର ସତ୍ୟ ବା ମିଥ୍ୟା କେଉଁ ପଥ ବାଛିନେଇଛି ତାହା ସେ ଜାଣନ୍ତି ନାହିଁ-। ପ୍ରେୟ ପଛରେ ନ ଧାଇଁ ଶ୍ରେୟ ପଛରେ ଧାଇଁବାପାଇଁ ସେ ତାକୁ ଶିକ୍ଷା ଦେଇଥିଲେ । ଆହା ! ଶୁଭଙ୍କର ପୁଲିସ୍‌ସାହେବ ନ ହୋଇ ନଚିକେତା ହୋଇଥାଆନ୍ତା କି !

 

ଦିନ ଗଡ଼ି ଗଡ଼ି ଚାଲିଛି । ବାଇଶ ପାହାଚ ଅତିକ୍ରମ କରି ଆର୍ତ୍ତ, ଅର୍ଥାର୍ଥୀ, ଜିଜ୍ଞାସୁ ଓ ଜ୍ଞାନୀଗୁଣୀ ଚାଲିଚନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ! ମନନେଇ ଭଗବାନ । ସେ ତ ବାଧ୍ୟ କରିପାରିବେ ନାହିଁ ଚକାଡ଼ୋଳାଙ୍କୁ ତାଙ୍କ ଗୁହାରି ଶୁଣିବାପାଇଁ ! ଶୁଭ ପାଖକୁ ଦୁଇଟା ଚିଠି ଲେଖିଲେଣି, ଜବାବ୍‌ ଆସିନାହିଁ । ଶଙ୍କର ପୁରୋହିତେ ପ୍ରାୟ ପ୍ରତିଦିନ ଚେତେଇ ଦବାରେ ଲାଗିଛନ୍ତି-। ସାତ ହଜାର ଟଙ୍କା ସାତଦିନ ମଧ୍ୟରେ ପରିଶୋଧ ନ କଲେ ସେ ଅଦାଲତକୁ ଚାଲିଯିବେ ନ୍ୟାୟ ପାଇବା ଆଶାରେ । ସୁଧ ମୂଳ କଡ଼ାଗଣ୍ଡା ହିସାବ କରି ଆଦାୟ କରିନେବେ ସେଇଠି ।

 

ସୁଭଦ୍ରା ଭାବିଭାବି ଥଳକୂଳ ପାଉନାହାନ୍ତି । ମାଷ୍ଟର ମୁଣ୍ଡ, ମାଗିଦବା କ୍ଷଣି ସାତ ହଜାର କଅଣ ସାତଶହ ଦବାର ବଳ ନାହିଁ । ପୁଅକୁ ପଢ଼େଇବାପାଇଁ, ତା’ର ବାହାଘର ପାଇଁ ଘରଡ଼ିହ ବନ୍ଧକଦେଇ ଟଙ୍କା ଆଣିଥିଲେ ସେ ଅନ୍ୟ ଉପାୟ ନ ପାଇ । ଟଙ୍କା ଦେଇ ନ ପାରିଲେ ଶଙ୍କର ପୁରୋହିତ ଘରଡ଼ିହ ନେଇଯିବେ, ସାତ ପୁରୁଷର ଭିଟାମାଟି ଛାଡ଼ି ଗଛତଳେ ଆଶ୍ରୟ ନବାକୁ ପଡ଼ିବ।

 

ସୁଭଦ୍ରା ଠାକୁରଙ୍କୁ ଡାକି ଚାଲିଛନ୍ତି ଅହର୍ନିଶି । ସୁଧାକର ମାଷ୍ଟର ବି ଡାକୁଥିବେ ନିଶ୍ଚୟ; କିନ୍ତୁ ପ୍ରତିଦିନ ଡାକପିଅନ ଗାଆଁକୁ ଆସିଲାବେଳେ କାଳେ ଚିଠି ଆସିଥିବ ପୁଅ ପାଖରୁ ସେଇ ଆଶାରେ ତାହାରି ବାଟକୁ ଚାହିଁ ଅନେଇ ରହନ୍ତି ସ୍ୱୀମୀ ସ୍ତ୍ରୀ । ସେ ଆସେ ଓ ଯାଏ କିନ୍ତୁ ଚିଠ ଆସେନାହିଁ ।

 

ସୁଧାକର ମାଷ୍ଟ୍ରେ ସ୍ତ୍ରୀକୁ ଆଶ୍ୱାସନା ଦେଇ କହନ୍ତି–ନୂଆ ପ୍ରମୋସନ ପାଇ ପୁଲିସ୍‍ ସାହେବ ହୋଇଛି ପୁଅ, ସାରା ଜିଲ୍ଲାର ଦାୟିତ୍ୱ, ଭଲ ମନ୍ଦ ତାହାରି ମୁଣ୍ଡ ଉପରେ । ସମୟ ପାଉ ନଥିବ... । ସୁଭଦ୍ରାଙ୍କ ତୁଣ୍ଡରୁ ବାହାରିଯାଏ–ପୁଅ ସମୟ ପାଉନି, କିନ୍ତୁ ବୋହୂ ତ ଲେଖିପାରନ୍ତା ସେଇ ଚାବିକାଠି ପଣତ କାନିରେ ବାନ୍ଧି ବୁଲୁଛି–ପୁଅ ପାଖରେ ଟଙ୍କା ନାହିଁ କି ଚାବିକାଠି ନାହିଁ ।

 

ସୁଧାକରବାବୁ ସ୍ତ୍ରୀଙ୍କ ମୁହଁ ଉପରେ ହାତଦେଇ କହନ୍ତି–ଚୁଉପ୍‌ ଚୁଉପ୍‌... ଆଜିକାଲି କାନ୍ଥ ବାଡ଼ର ବି କାନ ଅଛି ପୁଅ ଯଦି ଏକଥା ଶୁଣେ... ବୋହୂ କାନକୁ ଯଦି ଏକଥା ଯାଏ...

 

ସୁଭଦ୍ରା ରାଗିଲା ପରି ମୁହଁକରି ଚାଲିଯାଆନ୍ତି ଭିତରକୁ ଦଶମାସ ଭାଗବତ ଶୁଣିବା ପରେ ପେଟକୁ ଆସିଥିଲା ଶୁଭ... କେତେ ଆଶା ଭରସା କରିଥିଲେ ସେ... ଶେଷରେ...

 

ଡାକପିଅନ ନୁହେଁ ଆଉଜଣେ ଅପରିଚିତ ଲୋକ ଆସି ତାଙ୍କ ହାତକୁ ଚିଠିଖଣ୍ଡେ ବଢ଼େଇଦେଇ କହିଲା–ମୁଁ କଟକ ମିଲଟରୀରେ କାମ କରେ । ଶୁଭବାବୁଙ୍କ ଶଶୁରଙ୍କ ସହିତ ମୋର ପରିଚୟ । ଏଇ ସାଲେପୁର ବଜାରରେ ମୋର ବ୍ୟବସାୟ । ଶୁଭବାବୁଙ୍କ ସାଙ୍ଗରେ କଟକରେ ଦେଖାହୋଇଗଲା–ସେ ଡାକରେ ନ ପଠେଇ ମୋ ହାତକୁ ଚିଠିଟା ବଢ଼େଇ ଦେଲେ । ସାଲେପୁରରୁ ଆପଣଙ୍କ ଗାଆଁ ତ ଡାକେ ବାଟ... ଚାଲିଆସିଲି ନିଜ ହାତରେ ଚିଠିଟା ଦେଇଯିବାପାଇଁ।

 

ସୁଧାକର ତାଙ୍କୁ ଧନ୍ୟବାଦ ଜଣାଇଲାବେଳେ ଜଗନ୍ନାଥଙ୍କୁ କିପରି କୃତଜ୍ଞତା ଜଣାଇବେ ଭାଷା ପାଉ ନ ଥିଲେ ।

 

ସେ ଘର ଭିତରକୁ ଯାଇ ସୁଭଦ୍ରାଙ୍କୁ କହିଲେ, ଦେଖିଲ ଶୁଭ ସେପରି ପିଲା ନୁହେଁ... ଏଇ ଚିଠି ଦେଇଛି... ଶୁଣ ପଢ଼ୁଛି... ମିଛଟାରେ ପୁଅ ଉପରେ ରାଗୁଥିଲ... ।

 

ସୁଭଦ୍ରାଙ୍କ ମୁହଁ ଉପରେ ହସ ଫୁଟିଉଠିଲା ସେ କହିଲେ–ସତେ ! ପଢ଼ପଢ଼ ଶୁଣେ ଆଗ କଅଣ ଲେଖିଛି... ଦେହପା ଭଲ ଅଛି ତ ?

 

ସୁଧାକର ପଢିଗଲେ...

 

ବାପା, ମାଆକୁ ନମସ୍କାର ଜଣାଇ ଲେଖିଛି ଶୁଭଙ୍କର...

 

ଆଜିକାଲି ସରକାରୀ ଚାକିରି ଇମିତି ହେଲାଣି ଯେ, ଯିବି କହିଲେ ଯାଇହେବନି । ପୁଲିସ୍‍ ଚାକିରିର ଦାୟିତ୍ୱ ଆହୁରି ବେଶୀ । ଆଜି ଆଇ. ଜି. ତ କାଲି ମନ୍ତ୍ରୀ ଆସୁଛନ୍ତି ଗସ୍ତରେ । ଆଉ ଯୋଉ ମହରଗ ପଡ଼ିଛି ଦରମାଟଙ୍କା ଘର ଖର୍ଚ୍ଚକୁ ନିଅଣ୍ଟ । ଇତିଶ୍ରୀ ଏଣେ ବାହାରିଛି କାଶ୍ମୀର ବୁଲିଯିବାପାଇଁ । ଯିବା ଆସିବା ସବୁ ଖର୍ଚ୍ଚ ମିଶି ଚାରି ପାଞ୍ଚ ହଜାର ଲାଗିଯିବ । ସେଠାରୁ ଫେରିଲେ ସେ ଯିବ ତା’ ବାପଘରକୁ, ତା’ ବଡ଼ଭାଇର ବାହାଘର । ଖାଲି ହାତରେ ତ ଯିବନି... ଦୁଇତିନି ହଜାର ସେଥିରେ ଲାଗିଯିବ । ମୁଁ ତ ଏଇ ପ୍ରମୋସନ ପାଇଲି... ଏତେ ଟଙ୍କା ହାତରେ କେଉଁଠୁ ପାଇବି ଯେ ସାତ ହଜାର ପଠାଇବି ତୁମ ପାଖକୁ ? ଇତିଶ୍ରୀ କଅଣ କହୁଥିଲା ଜାଣ... ଏଠାରେ ବଡ଼ଘର... ଦୁଇଟା କୋଠରି ଖାଲି ପଡ଼ିଛି, ଜର୍‌ସି ଗାଈ ଦୁଇଟା ରଖିଛି ଯେ ଦେଖିବାକୁ ଲୋକ ନାହାନ୍ତି । ଆଉ ତୁମ ନାତି ଯେମିତି ଚଞ୍ଚଳ ମନ ହଉଛି ତା ମା’ ବ୍ୟସ୍ତ ହୋଇପଡ଼ୁଛି । ତମେ ଦୁଇଜଣ ସେଠାରେ ନ ରହି ବରଂ ଏଠାକୁ ଚାଲିଆସି । ଘରଡ଼ିହ ସୁଧମୂଳ ବାବଦକୁ ଶଙ୍କର କକେଇଙ୍କୁ ଦେଇଦିଅ... ଆମେ ସବୁ ଏକାଠି ରହିଲେ ବାହାରକୁ ଭଲ ଦିଶିବ ଖର୍ଚ୍ଚ ବି କମିବ... ଆମ ନିଜ ଘର ନ ରହିଲା ନାହିଁ, ଶଶୁର ଯେଉଁ ପ୍ଲଟଖଣ୍ଡକ ଭୁବନେଶ୍ୱରରେ ଦେଇଛନ୍ତି ସେଇଟା ତ ଅଛି । ଲୋନ୍‌ ମିଳିଗଲେ କୋଠାଟିଏ ତୋଳିବି ।

 

ସୁଭଦ୍ରା କହିଲେ–ଥାଉ ଥାଉ, ପଢ଼ିବା ଦରକାର ନାହିଁ । ମୁଁ ଭାବି ନ ଥିଲି ଯେ, ଶୁଭଟା ଶେଷରେ ଇମିତି ଅମଣିଷ ହୋଇଯିବ... ହୁଏତ ବେଶୀ ପାଠ ପଢ଼ିଲେ, ବଡ଼ ଚାକିରି କଲେ ଲୋକମାନେ ଇମିତି ବଦଳିଯାଆନ୍ତି... ତା’ କଥା ଛାଡ଼ି, ମୋ ସାନକୁହା ମାନି ଆଉଥରେ ପ୍ରାଇଭେଟ୍‌ ସ୍କୁଲରେ ଚାକିରି କର... ମରିବାବେଳକୁ ୠଣତକ ଶୁଝିହୋଇ ଯାଇଥିବ ।

 

ସୁଧାକର ମାଷ୍ଟ୍ରେ ଶୂନ୍ୟକୁ ଚାହିଁଥିଲେ... ତାଙ୍କ ଆଖିର ଦୃଷ୍ଟି ହଜିଯାଇଥିଲା ଦୂର ଆକାଶରେ ।

Image

 

ସବା ଶେଷରେ

 

ହଠାତ୍‌ କେଉଁ ପଥ ଦେଇ ଅବିଶ୍ୱାସ ଅନୁପ୍ରବେଶ କଲା ମନଭିତରେ ତାହା କଳନା କରିବା ଆଗରୁ ସାତବର୍ଷର ଶ୍ରମ ଓ ଶ୍ରଦ୍ଧା ଉପରେ ନିର୍ମିତ ହୋଇଥିବା ସଂସାରଟି ଭାଙ୍ଗିଗଲା । ଶ୍ରୀରଧା ବାପଘରକୁ ଚାଲିଗଲା ଆକସ୍ମିକ ଭାବରେ । ସ୍ୱାମୀ ସହିତ ଗୋଟିଏ ଘରେ ରହିବାପାଇଁ ଯେତେବେଳେ କୌଣସି ସୁଯୋଗ ଆଉ ତା’ ପାଖରେ ରହିଲାନାହିଁ ସେତେବେଳେ ପରିବାରର ଅନାମିକା ସଭ୍ୟା ଭାବରେ ରହିବାର ଆବଶ୍ୟକତା ନ ଥିଲା ତା’ ପାଖରେ । ଆସିବାବେଳେ ବିଶ୍ୱଜିତ୍‌ ସହିତ ଦେଖା ହେଲାନାହିଁ, ସେ ବୋଧହୁଏ ଜାଣିଶୁଣି ଘରେ ନ ଥିଲା ସେତେବେଳେ । ଭଲହେଲା, କେହି କାହାରି ମୁହଁ ନଚାହିଁବା ଲାଗି ଯେଉଁ ପ୍ରତିଜ୍ଞା କରିଥିଲେ ତାହା କାର୍ଯ୍ୟରେ ପରିଣତ ହେଲା ଶେଷରେ ।

 

ଶ୍ରୀରଧା ବାପଘରକୁ ଆସି ତା’ ସପକ୍ଷରେ କାହାକୁ ଠିଆହେବାର ନ ଦେଖି ବିଚଳିତ ହୋଇପଡ଼ିଲା । ବାପା, ମା’ ଭାଇ ଓ ଭାଉଜ ସମସ୍ତେ ପ୍ରାୟ ସମସ୍ୱରରେ କହିଲେ ଯେ ଇମିତି ହୁଏ, ସଂସାର କଲେ ସଂସାରର ବୋଝ ମଧ୍ୟ ବୋହିବାକୁ ପଡ଼େ; ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ବା ମତାନ୍ତର କିଛି ନୂଆକଥା ନୁହେଁ–ଏହା ଅନାଦିକାଳର । ନିଜ ଘର ଛାଡ଼ି ବାପଘରକୁ ଚାଲିଆସିବା ଠିକ୍‌ ହୋଇନାହିଁ ।

 

କିନ୍ତୁ ଶ୍ରୀରଧା ହଠାତ୍‌ ରାଗିଯାଇ ଯେତେବେଳେ ସଙ୍ଗେ ସଙ୍ଗେ ଆଉ କୌଣସି ଜାଗାକୁ ଚାଲିଯିବାପାଇଁ ବାହାରିଲା ସମସ୍ତେ ସମାନ ଦୃଢ଼ ସ୍ୱରରେ ପ୍ରତିବାଦ କଲେ । ଝିଅର ଶେଷ ଆଶ୍ରୟ ବାପଘର । ଭୁଲ୍‌ ହେଉ ବା ଠିକ୍‌ ହେଉ, ଶ୍ରୀରଧା ଚାଲିଆସିଛି ଯେତେବେଳେ ତା’ପାଇଁ ସ୍ଥାନଭାବ ହେବ ନାହିଁ ପରିବାରରେ, ବରଂ ସେ ଏଠାରେ ରହିଲେ ମନ ପରିବର୍ତ୍ତନ ବେଶୀ ସମୟ ଲାଗି ନ ପାରେ । କଥାରେ କହନ୍ତି ଯେ, ଅଜାଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘାଡ଼ମ୍ୱରେ, ଦାମ୍ପତ୍ୟ କଳହେଚୈବ ବହ୍ୱାଡ଼ମ୍ୱର ଲଘୁକ୍ରିୟା । ସକାଳର ମେଘ ଗର୍ଜନ ଯେପରି ପ୍ରବଳ ବର୍ଷାର ସୂଚନା ଦିଏନାହିଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ସେହିପରି ଦାମ୍ପତ୍ୟ ଜୀବନର ମୂଳଚ୍ଛେଦ କରେନାହିଁ।

 

ଶ୍ରୀରଧା କିନ୍ତୁ ସହଜ ଭାବରେ ବାପା ମା’ଙ୍କ ଉପଦେଶ ଗ୍ରହଣ କରିପାରିଲାନାହିଁ । ବାପଘର ଛାଡ଼ି ବାହାରି ମଧ୍ୟ ଯାଇପାରିଲା ନାହିଁ । ହଠାତ୍‌ ତା’ ଆଗରେ ଥିବା ସବୁ ପଥଗୁଡ଼ା ଯେପରି ବନ୍ଦ ହୋଇଗଲା । ବାହା ହେବା ପୂର୍ବର ସ୍ୱାଧୀନତା ସେ ବଳି ଦେଇଥିଲା । ବାହାହେବା ଦିନଠାରୁ, ତାହାରି ବିନିମୟରେ ସେ ପାଇଥିଲା ସଂସାରର ସହଜାତ ଉଲ୍ଲାସ ଏବଂ ସୁଖ । ଦିନଗୁଡ଼ାକ ସ୍ୱପ୍ନପରି ବିତିଯାଉଥିବା ସମୟରେ ହଠାତ୍‌ ସବୁ ଓଲଟପାଲଟ ହୋଇଗଲା ସାତବର୍ଷର ସବୁ ବୁଝାମଣା, ବନ୍ଧନ ଓ ବିଶ୍ୱାସ ତୁଟିଗଲା ସାତଦିନରେ । ବିଶ୍ୱଜିତ୍‌ ବୁଝିଲାନାହିଁ, ସେ ମଧ୍ୟ ଅବୁଝାପରି ରହିଗଲା । ସାମାନ୍ୟ କଥାରୁ ଏପରି ପ୍ରଳୟ ଘଟିଯିବ ବୋଲି ସେ ତ କେବେ ଆଶଙ୍କା କରି ନ ଥିଲା, କିନ୍ତୁ ଯେତେବେଳେ ତାହା ଘଟିଗଲା ଆତ୍ମମର୍ଯ୍ୟାଦା ଜଗି ଘରଛାଡ଼ି, ସ୍ୱାମୀର ସୋହାଗ ଓ ସମ୍ଭୋଗ ସୁଖ ଛାଡ଼ି ସେ ପଳେଇଆସିଲା ବାପଘରକୁ । ବାପଘର ଝିଅମାନଙ୍କର ଶେଷ ଆଶ୍ରୟସ୍ଥଳୀ । ଏ ଦେଶରେ ବାପା ମା’ହିଁ ଶେଷ ଭରସା । କିଛି ଅଘଟଣ ଘଟିଗଲେ ଶ୍ୱଶୁରଘର ଛାଡ଼ି ଝିଅମାନେ ଏକମୁହାଁ ଚାଲି ଆସନ୍ତି ବାପଘରକୁ । ଦୁଃଖଦୈନ୍ୟ ସତ୍ତ୍ୱେ ଝିଅପାଇଁ ସ୍ଥାନାଭାବ ହୁଏନି ସେଠାରେ । ଶ୍ରୀରାଧାର ବାପା କନ୍ୟାଦାନ କଲାବେଳେ ଦଶଦୋଷ କ୍ଷମାକରି ତାକୁ ଆଜୀବନ ଜୀବନସଙ୍ଗିନୀ ଭାବରେ ରଖିବାପାଇଁ ଏବଂ ତା’ର ମାନମର୍ଯ୍ୟାଦା ଓ ନାରୀତ୍ୱ ରକ୍ଷା କରିବାପାଇଁ ଶପଥ କରାଇ ନେଇଥିଲେ ବିଶ୍ୱଜିତ୍‌କୁ, କିନ୍ତୁ ସେ ତାହା ସ୍ମରଣ ମଧ୍ୟ କଲାନାହିଁ-

 

ଶ୍ରୀରଧା ବାପଘରେ ରହି ପୁଣି ଆଉଥରେ ବଞ୍ଚିବାର ପଥ ଖୋଜିବାକୁ ଲାଗିଲା । ବାପା, ମା’, ଭାଇ ଓ ଭାଉଜ କେତେ ବୁଝେଇଲେ, ଆଉ ଥରେ ନେଇ ତାକୁ ସ୍ୱାମୀ ପାଖରେ ଛାଡ଼ିଦେଇ ଆସିବା ଲାଗି ପ୍ରସ୍ତାବ ମଧ୍ୟ କଲେ; କିନ୍ତୁ ତାହା ପ୍ରତ୍ୟାଖ୍ୟାନ କରି ନିଜର ଅହଙ୍କାରକୁ ସମ୍ୱଳ କରି ବସିରହିଲା ଶ୍ରୀରଧା । ସେ ଆଉ ଫେରିବ ନାହିଁ ବୋଲି ଜିଦ୍‌କରି ଚାଲିଆସିଛି ଫେରିଗଲେ ନିଜର ଛେପ ନିଜକୁ ଖାଇବାକୁ ହେବ । ବିଶ୍ୱଜିତ୍‌ ତାକୁ ଫେରିଆସିବାର ଦେଖି ମନେ ମନେ ହୁଏତ କହିବ, ମୁଁ ଜାଣିଥିଲି ଏୟା ହେବ ବୋଲି ଝିଅମାନଙ୍କର ଦୌଡ଼ କେତେଦୂର ତାହା ଜାଣେ ସେ । ଶ୍ରୀରଧା ଯେତିକି ଭାବେ ଅପମାନ ଆଉ ଅଭିମାନରେ ସେତିକି କୁହୁଳେ ।

 

ବାପଘରେ ରହିବାର କେତେ ମାସ ହୋଇଗଲାଣି । ବିଶ୍ୱଜିତ ଏ ଭିତରେ ପ୍ରମୋସନ ପାଇ ସବ୍‌ଡ଼ିଭିଜନ୍‌ର ଦାୟିତ୍ୱ ନେଇଛି । ଖବରକାଗଜର ସେହି ସମ୍ୱାଦଟି ହୁଏତ ତା’ ଆଖିରେ ଆଦୌ ପଡ଼ି ନ ଥାନ୍ତା, କିମ୍ୱା ପଡ଼ିଥିଲେ ବି ସେ ନ ପଢ଼ିବା ପରି ରହିଯାଇଥାଆନ୍ତା ନିଜ ଭିତରେ; ଭାଇ ଭାଉଜଙ୍କୁ କେବେହେଲେ କହି ନ ଥାନ୍ତା ସେ କଥା । କିନ୍ତୁ ଯେତେବେଳେ ଭାଉଜ ଆସି ଖବରକାଗଜର ସେହି ଅଶଂ ଉଚ୍ଚସ୍ୱରରେ ପଢ଼ି ଶୁଣାଇଦେଲେ ସେତେବେଳେ ସେଇ ସମ୍ୱାଦ ପ୍ରସନ୍ନ ଚିତ୍ତରେ ଗ୍ରହଣ ନ କରି ଯେପରି କିଛି ଶୁଣିନାହିଁ ସେହିପରି ଛଳନା କଲା ଶ୍ରୀରାଧା । ମା ଆସି କହିଲେ ସେ ସୌଭାଗ୍ୟବତୀ ହୋଇଥିଲେ ଏତେବେଳକୁ ସ୍ୱାମୀ ପାଖରେ ଥାଆନ୍ତା । ଯାହା ହୋଇଯାଇଛି ତାକୁ କବର ଦେଇ ତାହାର ଉପରେ ନୂଆକରି ଘର ତୋଳିବା ବୁଦ୍ଧିମାନର କାର୍ଯ୍ୟ । କିନ୍ତୁ ଶ୍ରୀରାଧା ଦୃଢ଼ କଣ୍ଠରେ ସମସ୍ତଙ୍କୁ ଶୁଣାଇ ଦେଲା ଯେ ଇମିତି ଅନେକ ପ୍ରମୋସନ ପାଆନ୍ତି, ଅନେକ ଉପରକୁ ଉଠନ୍ତି, ଚାକିରି କଲେ ଇମିତି ହୁଏ, ଏଥିରେ ନୂତନତ୍ୱ ନାହିଁକି ଅପ୍ରତ୍ୟାଶିତ କିଛି ନାହିଁ । ତା’ପରେ ବିଶ୍ୱଜିତ୍‌ ଯଦି ପ୍ରମୋସନ ପାଏ ସେଥିରେ ତା’ର ଯାଏ-ଆସେ କେତେ ? ସେ ତ ବିଶ୍ୱଜିତ୍‌ର ସଂସାର ଛାଡ଼ି ଆସିଛି ବାୟୁତାଡ଼ିତ ଶୁଷ୍କ ପତ୍ର ପରି ଟିକେ ଆଶ୍ରୟ ପାଇ ଅଟକିଯାଇଛି ବାଟରେ, କିଏ ଜାଣେ ଶେଷ ପରିଣତି କଅଣ ହେବ ?

 

ଶ୍ରୀରାଧା ଏମ୍‌. ଏ. ପରୀକ୍ଷାଟା ଦେଇ ପାରି ନ ଥିଲେ ହଠାତ୍‌ ବାହାହୋଇ ଯିବାରୁ । ଏବେ ପୁଣି ପୁରୁଣା ବହିପତ୍ର କାଢ଼ି ନିଜକୁ ପ୍ରସ୍ତୁତ କରି ପରୀକ୍ଷା ଦେଇଛି । ପାସ୍‍ କରିଯିବାର ଆଶା ବି ଅଛି । ଯଦି ଚାକିରି ଖଣ୍ଡେ ମିଳିଯାଏ ସେଇ ଆଶାରେ ପରୀକ୍ଷା ଦେଇଛି ଶ୍ରୀରାଧା । ବାପାଙ୍କ ବୋଝ ଉପରେ ନଳିତା ବିଡ଼ା ପରି ସେ ଆଉ ପଡ଼ିରହିବାକୁ ଚାହେଁନି, ସ୍ୱାବଲମ୍ୱୀ ହୋଇ ନିଜର ଦାୟିତ୍ୱ ନିଜେ ବହନ କରିବାକୁ ଚାହେଁ ।

 

ଶ୍ରୀରାଧାର ପ୍ରତିକ୍ରିୟା ଜାଣିବାପାଇଁ ଦିନେ ଭାଉଜ ଆଉ ଗୋଟିଏ ପ୍ରସଙ୍ଗ ଉତ୍‌ଥାପନ କଲେ । ବିଶ୍ୱଜିତ୍‌ ସହିତ ସମ୍ପର୍କ ଶେଷ ହୋଇଯାଇଛି ଯେତେବେଳେ ଆଉ ଗୋଟେ ନୂଆ ସମ୍ପର୍କ କଲେ କିମିତି ହୁଅନ୍ତା ? ସମୟ ତ ଗଡ଼ିଯାଇନି । ଶ୍ରୀରାଧାର ଅଠେଇଶ ବର୍ଷ ଚାଲିଛି । ଅଧେ ପଥ ବି ଅତିକ୍ରମ କରିନି ସେ । ସେ ଯଦି ରାଜି, ଭାଇ ଚେଷ୍ଟା କରି ଦେଖିବେ । ଆଶା ବି ଅଛି । ସୁକାନ୍ତ ବି ପ୍ରସ୍ତାବ ଦେଇଛି...

 

ଶ୍ରୀରାଧା ନାଗୁଣୀ ପରି ଫଣା ଉଠାଇ ତୀକ୍ଷ୍‌ଣ କଣ୍ଠରେ କହିଲା–କୋଉ ସୁକାନ୍ତ ?

 

–ତୁମ ଭାଇଙ୍କର ସାଙ୍ଗ...

 

–ଯିଏ ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଦିନେ କାଠଗଡ଼ାରେ ଛିଡ଼ାହୋଇଥିଲେ କୋର୍ଟରେ ?

 

–କିନ୍ତୁ ସେ ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ରାଧା !

 

–ଆଇନ ତାଙ୍କୁ ଧରିପାରିନି ସତ, କିନ୍ତୁ ସୁନନ୍ଦାର ଭୂତ ଦିନେ ତାଙ୍କୁ ଧରିବ ନିଶ୍ଚୟ, ସେଥିରୁ ପରିତ୍ରାଣ ପାଇବାର ପଥ ନାହିଁ ।

 

ଭାଉଜ ଆଉ ସେହି ପ୍ରସଙ୍ଗ ଉପରେ ଆଲୋଚନା ନ କରି ଅନ୍ୟ କାର୍ଯ୍ୟରେ ଚାଲି ଯିବା ପରେ ମନକୁମନ କହିଲା–ବିଶ୍ୱଜିତ୍‌ ସୁକାନ୍ତଠାରୁ ଅନେକ ଭଲ... । ଭାଉଜ ଆଉ ସେହି ପ୍ରସଙ୍ଗ ଉଠାଇଲେ ନାହିଁ ।

 

ଏମ୍‌. ଏ. ପାସ୍‌କରି ଭାଇଙ୍କର ଚେଷ୍ଟାରୁ ପ୍ରଜାତନ୍ତ୍ର କଲେଜରେ ଅଧ୍ୟାପିକାଭାବେ ଯୋଗଦେଲା ଶ୍ରୀରାଧା । ସକାଳୁ ବସ୍‌ରେ ବାହାରି ଦଶଟାରୁ ଚାରିଟା କଲେଜ କରି ପୁଣି ବସ୍‌ରେ ଫେରିବା ବେଳକୁ ଛଅଟା ବାଜିଯାଏ । ତିରିଶ ମାଇଲ ଦୂରରେ କଲେଜ ! ସେଠାରେ ଘର ନେଇ ଏକା ରହିବାରେ ଅସୁବିଧା ଅଛି । ବାପଘରର ସୁରକ୍ଷା ସେଠାରେ ଦୁର୍ଲଭ । ସେଥିପାଇଁ କଲେଜ କ୍ୟାମ୍ପସ୍‌ଭିତରକୁ ଚାଲି ନ ଯାଇ ଘରେ ରହି କଲେଜ କରୁଛି ଶ୍ରୀରାଧା ।

 

ସେଦିନ ବସ୍‌ରେ ଉଠିବା ପୂର୍ବରୁ ଗୋଟିଏ ପିଲା ତା’ ହାତକୁ ଖଣ୍ଡେ ମୁଦାଲଫାପା ବଢ଼ାଇ ଦେଇ କହିଲା, ଜଣେ କେହି ଆପଣଙ୍କୁ ଖୋଜୁଥିଲେ, ଠିକ୍‌ ସମୟରେ ନ ପାଇ ଚିଠିଟି ଆପଣଙ୍କୁ ଦବାପାଇଁ କହି ଏଇ ବାଟରେ ଜିପ୍‌ରେ ଚାଲିଗଲେ ।

 

ଛାତି ଭିତରଟା ଧଡ଼ କରି ଉଠିଲା ଶ୍ରୀରାଧାର । ତାକୁ ଚିଠିଦବା ଭଳି ଲୋକ କେହି ନାହାନ୍ତି ଏଠାରେ । ପୁଣି ଜିପ୍‌ଚଢ଼ି ତାକୁ ଖୋଜି ଖୋଜି ଏଠାକୁ ଆସିବାର ଲୋକ ତ ଆହୁରି ଦୁର୍ଲଭ । ତଥାପି ଜଣେ କେହି ଆସି ତାକୁ ଖୋଜିବା ସତ୍ୟ ଏବଂ ତାହାରି ଠିକଣାରେ ଚିଠିଟିଏ ଦେଇଯିବା ବି ସତ୍ୟ । ଚିଠି ଖଣ୍ଡକ ପଢ଼ିସାରି ବ୍ୟାଗ ଭିତରେ ରଖିଦେଲା ଶ୍ରୀରାଧା ଛୋଟ ଚିଠିଟିଏ ।

 

ଚିଠି ପଢ଼ି ଲଜ୍ଜାରେ ଲାଲ ପଡ଼ି ନ ଯାଇ ରାଗରେ ଜଳି ଉଠିଲା ଶ୍ରୀରାଧା । କେହି ଜଣେ ପ୍ରେମ ନିବେଦନ କରି ଚିଠି ଲେଖିଛି ତାକୁ । ଅନୁରୋଧ କରିଛି ସହରର ବସ୍‌ଷ୍ଟାଣ୍ଡ ପାଖ ରେସ୍ତୋଁରାରେ ଭେଟିବାପାଇଁ । ସେଠାରେ ସେ ଅପେକ୍ଷା କରି ରହିଥିବ ।

 

ଶ୍ରୀରାଧା ଜଳିବାକୁ ଲାଗିଲା । ସାମ୍ନାରେ ପାଇଲେ ସେଇ ଦୁଃସାହାସୀ ଲୋକଟିକୁ ଯେପରି କଞ୍ଚା ଚୋବାଇ ଯାଆନ୍ତା । ବଦ୍‌ମାସ ! ବଦ୍‌ତମିଜ୍‌ । ଏତେ ସାହାସ ! ସେଇ ଲୋକର ଠିକଣା ଲେଖା ନ ଥିଲା ଚିଠିରେ, ନାମ ମଧ୍ୟ ନ ଥିଲା ସେଥିରେ । ଶେଷରେ କେବଳ ଲେଖିଥିଲା ଯେ ତୁମର ଚିର ଅନୁରକ୍ତ–ମୁଁ ।

 

କାପୁରୁଷ ! ଭୀରୁ !! ନାମ ଲେଖିବାର ସାହାସ ଯାହାର ନାହିଁ ସେଇ ଲୋକଟା ପୁଣି ପ୍ରେମ ନିବେଦନ କରି ଚିଠି ଲେଖିଛି ତା’ ପାଖକୁ ? ଶ୍ରୀରାଧା ମନକୁ ମନ ହସିଲା ଟିକେ । କେତେବେଳ ପରେ ଉତ୍ତେଜନା ପ୍ରଶମିତ ହୋଇ ମନଟି ପୁଣି ଶାନ୍ତ ଶୀତଳ ହୋଇଗଲା ।

 

କିନ୍ତୁ ନିଶ୍ଚିନ୍ତ ହୋଇ ବସି ରହିବା ତା’ ଭାଗ୍ୟରେ ନାହିଁ ବୋଧହୁଏ–ନ ହେଲେ ପ୍ରାୟ ଦିନେ ଛାଡ଼ ଦିନେ ଗୋଟେ ଚିଠି ତା’ ନାମରେ ଆସନ୍ତାନି । ଶ୍ରୀରାଧା ବ୍ୟତିବ୍ୟସ୍ତ ହୋଇଉଠିଲା । ବାପା ମାଆ କଅଣ ଭାବୁଥିବେ କେଜାଣି ? ଭାଗ୍ୟକୁ ଭାଇ ନାହାନ୍ତି ଘରେ, ମାସେ ପରେ ଫେରିବେ । କିନ୍ତୁ ଭାଉଜ ତା’ ମୁହଁକୁ ଚାହିଁ ଇମିତି ମୁରୁକି ହସନ୍ତି ଯେ ସେଥିରୁ ସେ ଯେପରି ସବୁ ଜାଣନ୍ତି ତାହାରି ସୂଚନା ଦିଅନ୍ତି ସେ । ଶ୍ରୀରାଧା କହିବ କହିବ ହୋଇ କିଛି କହିପାରେନାହିଁ । କଲେଜରୁ ଫେରିଲେ ତା’ ହାତକୁ ଚିଠିଟି ବଢ଼ାଇ ଦେଇ ଘର ଭିତରକୁ ଚାଲିଯାଆନ୍ତି ଭାଉଜ । କବାଟ ବନ୍ଦ କରି ନିଜର କୋଠରି ଭିତରେ ରୁଦ୍ଧଶ୍ୱାସ ହୋଇ ଚିଠି ପଢ଼େ ଶ୍ରୀରାଧା ।

 

ସେଇ ହସ୍ତାକ୍ଷର... ସେଇ ଚିର ଅନୁରକ୍ତ ମୁଁ । ସେଇ ନାମ ଠିକଣା ନ ଥିବା ଚିଠି । ସେଇ ଗୋଟିଏ ନିବେଦନ–କେତେଦିନ ଆଉ ଏକା ଏକା ନିଜକୁ ଫାଙ୍କି ଦେଇ ରହିବ ତୁମେ ? ଆଉ କେତେ କାଳ ତୁମକୁ ପ୍ରତୀକ୍ଷା କରୁଥିବି ମୁଁ ? ତୁମେ ରେସ୍ତୋଁରାକୁ ଆସିଥିଲେ ଦେଖାହୋଇଥାଆନ୍ତା, କିନ୍ତୁ ଆସିଲ ନାହିଁ । ଦୁଇଟା ଟିକେଟ କରି ତୁମକୁ ଅପେକ୍ଷା କରିଥିଲି ‘ସମ୍ରାଟ’ରେ–କିନ୍ତୁ ଛବି ଆରମ୍ଭ ହେବା ପରେ ମଧ୍ୟ ତୁମକୁ ନ ଦେଖି ନିରାଶ ହୋଇ ଫେରିଲି । ତୁମେ ଛାତ୍ରୀମାନଙ୍କୁ ନେଇ ପିକ୍‌ନିକ୍‌ କରିବାପାଇଁ ନନ୍ଦନକାନନକୁ ଆସିବ ବୋଲି ସକାଳୁ ଅପେକ୍ଷା କରିଥିଲି, କିନ୍ତୁ ସଞ୍ଜ ପର୍ଯ୍ୟନ୍ତ ତୁମର ଆବିର୍ଭାବ ହେଲାନାହିଁ । କାହିଁକି ଲୁଚି ଲୁଚି ବୁଲୁଛ-? କାହିଁକି ନିଜକୁ ସୁଖୀ ନ କରି ନିଗୃହୀତ କରୁଛ ?

 

କିଏ ସେଇ ଧୂର୍ତ୍ତ ଆଦୌ ଜାଣି ନ ପାରି ନିଜ ଉପରେ କେବଳ ବିରକ୍ତ ହେଲା ଶ୍ରୀରାଧା-। ତା’ର ଚଳଣିରେ ବା ଚାହାଣିରେ ହୁଏତ କିଛି ତ୍ରୁଟି ରହିଯାଉଛି ଯାହା ପୁରୁଷକୁ ଆକୃଷ୍ଟ କରିବାପାଇଁ ଯଥେଷ୍ଟ । ନ ହେଲେ ଅନ୍ୟ କାହା ପାଖକୁ ଚିଠି ନ ଲେଖି, ଅନ୍ୟ କାହା ପାଖରେ ପ୍ରେମ ନିବେଦନ ନ କରି ତା’ର ଟିକେ ଅନୁଗ୍ରହ ପାଇଁ ସ୍ଵାର୍ଥ । ହୁଅନ୍ତା କାହିଁକି ?

 

ଶ୍ରୀରାଧାର ବୟସ ବଢ଼ୁନି ଯେପରି । ସ୍ୱାମୀ ପାଖରେ ଥିବାବେଳେ ଦେହରେ ଓ ମନରେ ଅଏସର ଯେଉଁ ଚିହ୍ନ ଥିଲା ତାହା ଅପସରି ଯାଇ ଆହୁରି ଶୀର୍ଣ୍ଣ ଏବଂ ସୁନ୍ଦର ଦିଶୁଛି । ସିନ୍ଥିରେ ସିନ୍ଦୂର ଦାଗ ନ ଥିଲେ କିଏ କହନ୍ତା ଯେ ସେ ବିବାହିତା ? ଅଠେଇଶ ବର୍ଷର ଶ୍ରୀରାଧା ଏକୋଇଶ ବର୍ଷର ତରୁଣୀ ପରି ପଥ ଆଲୋକିତ କରୁଛି ।

 

ବିଶ୍ୱଜିତ ତାକୁ ଫାଙ୍କି ଦେଇ ନ ଥିଲେ ଆଜି ଏପରି ସଙ୍କଟରେ ପଡ଼ି ନ ଥାନ୍ତା ଶ୍ରୀରାଧା-। ତାଙ୍କୁ ସୁମତି ସହିତ ଏକତ୍ର କଟକରୁ ଫେରିଥିବାର ଦେଖି କାହିଁକି କେଜାଣି ଜଳି ଉଠିଥିଲା ସେ ରାଗରେ । ଜଣେ ଭଲ ଝିଅ ଭାବରେ ସୁମତିର ସୁନାମ ନ ଥିଲେ ମଧ୍ୟ କାହିଁକି ବିଶ୍ୱଜିତ୍‌ ତା’ ସାଙ୍ଗରେ ମିଶେ ବୁଝି ନ ପାରି ସେଦିନ ସେ ଝଗଡ଼ା କରି ଯାହା ମନକୁ ଆସିଲା କହିଯାଇଥିଲା । ଆଉ ବିଶ୍ୱଜିତ୍‌ ବି ରାଗିଯାଇ ତାକୁ ହଠାତ୍‌ କହିପକେଇଥିଲା ଯେ ଶ୍ରୀରାଧା ବର୍ତ୍ତମାନର ଘୋଡ଼ଣିଦ୍ୱାରା ଅତୀତକୁ ଘୋଡ଼ାଇ ରଖିପାରିବ ନାହିଁ । ସିଦ୍ଧାର୍ଥ ରାୟର କବିତା ତା’ର ପ୍ରମାଣ । ଶ୍ରୀରାଧା ସିଦ୍ଧାର୍ଥ ରାୟର କାବ୍ୟନାୟିକା । ବିଶ୍ୱଜିତ ମୁହଁରୁ ସେତକ ଶୁଣି ସେଇ ମୁହର୍ତ୍ତରେ ଘରଛାଡ଼ି ଚାଲିଯିବାର ଶପଥ ନେଇ ଆଉ ତା’ର ମୁହଁ ଚାହିଁବ ନାହିଁ ବୋଲି କହିଦେଇଥିଲା ଶ୍ରୀରାଧା । ତା’ଠାରୁ ଆହୁରି ଜୋର୍‌ରେ ସେଇ ଏକ କଥା କହିଥିଲା ବିଶ୍ୱଜିତ୍‌ । ତା’ ପରେ ପରେ ସେ ଚାଲିଆସିଥିଲା ବାପଘରକୁ ।

 

କବାଟ ଉପରେ ମୃଦୁ ଆଘାତ କରି କହିଲେ ଭାଉଜ ଆସ, ବାହାରକୁ ଆସ... । ଶ୍ରୀରାଧା ବାହାରକୁ ଆସିବା କ୍ଷଣି ତାକୁ ଦେଖି ଚମକିପଡ଼ି କହିଲେ ଭାଉଜ–ଇସ୍‌, ଏମିତି ଶୁଖିଲା ଦିଶୁଛ ଯେ... ସକାଳୁ ଯାଇଥିଲ ଦରଫୁଟା ମଲ୍ଲୀ ଫୁଲ ପରି, ଏଇନେ ଫେରୁଛ ମଉଳି ପଡ଼ିଥିବା ଫୁଲପରି । କାହିଁକି ? କ’ଣ ହେଲା ? ସେ ଏତେଥର ଲେଖିଲେଣି... ଉତ୍ତର ଦେଉନ କାହିଁକି ?

 

କାହାକୁ ଉତ୍ତର ଦେବି... ସେଇ ସଇତାନକୁ ? ନାଗୁଣୀ ପରି ଫଣା ଟେକି ଫଁ ଫଁ କଲା ଶ୍ରୀରାଧା । ଭାଉଜ ତାକୁ ଛାତି ଉପରେ ଆଉଜାରେ ନେଇ କହିଲେ–ଯାହା ଭଲ ଭାବୁଛ କର... ତୁମକୁ ଏକା ଇମିତି ରୂପରେ ଦେଖିଲେ ମୋ ଅନ୍ତର ଭିତରଟା ମନ୍ଥି ହୋଇଯାଏ... ବଳ ବୟସ ସବୁଦିନ ନ ଥାଏ ରାଧା । ଟିକେ ଭାବିନିଅ…..

 

ଅନେକ ଭାବିଛି ଶ୍ରୀରାଧା । କପାଳର ସିନ୍ଦୂର ଅକ୍ଷୟ ହୋଇ ରହିଛି. ଯେତେ ନିଭାଇଲେ ମଧ୍ୟ ନିଭୁ ନାହିଁ । ହିନ୍ଦୁ ଘରର ଝିଅ ଥରେ ବୈଦିକ ରୀତିରେ ବାହାହେଲେ ଆଉ ସେ ବନ୍ଧନ କଟେନାହିଁ–ସାତପୁରୁଷକୁ ରହିଯାଏ । ଭଲ ଲାଗୁ ବା ନ ଲାଗୁ, ମନ ମିଳୁ ବା ନ ମିଳୁ, ସୁଖ ମିଳୁ ବା ନିର୍ଯାତନା ମିଳୁ, ପ୍ରାରବ୍‌ଧ ଭୋଗକରିବା ଲାଗି ମୁହଁବୁଜି ପଡ଼ି ରହନ୍ତି ଅଗଣିତ କୁଳବଧୂ । ପ୍ରତିବାଦ ବା ପ୍ରତିରୋଧ କରିବା ଦ୍ୱାରା ଦୁଃଖ, ଅନୁଶୋଚନା ବଢ଼େ ସିନା କମେ ନାହିଁ । ମାଡ଼ ଗାଳି ଖାଇ, ଅପମାନ ସହ୍ୟକର ପଡ଼ିରହେ ସେ କେତେବେଳେ ପୁଣି ବିଜୁଳି ଚମକିବା ପରି ଝଲକାଏ ସୁଖ ପାଇବାପାଇଁ । ସ୍ୱାମୀ ମୁହଁରୁ ପଦେ ମିଠାକଥା, ଦେହର ଟିକେ ନିଷ୍ୱଷଣ ତାକୁ ଭୁଲାଇଦିଏ ସବୁ । ସେଥିପାଇଁ ସ୍ୱାମୀକୁ ଛାଡ଼ି ସ୍ୱର୍ଗକୁ ବି ଯିବାକୁ ଚାହେଁନି ଭାରତର ବଧୂ ।

 

ଶ୍ରୀରାଧା କିନ୍ତୁ ନୂଆ ସ୍ୱାଭିମାନର ଦମ୍ଭରେ ଦାଉ ଦାଉ ହୋଇ ଜଳୁଥିଲା ସେତେବେଳେ-। ସେ କୋଉଗୁଣରେ କମ୍‌ ନୁହେଁ ବିଶ୍ୱଜିତ୍‌ଠାରୁ । ତାହାରି ଆଖିଆଗରେ ବାରମ୍ୱାର ମନାକରିବା ସତ୍ତ୍ୱେ ସେ ସୁମତି ସହିତ ବସିବ ହସିବ, ଏକାସାଙ୍ଗରେ ଫେରିବ ବଜାରରୁ ଏହା ସହ୍ୟକରିବା ସମ୍ଭବ ନୁହେଁ

 

କିନ୍ତୁ ଏଇ ସଇତାନ ସହିତ ସାଲିସ୍‌ କରିବା ମଧ୍ୟ ସମ୍ଭବ ନୁହେଁ । ସୁକାନ୍ତ ଯେ ଏଇ ଚିଠି ଲେଖୁଛି ଏହା ମନେ ମନେ ନିଶ୍ଚୟ କରି ନେଇଥିଲା ଶ୍ରୀରାଧା । ଉତ୍ତର ନ ପାଇ ବା ଉତ୍ତର ପାଇବାର ଆଶା ନ ରଖି ମଧ୍ୟ ସେ କେବଳ ଲେଖିଚାଲିଛି । ସେଇ ଲୋକଟାକୁ ଶାସ୍ତି ଦବାପାଇଁ ମନ ଛଟପଟ ହୁଏ ଶ୍ରୀରାଧାର ତା’ପରି ଜଣେ ଅଲକ୍ଷଣୀୟା ପରିତ୍ୟକ୍ତା ମହିଳାକୁ ନିଜର କାର୍ଯ୍ୟରେ ଲଗାଇବାକୁ ଚାହେଁ ସେ । ଯେତିକି ଭାବିଲା ସେ ବିଷୟରେ ସତିକି ନିଜ ଦାନ୍ତରେ ନିଜର ଅଧରକୁ ଦଂଶନ କରିବାକୁ ଲାଗିଲା ଶ୍ରୀରାଧା ।

 

ସ୍ୱାମୀଟିଏ ନ ଥିଲେ ଇମିତି ବୋଧହୁଏ ଝିଅ ଉପରେ ଆଖିପଡ଼େ ସମସ୍ତଙ୍କର !

 

ବିଶ୍ୱଜିତ୍‌ ଯଦି ବିଶ୍ୱାସଘାତକତା କରି ନ ଥାନ୍ତା ଏତେବେଳକୁ କେତେ ସୁଖରେ ଥାଆନ୍ତା ଶ୍ରୀରାଧା ।

 

ସେଇ ରାତିରେ ଭାଇ ଫେରିଆସି ତାକୁ କହିଲେ କିଛି ଗୋଟେ ସିଦ୍ଧାନ୍ତ କରିବାପାଇଁ । ସୁକାନ୍ତ କେତେଦିନ ଅପେକ୍ଷା କରିବ ଆଉ ? ଶେଷ କଥା ଶୁଣିବାପାଇଁ ଚାହେଁ ସେ । ତାକୁ ଜବାବ ଦେବାକୁ ହେବ ।

 

ଶ୍ରୀରାଧା କ୍ରନ୍ଦନୋଚ୍ଛ୍ୱାସରେ ଭାଙ୍ଗିପଡ଼ି ଭଙ୍ଗା ସ୍ୱରରେ କହିଲା–ଆଉ କଅଣ ଅଛି ଯେ ସୁକାନ୍ତ ଆସିଛି... ଯାହାଥିଲା ମୁଁ ତ ଦେଇସାରିଛି ଜଣକୁ...

 

ସେଇ ରାତିରେ ହଠାତ୍‌ ବମିଖାଲ ପାଖରେ ଘଟିଗଲା ଗୋଟେ ଦୁର୍ଘଟଣା । ଗୋଟିଏ ଶଗଡ଼କୁ ରକ୍ଷା କରିବାକୁ ଯାଇ ଗଛରେ ବାଡ଼େଇ ହୋଇଗଲା ଜିପ୍‌ଗାଡ଼ି । ଯନ୍ତ୍ରଣାରେ ଛଟପଟ ହେଉଥିବା ସେଇ ଗାଡ଼ିଚାଳକକୁ ଚିକିତ୍ସା କରିବାପାଇଁ ଚେମ୍ୱର ଭିତରକୁ ଆଣି ଭାବିବିହ୍ୱଳ ହୋଇ ଶ୍ରୀରାଧାକୁ କହିଲେ ଭାଇ... କିଏ ଆସିଛି ଦେଖିଛୁ ରାଧା ?

 

ଶ୍ରୀରାଧା ସେତେବେଳକୁ ବିଶ୍ୱଜିତ୍‌ର ସଂଜ୍ଞାହୀନ ଦେହକୁ କୋଳ ଉପରକୁ ଟେକି ନେଇ ପ୍ରାର୍ଥନା କରୁଥିଲା–ମୋର ପରମାୟୁ ନେଇ ତାଙ୍କୁ ବଞ୍ଚାଇଦିଅ ଭଗବାନ...

Image